Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିମ୍‌ଷ୍ଟେକ୍‌ ଅଣ୍ଡର-୨୩ ଆଥଲେଟିକ୍ସ ମିଟ୍‌ ଉଦ୍‌ଯାପିତ: ଚାମ୍ପିଅନ୍‌ ଭାରତ ଓ ରନର୍ସଅପ୍‌ ଶ୍ରୀଲଙ୍କା
ଆଜିର ଖବର

ବିମ୍‌ଷ୍ଟେକ୍‌ ଅଣ୍ଡର-୨୩ ଆଥଲେଟିକ୍ସ ମିଟ୍‌ ଉଦ୍‌ଯାପିତ: ଚାମ୍ପିଅନ୍‌ ଭାରତ ଓ ରନର୍ସଅପ୍‌ ଶ୍ରୀଲଙ୍କା

November 28, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
BIMSTEC Under-23 Athletics Meet 2026
BIMSTEC Under-23 Athletics Meet 2026

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ଶୁକ୍ରବାର ଅନୁଷ୍ଠିତ ବିମଷ୍ଟେକ୍‌ ଅଣ୍ଡର-୨୩ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ଶ୍ରୀଲଙ୍କାର ଧାବକମାନଙ୍କ ଡବଲ୍‌ ସ୍ପ୍ରିଣ୍ଟ୍‌ ବିଜୟ ମୁଖ୍ୟ ଆକର୍ଷଣ ରହିଥିଲା। ତେବେ ଏହା ଭାରତକୁ ପଦକ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାରୁ ରୋକିପାରି ନଥିଲା। ଏହି ପ୍ରଥମ ସଂସ୍କରଣ ଚାମ୍ପିୟନସିପ୍‌ରେ ୬ଟି ଦେଶର ୨୦୦ରୁ ଅଧିକ ଆଥଲେଟ୍‌ ଅଂଶଗ୍ରହଣ କରିଥିବା ବେଳେ ତିନି ଦିନ ଧରି ମୋଟ ୩୨ଟି ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଯୋଗିତା ହୋଇଥିଲା।

ଶୁକ୍ରବାର ଅନ୍ତିମ ଦିବସରେ ମୋଟ ୧୪ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ଶ୍ରୀଲଙ୍କା ୬ଟି ହାସଲ କରିଥିଲା। ବିଶେଷ କରି ଟ୍ରାକ୍ ଇଭେଣ୍ଟଗୁଡ଼ିକରେ ଦ୍ୱୀପ ରାଷ୍ଟ୍ରର ଏହି ଚମତ୍କାର ପ୍ରଦର୍ଶନ ଆଥଲେଟିକ୍ସ କ୍ଷେତ୍ରରେ ଏହାର ବର୍ଦ୍ଧିତ ଦକ୍ଷତାକୁ ପ୍ରତିଫଳିତ କରିଥିଲା। ଭାରତ ନିଜର ପୂର୍ବଦିନର ୧୪ଟି ସ୍ୱର୍ଣ୍ଣ ପଦକ ସହ ଆଉ ୮ଟି ସ୍ୱର୍ଣ୍ଣ ସାମିଲ କରି ମୋଟ ୨୨ଟି ସ୍ୱର୍ଣ୍ଣ ପଦକ ସହିତ ପଦକ ତାଲିକାର ଶୀର୍ଷରେ ରହିଥିଲା। ଆୟୋଜକ ଭାରତ ମୋଟ ୪୭ଟି ପଦକ ହାସଲ କରିଥିଲା। ଶ୍ରୀଲଙ୍କା ମୋଟ ୩୮ଟି ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ୧୦ଟି ପଦକ (୨ଟି ରୌପ୍ୟ ଓ ୮ଟି ବ୍ରୋଞ୍ଜ) ସହ ତୃତୀୟ ସ୍ଥାନ ହାସଲ କରିଥିଲା। ନେପାଳ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଭୁଟାନ ଓ ମିଆଁମାର କୌଣସି ପଦକ ହାସଲ କରିପାରିନଥିଲେ।

ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିମ୍‌ଷ୍ଟେକ୍ ଆଥଲେଟିକ୍ସ ମିଟ୍‌ର ଉଦ୍‌ଯାପନ କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧିମାନେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଉଦ୍‌ଯାପନୀ ସମାରୋହରେ ଶ୍ରୀ ମାଝୀ କହିଥିଲେ, “ଏଭଳି ଆୟୋଜନ ଅଂଶଗ୍ରହଣକାରୀ ଦେଶଗୁଡ଼ିକ ମଧ୍ୟରେ କ୍ରୀଡ଼ା ସମ୍ପର୍କକୁ ସୁଦୃଢ଼ କରିବା ସହ ପାରସ୍ପରିକ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରୁଛି ଏବଂ  ଉଦୀୟମାନ କ୍ରୀଡ଼ାବିତ୍‌ମାନଙ୍କୁ ମୂଲ୍ୟବାନ ଅଭିଜ୍ଞତା ଓ ସୁଯୋଗ ପ୍ରଦାନ କରୁଛି। ଏହି ଚାମ୍ପିଅନସିପ୍‌ରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ ଆମ ଯୁବ କ୍ରୀଡ଼ାବିତ୍‌ମାନଙ୍କ ନିଷ୍ଠା ଓ ସାମର୍ଥ୍ୟକୁ ପ୍ରତିଫଳିତ କରୁଛି।”

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ବ୍ୟତୀତ ଉଦ୍‌ଯାପନୀ ସମାରୋହରେ ଉପସ୍ଥିତ ଅନ୍ୟ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶାର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭାରତ ସରକାରଙ୍କ କ୍ରୀଡ଼ା ସଚିବ ଶ୍ରୀ ହରିରଞ୍ଜନ ରାଓ, ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀମତୀ ଅଞ୍ଜୁ ରଞ୍ଜନ ଏବଂ ପୂର୍ବତନ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ତଥା ଅର୍ଜୁନ ପୁରସ୍କାର ବିଜେତା ଏମ୍.ଡି. ଭାଲସାମ୍ମା ଓ ସୁଧା ସିଂହ ପ୍ରମୁଖ ସାମିଲ ଥିଲେ। ଶ୍ରୀ ସୂରଜ କହିଥିଲେ, “କଳିଙ୍ଗ ଷ୍ଟାଡିୟମ୍‌ରେ ବିମ୍‌ଷ୍ଟେକ୍ ମିଟ୍ ଆୟୋଜନ କରିବା ଅନ୍ତର୍ଜାତୀୟ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଓଡ଼ିଶାର ଚାରିଜଣଙ୍କ ସମେତ ଆମ ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଅନ୍ୟ ଦେଶର କ୍ରୀଡ଼ାବିତ୍‌ଙ୍କ ସହ ପ୍ରତିଯୋଗିତା କରିବା ପାଇଁ ଏକ ମୂଲ୍ୟବାନ ମଞ୍ଚ ପ୍ରଦାନ କରିଛି।”

