ଉତ୍ତରପ୍ରଦେଶ, ୭/୧୨: ଜୀବନ ଓ ମୃତ୍ୟୁ ସହ ସଙ୍ଘର୍ଷ କରିବା ପରେ ଉନ୍ନାଓ ଦୁଷ୍କର୍ମ ପୀଡିତା ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ହାଇଦ୍ରାବାଦର ଗଣଦୁଷ୍କର୍ମ ଘଟଣାର ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କଲା ପରି ଉନ୍ନାଓ ଅଭିଯୁକ୍ତଙ୍କୁ ମଧ୍ୟ ସେହିପରି ଦଣ୍ଡ ଦିଆଯାଉ ବୋଲି ସମଗ୍ର ଦେଶରେ ଲୋକମାନେ ଆକ୍ରୋଶ ପ୍ରକାଶ କରିଛନ୍ତି । ଉନ୍ନାଓ ଘଟଣା ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି । ଏହି ମାମଲାର ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଫାଷ୍ଟ ଟ୍ରାକ୍ କୋର୍ଟରେ ଏହାର ବିଚାର କରାଯିବ ବୋଲି ଯୋଗୀ କହିଛନ୍ତି।
ସୂଚନାଯୋଗ୍ୟ, ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ଦୁଷ୍କର୍ମକାରୀମାନେ ପେଟ୍ରୋଲ ଢାଳି ଜଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପୀଡିତାଙ୍କର ୯୦ ପ୍ରତିଶତ ଶରୀର ଜଳି ଯାଇଥିଲା। ପୀଡିତାଙ୍କ ଦେହରେ ନିଆଁ ଲାଗିବା ପରେ ପାଖାପାଖି ୧ କିମି ଯାଏଁ ସାହାଯ୍ୟ ମାଗିବାକୁ ଦୌଡିଥିଲେ। ଏପରିକି ପୀଡିତା ନିଜେ ୧୧୨ରେ ଫୋନ କରି ପୋଲିସକୁ ସମସ୍ତ ଘଟଣାକ୍ରମ ବଖାଣିଥିଲେ। ଏହାପରେ ପୋଲିସ ଟିମ୍ ଆମ୍ଵୁଲାନ୍ସ ସହ ଘଟଣାସ୍ଥଳରେ ପହଁଚିଥିଲେ। । ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ଲକ୍ଷ୍ନୌର ସିଭିଲ ହସ୍ପିଟାଲରୁ ଏୟାରଲିପ୍ଟ କରି ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ସଫଦରଗଞ୍ଜ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। (ଏଜେନ୍ସି)