Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାହା ପାଇଁ ଏ ମହା ମହୋତ୍ସବ, କିସ ବାତ କି ବଧାଇ, ଭାଇ!!
ବିଶେଷ ଖବର

କାହା ପାଇଁ ଏ ମହା ମହୋତ୍ସବ, କିସ ବାତ କି ବଧାଇ, ଭାଇ!!

October 3, 2019No Comments7 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ 

କଥା କ’ଣ କି, ଗତ ଶନିବାର ସନ୍ଧ୍ୟାରେ ଯେତେବେଳେ ନ୍ୟୁଜ୍ ଦେଖିବାପାଇଁ ଟିଭି ଖୋଲିଲି, ଦେଖିଲି ସବୁ ଚାନେଲରେ ଉତ୍ସବ ପାଳନ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ ଏକ ସପ୍ତାହର ଆମେରିକା ଗସ୍ତ ସାରି ଦିଲ୍ଲୀ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଦୁଇ କିଲୋମିଟର ରାସ୍ତାରେ ହଜାର ହଜାର ଲୋକଙ୍କୁ ହାତ ହଲେଇ ହଲେଇ ଚାଲୁଛନ୍ତି । ନ୍ୟୁଜ୍ ଆଙ୍କରଙ୍କ ଉତ୍ସାହ କହିଲେ ନ ସରେ । ମୋଦୀ ସାରା ବିଶ୍ବରେ ନାଁ କମେଇ ଆସିଛନ୍ତି । କିଏ କହିଲା ବିଶ୍ବବିଜୟୀ । ଆଉ କିଏ କହିଲା ମହାନାୟକ । ସେ ତାଙ୍କ ପାରମ୍ପରିକ ଧଳା କୁର୍ତ୍ତା ପିନ୍ଧିଛନ୍ତି ଓ କୁଆଡେ ପ୍ରଥମଥର ପାଇଁ ଗେରୁଆ କାନ୍ଧପକା ପକେଇଛନ୍ତି ବୋଲି ଜଣେ ଆଙ୍କରଙ୍କର ମନେ ଅଛି ।

ଧୋନୀ ଟିମ୍ ଯେତେବେଳେ ସାଉଥ୍ ଆଫ୍ରିକାରେ ଟି-୨୦ ବିଶ୍ବକପ୍ ଜିତିକି ଆସିଥିଲା, ସେତେବେଳେ ବି ଏତେବଡ ସମ୍ବର୍ଦ୍ଧନା ଦିଆଯାଇ ନଥିଲା । ନିଶ୍ଚେ ଇଣ୍ଡିଆ ପାଇଁ ବଡ ଧରଣର କିଛି କରିକି ଆସିଥିବେ । ନହେଲେ ଏତେବଡ ସମ୍ବର୍ଦ୍ଧନା କାହିଁକି ଦିଆ ଯାଆନ୍ତା ? ମୁଁ ଗାନ୍ଧୀ ଫିଲିମ୍ ଦେଖିଛି । ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ୨୧ ବର୍ଷ କଟେଇ, ସେଠିକାର ଗୋରାଙ୍କ ନାକରେ ଦମ୍ କରି ଓ ସେଥିପାଇଁ ସାରା ବିଶ୍ବରେ ଚହଳ ପକେଇ ଯେତେବେଳେ ଇଣ୍ଡିଆ ଫେରିଥିଲେ ସେତେବେଳେ ବି ବମ୍ବେରେ ତାଙ୍କୁ ଏତେବଡ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇ ନଥିଲା । କିନ୍ତୁ ମୋଦୀ ଆମେରିକାରେ ସପ୍ତାହକ ଭିତରେ ଏମିତି କ’ଣ କମାଲ ଦେଖେଇଲେ ଯେ ସବୁ ଚାନେଲ୍ ତାଙ୍କର ଫେରିବାକୁ ଏମିତି ଦେଖାଉଛନ୍ତି ? ମୋଦୀ ବି ସେମିତି ବିଜୟ ଦର୍ପରେ ଚାଲୁଥିଲେ …. ହାତରେ ଖାଲି ଯାହା ବିଶ୍ବକପଟା ନଥିଲା ।