ସନ୍ଧ୍ୟାର ଅନ୍ୟତମ ପ୍ରମୁଖ ଦୌଡ଼ ପ୍ରତିଯୋଗିତା ୨୦୦ ମିଟର ଦୌଡ଼ରେ ଶ୍ରୀଲଙ୍କାର କେ. ହିସାନା ନିରୁପମା (୨୪.୦୮ ସେକେଣ୍ଡ) ଭାରତର ଭାବନା ଜି. (୨୪.୨୩ ସେକେଣ୍ଡ)ଙ୍କ କଡ଼ା ଆହ୍ୱାନକୁ ପ୍ରତିହତ କରି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜର ପ୍ରଥମ ୨୦୦ ମିଟର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଶ୍ରୀଲଙ୍କାର ଦକ୍ଷ ଧାବକ ଏମ୍. ଥିମେଶ ଚାନ୍ କୋଷ୍ଟା (୨୧.୨୩ ସେକେଣ୍ଡ) ଉସେନ୍ ବୋଲ୍ଟଙ୍କ ଶୈଳୀରେ ଆଙ୍ଗୁଠି ହଲାଇ ବିଜୟ ଉତ୍ସବ ପାଳନ କରିବା ସହ ଶ୍ରୀଲଙ୍କା ପାଇଁ ସ୍ପ୍ରିଣ୍ଟ୍ ଡବଲ୍ ବିଜୟ ହାସଲ କରିଥିଲେ। ସେ ଭାରତର ଯୁବରାଜ ଇ. (୨୧.୪୯ ସେକେଣ୍ଡ) ଏବଂ ନିଜ ଦେଶର ମାଲିଥ୍ ୱାର୍ଣ୍ଣାକୁଲାସୁରିୟା (୨୨.୦୭ ସେକେଣ୍ଡ)ଙ୍କୁ ପଛରେ ପକାଇଥିଲେ। ନିରୁପମା କହିଥିଲେ, “ମୁଁ ଚାହେ ଭାରତରେ ଏଭଳି ଅଧିକ ପ୍ରତିଯୋଗିତାର ଆୟୋଜନ କରାଯାଉ। ଏଠାରେ ସ୍ୱର୍ଣ୍ଣ ପଦକ ହାସଲ କରି ମୁଁ ଅତ୍ୟନ୍ତ ଉତ୍ସାହିତ। ଏହାର ସମସ୍ତ ଶ୍ରେୟ ମୋର ପ୍ରଶିକ୍ଷକ ଓ ପିତାମାତାଙ୍କୁ ଦେବାକୁ ଚାହେ।” ଛୋଟ ଆକୃତିର ନିରୁପମା ଦୌଡ଼ ସମୟରେ ଚମତ୍କାର ଗତି ବୃଦ୍ଧି କରି ଏହି ବିଜୟ ହାସଲ କରିଥିଲେ।

ଶୁକ୍ରବାର ଦିନ ଶ୍ରୀଲଙ୍କା ଚମତ୍କାର ଢଙ୍ଗରେ ନିଜର ଅଭିଯାନ ଆରମ୍ଭ କରିଥିଲା। ପ୍ରଥମ ଚାରିଟି ପ୍ରତିଯୋଗିତାରେ ଶ୍ରୀଲଙ୍କାର କ୍ରୀଡ଼ାବିତ୍‌ମାନେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୪୦୦ ମିଟର ବାଧାଦୌଡ଼ର ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସହଜରେ ପରାସ୍ତ କରି ଶ୍ରୀଲଙ୍କା ସ୍ୱର୍ଣ୍ଣ ପଦକ ଜିତିଥିଲା। ପୁରୁଷ ବର୍ଗରେ ମୁଥୁନାୟକାଗେ ଚତୁରଙ୍ଗା (୪୯.୯୦ ସେକେଣ୍ଡ)ଙ୍କୁ କୌଣସି କଡ଼ା ମୁକାବିଲାର ସାମ୍ନା କରିବାକୁ ପଡ଼ିନଥିବା ବେଳେ ମହିଳା ବର୍ଗରେ ଅରାଲିୟା ସତ୍‌ସର ଗୀଗାନାଗେ (୫୯.୩୮ ସେକେଣ୍ଡ) କଡ଼ା ପ୍ରତିଯୋଗିତା ପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ମହିଳା ଦୌଡ଼ରେ ଭାରତ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲା। ମହିଳା ୮୦୦ ମିଟର ଦୌଡ଼ରେ ଲକ୍ଷାଣୀ ୱାଥେ ଗେଦାରା (୨:୧୦.୧୭ ସେକେଣ୍ଡ) ଅତ୍ୟନ୍ତ ରୋମାଞ୍ଚକର ଫିନିଶ୍‌ରେ ଦୁଇଜଣ ଭାରତୀୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୁରୁଷ ଲଙ୍ଗ୍ ଜମ୍ପ୍‌ରେ ଏ.ପି. କ୍ରିଶାନ୍ଦନ (୭.୫୩ ମିଟର) ଏବଂ କେ.ଏମ୍.କେ.ସି. କରୁଣାରତ୍ନ (୭.୪୩ ମିଟର) ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରି ଶ୍ରୀଲଙ୍କା ପାଇଁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ସୁନିଶ୍ଚିତ କରିଥିଲେ। ଏହି ବର୍ଗରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା।

