ବିରୋଧୀ ରାହୁଲଙ୍କ ବିରୋଧରେ ଶାସକ ବିଜେପିର ବିକ୍ଷୋଭ, କି ନାଟକ ଚାଲିଛି ରେ ବାବା!!

Published: Nov 16, 2019, 5:01 pm IST

ସମୀକ୍ଷା ବ୍ୟୁରୋ

ବଡ ଅପୂର୍ବ ଦୃଶ୍ୟ। ଦେଶର ଶାସନଗାଦିରେ ଥିବା ଭାରତୀୟ ଜନତା ପାର୍ଟିର ନେତା କର୍ମୀମାନେ ଆଜି ରାସ୍ତାରେ ବିକ୍ଷୋଭ କରୁଛନ୍ତି। କଣ ଏ ବିକ୍ଷୋଭର କାରଣ? ସେମାନଙ୍କର ଦାବି ହେଉଛି କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ। କାହିଁକି ରାହୁଲ ଗାନ୍ଧୀ କ୍ଷମା ମାଗିବେ? ବିଜେପିର ଯୁକ୍ତି ହେଲା, ଯେହେତୁ ସୁପ୍ରିମ କୋର୍ଟ ରାଫାଲେ ମାମଲାରେ ସରକାରକୁ ଦୋଷମୁକ୍ତ କରିଛନ୍ତି, ତେଣୁ ରାହୁଲ ମୋଦୀଙ୍କୁ ଚୌକିଦାର ଚୋର ହୈ ବୋଲି କହିଥିବାରୁ କ୍ଷମା ମାଗନ୍ତୁ। ଇଏ ତ ଅଦ୍ଭୁତ ଯୁକ୍ତି। ପ୍ରଥମ କଥା ହେଲା ସୁପ୍ରିମ କୋର୍ଟ “ଚୌକିଦାର ଚୋର ହୈ” ପ୍ରସଙ୍ଗରେ କିଛି କହିନାହାନ୍ତି ବା ସେ କଥା ଆଲୋଚିତ ହେବାର କୌଣସି କାରଣ ନଥିଲା। ରାହୁଲ ଗାନ୍ଧୀ ଏକଥା ସୁପ୍ରିମ କୋର୍ଟ କହିଛନ୍ତି ବୋଲି କହିଥିବାରୁ, ଭବିଷ୍ୟତରେ ସେ ଅଦାଲତକୁ ଏ ପ୍ରସଙ୍ଗରେ ନ ଟାଣିବାକୁ ପରାମର୍ଶ ଦେଇଛନ୍ତି।

ରାହୁଲ ସରକାରକୁ କେଉଁ ଭାଷାରେ ଓ କେମିତି ସମାଲୋଚନା କରିବେ ସେ କଥା, ଅଦାଲତଙ୍କ ଚିନ୍ତାର ବିଷୟ ନୁହେଁ। ତେଣୁ ସୁପ୍ରିମ କୋର୍ଟଙ୍କ ରାୟକୁ ନେଇ ବିଜେପିର ଏହି ବିକ୍ଷୋଭ ଏଇ ଶତାବ୍ଦୀର ସବୁଠୁ ବଡ ସୁଆଙ୍ଗ ବୋଲି କୁହା ଯାଇପାରେ। ସରକାରୀ ଦଳ ବିରୋଧୀ ଦଳ ବିରୋଧରେ ରାସ୍ତାରେ ବିକ୍ଷୋଭ କରିବାରେ ଏହା ବୋଧହୁଏ ଏକ ଇତିହାସ। ଏକଦା ନିଜର ପ୍ରଥମ ପାଳିର ଶାସନ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ ଧାରଣାରେ ବସିଥିବାରୁ, ତାଙ୍କୁ “ନାଟୁଆ” ବୋଲି ବିଜେପି ଗାଳି କରୁଥିଲା। ରାହୁଲ ଗାନ୍ଧୀଙ୍କ ବିରୋଧରେ ଏ ବିକ୍ଷୋଭ ନାଟକ ଛଡା ଆଉ କଣ କି?

ସୁପ୍ରିମ କୋର୍ଟଙ୍କ ରାୟରେ କେବଳ ଅଦାଲତକୁ ନାଟାଣିବା କଥା କୁହା ଯାଇଛି। ସେହି ରାୟରେ ମାନ୍ୟବର ବିଚାରପତି ଜଷ୍ଟିସ କେ.ଏମ.ଯୋଶେଫ ସିବିଆଇ ଚାହିଁଲେ ରାଫାଲେ ମାମଲାର ତଦନ୍ତ କରିପାରିବ ବୋଲି ମଧ୍ୟ କହିଛନ୍ତି। ରାଫାଲେ ଦର ନିର୍ଦ୍ଧାରଣ ଓ ଏହାର ଟେକ୍ନିକାଲିଟି  ସୁପ୍ରିମ କୋର୍ଟଙ୍କ ବିଚାର ପରିସରଭୁକ୍ତ ନୁହେଁ ବୋଲି ମଧ୍ୟ କୁହାଯାଇଛି। ତେଣୁ ସୁପ୍ରିମ କୋର୍ଟ ସରକାରକୁ “ବିଶୁଦ୍ଧ ଗଙ୍ଗା” ବୋଲି କହିଲେ, ତେଣୁ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି କହିବାର କିଛି ଆଧାର ଅଛି କି?

ବୋଫୋର୍ସ ମାମଲାରେ ବିଜେପି ବର୍ଷ ବର୍ଷ ଧରି ରାଜୀବ ଗାନ୍ଧୀଙ୍କର ଚରିତ୍ର ସଂହାର କରି ଆସିଛି। ଦେଶର କୌଣସି ଅଦାଲତ ବୋଫୋର୍ସ ମାମଲାରେ ଦୁର୍ନୀତି ହୋଇଛି ବୋଲି କହି ନାହାନ୍ତି। ସେଥିପାଇଁ କଂଗ୍ରେସକୁ ବିଜେପି କେବେ କ୍ଷମା ମାଗିଛି କି? ୨-ଜି ମାମଲାରେ ଯେତେବେଳେ କୌଣସି ଘୋଟାଲା ହୋଇନାହିଁ ବୋଲି ଅଦାଲତ କହିଲେ, ସେତେବେଳେ ମନମୋହନ ସିଂଙ୍କୁ ବିଜେପି କ୍ଷମା ମାଗିବା ଉଚିତ ନଥିଲା କି? ଏମିତି ବହୁ ବାଦ ବିବାଦ ଓ ଅଭିଯୋଗର ତାଲିକା ରହିଛି, ଯାହାକୁ ଲେଖିଲେ ଇତିହାସ ତିଆରି ହେବ।

ତେବେ ବିଜେପିର ଗୋଟେ ବଡ ଦକ୍ଷତା ଏହା ଫଳରେ ପ୍ରମାଣିତ ହୋଇଛି। ଏହା ଶାସକ ଦଳରେ ରହି ଶାସନ କରିବ ଓ ବିରୋଧୀଙ୍କ ବିରୋଧରେ ଆନ୍ଦୋଳନ ମଧ୍ୟ କରିବ। ରାଜନୀତିରେ ଉଭୟ ଶାସକ ଓ ବିରୋଧୀ ଭୂମିକା ଏକା ସାଙ୍ଗରେ ତୁଲାଇ ପାରିବା ପାଇଁ ବହୁତ ବଡ ଅଭିନୟ ଦକ୍ଷତା ରହିବା ଜରୁରୀ ଓ ସେ ଦକ୍ଷତା ବିଜେପିର ଅବଶ୍ୟ ରହିଛି!!

Related posts