ମୋଦୀ ଆମେରିକା ଯିବା ପୁର୍ବରୁ ଭାରତରେ ବହୁତ ଚର୍ଚ୍ଚା ହେଉଥିଲା ଯେ ଆମେରିକା ସାଙ୍ଗରେ ଗୋଟେ କୁଆଡେ ବହୁତ ବଡ ଟ୍ରେଡ୍ ଡିଲ୍ ହେବ । ମୋଦି ଆମେରିକା ଗଲାବେଳେ ସାଙ୍ଗରେ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ନେଇଥିଲେ । ଏକଥା ମାନିବାକୁ ପଡିବ ଯେ ଗୋଏଲ ନିଜ ତରଫରୁ ଚେଷ୍ଟାରେ କିଛି ଉଣା କରି ନାହାନ୍ତି । ସେଠିକାର ବାଣିଜ୍ୟ ପ୍ରତିନିଧି ରବର୍ଟ ଲାଇଟହାଇଜରଙ୍କ ସଙ୍ଗେ ବହୁତ ସମୟ ବୈଠକ କଲେ । ଯେତେହେଲେ ବି ସେଇଥିପାଇଁ ଯିବା ପୁର୍ବରୁ କମ୍ପାନୀମାନଙ୍କ ଉପରୁ ଟିକସ୍ କମେଇ ସେଠାକୁ ଯାଇଥିଲେ । ସେ ନିଶ୍ଚୟ କହିଥିବେ ଆମେ କମ୍ପାନୀମାନଙ୍କ ଉପରୁ ଟିକସ୍ କମେଇ ସାରିଛୁ । ଆମ ଇଜ୍ ଅଫ୍ ଡୁଇଂ ବିଜିନେସ୍ ସବୁଠାରୁ ଭଲ । କିନ୍ତୁ ହାୟ ! ଆମେରିକା ସନ୍ତୁଷ୍ଟ ହେଲାନି । ଯଥା ପୁର୍ବଂ ତଥା ପରଂ । ସେମାନେ କହିଲେ , ଦେଖଭାଈ, ଏ ହାଉଡି ଫାଉଡି ଓ ଆଲିଙ୍ଗନ କରମର୍ଦ୍ଦନ ଠିକ୍ ଅଛି, ତମ ଦେଶର ଦର୍ଶକଙ୍କ ପାଇଁ ସେଇଟା ଠିକ୍ ଅଛି, କିନ୍ତୁ ତାକୁ ବିଜିନେସ୍ ସହ ଯୋଡନି ।

