ସମୀକ୍ଷା ବ୍ୟୁରୋ
ଦୁଇଚକିଆ ଯାନ ଭିତରେ ରୟାଲ ଏନଫିଲ୍ଡର ବୁଲେଟ ସହିତ ସେତେବେଳର ଚେକୋସ୍ଲୋଭାକିଆର ପ୍ରସିଦ୍ଧ ମୋଟର ସାଇକେଲ ଜାଭା ଦୀର୍ଘ ସମୟ ଧରି ଭାରତୀୟ ରାସ୍ତାରେ ଆଧିପତ୍ୟ ବିସ୍ତାର କରିଥିଲା। ଏହି ହେଭି 2 ଷ୍ଟ୍ରୋକ 250 cc ଏବଂ 300 cc ବାଇକ 1990 ମସିହା ପରେ ଭାରତୀୟ ରାସ୍ତାରୁ ଉଭାନ ହୋଇଯାଇଥିଲେ ବି ଏବେ ଆଉଥରେ ଭାରତକୁ ଆସିବାକୁ ପଥ ପରିସ୍କାର କରିଛି।
ଭାରତୀୟ ବାଇକପ୍ରେମୀଙ୍କ ଭାବାବେଗ ନେଇ ପ୍ରସ୍ତୁତ କରାଯାଇଥିବା ଏହି ଫୋର ଷ୍ଟ୍ରୋକ jawa ଏବଂ jawa 42 ବାଇକ ରୟାଲ ଏନଫିଲଡ଼ କିଣିବାକୁ ବିଚାର କରୁଥିବା ଗ୍ରାହକଙ୍କୁ ଆଉ ଥରେ ଭାବିବାକୁ ବାଧ୍ୟ କରିବ। ସୁନ୍ଦର ହେଡଲାଇଟ ଏବଂ ତେଲ ଟାଙ୍କି ସହ ଏହି ଦୁଇ ମଡେଲକୁ ବିଗତ ବର୍ଷର ଜାଭା ବାଇକ ଭଳି ଏହାକୁ ରୟାଲ ଲୁକ ଦେବାକୁ ଚେଷ୍ଟା କରାଯାଇଛି । ଫ୍ରାଣ୍ଟିସେକ ଜେନେସେକଙ୍କ ଦ୍ଵାରା ୧୯୨୯ ମସିହାରେ ବିଗତ ବର୍ଷର ଚେକୋସ୍ଲୋଭାକିଆର ପରାଗୁଏରେ ପ୍ରତିଷ୍ଠା କରାଯାଇଥିଲା । ଏହା ଭାରତକୁ ୧୯୬୦ ମସିହାରେ ଆସିଥିଲା । ମୈସୁରଠାରେ ଏହି ଆଇଡିଆଲ ଜାଭା ଉତ୍ପାଦନ କରୁଥିଲା । ଶ୍ରମିକ ଅଶାନ୍ତି ଏବଂ ନୂତନ ପ୍ରଦୂଷଣ ନିୟମକୁ ପାଳନ କରିବାରେ ବିଫଳ ହେବ ହେତୁ ଏହାର ଉତ୍ପାଦନ ବନ୍ଦ ହୋଇଯାଇଥିଲା। ୧୯୯୬ ମସିହାରେ ଫାକ୍ଟ୍ରି ବନ୍ଦ ହେବା ପୂର୍ବରୁ jawa ଓ yezdi ନାମରେ ନୂଆ ମଡେଲ ବଜାରକୁ ଆସିଥିଲେ ମଧ୍ୟ ନୁଆ ନୁଆ ବଜାରକୁ ଆସୁଥିବା ବାଇକ ତୁଳନାରେ ଏହି ବାଇକଗୁଡିକର ଅଧିକ ତେଲ ଖର୍ଚ୍ଚ ଏହି ପ୍ରତିଷ୍ଠିତ ରୟାଲ ବାଇକର ଚାହିଦାକୁ କମାଇ ଦେଇଥିଲା।
ଏବେ ଏହି ଜାଭା ଭାରତକୁ ନୂଆ ରୂପରେ ଆସିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସହାୟକ କମ୍ପାନୀ କ୍ଲାସିକ ଲିଜେଣ୍ଡ୍ସ ଏହାର ଦୁଇଟି ଉତ୍ପାଦ ଜାଭା ଏବଂ ଜାଭା ଫର୍ଟି ଟୁ ନାମରେ ଗତ ମାସରୁ ଆଉ ଥରେ ଶୁଭାରମ୍ଭ କରିଛି । ଶୁଭାରମ୍ଭ ହେଉ ହେଉ ବର୍ତ୍ତମାନ ସୁଦ୍ଧା ଏହାର ଦୁଇଟି ଯାକ ମଡେଲ ସଂପୂର୍ଣ୍ଣ ବୁକିଙ୍ଗ ହୋଇସାରିଛି । ମାର୍କେଟକୁ ନ ଆସିବା ଆଗରୁ ଏହାର ସମସ୍ତ ବୁକିଙ୍ଗ ଜାଭା ବ୍ରାଣ୍ଡର ଭରସା ତଥା ବିଶ୍ଵସନୀୟତା ଓ ଲୋକପ୍ରିୟତାକୁ ସୂଚାଉଛି । ୨୦୧୯ସେପ୍ଟେମ୍ବର ମାସ ସୁଦ୍ଧା ଏହି ମଡେଲକୁ ଗ୍ରାହକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧୦ ଟି ଆଉଟଲେଟ ଖୋଲିଛି । ପୁନେରେ ଦୁଇଟି ବାଙ୍ଗାଲୋରରେ ତିନି ଟି ଏବଂ ନୂଆଦିଲ୍ଲୀରେ ପାଞ୍ଚଟି ଆଉଟଲେଟ ଖୋଲାଯାଇଛି। ସର୍ଭିସ ଓ ସ୍ପେୟର ଫାସିଲିଟି ସହିତ ଫେବୃଆରି ୨୦୧୯ ସୁଦ୍ଧା ସାରା ଭାରତରେ ଆଉ ୧୦୦ ଟି ଆଉଟଲେଟ ଖୋଲାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ୩୦୦ ସିସି ର ଏକ୍ସ ଶୋ ରୁମ ମୂଲ୍ୟ ଯଥାକ୍ରମେ ୧.୫୫ ଲକ୍ଷ ଏବଂ ୧.୬୪ ଲକ୍ଷ ରହିଛି ।