![](https://thesamikhsya.com/odia/wp-content/uploads/2019/12/IMG-20191231-WA0029.jpg)
ସମୀକ୍ଷା ବ୍ୟୁରୋ
ଘଟଗାଁ: ଆଜି ହଠାତ ଓଡିଶାକୁ ଆସିଥିଲେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ତେବେ ସେ ଭୁବନେଶ୍ବର ଆସି ନ ଥିଲେ। ଆସିଥିଲେ କେଉଁଝର। ତେବେ କାରଣ ଥିଲା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ଏବଂ ନୂଆ ବର୍ଷ ଉପଲକ୍ଷେ ମା ତାରେଣୀଙ୍କୁ ଦର୍ଶନ କରିବା। ସେଥିପାଇଁ ବାଘେଲ ଏକ ହେଲିକାପ୍ଟରରେ ଆସି କେଉଁଝରର ଘଟଗାଁର ମନି ଷ୍ଟାଡିୟମରେ ଓହ୍ଲାଇଥିଲେ। ତେବେ ସେ ଆସିବେ ବୋଲି ପୂର୍ବରୁ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଖବର ପାଇଥିଲେ।
ସେଥିପାଇଁ ନିରଂଜନଙ୍କ ସହିତ ଅନେକ କଂଗ୍ରେସ ନେତା ସେଠାରେ ତାଙ୍କୁ ସ୍ବାଗତ କରିବା ପାଇଁ ଉପସ୍ଥିତ ଥିଲେ। ବାଘେଲ ଠିକ୍ ଗୋଟିଏ ବେଳେ ଘଟଗାଁରେ ପହଁଚିଥିଲେ। ସେଠାରୁ ନିରଂଜନଙ୍କ ସହ କଂଗ୍ରେସ କର୍ମିମାନେ ତାଙ୍କୁ ମା ତାରେଣୀ ମନ୍ଦିରକୁ ପାଛୋଟି ନେଇଥିଲେ। ବାଘେଲ ସେଠାରେ ପ୍ରାୟ ଘଣ୍ଟାଏ କାଳ ରହି ପୂଜା ଅର୍ଚ୍ଚନା କରିଥିଲେ। 2020 ମସିହା କିପରି ଭଲରେ କଟିବ ସେଥିପାଇଁ ସେ ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। କେବଳ ମାଙ୍କ ଦର୍ଶନ ବ୍ୟତିତ ଅନ୍ୟ କୌଣସି କାର୍ଯ୍ୟକ୍ରମ ନ ଥିବାରୁ ସେ ଅଳ୍ପ ସମୟ ପରେ ଛତିଶଗଡ ଚାଲିଯାଇଥିଲେ।