ଭୁବନେଶ୍ୱର: ବିଦ୍ୟୁତ୍ ବିଲ୍ରୁ ମୁକ୍ତି ପାଇବା ପାଇଁ ଘର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇଛନ୍ତି କି? ନା ଭବିଷ୍ୟତରେ ସୌର ଶକ୍ତି ବ୍ୟବହାର କରି ବିଦ୍ୟୁତ୍ ବିଲ୍ କମାଇବାକୁ ଯୋଜନା କରୁଛନ୍ତି? ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ ସୌର ଶକ୍ତି ବ୍ୟବହାରକୁ ନେଇ ନୂଆ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଏହା ଲାଗୁ ହେଲେ ବଡ଼ କ୍ଷମତା ବିଶିଷ୍ଟ ସୋଲାର ସିଷ୍ଟମ୍ ଲଗାଉଥିବା ଗ୍ରାହକଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। କେବଳ ସେତିକି ନୁହେଁ, ଅତିରିକ୍ତ ବିଦ୍ୟୁତ୍ ଗ୍ରୀଡ୍କୁ ପଠାଉଥିବା ଗ୍ରାହକଙ୍କ ଉପରେ ନେଟ୍ ମିଟରିଂ ଚାର୍ଜ ମଧ୍ୟ ଲାଗିପାରେ।
ବିଦ୍ୟୁତ୍ ମନ୍ତ୍ରଣାଳୟ ପକ୍ଷରୁ ବିଦ୍ୟୁତ୍ (ଗ୍ରାହକଙ୍କ ଅଧିକାର) ନିୟମ, ୨୦୨୦ରେ ସଂଶୋଧନ ପାଇଁ ଏକ ଡ୍ରାଫ୍ଟ ପ୍ରସ୍ତାବ ରଖାଯାଇଛି। ଏଥିରେ ରୁଫ୍ଟପ୍ ସୋଲାର ସିଷ୍ଟମ୍, ବ୍ୟାଟେରୀ ଷ୍ଟୋରେଜ୍ ଏବଂ ନେଟ୍ ମିଟରିଂକୁ ନେଇ ଏକାଧିକ ପରିବର୍ତ୍ତନର ପ୍ରସ୍ତାବ ରହିଛି। ତେବେ ଏହା ଏବେ ଏକ ପ୍ରସ୍ତାବିତ ନିୟମ। ଚୂଡ଼ାନ୍ତ ନିଷ୍ପତ୍ତି ଓ ରାଜ୍ୟ ନିୟାମକ ଆୟୋଗଙ୍କ ନିର୍ଦ୍ଧାରଣ ପରେ ଏହାର ପ୍ରକୃତ ପ୍ରଭାବ ଜଣାପଡ଼ିବ।
୧୦ KWରୁ ଅଧିକ ସୋଲାର ପ୍ୟାନେଲ୍ରେ ବ୍ୟାଟେରୀ ବାଧ୍ୟତାମୂଳକ?
ପ୍ରସ୍ତାବିତ ନିୟମ ଅନୁଯାୟୀ, ବଡ଼ କ୍ଷମତା ବିଶିଷ୍ଟ ରୁଫ୍ଟପ୍ ସୋଲାର ସିଷ୍ଟମ୍ ସହିତ ବ୍ୟାଟେରୀ ଷ୍ଟୋରେଜ୍ ବ୍ୟବସ୍ଥା ରଖିବାକୁ ପଡ଼ିପାରେ। ଏହାର ଆବଶ୍ୟକତା ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ (SERCs) ସ୍ଥିର କରିବେ। ଯଦି କୌଣସି ରାଜ୍ୟ ନିୟାମକ ଆୟୋଗ ଏଥିପାଇଁ ନିର୍ଦ୍ଦିଷ୍ଟ କ୍ଷମତା ସୀମା ଧାର୍ଯ୍ୟ ନକରନ୍ତି, ତେବେ ୧୦ କିଲୋୱାଟ୍ରୁ ଅଧିକ କ୍ଷମତା ବିଶିଷ୍ଟ ସୋଲାର ସିଷ୍ଟମ୍ ପାଇଁ ଏହି ନିୟମ ଲାଗୁ ହୋଇପାରେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସୋଲାର ସିଷ୍ଟମ୍ର ଦୈନିକ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର ଅତି କମ୍ରେ ୨୦ ପ୍ରତିଶତ ସଂରକ୍ଷଣ କରିପାରୁଥିବା ବ୍ୟାଟେରୀ ଲଗାଇବାକୁ ପ୍ରସ୍ତାବ ରହିଛି। ଏହି ବ୍ୟବସ୍ଥା ୧ ଏପ୍ରିଲ୍ ୨୦୨୮ରୁ କାର୍ଯ୍ୟକାରୀ କରିବାକୁ ଯୋଜନା ରହିଛି। ଅର୍ଥାତ୍ ଦିନରେ ସୌର ପ୍ୟାନେଲ୍ରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ୍ର କିଛି ଅଂଶ ବ୍ୟାଟେରୀରେ ସଂରକ୍ଷିତ ରହିବ। ଏହାକୁ ସନ୍ଧ୍ୟା କିମ୍ବା ରାତି ସମୟରେ ବ୍ୟବହାର କରିହେବ।
ନେଟ୍ ମିଟରିଂ ପାଇଁ ଦେବାକୁ ପଡ଼ିବ ଅତିରିକ୍ତ ଟଙ୍କା!
