ସମୀକ୍ଷା ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ହ୍ୟୁଷ୍ଟନ ସ୍ଥିତ ଏନ୍ଆରଜି ଷ୍ଟାଡିଅମ୍ରେ ଠାରେ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ-ଆମେରିକାର ସମ୍ପର୍କକୁ ବର୍ଣ୍ଣନା କରିବା ସହ ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସୂଚନା ଦେଇଛନ୍ତି। ପରୋକ୍ଷରେ ମୋଦୀ ପାକିସ୍ତାନକୁ ଦୃଢ ସମାଲୋଚନା କରିଛନ୍ତି । ଏହି ଅବସରରେ ନିଜ ସରକାରର ସଫଳତାର ଫର୍ଦ୍ଦ ବର୍ଣ୍ଣନା ମଧ୍ୟ କରିଛନ୍ତି । କିନ୍ତୁ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ‘ଅବ୍କୀ ବାର୍ ଟ୍ରମ୍ପ୍ ସରକାର’ର ନାରାବାଜିକୁ ନେଇ ବିଶ୍ବ ରାଜନୀତିରେ ବେଶ୍ ଚର୍ଚ୍ଚା ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ସରକାରଙ୍କ ସପକ୍ଷରେ ପ୍ରଚାର କରିବାକୁ ସହଜରେ ଗ୍ରହଣ କରି ନାହାଁନ୍ତି ବିରୋଧୀ। ମୋଦିଙ୍କର ଏପରି ବୟାନକୁ କଂଗ୍ରେସ ସମାଲୋଚନା କରିବାକୁ ପଛାଇ ନାହିଁ ।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଉପସ୍ଥିତିରେ ମୋଦିଙ୍କ ’ଅବ୍କୀ ବାର୍ ଟ୍ରମ୍ପ୍ ସରକାର’ର ବୟାନ ନେଇ କଂଗ୍ରେସ ନେତା ଆନନ୍ଦ ଶର୍ମା ବିରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରତିନିଧିତ୍ବ କରୁଥିବାବେଳେ ଆମେରିକାରେ ତାଙ୍କର ଏହି ବୟାନ ସେଠାକାର ନିର୍ବାଚନୀର ଷ୍ଟାର ପ୍ରଚାରକର ଭୂମିକା ପରି ଦର୍ଶାଉଛି । ଏହା ଗଣତନ୍ତ୍ରେ ଶୋଭନୀୟ ନୁହେଁ ବୋଲି କଂଗ୍ରେସ ନେତା ଆନନ୍ଦ ଶର୍ମା ଟୁଇଟ୍ କରି କହିଛନ୍ତି। ତାଙ୍କର କହିବା କଥା ହେଲା ଆମେରିକାରେ ଉଭୟ ଦଳ ରିପବ୍ଲିକ୍ ଓ ଡେମୋକ୍ରାଟିକ୍ ସହ ଭାରତ ଭଲ ସମ୍ପର୍କ ରଖିବା ଉଚିତ। ହେଲେ ମୋଦିଙ୍କର ସକ୍ରିୟ ଭାବେ ଟ୍ରମ୍ପ୍ଙ୍କ ପାଇଁ ଏପରି ପ୍ରଚାର କରିବା ଦୁଇ ଦେଶର ଲୋକତନ୍ତ୍ର ଓ ପ୍ରଭୁତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ଶର୍ମା କହିଛନ୍ତି।
ଗତ ୨୦୧୬ ଆମେରିକୀୟ ନିର୍ବାଚନରେ ପ୍ରବାସୀ ଭାରତୀୟଙ୍କ ଭୋଟ ହାତେଇବା ପାଇଁ ଟ୍ରମ୍ପ୍ ‘ଅବ୍କୀ ବାର ମୋଦି ସରକାର’ ପରି ‘ଅବକୀ ବାର ଟ୍ରମ୍ପ୍ ସରକାର’ର ନାରାବାଜି ଦେଇଥିଲେ। ସେତେବେଳେ ଏହି ନାରାବାଜି ଦ୍ବାରା ଆମେରିକାରେ ରହିଥିବା ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ଏହା ଆକୃଷ୍ଟ କରିବା ସହ ଟ୍ରମ୍ପ୍ ବିଜୟ ସହଜ ହୋଇଥିଲେ । ତେବେ ଆମେରିକା ନିର୍ବାଚନୀ ପୂର୍ବରୁ ମୋଦିଙ୍କ ଏପରି ବୟାନକୁ ସେଠାରେ ବାହାର ନେତାଙ୍କ ହସ୍ତକ୍ଷେପ ରୂପେ ଯଦି ନିଆଯିବ, ତେବେ ଏହା ଟ୍ରମ୍ପ୍ଙ୍କ ଏକ ଅସୁବିଧାର କାରଣ ହେବାର ସମ୍ଭାବନାକୁ ମଧ୍ୟ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସମୁଦାୟଙ୍କ ପାଖରେ ଟ୍ରମ୍ପଙ୍କର ପ୍ରଶଂସା କରିବା ସହିତ ଟ୍ରମ୍ପ୍ଙ୍କ ଶାସନ ପ୍ରଣାଳୀ ବିଷୟରେ ଭାରତୀୟ ସମୁଦାୟଙ୍କୁ ସୂଚନା ଦେଇଥିଲେ । ସେହିପରି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ମୋଦିଙ୍କ ସ୍ତୁତି ଗାନ କରିବା ସହ ତାଙ୍କ କାର୍ଯ୍ୟକୁ ବେଶ୍ ପ୍ରଶଂସା ମଧ୍ୟ କରିଥିଲେ । ତେବେ ପରୋକ୍ଷରେ ଆମେରିକୀୟ ନିର୍ବାଚନ ପୂର୍ବରୁ ମୋଦି ଓ ଟ୍ରମ୍ପ୍ଙ୍କର ଯୁଗଳବନ୍ଦୀ ପ୍ରବାସୀ ଭାରତୀୟଙ୍କୁ କେତେ ମାତ୍ରାରେ ପ୍ରଭାବିତ କରିବ ତାହା ବର୍ତ୍ତମାନ ଭବିଷ୍ୟବାଣୀ କରି ହେବ ନାହିଁ। ହେଲେ ଏହି ଯୁଗଳ ବନ୍ଦୀ ଯେ ଆମେରିକାର ଆଗାମୀ ନିର୍ବାଚନରେ ନିଶ୍ଚିତ ପ୍ରଭାବ ପକାଇବ ତାହା ନିଃସନ୍ଦେହ।