କେଦାର ମିଶ୍ର
ଆମେ ଯେତେବେଳେ ସାମ୍ବାଦିକତାରେ ଯୋଗଦେବାର ସ୍ଵପ୍ନ ଦେଖୁଥିଲୁ, ଆମ ଲାଗି ଜାତିସଂଘର ସାଧାରଣ ପରିଷଦ ବୈଠକ ଥିଲା ସବୁଠୁ ବଡ ଆକର୍ଷଣ। କାରଣ ଏହି ମଞ୍ଚରେ ପୃଥିବୀର ସବୁଠୁ ବଡ ନେତା ଓ ଭଲ ସାମ୍ବାଦିକଙ୍କ ଭିତରେ ବିଚାର ଓ ବିତର୍କ ଦେଖିବାର ସୁଯୋଗ ମିଳେ। ସମୟ ବଦଳିବା ସହିତ ଜାତିସଙ୍ଘରେ ବିଶ୍ଵର ବଡ ନେତାମାନେ ଡାକୁଥିବା ସାମ୍ବାଦିକ ସମ୍ମିଳନୀ ଗୁଡିକ ସାଧାରଣ ସାମ୍ବାଦିକ ସମ୍ମିଳନୀ ପରି ହୋ-ହଲ୍ଲା ଭରପୂର ଓ ବେକାର ପ୍ରଶ୍ନୋତ୍ତର ଭିତରେ ସରିଯାଉଛି। ଏହାର ସବୁଠୁ ବଡ ଉଦାହରଣ ହେଉଛି, ଜାତିସଂଘ ସାଧାରଣ ପରିଷଦର ବୈଠକ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ହୋଇଥିବା ଦୁଇଟି ଯୁଗ୍ମ ସାମ୍ବାଦିକ ସମ୍ମିଳନୀ। ଏହି ଦୁଇଟି ଯାକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ଫ ଗୋଟିଏ ସାଧାରଣ ପ୍ରଶ୍ନ ପଚାରିଥିଲେ, ଏମିତି ସାମ୍ବାଦିକ ସବୁ ଆପଣ ପାଉଛନ୍ତି କେଉଁଠୁ? (Where do you find reporters like these)
ପ୍ରଥମ କଥା ହେଉଛି,ଆନ୍ତର୍ଜାତିକ ସାମ୍ବାଦିକ ସମ୍ମିଳନୀ ଗୁଡିକରେ ପୃଥିବୀର ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ଆସିବା କଥା। ହେଲେ ଭାରତ ଓ ପାକିସ୍ତାନ ର ସାମ୍ବାଦିକମାନେ ପରଷ୍ପରକୁ ନୀଚ ଦେଖାଇବାକୁ ଏମିତି ଏକ ମଞ୍ଚକୁ ବାଛିଥିଲେ। ଯାହାର ପରିଣତିରେ ଉଭୟ ଦେଶର ସାମ୍ବାଦିକତାକୁ କଟାକ୍ଷ କରିବାର ଏକ ସୁଯୋଗ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଗଲା। ରାଷ୍ଟ୍ରପତି ଟ୍ରମ୍ଫ ସିଧା ସିଧା ଜଣାଇଦେଲେ ଯେ ଉଭୟ ପାକିସ୍ତାନ ଓ ଭାରତର ସାମ୍ବାଦିକମାନେ ନିଜ ନିଜ ସରକାରର ପ୍ରତିନିଧି ଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ପାକିସ୍ତାନର ସାମ୍ବାଦିକଙ୍କୁ “ଆପଣ ଇମ୍ରାନ ଖାନଙ୍କ ପ୍ରତିନିଧି କି ” ବୋଲି ପଚାରିଥିବା ବେଳେ ଭାରତୀୟ ସାମ୍ବାଦିକଙ୍କୁ ନେଇ ସେ କହିଥିଲେ- “ଆହା, ମୋର ହେଲେ ଏମିତି କିଛି ସାମ୍ବାଦିକ ଥାନ୍ତେ”। ବୋଧହୁଏ ସାମ୍ବାଦିକତା ପ୍ରତି ଏହାଠୁ ଅପମାନଜନକ କଥା ଆଉ କିଛି ନାହିଁ। ଉଭୟ ଦେଶର ରାଜନୀତି ସାମ୍ବାଦିକତାକୁ ନିଜର “ପୋଷା ଗଣମାଧ୍ୟମ” ଭାବେ ବ୍ୟବହାର କରିବା ଆରମ୍ଭ କରିଛି। ଉଭୟ ଦେଶର ସରକାର ସାମ୍ବାଦିକତାକୁ ନିଜର ଏକ ବିଭାଗରେ ରୂପାନ୍ତରିତ କରିବାରେ ସଫଳ ହୋଇଛନ୍ତି।