ସୋଲାର ପ୍ୟାନେଲ୍ ଲଗାଇଥିବା ଅନେକ ଗ୍ରାହକ ଦିନରେ ନିଜର ଆବଶ୍ୟକତାଠାରୁ ଅଧିକ ବିଦ୍ୟୁତ୍ ଉତ୍ପାଦନ କରିଥାନ୍ତି। ଏହି ଅତିରିକ୍ତ ବିଦ୍ୟୁତ୍କୁ ଗ୍ରୀଡ୍କୁ ପଠାଯାଏ। ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁଯାୟୀ ଗ୍ରୀଡ୍ରୁ ବିଦ୍ୟୁତ୍ ନିଆଯାଏ। ଏହି ହିସାବକୁ ନେଟ୍ ମିଟରିଂ କୁହାଯାଏ।
କିନ୍ତୁ ସରକାରଙ୍କ ଯୁକ୍ତି ହେଉଛି, ଏହି ବ୍ୟବସ୍ଥାରେ ଗ୍ରାହକମାନେ ଦିନରେ ଅତିରିକ୍ତ ବିଦ୍ୟୁତ୍ ଗ୍ରୀଡ୍କୁ ଦେଉଥିବାବେଳେ ରାତିରେ ପୁଣି ଗ୍ରୀଡ୍ରୁ ବିଦ୍ୟୁତ୍ ନେଉଛନ୍ତି। ଏହାଦ୍ୱାରା ବିଦ୍ୟୁତ୍ ବିତରଣ କମ୍ପାନି (DISCOM) ଉପରେ ନେଟୱାର୍କ ପରିଚାଳନା ଓ ଅନ୍ୟାନ୍ୟ ଖର୍ଚ୍ଚର ଚାପ ପଡ଼ୁଛି। ତେଣୁ ନେଟ୍ ମିଟରିଂ ଉପରେ ଅତିରିକ୍ତ ଚାର୍ଜ ଲାଗୁ କରିବାକୁ ପ୍ରସ୍ତାବ ରହିଛି।
ତେବେ ଏହି ଚାର୍ଜ ସମସ୍ତ ସୋଲାର ଗ୍ରାହକଙ୍କ ପାଇଁ ଲାଗୁ ହେବ ନାହିଁ। ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ନିଜ ନିଜ ରାଜ୍ୟର ପରିସ୍ଥିତି ଅନୁଯାୟୀ କ୍ଷମତା ସୀମା ଧାର୍ଯ୍ୟ କରିବେ। ସେହି ସୀମା ଅତିକ୍ରମ କଲେ ନେଟୱାର୍କ କ୍ଷତି ଓ ବ୍ୟାଟେରୀ ଷ୍ଟୋରେଜ୍ର ଆନୁମାନିକ ଖର୍ଚ୍ଚ ଆଧାରରେ ଅତିରିକ୍ତ ଦେୟ ଲାଗୁ ହୋଇପାରେ।
ଛୋଟ ଘରୋଇ ଗ୍ରାହକଙ୍କୁ ମିଳିବ ଆଶ୍ୱସ୍ତି!
ନୂଆ ପ୍ରସ୍ତାବରେ ଛୋଟ ଘରୋଇ ସୋଲାର ଗ୍ରାହକଙ୍କୁ କିଛି ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି। କାରଣ ଅଧିକାଂଶ ସାଧାରଣ ପରିବାର ଛୋଟ କ୍ଷମତା ବିଶିଷ୍ଟ ସୋଲାର ପ୍ୟାନେଲ୍ ବ୍ୟବହାର କରନ୍ତି। ସେମାନେ ରାଜ୍ୟ ନିୟାମକ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ ସୀମା ମଧ୍ୟରେ ରହିପାରନ୍ତି। ଏପରି ସ୍ଥିତିରେ ସେମାନଙ୍କୁ ଅତିରିକ୍ତ ନେଟ୍ ମିଟରିଂ ଚାର୍ଜ ଦେବାକୁ ପଡ଼ିନପାରେ।
ଅନ୍ୟପକ୍ଷରେ ବଡ଼ ବଡ଼ ଘର, ବାଣିଜ୍ୟିକ ପ୍ରତିଷ୍ଠାନ ଓ ଶିଳ୍ପ ୟୁନିଟ୍ଗୁଡ଼ିକରେ ଅଧିକ କ୍ଷମତା ବିଶିଷ୍ଟ ସୋଲାର ସିଷ୍ଟମ୍ ଲଗାଇଥିବା ଗ୍ରାହକଙ୍କୁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିପାରେ। ସେମାନଙ୍କ ପାଇଁ ବ୍ୟାଟେରୀ ଷ୍ଟୋରେଜ୍ ଓ ନେଟ୍ ମିଟରିଂ ଚାର୍ଜ ଦୁଇଟି ଅତିରିକ୍ତ ଖର୍ଚ୍ଚର କାରଣ ହୋଇପାରେ।
ବିଦ୍ୟୁତ୍ ବିଲ୍ରେ ବଡ଼ ଭୁଲ୍ ହେଲେ ଡିସକମ୍ କରିବ ତଦନ୍ତ!
