ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର (CEC) ବିରୋଧୀ ବିକ୍ଷୋଭ ସମୟରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସ୍ୱୟଂ ଘୋଷିତ ସାମ୍ବାଦିକମାନଙ୍କୁ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ଭଳି ସମାନ ସ୍ତରର ସୁରକ୍ଷା ମିଳି ନପାରେ ବୋଲି ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ମୌଖିକ ଭାବେ କହିଛନ୍ତି।
ଶୁଣାଣି ସମୟରେ ଜଷ୍ଟିସ୍ ବାଗଚୀ କହିଛନ୍ତି ଯେ, ସାମ୍ବାଦିକତାର ମାନ୍ୟତା କେହି ନିଜକୁ ନିଜେ ଦେଇପାରିବେ ନାହିଁ। ଜଣେ ଖବରକାଗଜ ବା ପ୍ରିଣ୍ଟ ମିଡିଆର ସାମ୍ବାଦିକ ହୋଇଥିଲେ ସେ ପ୍ରେସ୍ କାଉନସିଲ୍ ଅଧୀନରେ ସ୍ୱୀକୃତିପ୍ରାପ୍ତ ହୋଇଥାନ୍ତି। ସେହିପରି ଟିଭି ଚ୍ୟାନେଲ୍ ଏବଂ ଅନଲାଇନ୍ ସାମ୍ବାଦିକଙ୍କ କ୍ଷେତ୍ରରେ ମଧ୍ୟ ସ୍ୱୀକୃତି ଓ ପଞ୍ଜୀକରଣର ବ୍ୟବସ୍ଥା ରହିଛି। ବର୍ତ୍ତମାନ ଅନେକ ବ୍ୟକ୍ତି ନିଜକୁ ସାମ୍ବାଦିକ ବୋଲି ଦାବି କରୁଛନ୍ତି, କିନ୍ତୁ ସ୍ୱୟଂ ଘୋଷିତ ସାମ୍ବାଦିକଙ୍କୁ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ଭଳି ସୁରକ୍ଷା ମିଳି ନପାରେ। ସାମ୍ବାଦିକତାର ସ୍ୱାଧୀନତା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଦିଲ୍ଲୀ ପୋଲିସ ମଧ୍ୟ ଯୁକ୍ତି ବାଢ଼ିଥିଲା ଯେ, ‘ରିଲ୍ ମେକର୍’ ଏବଂ ‘କଣ୍ଟେଣ୍ଟ କ୍ରିଏଟର୍’ମାନେ ବିକ୍ଷୋଭ ସମୟରେ ସାମ୍ବାଦିକଙ୍କୁ ମିଳୁଥିବା ସୁରକ୍ଷା ଦାବି କରିପାରିବେ ନାହିଁ।
ବିକ୍ଷୋଭ ସମୟରେ ସାମ୍ବାଦିକଙ୍କ ସହ କିଭଳି ବ୍ୟବହାର କରାଯିବ, ସେ ନେଇ ଏକ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ କହିଛନ୍ତି ଯେ, ଯେଉଁଠି ଆଇନଗତ ଅସ୍ପଷ୍ଟତା ବା ଶୂନ୍ୟସ୍ଥାନ ରହିଛି, ସେଠାରେ କୋର୍ଟ ହସ୍ତକ୍ଷେପ କରିବେ। ଏଥିରେ ଯୋଡ଼ି ଜଷ୍ଟିସ୍ ବାଗଚୀ କହିଛନ୍ତି ଯେ, ପ୍ରଥମେ କିଏ ସାମ୍ବାଦିକ ତାହାର ପରିଭାଷା ନିରୂପଣ କରିବାକୁ ହେବ। ପ୍ରେସ୍ କାଉନସିଲ୍ ଅଧୀନରେ ପଞ୍ଜୀକୃତ କିମ୍ବା ସ୍ୱୀକୃତିପ୍ରାପ୍ତ ଖବରକାଗଜ ଓ ଟିଭି ଚ୍ୟାନେଲରେ କାର୍ଯ୍ୟରତ ବ୍ୟକ୍ତିଙ୍କୁ ସାମ୍ବାଦିକ କୁହାଯିବ ନା ସୋସିଆଲ ମିଡିଆରେ ରିଲ୍ ବନାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ, ତାହା ସ୍ଥିର ହେବା ଜରୁରୀ।
ଶୁଣାଣି ସମୟରେ ଜଣେ ଆଇନଜୀବୀ ଯୁକ୍ତି କରିଥିଲେ ଯେ, ବିକ୍ଷୋଭ ସ୍ଥଳରେ ଲୋକଙ୍କୁ ହଟାଇବା ସମୟରେ କିଏ ସାମ୍ବାଦିକ ଏବଂ କିଏ ରିଲ୍ ମେକର୍, ତାହା ତୁରନ୍ତ ଚିହ୍ନଟ କରିବା ସମ୍ଭବ ନୁହେଁ। ଏହାର ଉତ୍ତରରେ ଜଷ୍ଟିସ୍ ବାଗଚୀ ସଂଘର୍ଷପୂର୍ଣ୍ଣ ଅଞ୍ଚଳରେ ‘ରେଡ୍ କ୍ରସ୍’ କର୍ମଚାରୀଙ୍କୁ ମିଳୁଥିବା ସୁରକ୍ଷାର ଉଦାହରଣ ଦେଇ କହିଥିଲେ ଯେ, ଯଦିଓ ଏସଓପି ପ୍ରସ୍ତୁତ ହୁଏ, ତେବେ ପୋଲିସର ଆଭିମୁଖ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ସାମ୍ବାଦିକତା ମାନ୍ୟତା ଓ ପରିଚୟ ଉପରେ ନିର୍ଭର କରିବ।
‘କେରଳ ୟୁନିଅନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟସ୍’ (KUWJ) ପକ୍ଷରୁ ୭ ଜଣ ସାମ୍ବାଦିକଙ୍କୁ ପୋଲିସ ହଇରାଣ କରିଥିବା ଅଭିଯୋଗ ଉପରେ ଶୁଣାଣି କରି ଜଷ୍ଟିସ୍ ବାଗଚୀ ପ୍ରଶ୍ନ କରିଥିଲେ ଯେ, ବିକ୍ଷୋଭ କଭର୍ କରିବା ସମୟରେ ସାମ୍ବାଦିକଙ୍କର କୌଣସି ସ୍ୱତନ୍ତ୍ର ଅଧିକାର ଥାଏ କି, ନା ପୋଲିସ କେବଳ ଆଇନ ଶୃଙ୍ଖଳା ରକ୍ଷା କରିବ। ଆବେଦନକାରୀଙ୍କ ଓକିଲ ବରିଷ୍ଠ ଆଇନଜୀବୀ ପି.ଭି. ଦିନେଶ କୌଣସି ସ୍ୱତନ୍ତ୍ର ସୁବିଧା ଦାବି କରୁ ନଥିବା ସ୍ପଷ୍ଟ କରିବା ପରେ, ଖଣ୍ଡପୀଠ ଏହି ଆବେଦନର ଅନ୍ତ ଘଟାଇ ୭ ସାମ୍ବାଦିକଙ୍କ ଅଭିଯୋଗର ତଥ୍ୟଭିତ୍ତିକ ତଦନ୍ତ ପାଇଁ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ନିକଟକୁ ପଠାଇ ଦେଇଛନ୍ତି।


