ରଙ୍ଗାଚରଣ ପ୍ରଧାନ
ପୁଣି ଗୋଟିଏ ନୂଆ ଯୋଜନା । ଏଥରର ଯୋଜନା ନାଁ ହେଉଛି ‘ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା’ । ଚଳିତ ମାସ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡ ଯାଇ ଏହାର ଉଦ୍ଘାଟନ କରିଛନ୍ତି । ଏଥିରେ ସାମିଲ ହେବାକୁ ଇଛୁକ ଚାଷୀ ମାନଙ୍କ ପାଇଁ ନାମାଙ୍କନ ପ୍ରକ୍ରୀୟା ଆଗରୁ ଆରମ୍ଭ ହୋଇ ସାରିଲାଣି ।
ଏହି ଯୋଜନାରେ ସାମିଲ ହେଉଥିବା ଚାଷୀଙ୍କୁ ୬୦ ବର୍ଷ ବୟସ ହେବା ପରେ ସରକାର ସେମାନଙ୍କୁ ମାସିକ ୩୦୦୦ ଟଙ୍କା ଲେଖାଏଁ ପେନସନ୍ ଦେବେ । ଯଦି ୬୦ ବର୍ଷ ବୟସ ପରେ ସେହି ଚାଷୀର ମୄତ୍ୟୁ ହୁଏ ତେବେ ତା’ର ପତ୍ନୀକୁ ମାସିକ ୧୫୦୦ ଟଙ୍କା ପେନସନ୍ ମିଳିବ ।
କେନ୍ଦ୍ର କୄଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି ଯେ ଜଣେ କୄଷକ କଠିନ ପରିଶ୍ରମ କରିବା ସତ୍ତ୍ବେ ତାକୁ ପର୍ଯ୍ୟାପ୍ତ ଆୟ ମିଳୁନାହିଁ । ତେଣୁ କୄଷକର ସାମାଜିକ ସୂରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ଯୋଜନା ଅଣା ଯାଇଛି । କୄଷି ମନ୍ତ୍ରୀ ପୁଣି କହିଛନ୍ତି ଯେ ତାଙ୍କ ସରକାର କୄଷକର ଆୟ ଦୁଇଗୁଣ କରିବା ପାଇଁ ଲକ୍ଷ ରଖି ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରଖିଛି ।
କୄଷି ମନ୍ତ୍ରୀଙ୍କ ଏହି ବୟାନ ନିଶ୍ଚୟ ସ୍ବାଗତଯୋଗ୍ୟ । ତେବେ ତାଙ୍କର ବୟାନରେ ଥିବା ମହତାକାଂକ୍ଷାକୁ ପୂରଣ କରିବା ପାଇଁ ଏହି ଯୋଜନା କେତେଦୂର ସହାୟକ ହେବ ତାହା ଜାଣିବା ପାଇଁ ଏହି ଯୋଜନାକୁ ଆଉ ଟିକିଏ ନିରେଖି ଦେଖିବାକୁ ହେବ ।
ପ୍ରଥମେ ଦେଖାଯାଉ, ଏହି ଯୋଜନାଟି କ’ଣ ନିକଟ ଭବିଷ୍ୟତରେ କୄଷକର ଆୟ ଦୁଇଗୁଣ କରିବାରେ ସହାୟକ ହେବ ?