କେବଳ ସୋଲାର ପ୍ୟାନେଲ୍ ନୁହେଁ, ସାଧାରଣ ବିଦ୍ୟୁତ୍ ଗ୍ରାହକଙ୍କ ବିଲ୍କୁ ନେଇ ମଧ୍ୟ ନୂଆ ପ୍ରସ୍ତାବ ରହିଛି। ବେଳେବେଳେ ଗ୍ରାହକଙ୍କୁ ହଠାତ୍ ଅଧିକ ବିଦ୍ୟୁତ୍ ବିଲ୍ ଆସୁଥିବାବେଳେ ଆଉ କେତେକ କ୍ଷେତ୍ରରେ ଅସ୍ୱାଭାବିକ ଭାବେ କମ୍ ବିଲ୍ ଆସିଥାଏ। ଏଭଳି ସମସ୍ୟାର ସମାଧାନ ପାଇଁ ସରକାର ନୂଆ ବ୍ୟବସ୍ଥା ପ୍ରସ୍ତାବ ଦେଇଛନ୍ତି।
ପ୍ରସ୍ତାବ ଅନୁଯାୟୀ, ଯଦି କୌଣସି ଗ୍ରାହକଙ୍କ ମାସିକ ବିଦ୍ୟୁତ୍ ବିଲ୍ ପୂର୍ବର ୬ଟି ବିଲିଂ ଚକ୍ରର ହାରାହାରି ବିଲ୍ର ୫ ଗୁଣରୁ ଅଧିକ ହୁଏ କିମ୍ବା ହାରାହାରି ବିଲ୍ର ଏକ-ପଞ୍ଚମାଂଶରୁ କମ୍ ହୁଏ, ତେବେ ବିଦ୍ୟୁତ୍ ବିତରଣ କମ୍ପାନିକୁ ନିଜ ଆଡ଼ୁ ତଦନ୍ତ କରିବାକୁ ପଡ଼ିବ।
ଏହି ତଦନ୍ତ ୩୦ ଦିନ ମଧ୍ୟରେ ଶେଷ କରିବାକୁ ପ୍ରସ୍ତାବ ରହିଛି। ସବୁଠାରୁ ଆଶ୍ୱସ୍ତିକର କଥା ହେଉଛି, ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଗ୍ରାହକ ପୂର୍ବ ୬ଟି ବିଲ୍ର ହାରାହାରି ରାଶି ପୈଠ କଲେ ତାଙ୍କର ବିଦ୍ୟୁତ୍ ସଂଯୋଗ କାଟିବାକୁ ହେବ ନାହିଁ ବୋଲି ଡ୍ରାଫ୍ଟରେ ପ୍ରସ୍ତାବ ରହିଛି।
ସୋଲାର ଗ୍ରାହକଙ୍କ ପାଇଁ ଏବେ କ’ଣ ଜାଣିବା ଜରୁରୀ?
ନୂଆ ନିୟମ ଲାଗୁ ହେଲେ ସୋଲାର ପ୍ୟାନେଲ୍ର କ୍ଷମତା, ବ୍ୟାଟେରୀ ସଂରକ୍ଷଣ ଓ ଗ୍ରୀଡ୍କୁ ବିଦ୍ୟୁତ୍ ଯୋଗାଣ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ତେଣୁ ଯେଉଁମାନେ ନୂଆ ସୋଲାର ସିଷ୍ଟମ୍ ଲଗାଇବାକୁ ଯୋଜନା କରୁଛନ୍ତି, ସେମାନେ ନିଜ ରାଜ୍ୟର ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିୟମ ଓ ଡିସକମ୍ର ନିର୍ଦ୍ଦେଶ ଉପରେ ନଜର ରଖିବା ଜରୁରୀ। କାରଣ ଆଗାମୀ ଦିନରେ ସୋଲାର ପ୍ୟାନେଲ୍ ଲଗାଇବା ସହ ଏହାର ବ୍ୟବହାର ଓ ବିଦ୍ୟୁତ୍ ସଂରକ୍ଷଣର ନିୟମ ମଧ୍ୟ ବଦଳିପାରେ।