ସେତକ ନହେଲା ନାହିଁ । ସମସ୍ତେ ଭାବିଥିଲେ ମୋଦୀ ଭଲ କହିଲାବାଲା, ସମସ୍ତଙ୍କୁ ମନେଇ ଦେଉଛନ୍ତି, କିଛି ନହେଲେ ଗତ ମଇ ମାସରେ ଆମେରିକା ଯେଉଁ ଜିଏସପି ଉଠେଇ ଦେଇଛି, ଟ୍ରମ୍ପଙ୍କୁ ବୁଝେଇ ସୁଝେଇ ସେତକ ପୁଣି ଥରେ ଚାଲୁ କରିକି ଫେରିବେ । ୧୯୭୪ ମସିହାରୁ ଜିଏସପି ଲାଗୁ ହୋଇଥିଲା । ଯେଉଁ ଯେଉଁ ଦେଶକୁ ଆମେରିକା ଜିଏସପି ଷ୍ଟାଟସ୍ ଦେଇଥାଏ ସେସବୁ ଦେଶର ଜିନିଷ ଗଲେ ଆମେରିକା ସରକାର ତା’ ଉପରେ ଶୁଳ୍କ ଲଗାଉ ନଥିଲା । ତେଣୁ ଆମ ଜିନିଷ ସେଠାରେ ଭଲ ବିକ୍ରି ହେଉଥିଲା । ଆମ ସରକାର ସିନା ମୁହଁଟାଣ କରି କହୁଛି ଯେ ଆମ ଦେଶ ଏବେ ଆଉ ଗରିବ ନାହିଁ ଯେ ଆମକୁ ଆଉ ଜିଏସପି ଦରକାର, କିନ୍ତୁ ଆମର ଯେଉଁମାନେ ଆମେରିକା ବଜାରକୁ ମାଲ୍ ପଠାଉଛନ୍ତି ସେମାନେ କହୁଛନ୍ତି ଯେ, ଜିଏସପି ବନ୍ଦ ହେବା ଦ୍ବାରା ବର୍ଷକୁ ପ୍ରାୟ ୬୪୦ କୋଟି ଡଲାରର ଚୁନ ଲାଗିଲା । ସମସ୍ତେ ଭାବିଥିଲେ ଯେ ହାଉଡି-ମୋଦି ପ୍ରୋଗ୍ରାମ ଯେମିତି ହିଟ୍ ହେଲା, ତା’ପରେ ଜିଏସପି ଯେମିତି ହେଲେ ଫେରିବ । କିନ୍ତୁ ମହାନାୟକ ଖାଲି ହାତରେ ଫେରିଲେ ।

ଭାରତରୁ ଯେଉଁ ଷ୍ଟିଲ୍ ଓ ଆଲୁମିନିଅମ୍ ଯାଏ ଗତବର୍ଷ ମାର୍ଚ୍ଚ ମାସରୁ ଆମେରିକା ତା’ଉପରେ କଡା ମହାସୁଲ ଲଗେଇ ଦେଇଛି । ନ ହେଲେ ସେଇଟା କୁଆଡେ ତାଙ୍କ ଦେଶର ଜାତୀୟ ସୁରକ୍ଷା ପ୍ରତି କ୍ଷତିକାରକ ହୋଇଥାନ୍ତା । ଭାରତ ଆମେରିକାକୁ ଯେତେ ବୁଝେଇଲେ ସୁଝେଇଲେ ସୁଦ୍ଧା ସେମାନେ ଏ ମହାସୁଲ ହଟେଇଲେ ନାହିଁ ।

ଯେଉଁମାନେ ରାତିଦିନ ଟିଭିରେ ମୁହଁ ଲଗେଇ ବସନ୍ତି ସେମାନେ ହୁଏତ ବିଶ୍ବାସ କରିବେ ନାହିଁ, କିନ୍ତୁ ବାସ୍ତବତା ହେଉଛି ଯେ ମୋଦୀଙ୍କ ଶାସନକାଳରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କ ଦିନକୁ ଦିନ ଖରାପ ହୋଇ ଚାଲିଛି । ‘ୟୁଏସ୍ ଇଣ୍ଡିଆ ଟ୍ରେଡ୍ ପଲିସି ଫୋରମ୍’ ବୋଲି ଗୋଟିଏ ଫୋରମ୍ ଅଛି । ପ୍ରତିବର୍ଷ ଏହି ଫୋରମର ବାର୍ଷିକ ବୈଠକ ବସି ଆମେରିକା ଓ ଭାରତ ମଧ୍ୟରେ କେମିତି ବେପାର ବଣିଜ ବଢିବ ସେ ବିଷୟରେ ଆଲୋଚନା ହୁଏ । ୨୦୧୭ ମସିହାରୁ ଆମେରିକା ଆଉ ସେ ଫୋରମର ବୈଠକ ଡାକୁନି । ଡବ୍ଲୁଟିଓରେ ଉଭୟ ପରସ୍ପର ବିରୁଦ୍ଧରେ ଜମେଇକି କେଶ୍ ଲଢୁଛନ୍ତି । ଆମ କୁକୁଡା କୁଆଡେ ଖରାପ । ଆମେରିକା ସରକାର ତାଙ୍କ ଦେଶରେ କହିଦେଲେ ଯେ ଭାରତରୁ ଯୋଉ କୁକୁଡା ଆସୁଛି ତାକୁ ଖାଇଲେ ରୋଗ ହେବ । ଦଶ ବର୍ଷ ଉପରେ ହୋଇଯିବଣି, କିନ୍ତୁ ସେ କେଶ୍ ଚାଲିଛି । ୨୦୧୭ ମସିହାରେ ଏହି ବିଷୟ ନେଇ ଟେନସନ୍ ଏମିତି ବଢିଯାଇଥିଲା ଯେ ଆମେରିକା ଭାରତ ଉପରେ ଏକ ପ୍ରକାର ବାଣିଜ୍ୟିକ ବାସନ୍ଦ ଲଗେଇବାକୁ ଯାଉଥିଲା । ମାନେ ଏକ ପ୍ରକାର ବ୍ଲାକଲିଷ୍ଟ ।

