ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,11/12: ରାଜ୍ୟରେ ଧାନ ସଂଗ୍ରହ ସମ୍ପର୍କିତ ସବ୍ସିଡି ଅର୍ଥ ପ୍ରଦାନ କରିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରାମବିଳାଶ ପାଶ୍ବାନଙ୍କୁ ଭେଟିଛନ୍ତି । ନୂଆଦିଲ୍ଲୀ ସ୍ଥିତ ପାଶ୍ବାନଙ୍କ କାର୍ଯ୍ୟାଳୟରେ ତାଙ୍କୁ ଭେଟିଥିଲେ ମନ୍ତ୍ରୀ । 2019-20 ଆର୍ଥିକ ବର୍ଷ ପାଇଁ 2066 କୋଟି ଟଙ୍କା ବାକି ରହିଥିବା ବେଳେ ଅନ୍ତିମ ତିନି ମାସ ପାଇଁ 1340 କୋଟି ଟଙ୍କାର ବକେୟା ରହିଛି । ଏହି ଅର୍ଥ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ପାଶ୍ବାନଙ୍କୁ ଅନୁରୋଧ କରିଥିଲେ ରଣେନ୍ଦ୍ର । ରାଜ୍ୟ ସରକାରଙ୍କ ସହିତ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଚୁକ୍ତି ଅନୁଯାୟୀ ଧାନ ସଂଗ୍ରହର ଅଗ୍ରୀମ 90 ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି ।
ରାଜ୍ୟରେ ସଂଗୃହୀତ ଧାନରୁ 24 ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ପରେ ବଳକା ଚାଉଳ କେନ୍ଦ୍ରକୁ ହସ୍ତାନ୍ତର କରିଥାଏ । ସେହିପରି ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଥିବାରୁ ସଠିକ୍ ସମୟରେ ଧାନ ଉଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହା ସହିତ ପିଆଜ ମୂଲ୍ୟ ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।