ସମୀକ୍ଷା ବ୍ୟୁରୋ
ବାୟୁ ପ୍ରଦୂଷଣ ଦ୍ଵାରା କେବଳ ଦିଲ୍ଲୀ ଏନସିଆର ଅଞ୍ଚଳର ବାୟୁମଣ୍ଡଳ ନୁହେଁ ବରଂ ସାରା ଦେଶର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି। ଏହା କେବଳ ଯେ ମହିଳା, ବୟସ୍କ ବ୍ୟକ୍ତି ଏବଂ ଜନ୍ମିତ ଶିଶୁ ଉପରେ ପ୍ରଭାବ ପକାଏ ତା ନୁହେଁ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ବାୟୁ ପ୍ରଦୂଷଣର ପ୍ରଭାବ ପଡିଥାଏ । ବହୁ ଗର୍ଭସ୍ଥ ଶିଶୁ ପ୍ରଦୂଷଣ ଯୋଗୁଁ ଜନ୍ମ ହେବ ଆଗରୁ ହିଁ ଗର୍ଭ ମଧ୍ୟରେ ମୃତ୍ୟୁବରଣ କରିଥାନ୍ତି। ପ୍ରଦୂଷଣ ଯୋଗୁଁ ମହିଳାଙ୍କଠାରେ ଗର୍ଭପାତ ଭଳି ସମସ୍ୟା ଏବେ ବହୁତ ଦେଖିବାକୁ ମିଳୁଛି।
ଭାରତରେ ପ୍ରତିବର୍ଷ ୧୨.୪ ଲକ୍ଷ ଲୋକ ପ୍ରଦୂଷଣର ଶିକାର ହୋଇଥାନ୍ତି
ଏଇ ନିକଟ ଅତୀତରେ ଜାରି କରାଯାଇଥିବା ଷ୍ଟେଟ ଅଫ ଗ୍ଲୋବାଲ ଏୟାର ୨୦୧୯ ର ତଥ୍ୟ ଅନୁଯାୟୀ ଭାରତରେ ପ୍ରତିବର୍ଷ ୧୨.୪ ଲକ୍ଷ ଲୋକ ପ୍ରଦୂଷଣର ଶିକାର ହେଉଛନ୍ତି । ଏହି ଅଧ୍ୟୟନ ଦ୍ଵାରା ଜଣା ପଡିଛି ଯେ ବାୟୁ ପ୍ରଦୂଷଣ ଦ୍ଵାରା କେବଳ ଗର୍ଭପାତ ଭଳି ସମସ୍ୟା ଦେଖିବାକୁ ମିଳେ ତାହା ନୁହେଁ ଏହା ଦ୍ଵାରା ସମୟ ପୂର୍ବରୁ ପ୍ରସବ ଏବଂ କମ ଓଜନର ଶିଶୁ ଜନ୍ମ ଭଳି ସମସ୍ୟା ଦେଖିବାକୁ ମିଳେ ।
୨୮ ଜଣ ମହିଳାଙ୍କ ଉପରେ ହେଲା ପରୀକ୍ଷା
ପ୍ରଥମ ଥର ପାଇଁ ଏକ ପରୀକ୍ଷଣରୁ ଜଣାପଡିଛି ଯେ, ମାର ନିଶ୍ଵାସ ପ୍ରଶ୍ଵାସ ଦ୍ଵାରା ଗର୍ଭସ୍ଥ ଶିଶୁଙ୍କ ନିକଟକୁ ବିଷକ୍ତ କାର୍ବନ କଣିକା ପହଞ୍ଚିପାରେ। ଏହି ବିଷୟକୁ ନେଇ ବେଲଜିୟମ ଏହାକୁ ଅଧିକ ଅଧ୍ୟୟନ କରିଥିଲା। ଏହି ଅଧ୍ୟୟନ ପାଇଁ ଧୂମ୍ରପାନ କରୁ ନ ଥିବା ୨୮ ଜଣ ମହିଳାଙ୍କୁ ଚୟନ କରାଯାଇଥିଲା। ଏଥିରେ ହାଇ ଏମେଜିଙ୍ଗ ଟେକନିକର ବ୍ୟବହାର କରାଯାଇଥିଲା । ଏହି ଟେକନିକ ଦ୍ଵାରା ଗର୍ଭ ନଳୀରେ ଥିବା ନମୁନା ଗୁଡିକୁ ଯାଞ୍ଚ କରା ଯାଇ ପାରିବ । ଏହି ପଦ୍ଧତି ଦ୍ଵାରା କାର୍ବନ କଣିକା ଚମକଦାର କଣିକାରେ ପରିଣତ ହୋଇ ଯାଏ। ଏହି ପରୀକ୍ଷା ଦ୍ଵାରା ଏହା ଜାଣିବାକୁ ମିଳିଲା ଯେ ମା’ର ନିଶ୍ଵାସ ଜରିଆରେ ଗର୍ଭସ୍ଥ ଶିଶୁ ପାଖକୁ ମଧ୍ୟ କାର୍ବନ କଣିକା ପହଞ୍ଚିପାରେ । ଏହି ପରୀକ୍ଷାରେ ୧୦ ମହିଳା ଯେଉଁମାନେ ରାସ୍ତାର ୫୦୦ ମିଟର ମଧ୍ୟରେ ବସବାସ କରୁଥିଲେ ତାଙ୍କ ପ୍ଲାସେନ୍ତାର କାର୍ବନ କଣିକାର ମାତ୍ରା ଅଧିକା ଥିବାର ଦେଖିବାକୁ ମିଳିଲା। ସେହିପରି ସଡକଠାରୁ ପାଞ୍ଚ ମିଟର ଦୂରରେ ରହୁଥିବା ଗର୍ଭବତୀ ମହିଳାଙ୍କଠାରେ ଏହାର ପରିମାଣ କମ୍ ଦେଖିବାକୁ ମିଳିଲା।
ବ୍ଲାକ କାର୍ବନ ହିଁ କ୍ଷତିର କାରଣ
ଆଇଏଇଏମଏର ପୂର୍ବତନ ମହାସଚିବ ଡା ନରେନ୍ଦ୍ର ସୋନିଙ୍କ ଅନୁସାରେ ମା’ର ନିଶ୍ଵାସ ଏବଂ ରକ୍ତ କଣିକା ଦ୍ଵାରା ଗର୍ଭସ୍ଥ ଶିଶୁ ମଧ୍ୟ ପ୍ରଦୂଷଣର ଶିକାର ହେଉଥିବା ତଥ୍ୟର ସତ୍ୟତା ରହିଛି। ଏଥିରେ କୌଣସି ସନ୍ଦେହ ନହିଁ ଯେ ବ୍ଲାକ କାର୍ବନ ଦ୍ଵାରା ଗର୍ଭପାତ, ସମୟ ପୂର୍ବରୁ ପ୍ରସବ ଏବଂ ଶିଶୁଙ୍କ ଦୁର୍ବଳ ଦେହ ଭଳି ସମସ୍ୟା ଦେଖିବାକୁ ମିଳେ । ଏଭଳି ପରିସ୍ଥିତିର ସୁଧାର ପାଇଁ ପ୍ରଦୂଷଣକୁ ରୋକିବା ଜରୁରୀ ବୋଲି ସେ କହିଛନ୍ତି। ତେଣୁ ପରିବେଶକୁ ସବୁଜ ସୁନ୍ଦର ରଖିବା ତଥା ପ୍ରଦୂଷଣ ମୁକ୍ତ ରଖିବା ଏକାନ୍ତ ଜରୁରୀ ।