ଶୁକ୍ରବାର ଦିନ ଭାରତ ମଧ୍ୟ ସ୍ୱର୍ଣ୍ଣ ପଦକ ସଂଖ୍ୟା ବୃଦ୍ଧି କରିବା ଆରମ୍ଭ କରିଥିଲା। ମହିଳା ସଟ୍‌ପୁଟ୍‌ରେ ଅଂଶୁ (୧୫.୧୭ ମିଟର) ସ୍ୱର୍ଣ୍ଣ ପଦକ ଜିତି ଭାରତ ପାଇଁ ଏହି ସଫଳତା ଆଣିଥିଲେ। ଏହି ବର୍ଗରେ ଭାରତ ଦ୍ୱିତୀୟ ସ୍ଥାନ ମଧ୍ୟ ହାସଲ କରିଥିଲା। ରିୟା ବର୍ମା (୧୪.୫୯ ମିଟର) ରୌପ୍ୟ ପଦକ ଜିତିଥିବା ବେଳେ ବାଂଲାଦେଶ ଏହି ପ୍ରତିଯୋଗିତାରେ ନିଜର ଦ୍ୱିତୀୟ ବ୍ରୋଞ୍ଜ ପଦକ ହାସଲ କରିଥିଲା। ପୁରୁଷ ୮୦୦ ମିଟର ଦୌଡ଼ରେ ଭାରତର ଶ୍ୟାମ ମିଲନ ବିନ୍ଦ (୧:୫୦.୬୬ ସେକେଣ୍ଡ) ବିଜୟୀ ହୋଇ ଶ୍ରୀଲଙ୍କାର କ୍ରୀଡ଼ାବିତ୍‌ଙ୍କ ଆଉ ଏକ ପଦକ ସ୍ୱିପ୍‌କୁ ରୋକିଥିଲେ। ଏହା ଥିଲା ଭାରତର ୧୬ତମ ସ୍ୱର୍ଣ୍ଣ ପଦକ। ଏହି ଦୌଡ଼ରେ ଶ୍ରୀଲଙ୍କା ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲା।

ଲୋକପ୍ରିୟ ରିଲେ ଦୌଡ଼ ଏବଂ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ସହ ବିମ୍‌ଷ୍ଟେକ୍ ୨୦୨୬ର ପରିସମାପ୍ତି ହୋଇଥିଲା। ଚାମ୍ପିଅନସିପ୍‌ର ଆରମ୍ଭ ଭଳି ଭାରତ ଶେଷ ମଧ୍ୟ ସ୍ୱର୍ଣ୍ଣିମ ସଫଳତା ସହ କରିଥିଲା। ଘରୋଇ ଦଳ ଉଭୟ ପୁରୁଷ ଓ ମହିଳା ବର୍ଗର ୪ x ୧୦୦ ମିଟର ରିଲେ ଏବଂ ୪ x ୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଉଭୟ ପୁରୁଷ ଓ ମହିଳା ୪ x ୪୦୦ ମିଟର ରିଲେ ଦୌଡ଼ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଏଥିରେ ଶ୍ରୀଲଙ୍କା ବିପକ୍ଷରେ ପଛୁଆ ସ୍ଥିତିରୁ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତ ବିଜୟୀ ହୋଇଥିଲା।