ତେବେ ସେ ଯାହା ହେଉ, ଏବେ ବି ଆମେରିକା ଓ ଭାରତ ମଧ୍ୟରେ ଟ୍ରେଡ୍ ଡିଲ୍ ନେଇ କଥାବାର୍ତ୍ତା ଚାଲିଛି । ମାତ୍ର ଏସବୁ ସିକ୍ରେଟ ଅଛି । କିଛି ନହେଲେ ଗୋଟେ ସୀମିତ ଟ୍ରେଡ୍ ଡିଲ ହବାକୁ ଚେଷ୍ଟା ଚାଲିଛି । ଅବଶ୍ୟ ଏ ଟ୍ରେଡ୍ ଡିଲରେ ମୋଦୀଙ୍କର ଏତେଟା ଆଗ୍ରହ ନାହିଁ । ସେ ଚାହାନ୍ତି ଇଣ୍ଡିଆକୁ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ବା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଆସୁ । ସେଥିପାଇଁ ଏଥର ସେ ‘ଇନଭେଷ୍ଟ ଇଣ୍ଡିଆ’ ବ୍ୟାନରରେ ଗୋଟିଏ ଗୋଲଟେବୁଲ୍ ବୈଠକ ଡାକିଥିଲେ। ସେଠାକୁ ବିଭିନ୍ନ ଶିଳ୍ପରେ ଥିବା ଆମେରିକାର ବଡ ବଡ ମଲ୍ଟିନ୍ୟାସନାଲ୍ ସେଠ୍ ଆସିଥିଲେ । କହିଲେ ମୋଦୀଙ୍କର ଭିଜନ୍ ଫିଜନ୍ ସବୁ ଠିକ୍ ଅଛି । ଖାଇଲେ ପିଇଲେ ଚାଲିଲେ । କେହି ଜଣେ ହେଲେ ଭାରତରେ ଟଙ୍କାଟିଏ ବି ଲଗେଇବାକୁ ପାଟି ଖୋଲିଲେ ନାହିଁ । ସେ ପୁଣି ଏମିତି ସମୟରେ ଯେତେବେଳେ ଆମେରିକା କମ୍ପାନୀମାନେ ଚୀନରୁ ବେଡିଆ ବିସ୍ତରା ବାନ୍ଧି ପଳେଇ ଆସୁଛନ୍ତି । ଆହେ ବର୍ତମାନ ଭାରତର ଆର୍ଥିକ ମଜବୁରୀ କଥା କ’ଣ ସେମାନଙ୍କୁ ଜଣା ନଥିବ ?