ପାକିସ୍ତାନ ଆଜି ମଧ୍ୟ ସାମରିକ ଶାସନ ଓ ଗଣତନ୍ତ୍ରର ଦୋଛକିରେ ଠିଆ ହୋଇଛି। ଗଣତାନ୍ତ୍ରିକ ନିର୍ବାଚନୀ ବ୍ୟବସ୍ଥାରେ ପାକିସ୍ତାନ ସରକାର ନିର୍ବାଚିତ ହୋଇଥିଲେ ମଧ୍ୟ ଏହାର ଅସଲ କ୍ଷମତା ଆଜି ମଧ୍ୟ ସେନାବାହିନୀ ହାତରେ ରହିଛି। ହେଲେ ଭାରତ ଏକ ମୁକ୍ତ ଗଣତନ୍ତ୍ର। ସତୁରୀ ବର୍ଷର ଗଣତାନ୍ତ୍ରିକ ପରମ୍ପରା ଓ ମୁକ୍ତ ଗଣମାଧ୍ୟମର ପରମ୍ପରାକୁ ଆମେ ହତ୍ୟା କରୁଛୁ କାହିଁକି? କୂଟନୈତିକ ମଞ୍ଚରେ ଆମେ ଆଶା କରୁଛୁ, ଆମେରିକାର ରାଷ୍ଟ୍ରପତି ପାକିସ୍ତାନକୁ ବୋଲି ବାଣୀ କରିବେ। ସେହିପରି ପାକିସ୍ତାନୀ ସାମ୍ବାଦିକ ମଧ୍ୟ ଆଶା କରୁଛନ୍ତି ଟ୍ରମ୍ଫ ତାଙ୍କ ପକ୍ଷରେ ଠିଆ ହେବେ। ହେଲେ ଅସଲ କଥା ହେଉଛି, ଆମେରିକା ଉଭୟ ଭାରତ ଓ ପାକିସ୍ତାନକୁ ସନ୍ତୁଷ୍ଟ କରି ରଖିବାକୁ ଚାହେଁ। ଭାରତର ବଜାର ଉପରେ ଆମେରିକାର କର୍ତ୍ତୃତ୍ଵ ଚାହୁଁଥିବା ଆମେରିକା ଭାରତକୁ ମହାନ କହିବାକୁ ବାଧ୍ୟ। ସେହିପରି ଇରାନ ଓ ଆଫଗାନିସ୍ତାନ ର ରାଜନୈତିକ ପରିସ୍ଥିତିକୁ ସମ୍ଭାଳିବା ଲାଗି ଆମେରିକାକୁ ପାକିସ୍ତାନର ସହାୟତା ଜରୁରୀ। ତେଣୁ ଟ୍ରମ୍ଫ ବାରମ୍ବାର ଉଭୟ ଦେଶ ସହିତ ତାଙ୍କର ମହାନ ସମ୍ପର୍କ ରହିଛି ବୋଲି କହୁଛନ୍ତି।
କୂଟନୀତିର ଏହି ସାଧାରଣ ନିୟମ ଭାରତ ଓ ପାକିସ୍ତାନର ସାମ୍ବାଦିକମାନେ ବୁଝୁନାହାନ୍ତି ନା ଜାଣିଶୁଣି ଲୋକଙ୍କୁ ସରକାରୀ ପ୍ରଚାରରେ ଭୂତେଇବାକୁ ଉଭୟ ଦେଶର ସାମ୍ବାଦିକମାନେ ଠିକା ନେଇଛନ୍ତି? ସ୍ଵାଧୀନ ଓ ଗଣତାନ୍ତ୍ରିକ ଦେଶରେ ଗଣମାଧ୍ୟମର ଏ ପ୍ରକାର ଭୂମିକା ଆମକୁ ଲୋକହସା କରୁଛି ବୋଲି ଆମେ ବୋଧେ ବୁଝି ପାରୁନାହୁଁ। ଆମେରିକା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦୀ ଓ ଇମ୍ରାନଙ୍କୁ ଈର୍ଷା କରିବା ସ୍ଵାଭାବିକ। କାରଣ ଆମେରିକାରେ ଗଣମାଧ୍ୟମ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ ପଚାରି ବ୍ୟତିବ୍ୟସ୍ତ କରି ପକାଉଛି। ଏପରିକି ଟ୍ରମ୍ପଙ୍କ ସମର୍ଥକ ବୋଲି କୁହାଯାଉଥିବା “ଫକ୍ସ ଟିଭି” ର ସାମ୍ବାଦିକ ନେଲ କାଭୁଟୋ ଅତି ସ୍ପଷ୍ଟ ଭାବରେ କହିଥିଲେ ଯେ- ରାଷ୍ଟ୍ରପତି ମହୋଦୟ, ଆମେ ଆପଣଙ୍କ ପାଇଁ କାମ କରୁନାହୁଁ। ରାଷ୍ଟ୍ରପତି ଟ୍ରମ୍ଫ କହିଥିଲେ- ଏବେ ଫକ୍ସ ଟିଭି ଆଉ ଆମ ଲାଗି କାମ କରୁନାହିଁ। ପୂରା ଫକ୍ସ ଟିଭି ଏହାକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିବା ସହିତ ଟ୍ରମ୍ଫଙ୍କୁ କଡା ଭାଷାରେ ନିନ୍ଦା କରିଥିଲା।
ଏହାର ଠିକ ବିପରୀତରେ ନିଜକୁ ମୋଦୀ ସାମ୍ବାଦିକ ବା ଇମ୍ରାନ ସାମ୍ବାଦିକ ବୋଲାଇବାରେ ଭାରତୀୟ ଓ ପାକିସ୍ତାନୀ ସାମ୍ବାଦିକଙ୍କୁ ଲଜ୍ଜା ବି ଲାଗୁନାହିଁ।