୪ x ୧୦୦ ମିଟର ରିଲେରେ ଭାରତ ପକ୍ଷରୁ ଶେଷ ଧାବିକା ଭାବେ ଦୌଡ଼ିଥିବା ମୃତିକା ଟି. ଏବଂ ୪ x ୪୦୦ ମିଟର ରିଲେରେ ଶେଷ ଧାବିକା ଭାବେ ଦୌଡ଼ିଥିବା ତନୁ ଚୌଧୁରୀ ଏହି ପ୍ରତିଯୋଗିତାରେ ଡବଲ୍ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଏକମାତ୍ର ଦୁଇଜଣ ମହିଳା କ୍ରୀଡ଼ାବିତ୍ ଥିଲେ। ଏହା ପୂର୍ବରୁ ସେମାନେ ନିଜ ନିଜ ବ୍ୟକ୍ତିଗତ ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଜାଭେଲିନ୍ ଥ୍ରୋ କ୍ଷେତ୍ରରେ ଭାରତର ବର୍ଦ୍ଧିତ ପ୍ରତିଷ୍ଠାକୁ ଅନୁରୂପ ଭାବେ ଶଶାଙ୍କ ପାଟିଲ୍ ୭୧.୮୯ ମିଟରର ଚମତ୍କାର ଭାବେ ଫିଙ୍ଗିବା ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

କଳିଙ୍ଗ ଷ୍ଟାଡିୟମ୍‌ ଚାମ୍ପିଅନ୍‌ ଭାରତ ବିମ୍‌ଷ୍ଟେକ୍‌ ଅଣ୍ଡର-୨୩ ଆଥଲେଟିକ୍ସ ମିଟ୍‌ ମୋହନ ଚରଣ ମାଝୀ ରନର୍ସଅପ୍‌ ଶ୍ରୀଲଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

ବଢ଼ୁଛି ଏଆଇର ବହୁଳ ବ୍ୟବହାର : ସଙ୍କଟରେ ୨.୪ କୋଟି ଚାକିରି

November 28, 2026

HDFC ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟକା! ଜାନୁଆରୀ ୧ରୁ ₹୫୦୦ ପର୍ଯ୍ୟନ୍ତ UPI ପେମେଣ୍ଟରେ ମିଳିବନି SMS ଆଲର୍ଟ, ଜାଣନ୍ତୁ ନୂଆ ନିୟମ

November 28, 2026

ଆଇଓଆରଏ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

November 28, 2026

ଏବିଏସ ପାଣ୍ଠିରୁ ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୧୩.୭୬ କୋଟି ଟଙ୍କା ଦେଲା ଏନବିଏ

November 28, 2026
Latest News

ବଢ଼ୁଛି ଏଆଇର ବହୁଳ ବ୍ୟବହାର : ସଙ୍କଟରେ ୨.୪ କୋଟି ଚାକିରି

November 28, 2026

ବିମ୍‌ଷ୍ଟେକ୍‌ ଅଣ୍ଡର-୨୩ ଆଥଲେଟିକ୍ସ ମିଟ୍‌ ଉଦ୍‌ଯାପିତ: ଚାମ୍ପିଅନ୍‌ ଭାରତ ଓ ରନର୍ସଅପ୍‌ ଶ୍ରୀଲଙ୍କା

November 28, 2026

HDFC ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟକା! ଜାନୁଆରୀ ୧ରୁ ₹୫୦୦ ପର୍ଯ୍ୟନ୍ତ UPI ପେମେଣ୍ଟରେ ମିଳିବନି SMS ଆଲର୍ଟ, ଜାଣନ୍ତୁ ନୂଆ ନିୟମ

November 28, 2026

ଆଇଓଆରଏ ସଦସ୍ୟ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

November 28, 2026

ଏବିଏସ ପାଣ୍ଠିରୁ ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୧୩.୭୬ କୋଟି ଟଙ୍କା ଦେଲା ଏନବିଏ

November 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.