ପୁଣି ଥରେ ଦିଲ୍ଲୀର ଏକ କାରଖାନାରେ ନିଆଁ : ୧୪ ଆହତ

Published: Jan 2, 2020, 12:06 pm IST

ନୂଆଦିଲ୍ଲୀ, 2/1: ଦିଲ୍ଲୀର ଉଦ୍ୟୋଗ ନଗରର ପୀରାଗଡି ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଛି। ଆଜି ସକାଳ 4ଟାରେ ଏହି ନିଆଁ ଲାଗିଥିବାର ସୂଚନା ରହିଛି। ନିଆଁ ଲିଭାଇବା ପାଇଁ ସେଠାରେ 7ଟି ଦମକଳ ଗାଡ଼ି ପହଞ୍ଚିଥିଲେ। ନିଆଁ ଲିଭାଇବା ସମୟରେ ହୋଇଥିବା ଏକ ବିସ୍ଫୋରଣରେ ସମ୍ପୃକ୍ତ କୋଠାଟି ଭୁଶୁଡି ପଡ଼ିଥିଲା। ଏଥିରେ କିଛି ଲୋକଙ୍କ ସହିତ ଅଗ୍ନିଶମ କର୍ମଚାରୀ ଫସିଯାଇଥିଲେ। ଏହି ଘଟଣାରେ ଅଗ୍ନିଶମ କର୍ମଚାରୀଙ୍କ ସମେତ 14ଜଣ ଆହତ ହୋଇଥିବାର ସୂଚନା ରହିଛି। ଏହି ଘଟଣାରେ 35ଟି ଦମକଳ ଗାଡ଼ି ନିୟୋଜିତ ରହିଛି।ବର୍ତ୍ତମାନ ସୁଦ୍ଧା ଦମକଳବାହିନୀ ଓ ଏନଡିଆରଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। 

ସୂଚନାଯୋଗ୍ୟ, ଦିଲ୍ଲୀରେ ଏକମାସ ମଧ୍ୟରେ ଏହା ତୃତୀୟ ଘଟଣା। ପ୍ରଥମେ ଦିଲ୍ଲୀର ଅନାଜ୍‌ ମଣ୍ଡିଠାରେ ନିଆଁ ଲାଗିଥିବାବେଳେ ଏଥିରେ 43ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ପରେ କିରାଡିଠାରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗି 9ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି 7 ଲୋକକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀ ଆବାସରେ ନିଆଁଲାଗିଥିଲା।

Related posts