ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ୧୧,୦୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ “ନିର୍ମାଣ ଏବଂ ଭିତ୍ତିଭୂମି ଉପକରଣ (ସିଆଇଇ) ଉତ୍ପାଦନ ପରିବେଶର ବୃଦ୍ଧି ପାଇଁ ଉଦ୍ଦିଷ୍ଟ ଯୋଜନା”କୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଭାରି ଶିଳ୍ପ ମନ୍ତ୍ରଣାଳୟ (ଏମଏଚଆଇ) ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାର ଲକ୍ଷ୍ୟ ହେଉଛି ସିଆଇଇ ଏବଂ ଏହାର ଉପାଦାନଗୁଡ଼ିକର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ଏକ ସମର୍ପିତ ସିଆଇଇ ପରୀକ୍ଷଣ ସୁବିଧା ପ୍ରତିଷ୍ଠା କରିବା, ଯାହାଦ୍ୱାରା ଆତ୍ମନିର୍ଭରତା ବୃଦ୍ଧି ପାଇବ ଏବଂ ବିଶ୍ୱ ସିଆଇଇ ବଜାରରେ ଭାରତ ଏକ ପ୍ରମୁଖ ଅଂଶୀଦାର ଭାବରେ ପ୍ରତିଷ୍ଠିତ ହୋଇପାରିବ।
ଭାରତର ସିଆଇଇ ଶିଳ୍ପ ବର୍ତ୍ତମାନ ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରେ ବିଶ୍ୱର ତୃତୀୟ ବୃହତ୍ତମ ଶିଳ୍ପ ଭାବେ ପ୍ରତିଷ୍ଠା ହାସଲ କରିଛି। ଏହାର ବଜାର ଆକାର ଆର୍ଥିକ ବର୍ଷ ୨୦୨୪-୨୫ରେ ପ୍ରାୟ ୯୭,୫୦୦ କୋଟି ଟଙ୍କା ରହିଛି। ଭିତ୍ତିଭୂମି (ସଡ଼କ ଏବଂ ବନ୍ଦର) ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଦ୍ୱାରା ପ୍ରେରିତ ହୋଇ, ଏହି ଶିଳ୍ପ ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ଆର୍ଥିକ ବର୍ଷ ୨୦୨୯-୩୦ ସୁଦ୍ଧା ପ୍ରାୟ ୨,୨୮,୧୦୦ କୋଟି ଟଙ୍କାର ବଜାର ଆକାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।
ଏହି ଯୋଜନାର ଲକ୍ଷ୍ୟ ହେଉଛି ଜାହାଜରୁ ବନ୍ଦର (ଶିପ୍-ଟୁ-ସୋର୍) କ୍ରେନ୍, ଟନେଲ୍ ବୋରିଂ ମେସିନ୍, ହାଇଡ୍ରୋଲିକ୍ ଏକ୍ସକାଭେଟର, ଅଫ୍-ହାଇୱେ ଟ୍ରକ୍ ଇତ୍ୟାଦି ବୈଷୟିକ ଦୃଷ୍ଟିରୁ ଉନ୍ନତ ଉପକରଣର ଉତ୍ପାଦନକୁ ପ୍ରୋତ୍ସାହିତ କରିବା। ଏହି ଯୋଜନାରେ ଦେଶରେ ଅତ୍ୟାଧୁନିକ ସମର୍ପିତ ସିଆଇଇ ପରୀକ୍ଷଣ ସୁବିଧା ପ୍ରତିଷ୍ଠା କରିବାର ବ୍ୟବସ୍ଥା ମଧ୍ୟ ରହିଛି।