ଖାଲି ସେ ଇମ୍ରାନ୍ ଖାଁ ଆମେରିକା ଯାଇଥିଲେ ବୋଲି ଭାରତରେ ଟିଭି ନ୍ୟୁଜ୍ ଟିକେ ହିଟ୍ ହେଲା । ସେ ପରମାଣୁ ବୋମା କଥା ଉଠେଇବାରୁ ଟିଭିରେ ପ୍ରୋଗ୍ରାମ୍ ଟିକେ ଗରମ ଧରିଲା । ଗସ୍ତ ଆରମ୍ଭରୁ ତ ହାଉଡିମୋଦୀ ପ୍ରୋଗ୍ରାମ୍ ସରି ଯାଇଥିଲା । ତା’ପରେ ଆଉ ଆମେରିକାରୁ ହିଟ୍ ଖବର ଦେଲା ଭଳି ସେମିତି କିଛି ନଥିଲା । କିନ୍ତୁ ଯାହା କୁହନ୍ତୁ , ଇମ୍ରାନ୍ ଖାଁକୁ ଗୋଟିଏ ଜେନେରାଲ ବଡି ମିଟିଂରେ ପଚାଶ ମିନିଟ ଧରି ଓ ମୋଦୀଙ୍କୁ ବ୍ୟକ୍ତିଗତ ସ୍ତରରେ ଏମିତି ଆକ୍ରମଣ କରିବା ଠିକ୍ ନଥିଲା । ସେ ବି ଆଉ କ’ଣ କରିଥାନ୍ତେe ? ତାଙ୍କ ଦେଶରେ ବି କଲର୍ ଟିଭି କମ୍ ନାହିଁ । ସେ ଦୄଷ୍ଟିରୁ ମୋଦୀଙ୍କ ଭାଷଣ ଠିକ୍ ଓ ମାର୍ଜିତ ଥିଲା । ଆହେ ଛାଡନ୍ତୁ ମ, ବିଦେଶରେ ଏତେ ବଡ ମିଟିଂରେ ଭାଷଣ ଦେଲାବେଳେ ବୁଦ୍ଧଙ୍କ ବିଷୟରେ କହିବାକୁ ପଡେ । ଏମିତି ଆଉ କଥା ଧରିଲେ ହେବ ?

କିନ୍ତୁ ଆର୍ଟିକଲ୍ ୩୭୦ ବିଷୟରେ ଟ୍ରମ୍ପଠାରୁ ଭାରତ ଯାହା ଶୁଣିବାକୁ ଇଛା କରିଥିଲା ସେତକ ମିଳିଲାନି । ମୋତେ ତ ଲାଗୁଛି କାଶ୍ମୀର ସମସ୍ୟା କ’ଣ ସେ ବିଷୟରେ ଟ୍ରମ୍ପକୁ ବେଶି କିଛି ଜଣା ନାହିଁ । ତା’ ଚିନ୍ତା ଏବେ ଆଫଗାନିସ୍ଥାନକୁ ନେଇ । ସେ ଚାହୁଁଛି ଯେ ଭାରତ ଓ ପାକିସ୍ଥାନକୁ ନେଇ ଆଉ ଗୋଟିଏ ଚିନ୍ତା ନ ବଢୁ । ସେଇଥିପାଇଁ ସେ ବାରମ୍ବାର କହୁଛି କହିବ ଯଦି ମୁଁ ମଧ୍ୟସ୍ଥତା କରିବି ।

ସେ ତ କୋଉଦିନ କାହା ଆଗରେ କ’ଣ କହୁଛି ତା’ର ଠିକଣା ରହୁନି । ମୋଦୀଙ୍କ ଉପସ୍ଥିତିରେ ଗୋଟେ କଥା ଆଉ ଇମ୍ରାନ ଖାନ୍ ଆଗରେ ଆଉ ଗୋଟିଏ କଥା । ହାଉଡି ପ୍ରୋଗ୍ରାମରେ ମୋଦୀ ଯେତେବେଳେ କହିଲେ ଆସ ମିଶିକି ଆତଙ୍କବାଦ ଖତମ କରିବା ସେଠି ସେ ବଡ ଜୋରରେ ହଁ ମାରିଲା । ଆମେ ଭାବିଲୁ ସେ ପାକିସ୍ଥାନରେ ତିଆରି ହେଉଥିବା ଆତଙ୍କବାଦ କଥାରେ ହଁ ମାରିଲା । କିନ୍ତୁ ପରଦିନ ଇମ୍ରାନ ଖାନ୍ ସାଙ୍ଗରେ ବସିଥିବା ବେଳେ ତାକୁ ଯେତେବେଳେ ସେ ବିଷୟରେ ପଚରାଗଲା ସେଠାରେ କହୁଛି ସବୁଠାରୁ ବଡ ଆତଙ୍କବାଦୀ ଦେଶ ହେଉଛି ଇରାନ୍ ।