ନା ଆଜ୍ଞା । ବର୍ତ୍ତମାନ ଏହି ଯୋଜନା ଅନ୍ତର୍ଗତ କାହାରିକୁ ପେନସନ୍ ମିଳିବାକୁ ଯାଉନାହିଁ । ସେଥିପାଇଁ ଅତି କମ୍ ରେ ଆଉ କୋଡିଏ ବର୍ଷ ଅପେକ୍ଷା କରିବାକୁ ହେବ । କାରଣ ଯେଉଁ କୄଷକର ବୟସ ୧୮ ରୁ ୪୦ ବର୍ଷ କେବଳ ସେହିମାନେ ଏହି ଯୋଜନା ପାଇଁ ଆବେଦନ କରିପାରିବେ । ସେମାନେ ୬୦ ବର୍ଷ ବୟସ ଅତିକ୍ରାନ୍ତ କରିବା ପରେ ଯାଇ ଏହି ପେନସନ୍ ମିଳିବ । ଅର୍ଥାତ ଆଜି ଯେଉଁ କୄଷକର ବୟସ ୪୦ ବର୍ଷ ତାକୁ ଆଉ ୨୦ ବର୍ଷ ଅପେକ୍ଷା କରିବାକୁ ହେବ । ତେଣୁ ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ଯୋଗୁଁ କୌଣସି କୄଷକର ଆୟ ଦୁଇଗୁଣ ହେବା ତ ଦୁରର କଥା, ସେଥିଯୋଗୁଁ ତା’ର ଗୋଟିଏ ପଇସାର ବି ଆୟ ବଢିବ ନାହିଁ ।
ଦ୍ବିତୀୟ କଥା । ସରକାର ଦାବୀ କରିଛନ୍ତି ଯେ ଦେଶର ୫ କୋଟୀ କୄଷକ ଏହା ଦ୍ବାରା ଲାଭବାନ ହେବେ । କେବଳ ୨ ଏକର ପର୍ଯ୍ୟନ୍ତ ଜମି ରଖିଥିବା କୄଷକ ଏଥିପାଇଁ ଆବେଦନ କରି ପାରିବେ । ଆବେଦନ କରିବା ସମୟରେ ଜମି ମାଲିକାନାର ରେକର୍ଡ ଦେଖାଇବାକୁ ପଡିବ । ତେଣୁ ଭୁମିହୀନ ଚାଷୀଙ୍କ ପାଇଁ ଏହି ପେନସନ୍ ଯୋଜନା ଉଦ୍ଦିଷ୍ଟ ନୂହେଁ ।
ଆଉ ଗୋଟିଏ କଥା । ଏଥିରେ ଭାଗ ନେଉଥିବା ୧୮ ବର୍ଷ ବୟସର ଜଣେ କୄଷକକୁ ମାସିକ ୫୫ ଟଙ୍କା ଜମା କରିବାକୁ ପଡିବ । ବୟସ ଯେତେ ଯେତେ ବଢି ଚାଲିବ ଏହି ମାସିକ ଜମା ରାଶି ସେହି ଅନୁସାରେ ବଢି ଚାଲିବ। ୪୦ ବର୍ଷ ଓ ତା’ଠାରୁ ଅଧିକ ବୟସର କୄଷକକୁ ମାସିକ ୨୦୦ ଟଙ୍କା ଜମା ଦେବାକୁ ହେବ । ସରକାର ମଧ୍ୟ ଚାଷୀଟିଏ ଯେତେ ଦେବ ତାହାର ସମାନ ରାଶି ଏହି ପାଣ୍ଠିରେ ଜମା କରିଚାଲିବେ । ଅର୍ଥାତ ଚଳିତ ବର୍ଷ ନିର୍ବାଚନର ଠିକ୍ ପୂର୍ବରୁ ଆରମ୍ଭ ହୋଇଥିବା ପିଏମ୍-କିଷାନ ଯୋଜନା ଭଳି ଏହି ପେନସନ ଯୋଜନା କେବଳ ସରକାରଙ୍କ ଟଙ୍କାରେ ଚାଲିବ ନାହିଁ । ଏହା ଏକ ପ୍ରକାର କର୍ମଚାରୀ ପେନସନ ଯୋଜନା ଭଳି । କର୍ମଚାରୀ ପେନସନ୍ ଯୋଜନାରେ ଜମା ପାଣ୍ଠିରେ ପ୍ରାୟ ୮% ସୂଧ ମିଳେ ଏବଂ ଚାକିରୀରୁ ଅବସର ହେବା ପରେ କେଉଁ କର୍ମଚାରୀକୁ କେତେ ପେନସନ୍ ମିଳିବ ତାହା ଉକ୍ତ କର୍ମଚାରୀର ଖାତାରେ ଥିବା ମୋଟ ଜମା ପାଣ୍ଠି ଉପରେ ନିର୍ଭର କରିଥାଏ । ମାତ୍ର କିଷାନ ମାନଧନ ଯୋଜନାରେ ପେନସନ ରାଶିକୁ ୩୦୦୦ ଟଙ୍କା ରଖାଯାଇଛି । ତେବେ ୨୦ ବର୍ଷ ପରେ ତିନି ହଜାର ଟଙ୍କାର ମୂଲ୍ୟ ନିଶ୍ଚୟ ବହୁତ କମ୍ ଥିବ ।
ସରକାର ପୁଣି କହୁଛନ୍ତି ଯେ ପ୍ରତିମାସରେ ଟଙ୍କା ଜମା କରିବାର ଝାମେଲା ଏଡାଇବା ପାଇଁ, ଯଦି କୌଣସି କୄଷକକୁ ପିଏମ୍-କିଷାନ ଯୋଜନାରେ ଟଙ୍କା ମିଳୁଥିବ ତେବେ ସେହି ଟଙ୍କାରୁ ଏଥିପାଇଁ ମାସିକ କିସ୍ତି ସରକାର କାଟି ରଖି ପାରିବେ । ଆପଣ ଜାଣିଛନ୍ତି ଯେ ପି.ଏମ୍-କିଷାନ୍ ଯୋଜନାରେ ଗୋଟିଏ ଚାଷୀକୁ ବାର୍ଷିକ ୬୦୦୦ ଟଙ୍କା ମିଳେ । ତା’ମାନେ ମାସିକ ୫୦୦ ଟଙ୍କା । ଯଦି ସେଥିରୁ କିଷାନ ମାନଧନ ଯୋଜନାର କିସ୍ତି ୨୦୦ ଟଙ୍କା କାଟି ନିଆଯାଏ ତେବେ ସରକାରଙ୍କୁ ପିଏମ୍-କିଷାନ ଯୋଜନା ପାଇଁ ୩୦୦ ଟଙ୍କା ଦେବାକୁ ପଡିବ । ଏବେ ସୁଦ୍ଧା ଦେଶର ଏକ କୋଟି କୄଷକ ପି.ଏମ୍- କିଷାନ ଯୋଜନାରେ ପଞ୍ଜିକୄତ ହୋଇଛନ୍ତି । ତା’ ମାନେ ସେମାନଙ୍କୁ ଏବେ ପି.ଏମ୍-କିଷାନ ଯୋଜନାରେ କମ୍ ଟଙ୍କା ମିଳିବ । ଏହି ଉପାୟରେ ଅର୍ଥ ନିଅଣ୍ଟ ଓ ଲଗାତର ରାଜସ୍ବ ଆଦାୟ ହ୍ରାସ ଜନିତ ସମସ୍ୟା ସହିତ ଯୁଝୁଥିବା କେନ୍ଦ୍ର ସରକାରଙ୍କ ଖର୍ଚ୍ଚ କିଛି କମ୍ ହେବ । ଏମିତି ବି ପେନସନ୍ ତ ଏ ସରକାରଙ୍କୁ ଦେବାକୁ ପଡୁନି । କୋଡିଏ ବର୍ଷ ପରେ ଯେଉଁ ସରକାର ଥିବ ସିଏ ଏହି ଖର୍ଚ୍ଚର ବୋଝ ମୁଣ୍ଡାଇବ ।
ଏ କଥା ଠିକ୍ ଯେ ଏଥିପାଇଁ ଜଣେ ଚାଷୀ ଯେତିକି କିସ୍ତି ଟଙ୍କା ଜମା କରିବ ସରକାର ମଧ୍ୟ ସେତିକି ଟଙ୍କା ଜମା କରିବେ । ସରକାର ଏଥିପାଇଁ ଆସନ୍ତା ତିନିବର୍ଷରେ ୧୦୭୭୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ମାତ୍ର ପ୍ରକୄତରେ କ’ଣ ବର୍ତମାନ ସରକାରଙ୍କର ଏହା ଏକ ଖର୍ଚ୍ଚ ଅଟେ ?