୨୦୨୬-୨୭ ଆର୍ଥିକ ବର୍ଷରୁ ଆରମ୍ଭ କରି ଆଠ ବର୍ଷ ଅବଧି ବିଶିଷ୍ଟ ଏହି ଯୋଜନାରେ ଉତ୍ପାଦନ ସୁବିଧା ସ୍ଥାପନ ପାଇଁ ଦୁଇ ବର୍ଷର ପ୍ରସ୍ତୁତି ଅବଧି (ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୨୭-୨୮), ତା’ପରେ ପାଞ୍ଚ ବର୍ଷର ପ୍ରୋତ୍ସାହନ ବିତରଣ ଅବଧି (ଆର୍ଥିକ ବର୍ଷ ୨୦୨୮-୨୯ ରୁ ୨୦୩୨-୩୩), ଏବଂ ଆର୍ଥିକ ବର୍ଷ ୨୦୩୨-୩୩ର ବର୍ଦ୍ଧିତ ବିକ୍ରୟ ଉପରେ ପ୍ରୋତ୍ସାହନ ରାଶିର ସମାଧାନ ପାଇଁ ଏକ ଅନ୍ତିମ ବର୍ଷ (ଆର୍ଥିକ ବର୍ଷ ୨୦୩୩-୩୪) ଅନ୍ତର୍ଭୁକ୍ତ ରହିଛି।
ଏହି ଯୋଜନାର ଦୁଇଟି ଉପାଦାନ ରହିଛି;
୧. ବିକ୍ରୟ–ଆଧାରିତ ପ୍ରୋତ୍ସାହନ – ଏହି କ୍ରମରେ ଦୁଇଟି ବର୍ଗରେ ପ୍ରୋତ୍ସାହନ ପ୍ରସାନ କରାଯିବ। ଯୋଗ୍ୟ ଓଇଏମ୍ ଏବଂ ଉପାଦାନ ଉତ୍ପାଦକଙ୍କ ମଧ୍ୟରେ ଅନୁମୋଦିତ ଆବେଦନକାରୀମାନଙ୍କୁ ଯୋଗ୍ୟ ସିଆଇଇ ଉପକରଣ ଏବଂ ଉପାଦାନଗୁଡ଼ିକର ବର୍ଦ୍ଧିତ ବିକ୍ରୟ ମୂଲ୍ୟ ଉପରେ ପ୍ରୋତ୍ସାହନ ପ୍ରଦାନ କରାଯିବ। ପାଞ୍ଚ ବର୍ଷର ଅବଧି ମଧ୍ୟରେ ବର୍ଦ୍ଧିତ ବିକ୍ରୟ ମୂଲ୍ୟର ୧୩% ରୁ ୮% ପର୍ଯ୍ୟନ୍ତ ଗ୍ରେଡେଡ୍ ପ୍ରୋତ୍ସାହନ ହାର ରହିଛି।
୨. ସିଆଇଇ ପରୀକ୍ଷଣ ସୁବିଧା ପାଇଁ ଅନୁଦାନ – ଏକ ସମର୍ପିତ ସିଆଇଇ ପରୀକ୍ଷଣ ସୁବିଧା ସ୍ଥାପନ ପାଇଁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ଆକାରରେ ୩୭୫ କୋଟି ଟଙ୍କା ପର୍ଯ୍ୟନ୍ତ ଅନୁଦାନ।
ଭାରତ ସରକାରଙ୍କ ଏହି ପଦକ୍ଷେପ ଘରୋଇ ନିର୍ମାଣ ଏବଂ ଭିତ୍ତିଭୂମି ଉପକରଣ ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ବିଶ୍ୱ ବଜାରରେ ପ୍ରତିଯୋଗିତାମୂଳକ କ୍ଷମତା ବୃଦ୍ଧି କରିବା ଦିଗରେ ଏକ ଐତିହାସିକ କାର୍ଯ୍ୟକ୍ରମ। ସିଆଇଇ ଉତ୍ପାଦନରେ ସ୍ୱଦେଶୀ କ୍ଷମତାକୁ ପ୍ରୋତ୍ସାହିତ କରି, ଏହି ଯୋଜନା ଯୋଗାଣ ଶୃଙ୍ଖଳା ସୁରକ୍ଷା ସୁନିଶ୍ଚିତ କରିବ, ନିଯୁକ୍ତି ସୁଯୋଗ ବୃଦ୍ଧି କରିବ ଏବଂ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହିତ କରିବ। ଏହା ବିକଶିତ ଭାରତ @୨୦୪୭ର ଲକ୍ଷ୍ୟ ସହିତ ତାଳ ଦେଇ ଏକ ବୈଷୟିକ ଦୃଷ୍ଟିରୁ ଆତ୍ମନିର୍ଭରଶୀଳ, ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଏବଂ ସ୍ଥାୟୀ ଶିଳ୍ପ ଭିତ୍ତିଭୂମି ଗଠନ କରିବା ପାଇଁ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।