ଭାରତ କାଶ୍ମୀରରେ ଯେପରି ଭାବେ ଲକ୍ଷ ଲକ୍ଷ ସୈନ୍ୟ ପଠେଇ ୩୭୦ ହଟେଇଲା ଜାତିସଂଘ ବୈଠକରେ କେହି ତାକୁ ସମର୍ଥନ କରି ନାହାନ୍ତି । ବରଂ କେତୋଟି ଦେଶ ସେ ବିଷୟରେ ବହୁତ କଡା କଥା କହିଛନ୍ତି । ଖୋଦ୍ ଆମେରିକାର ବୈଦେଶିକ ବିଭାଗ ଖୁବ୍ ଶୀଘ୍ର କାଶ୍ମୀରରୁ କଟକଣା ହଟେଇ ସେଠାରେ ଶୀଘ୍ର ନିର୍ବାଚନ କରେଇବାକୁ କହିଲା । ଏଇଟା ଆମେରିକାର ଗୋଟେ ବହୁତ ବଡ ପବନା ଓ ଡହରା ରାଷ୍ଟ୍ରପତି । ଇଏ ଯୋଉଠି ସେହିଠି ଯାହା ପାରେ ତାହା କହିଦବ । ତା’ସାଙ୍ଗରେ ନସରପସର ହେବା ଅପେକ୍ଷା ଆମେରିକା ସଙ୍ଗେ କୁଟନୈତିକ ସ୍ତରରେ ସମ୍ପର୍କକୁ ମଜଭୁତ କରାଯିବା ଉଚିତ୍ ।

ତେଣୁ ମୁଁ ସେତିକିବେଳୁ ଭାବୁଛି, କେଉଁଥିପାଇଁ ମୋଦୀ ଦିଲ୍ଲୀର ବିମାନଘାଟିରୁ ଓହ୍ଲେଇବା ପରେ ନାଚଗୀତ ହୋଇ ଉତ୍ସବ ପାଳନ ହେଉଥିଲା ? ସାତ ଦିନ କାଳ ଆମେରିକା ରହଣି ଭିତରେ କୋଉ ଗୋଟାକରେ ଭାରତ ହାତରେ କ’ଣ ଲାଗିଲା ଯେ ତାଙ୍କୁ ଟିଭିଚାନେଲଗୁଡିକ ମହାନାୟକ ଓ ବିଶ୍ବବିଜୟୀ ବୋଲି କହୁଥିଲେ ? ବଡ ଆଶ୍ଚର୍ଯ୍ୟ କଥା । ଶୁନଟାରେ ଉତ୍ସବ ! କଥା କଥାକେ ଉତ୍ସବ । ଯେତେବଡ ଅସଫଳତା ତାକୁ ଲୁଚେଇବାକୁ ତା’ଠୁ ବଡ ଉତ୍ସବ !