ସରକାର ଯେମିତି କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ଥିବା ଟଙ୍କାର ଏକମାତ୍ର ୠଣଗ୍ରହୀତା , ଏହି ମାନଧନ ପାଣ୍ଠିର ଟଙ୍କାକୁ ମଧ୍ୟ ସେମିତି କେବଳ ସରକାର ହିଁ ଖର୍ଚ୍ଚ କରିବେ । ଏହା ଦ୍ବାରା ସରକାର ନିଜ ଟଙ୍କାକୁ ଦେଖାଇ ଚାଷୀଙ୍କଠାରୁ ଟଙ୍କା ଭିଡିବାରେ ଲାଗିବେ । ଖର୍ଚ୍ଚ ତ ସେବେ ହେବ ନା ଯେତେବେଳେ ଚାଷୀଙ୍କୁ ପେନସନ୍ ଫେରାଇବାର ସମୟ ଆସିବ ? ତେଣୁ ଆସନ୍ତା ୨୦ ବର୍ଷ ପାଇଁ ସରକାର ଆରାମରେ ଏହି ଟଙ୍କା ଖର୍ଚ୍ଚ କରିପାରିବେ ଓ ଏବେ ବଜେଟର ନିଅଣ୍ଟ ଭରଣା ମଧ୍ୟ କରିପାରିବେ ।
ଗତ ବଜେଟରେ ଲଘୁ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଅବିକଳ ଏହି ପ୍ରକାର ଏକ ଯୋଜନା ଘୋଷଣା କରାଯାଇଛି । ଏହାର ନାମ ହେଉଛି ‘ପ୍ରଧାନମନ୍ତ୍ରୀ କର୍ମଯୋଗୀ ମାନଧନ ଯୋଜନା’ । ସେହି ବିଷୟରେ ଏହି ଲେଖକ ‘ଦି ସମୀକ୍ଷା’ରେ ଆଗରୁ ଲେଖିଥିଲା ।
ଆପଣ ଜାଣିଛନ୍ତି ବର୍ତ୍ତମାନର ସରକାର ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ସାଧାରଣ ଲୋକଙ୍କ ପାଖରେ ସଞ୍ଚୟ କିମ୍ବା କ୍ରୟଶକ୍ତି ନ ଥିବାରୁ କମ୍ପାନୀମାନଙ୍କର ବିକ୍ରୀ କମି ଯାଇଛି । ସେଥିଯୋଗୁଁ ସାନି ପୁଞ୍ଜି ନିବେଶ ପାଇଁ ବ୍ୟାଙ୍କ ୠଣ ଦେବାକୁ ରାଜି ଥିଲେ ବି ସେମାନେ ତାହା ନେବାକୁ ବ୍ୟାଙ୍କକୁ ଆସୁ ନାହାନ୍ତି । ଏଥି ଯୋଗୁଁ ସୄଷ୍ଟି ହୋଇଥିବା ମାନ୍ଦାବସ୍ଥା ଓ ବେରୋଜଗାରୀ ଦୂର କରିବା ପାଇଁ କେବଳ ସରକାର ହିଁ ଭିତ୍ତିଭୂମି ନିର୍ମାଣରେ ପୁଞ୍ଜି ନିବେଶ କରିବା ଛଡା ଅନ୍ୟ କୌଣସି ରାସ୍ତା ନାହିଁ । କିନ୍ତୁ ଦୁଃଖର କଥା ଖୋଦ ସରକାରଙ୍କ ପାଖରେ ବି ଟଙ୍କା ନାହିଁ । ଗତବର୍ଷ ସରକାର ବଜେଟ ଅଟକଳ ଠାରୁ ପ୍ରାୟ ୧.୭ ଲକ୍ଷ କୋଟି ଟଙ୍କାର ରାଜସ୍ବ କମ୍ ଆଦାୟ କରିଛନ୍ତି । ଚଳିତ ବର୍ଷ ଏ ପର୍ଯ୍ୟନ୍ତ ମଧ୍ୟ ସରକାରଙ୍କର ରାଜସ୍ବ ଆଦାୟ ଉତ୍ସାହବର୍ଦ୍ଧକ ନୂହେଁ । ଏପରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସରକାର ରିଜର୍ଭବ୍ୟାଙ୍କଠାରୁ ରେକର୍ଡ ପରିମାଣର ଟଙ୍କା ନେଇ ସାରିଲେଣି । ତେଣୁ ବିଭିନ୍ନ ବର୍ଗ ପାଇଁ ଏହିଭଳି ପେନସନ ଯୋଜନା କରି ସରକାର ‘ଆୟ ନଗଦ ବ୍ୟୟ ବାକି” ର ମାର୍ଗ ଧରିଛନ୍ତି ।
ଚାଷୀକୁ ୨୦ ବର୍ଷ ପରେ ମିଳିବାକୁ ଥିବା ଟଙ୍କାର ମୁଲ୍ୟ ସେତେବେଳେ କେତେ ଥିବ ଓ ତାହା ଦେବା ପାଇଁ ସରକାର ଟଙ୍କା କେଉଁଠାରୁ ଟଙ୍କା ଆଣିବେ ସେ ବିଷୟ ୨୦ ବର୍ଷ ପରେ ଚିନ୍ତା କରାଯିବ ।