ତାମିଲନାଡୁ, ୮/୧୨ : ହାଣ୍ଡିଶାଳରୁ ପିଆଜ ଏବେ ଉଦ୍ଭାନ ହୋଇ ଆଲମାରୀରେ ସାଇତା ହେଉଛି। ପିଆଜର ଅହେତୁକ ଦରବୃଦ୍ଧି ହେତୁ ଖାଉଟି ସମେତ ବ୍ୟବସାୟୀ ଗୋଷ୍ଠୀ ନାହିଁ ନଥିବାର ହଇରାଣ ହେଉଛି । ଗୃହିଣୀଙ୍କ ବଜେଟ୍କୁ ବିଗାଡ଼ି ଦେଇଛି ଏହି ପିଆଜ। ଥାଳି କଡ଼ରେ ଆଉ ପିଆଜ ଶୋଭା ପାଉନାହିଁ । ଏବେ ପିଆଜକୁ ଲୁଚାଇ ରଖିବାକୁ ପଡୁଛି। ପିଆଜ ଏବେ ଏକ ଦୁର୍ମୂଲ୍ୟ ସାମଗ୍ରୀ ହୋଇପଡିଛି । ସାରା ଭାରତରେ ପିଆଜର କିଲୋ ପିଛା ମୂଲ୍ୟ ୧୦୦ଟଙ୍କାରୁ ଉର୍ଦ୍ଧ୍ବ ରହିଥିବାବେଳେ କେତେକ ସ୍ଥାନରେ ଏହା ଏବେ ୧୩୦ରୁ ୧୪୦ ଟଙ୍କା ରହିଛି। ଏପରି ସ୍ଥିତିରେ ଆପଣଙ୍କୁ ଯଦି କେହି ପିଆଜର ଅଫର୍ ଦିଅନ୍ତି, ତେବେ ଆପଣଙ୍କୁ ଟିକିଏ ଝଟ୍କା ଲାଗିବ ନା।
ପିଆଜକୁ ନେଇ ଏମିତି ଏକ ଅଫର୍ ରହିଛି। ତାମିଲନାଡୁର ପୁଟ୍ଟୁକୋଟ୍ଟଇଠାରେ ଜଣେ ମୋବାଇଲ୍ ଦୋକାନୀ ପିଆଜକୁ ନେଇ ଅଫର୍ ରଖିଛନ୍ତି। ଏହି ଦୋକାନୀ ଜଣକ ସ୍ମାର୍ଟଫୋନ୍ ବିକ୍ରି କରିବା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି। ଦୋକାନୀ ଜଣକ ସ୍ମାର୍ଟଫୋନ୍ କ୍ରେତାଙ୍କୁ ମାଗଣାରେ ପିଆଜ ଦେବେ ବୋଲି ଘୋଷଣା କରିଛନ୍ତି ।
ଏସିଟିଆର୍ ମୋବାଇଲ୍ ନାମରେ ଦୋକାନ ଚଲାଉଥିବା ସତୀଶ୍ ଅଲ୍ ଏହି ଘୋଷଣା କରି କହିଛନ୍ତି ଯେ, ଯିଏ ତାଙ୍କ ଦୋକାନରୁ ସ୍ମାର୍ଟ ଫୋନ୍ କିଣିବ, ତାଙ୍କୁ ମାଗଣାରେ ଏକ କିଲୋ ପିଆଜ ମିଳିବ । ସେ କହିଛନ୍ତି ଯେ, ଆମେ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଛି।ପିଆଜର ଅହେତୁକ ଦର ବୃଦ୍ଧି ଦେଖି ଏହାକୁ ଅଫର୍ କରିବା ନେଇ ଏକ ଆମେ ଚିନ୍ତା କରିଛୁ । ଯଦି ଆପଣ ଗୋଟେ ସ୍ମାର୍ଟଫୋନ୍ କିଣିବେ, ତେବେ ଆମେ ତାଙ୍କୁ ଏକ କିଲୋ ପିଆଜ ମାଗଣା ଦେବୁ।
ଏହି ଘୋଷଣା ପରେ ଲୋକଙ୍କର ଭଲ ପ୍ରତିକ୍ରିୟା ମିଳିଛି। ଜଣେ ଗ୍ରାହକ କହିଛନ୍ତି ଯେ, ମୋତେ ସ୍ମାର୍ଟଫୋନ୍ ତ ଦରକାର ଥିଲା, ପୁଣି ଘର ପାଇଁ ପିଆଜ। ବଢିଆ ହେଲା । ଗୋଟିଏ ହାତରେ ଫୋନ୍ ଓ ଆର ହାତରେ ପିଆଜ ମିଳିଗଲା । ଅନ୍ୟ ଜଣେ ଗ୍ରାହକ ମଧ୍ୟ ପିଆଜ ଓ ସ୍ମାର୍ଟ ଫୋନ୍ ପାଇଁ ଖୁସି ଅଛନ୍ତି ।
ସାଧାରଣ ଖାଉଟିଙ୍କଠାରୁ ଦେଶର ଅର୍ଥନୀତି ଉପରେ ବେଶ୍ ପ୍ରଭାବ ପକାଇଛି ଏହି ପିଆଜ। ରାଜନୀତିରେ ମଧ୍ୟ ଏକ ବେଶ୍ ଉପାଦାନ ହୋଇପାରିଛି ପିଆଜ। ପିଆଜକୁ ନେଇ ସରକାର ଓ ବିରୋଧୀ ଟଣାଓଟରା ଚାଲିଥିବାବେଳେ ସାଧାରଣ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛି। ତେବେ ଆସନ୍ତା ମାସଠାରୁ ପିଆଜ ଦରରେ ଟିକେ ଲଗାମ ଲାଗିବ ବୋଲି ଆଶା କରାଯାଉଛି ।