ଟିକେ ରହିଥାନ୍ତୁ । ଅବଶ୍ୟ ମୋଦୀଙ୍କ ଗସ୍ତକାଳରେ ଗୋଟିଏ ଏମ.ଓ.ୟୁ ସାଇନ୍ ହେଇଛି । ସେ ସମ୍ପୁର୍ଣ ଖାଲି ହାତରେ ଫେରି ନାହାନ୍ତି । ଭାରତରେ ପେଟ୍ରୋନେଟ୍ ବୋଲି ଗୋଟେ ତରଳ ଗ୍ୟାସ୍ କମ୍ପାନୀ ଅଛି । ଏଥିରେ ସରକାର ଓ ଘରୋଇ ୫୦-୫୦ ମାଲିକ । ସେ କମ୍ପାନୀ ପାଖରେ ନିଜସ୍ବଭାବରେ ବେଶି ଟଙ୍କା ନାହିଁ । ଏହି ଏମ୍.ଓ.ୟୁ ସାଇନ୍ ହେବା ପରେ ପେଟ୍ରୋନେଟ୍ ଗୋଟିଏ ଆମେରିକୀୟ ବଡ କମ୍ପାନୀର ୧୮% ସେୟାର୍ କିଣିବ।ଯାହାର ଦାମ୍ ହେଉଛି ୨୫୦୦ କୋଟି ଡଲାର୍ । ସେଥିପାଇଁ ପେଟ୍ରୋନେଟକୁ ଭାରତର ବ୍ୟାଙ୍କରୁ ଲୋନ୍ କରିବାକୁ ପଡିବ । ସେ ଆମେରିକା କମ୍ପାନୀ ଭାରତକୁ ତରଳ ଗ୍ୟାସ୍ ଯୋଗେଇବ । ୪୦ ବର୍ଷ ପାଇଁ । ଅବଶ୍ୟ ଏବେ କିଛି ଫାଇନାଲ୍ ହେଇନି । ମାର୍ଚ୍ଚମାସରେ ଏ ବିଷୟରେ ଆଗକୁ କଥାବାର୍ତ୍ତା ହେବ । ଏବେ ସବୁକିଛି କେବଳ ହାଓ୍ବାରେ ।

ତେବେ ସେ ଯାହା ହେଉ, ଆମେରିକା ଯାଇଥିଲ ସେଠାରୁ କ’ଣ ଖୁସି ଖବର ମିଳିଲା, କାହିଁକି ଏମିତି ନାଚଗୀତ କରୁଛ , ଏକଥା ତାଙ୍କୁ ସାମନାସାମନି ପଚାରିବାକୁ ତ କେଉଁ ମାଏ କା ଲାଲ୍ ସାମ୍ବାଦିକ ନାହିଁ, କିନ୍ତୁ ତାଙ୍କର ଗୋପୀ ହୋଇ ସଙ୍ଗଲାଗି ଓ ଅଙ୍ଗଲାଗି ହେବାକୁ ଯେତେବେଳେ ଏତେ ମିଡିଆ ଅଛି ତେଣୁ ….। ନାଇଁ ସତରେ ମ, କୋଉଥିପାଇଁ ଏ ବଧାଇ ଉତ୍ସବ ହେଉଥିଲା ?

Share. Facebook Twitter LinkedIn Email WhatsApp Copy Link

Related Posts

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026

ଏଲପିଜିରୁ ପିଏନଜିକୁ ସଂଯୋଗ ହସ୍ତାନ୍ତର କଲେ ୩୯,୦୦୦ରୁ ଅଧିକ ଗ୍ରାହକ

April 20, 2026
Latest News

ଉଧମପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଯାତ୍ରୀବାହୀ ବସ୍ ଓଲଟି ୧୫ ମୃତ

April 20, 2026

ଆଜି ଗୁଜୁରାଟ ଟାଇଟାନ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ: ଦେଖନ୍ତୁ ଉଭୟ ଦଳର ହେଡ୍-ଟୁ-ହେଡ୍ ରେକର୍ଡ

April 20, 2026

ଭାରତୀୟ ଟ୍ୟାଙ୍କର ଉପରେ ଆକ୍ରମଣ ସମ୍ପର୍କିତ ପ୍ରଶ୍ନରେ ରାଗିଲେ ଟ୍ରମ୍ପ: କାହାକୁ କହିଲେ ‘ବାହାରିଯାଅ’?

April 20, 2026

କାର୍ ଧକ୍କାରେ ମହିଳା ମୃତ

April 20, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.