ନୂଆଦିଲ୍ଲୀ: କାର୍ଯ୍ୟାଳୟ ଓ ବୌଦ୍ଧିକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ବଢ଼ୁଥିବା ବ୍ୟବହାର ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ପ୍ରାୟ ୨.୪ କୋଟି (୨୪ ମିଲିୟନ) ଚାକିରି ଉପରେ ପ୍ରଭାବ ପକାଇପାରେ ବୋଲି ଜେପି ମୋର୍ଗାନ ୱେଲଥ୍ ମ୍ୟାନେଜମେଣ୍ଟର ଏକ ରିପୋର୍ଟରେ ଆକଳନ କରାଯାଇଛି। ତେବେ ବ୍ୟାପକ ଛଟେଇ ଅପେକ୍ଷା ନୂଆ ନିଯୁକ୍ତି କମିବା ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆସିବା ସହ କର୍ମଚାରୀମାନେ ଏଆଇ ସହାୟତାରେ କାମ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ତେବେ ରିପୋର୍ଟରେ ଏହା ମଧ୍ୟ ସତର୍କ କରାଯାଇଛି ଯେ ବ୍ୟାପକ ଛଟେଇ ବଦଳରେ ନୂଆ ନିଯୁକ୍ତି ହ୍ରାସ ଏବଂ ଖାଲି ପଦବୀ ପୂରଣ ନହେବା ମାଧ୍ୟମରେ ଏହାର ପ୍ରଭାବ ଅଧିକ ଅନୁଭୂତ ହୋଇପାରେ। ରିପୋର୍ଟ ଅନୁସାରେ, ଏହି ସମ୍ଭାବ୍ୟ ବିସ୍ଥାପନ ଆଗାମୀ ପାଞ୍ଚ ବର୍ଷ ପାଇଁ ପ୍ରତିବର୍ଷ ବିଶ୍ୱର ମୋଟ ନଲେଜ୍ ୱାର୍କଫୋର୍ସର ପ୍ରାୟ ୧.୩% ହେବ। ଯଦି କମ୍ପାନୀଗୁଡ଼ିକ ଏଆଇ ଉପରେ କରୁଥିବା ଖର୍ଚ୍ଚର ଅଧା ଅଂଶ କର୍ମଚାରୀଙ୍କ ବଦଳରେ ଏଆଇକୁ ନିୟୋଜିତ କରିବାରେ ବ୍ୟବହାର କରନ୍ତି ଏବଂ ଏଆଇର ଖର୍ଚ୍ଚ କର୍ମଚାରୀଙ୍କ ତୁଳନାରେ ଅଧା ହୁଏ, ତେବେ ଏହି ଆକଳନ ସତ ହୋଇପାରେ। ଯଦି ଏହି ଚାକିରି ହ୍ରାସ ନିର୍ଦ୍ଦିଷ୍ଟ ବୃତ୍ତି କିମ୍ବା ଅଞ୍ଚଳରେ ସୀମିତ ରହେ, ତେବେ ଏହା ବ୍ୟାପକ ଅର୍ଥନୈତିକ ଏବଂ ରାଜନୈତିକ ଚାପ ସୃଷ୍ଟି କରିପାରେ।
ଆମେରିକାରେ ଏହାର ପ୍ରଭାବ ବିଷୟରେ ରିପୋର୍ଟରେ ଦର୍ଶାଯାଇଛି ଯେ ଯଦି ବିସ୍ଥାପିତ ଚାକିରିର ଦୁଇ-ତୃତୀୟାଂଶ ଆମେରିକାରେ ହୁଏ, ତେବେ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧.୬ କୋଟି (୧୬ ମିଲିୟନ) କର୍ମଚାରୀ ପ୍ରଭାବିତ ହେବେ, ଯାହା ବାର୍ଷିକ ପ୍ରାୟ ୩୦ ଲକ୍ଷ ହେବ। ଏହା ଆମେରିକାର ବାର୍ଷିକ ପେ-ରୋଲର ପ୍ରାୟ ୨% ହେବ। ତେବେ ଚାକିରି ହରାଇବାର ଆଶଙ୍କା ଥିଲେ ମଧ୍ୟ, ସମ୍ପୂର୍ଣ୍ଣ ଚାକିରି ଲୋପ ପାଇବା ବଦଳରେ ବିଦ୍ୟମାନ ଚାକିରିଗୁଡ଼ିକର ରୂପାନ୍ତର ହେବାର ସମ୍ଭାବନା ଅଧିକ ବୋଲି ରିପୋର୍ଟରେ କୁହାଯାଇଛି। ପ୍ରତ୍ୟେକ ଚାକିରିରେ ଅନେକ ପ୍ରକାରର କାର୍ଯ୍ୟ ରହିଥାଏ ଏବଂ ଏଆଇ ବର୍ତ୍ତମାନ ସେଥିମଧ୍ୟରୁ କେବଳ କିଛି କାର୍ଯ୍ୟକୁ ସ୍ୱୟଂଚାଳିତ କରିପାରିବ। ଏହାର ଅର୍ଥ ହେଉଛି କର୍ମଚାରୀମାନେ ସମ୍ପୂର୍ଣ୍ଣ ରୂପେ ବିସ୍ଥାପିତ ହେବା ପରିବର୍ତ୍ତେ ଏଆଇ ଟୁଲ୍ ସହିତ ମିଶି କାମ କରିବେ।
ବିଶେଷକରି ଟେକ୍ନୋଲୋଜି କ୍ଷେତ୍ର ବାହାରେ ଏଆଇର ବ୍ୟବହାର ଏବେ ବି ପ୍ରାଥମିକ ପର୍ଯ୍ୟାୟରେ ଅଛି। ଆମେରିକାରେ ବର୍ତ୍ତମାନ ପ୍ରାୟ ୬% କାର୍ଯ୍ୟ ଘଣ୍ଟା ଏଆଇ ସହାୟତାରେ ହେଉଛି, ଯଦିଓ ପ୍ରାୟ ଦୁଇ-ତୃତୀୟାଂଶ କାର୍ଯ୍ୟରେ ଏହି ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ। ଭାରତରେ ମଧ୍ୟ ନିଯୁକ୍ତି ଉପରେ ଏଆଇର ସମ୍ଭାବ୍ୟ ପ୍ରଭାବ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିଛି। କେପିଏମଜି ଇଣ୍ଡିଆ ଏବଂ ଭାରତୀୟ ଶିଳ୍ପ ମହାସଂଘର ଏକ ମିଳିତ ରିପୋର୍ଟ ଅନୁଯାୟୀ, ୯୩ ପ୍ରତିଶତ ଭାରତୀୟ ବ୍ୟବସାୟିକ ନେତା କର୍ମଚାରୀଙ୍କ ଦକ୍ଷତା ବଢ଼ାଇବା ପାଇଁ ଏଆଇ ଏଜେଣ୍ଟ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି, ଯେତେବେଳେ କି ୫୯% ପୂର୍ବରୁ ବ୍ୟବସାୟିକ ପ୍ରକ୍ରିୟାକୁ ସ୍ୱୟଂଚାଳିତ କରିବା ପାଇଁ ଏହାର ବ୍ୟବହାର କରୁଛନ୍ତି। ୭୪ ପ୍ରତିଶତ ଭାରତୀୟ ସିଇଓ ବିଶ୍ୱାସ କରନ୍ତି ଯେ ଆଗାମୀ ତିନି ବର୍ଷ ମଧ୍ୟରେ ବ୍ୟବସାୟିକ ଅଭିବୃଦ୍ଧି ପାଇଁ କର୍ମଚାରୀମାନଙ୍କର ଏଆଇ ଦକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏଆଇ ଦୈନନ୍ଦିନ ସାଧାରଣ କାର୍ଯ୍ୟ ଯେପରିକି ତଥ୍ୟ ସଂଗ୍ରହ, ପ୍ରାଥମିକ ଡ୍ରାଫ୍ଟ ପ୍ରସ୍ତୁତ କରିବା ଏବଂ ସାଧାରଣ ବିଶ୍ଳେଷଣ ଆଦି କାର୍ଯ୍ୟ କରିବା ଫଳରେ କର୍ମଚାରୀମାନେ ନିଷ୍ପତ୍ତି ନେବା ଏବଂ ଏଆଇ ଦ୍ୱାରା ପ୍ରସ୍ତୁତ ତଥ୍ୟର ମୂଲ୍ୟାଙ୍କନ କରିବା ଉପରେ ଅଧିକ ଧ୍ୟାନ ଦେବେ।


