କେଦାର ମିଶ୍ର
ଏଥର ରେଳ ବଜେଟର ଚୂଡାନ୍ତ ସ୍ୱରୂପ ଜଣା ପଡିଲା ପରେ ସବୁଠୁ ବିଚିତ୍ର ପ୍ରତିକ୍ରିୟା ଥିଲା ଶାସକ ବିଜୁ ଜନତା ଦଳର। ଆଖିକୁ ଯାହା ସ୍ପଷ୍ଟ ଦେଖା ଯାଉଥିଲା ତାକୁ ଅଣଦେଖା କରିବାର ପ୍ରୟାସ ବିଜେଡି କରୁଥିଲା। ଅତି ସ୍ପଷ୍ଟ ଭାବରେ ଆମେ କହିପାରିବା ଯେ, ବର୍ଷେ ଭିତରେ ଓଡ଼ିଶାକୁ ପୂର୍ବ ବର୍ଷ ତୁଳନାରେ ୧୬୨୦ କୋଟି ଟଙ୍କା କମ ମିଳିଛି। ସେଥିରେ ବି ବିଜେଡି “ଖୁସି” ଥିବା ପରି ମାନେ ହେଉଛି। କାରଣ ରେଳ ବଜେଟ ସମ୍ପର୍କରେ ବିଜେଡ଼ିର ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା ଓ ବିଜେପିର ପ୍ରତିକ୍ରିୟା ଭିତରେ ବିଶେଷ କିଛି ଫରକ ନଥିଲା। ରେଳ ବଜେଟରେ ରାଜ୍ୟ ପାଇଁ ୧୬୨୦ କୋଟି ଟଙ୍କା କମିଯିବାକୁ ନେଇ ବିଜେଡ଼ିର ଶିଥିଳ ପ୍ରତିକ୍ରିୟା ପଛରେ କି କାରଣ ରହିଛି? ଏବେ ବିଜେଡ଼ି ବିଜେପିର ସବୁକଥାରେ ହଁ ଭରୁଥିବାରୁ, ରାଜ୍ୟ ପ୍ରତି ହୋଇଥିବା ଏହି ଅନ୍ୟାୟରେ ମଧ୍ୟ ବିଜେଡି ଚୁପ ରହିବାକୁ ବାଧ୍ୟ।
୨୦୧୯-୨୦ ରେ ଓଡିଶା ପାଇଁ ରେଳ ବଜେଟରେ ୫୯୯୩ କୋଟି ଟଙ୍କା ର ବ୍ୟୟ ବରାଦ ହୋଇଥିଲା। ତେବେ ବଜେଟରେ ହୋଇଥିବା ବରାଦ ଓ ବାସ୍ତବ ପାଣ୍ଠି ଭିତରେ ଆକାଶ ପାତାଳ ପ୍ରଭେଦ ରହୁଛି। ବଜେଟରେ ହୋଇଥିବା ବାର୍ଷିକ ବରାଦର ପ୍ରାୟ ୩୦-୩୫% ବାସ୍ତବ ପାଣ୍ଠି ରାଜ୍ୟକୁ ଆସୁଛି। ସେହି ଦୃଷ୍ଟିରୁ ଚଳିତ ବର୍ଷ ଯେଉଁ ୪୩୭୩ କୋଟି ଟଙ୍କାର ଅଟକଳ ଅଛି ସେଥିରୁ ବାସ୍ତବରେ ୧୫୦୦-୨୦୦୦ କୋଟି ଟଙ୍କା ହିଁ ଆସିବ। ଏହାକୁ ନେଇ ବିଜେଡି ଖୁସି ହେବାର କାରଣ କିଛି ଅଛି କି?
ବିଜେପି ମୁଖପାତ୍ରମାନେ ଆମକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ, ସମ୍ବଲପୁର-ଗୋପାଳପୁର ନୂଆ ପ୍ରକଳ୍ପ ଏବେ ଅନୁମୋଦନ ଅପେକ୍ଷାରେ । ଏହା ନୀତି ଆୟୋଗର ଅନୁମୋଦନ ପାଇଲା ପରେ କାର୍ୟକ୍ଷମ ହେବ। ସମ୍ବଲପୁର-ଗୋପାଳପୁର ମଧ୍ୟରେ ୨୪୧ କିଲୋମିଟର ରେଳ ଲାଇନର ମୋଟ ଖର୍ଚ୍ଚ ଅଟକଳ ରହିଛି ୨୯୫୭ କୋଟି ଟଙ୍କା। ବିଜେପି ମୁଖପାତ୍ର ବାବୁ ଗୋଲକ ମହାପାତ୍ର ଏହି ଶୂନ୍ୟରେ ଝୁଲୁଥିବା ୨୯୫୭ କୋଟି ଟଙ୍କାକୁ ମିଶାଇ ଦେଇ କହିଲେ, ରାଜ୍ୟକୁ ଗତ ବର୍ଷ ତୁଳନାରେ ଅଧିକ ପଇସା ଆସିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଏହି ପ୍ରକଳ୍ପକୁ ନେଇ ବଡ ସନ୍ତୁଷ୍ଟ ଲାଗୁଥିଲେ। ଯେଉଁ ପ୍ରକଳ୍ପ ଏ ଯାଏ ନୀତି ଆୟୋଗରେ ନୀତିଗତ ଅନୁମୋଦନ ପାଇନାହିଁ, ତାହାର ଖର୍ଚ୍ଚ ଅଟକଳ କୁ ବଜେଟର ଅଂଶ ବୋଲି କହିବା କେବଳ ବିଶୁଦ୍ଧ ଗାଲୁଆମୀ ଛଡା ଆଉ କଣ ବା ହୋଇପାରେ।
ପଚାଶ ବର୍ଷ ଧରି ଚାଲିଥିବା ଖୁର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା ବୈଠକ କରିଥିଲେ ବୋଲି ଖବର ରହିଥିଲା। ତା ସତ୍ତ୍ୱେ ବି ଏହି ପ୍ରକଳ୍ପକୁ ମିଳିଛି ୫୨୦ କୋଟି ଟଙ୍କା। ଗତ ବର୍ଷ ଏହି ପ୍ରକଳ୍ପ ପାଇଁ ୩୫୦ କୋଟି ଟଙ୍କା ମିଳିଥିଲା। ତେବେ ବଜେଟରେ ମିଳିଥିବା ଅର୍ଥର ଏକ ତୃତୀଆଂଶ ଗତଥର ଖର୍ଚ୍ଚ ହୋଇନାହିଁ। ସେହି ତୁଳନାରେ ଏଥର ୫୨୦ କୋଟିରୁ ବାସ୍ତବରେ କେତେ ଖର୍ଚ୍ଚ ହେଉଛି, ତାହା ଦେଖିବା ବାକି ରହିଲା।
ରାଜ୍ୟର ସ୍ଵାର୍ଥ ପାଇଁ କେନ୍ଦ୍ରରେ ବିଜେପି ସରକାରକୁ ବିଜେଡି ନୀତିଗତ ସମର୍ଥନ ଦେଉଛି ବୋଲି କହୁଛି। ତେବେ ଗତ ଦୁଇ ବର୍ଷ ତୁଳନାରେ ଏଥର ରେଳ ବଜେଟରେ ଓଡିଶାର ଭାଗ କମିବା ରାଜ୍ୟର ସ୍ଵାର୍ଥ ବିରୋଧୀ ନୁହେଁ କି? ୨୦୧୭-୧୮ରେ ରାଜ୍ୟକୁ ୫୧୦୨ କୋଟି, ୨୦୧୮-୧୯ରେ ୫୨୫୨ କୋଟି ଓ ୨୦୧୯-୨୦ ରେ ରାଜ୍ୟକୁ ୫୯୯୩ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ଏହା ୨୯% କମିଯିବା ଚିନ୍ତାର ବିଷୟ ନୁହେଁ କି? ଏ ସମ୍ପର୍କରେ ବିଜେଡି ନୀରବତା ଅବଲମ୍ବନ କରିବା ରାଜ୍ୟ ସ୍ଵାର୍ଥ ବିରୋଧୀ ନୁହେଁ କି? ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ରେଳ ଲାଇନ ଯଥେଷ୍ଟ କମ। ପଡୋଶୀ ଆନ୍ଧ୍ର, ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଯେତିକି ରେଳ ଲାଇନ ରହିଛି, ସେଥିରୁ ଯଥେଷ୍ଟ କମ ଓଡିଶାରେ ରହିଛି। ମାଲ ପରିବହନ କ୍ଷେତ୍ରରେ ଓଡିଶା ରେଳବାଇକୁ ସବୁଠୁ ଅଧିକ ରାଜସ୍ଵ ଦେଉଛି, ତା ସତ୍ତ୍ୱେ ଓଡିଶା ପ୍ରତି ଏ ପ୍ରକାର ଅବିଚାରର କାରଣ କଣ?
ଗୋଟିଏ ବର୍ଷରେ ରାଜ୍ୟକୁ ଆସୁଥିବା ରେଳ ବଜେଟର ୧୬୨୦ କୋଟି ଟଙ୍କା କମାଇଦେବା ଏକ ପ୍ରକାର ଅର୍ଥନୈତିକ ଅନ୍ୟାୟ ବୋଲି କୁହା ଯାଇପାରେ। ତେବେ ଏହା ବିରୋଧରେ ସଂସଦରେ ଏବଂ ସଂସଦ ବାହାରେ ଓଡିଶାର ଲୋକ ପ୍ରତିନିଧିମାନେ ଚୁପ କାହିଁକି? ମହା ମିଛ ଓ ମହା ପ୍ରତାରଣାର ଏହି ରେଳ ବଜେଟ ବିରୋଧରେ ଆମେ ଯଦି ପ୍ରତିବାଦ ନ କରିବା, ତାହେଲେ ଆଗାମୀ ଦିନରେ ଏହା ପୁଣି କମିବ।