ନାଗପୁରରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାଣପୁର ଯୁବକ

Published: Feb 24, 2020, 9:09 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ନାଗପୁରରେ କାର୍ଯ୍ୟରତ ବାଣପୁରର ଜନୈକ ଯୁବକ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ଯୁବକଙ୍କ ନାମ ବିକ୍ରମ ବିଶ୍ବାଳ (୨୦)। କୁମୁରାଙ୍ଗ ପଞ୍ଚାୟତର କେଶପୁର ନିବାସୀ ରମେଶ ବିଶ୍ବାଳଙ୍କ ପୁଅ ବିକ୍ରମ ବିଗତ ପାଞ୍ଚ ମାସ ଧରି ନାଗପୁରରେ ଜେସିବି ହେଲ୍‌ପର ଭାବରେ କାର୍ଯ୍ୟ କରୁଥିଲେ। ବିଗତ କିଛି ଦିନ ହେବ ବିକ୍ରମଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନଥିବାରୁ ସେ କମ୍ପାନୀ ପରିସରରେ ଚିକିତ୍ସିତ ନ ହେଇ ବାହାରେ ଚିକିତ୍ସା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଦୁର୍ଘଟଣା ପରେ ଶବଟି ବିକୃତ ଅବସ୍ଥାରେ ରହିଥିବାରୁ ତାହା  ବିକ୍ରମଙ୍କ ଶବ ବୋଲି ଚିହ୍ନଟ ହୋଇ ପାରିନଥିଲେ ହେଁ କମ୍ପାନୀ ପରିଚୟପତ୍ରରୁ ତାଙ୍କର ପରିଚୟ ମିଳିଥିଲା। ଏ ନେଇ ନାଗପୁର ପୋଲିସ୍‌ ପକ୍ଷରୁ ପରିବାର ଲୋକଙ୍କୁ ସମ୍ପର୍କ କରାଯାଇଥିଲା। ନାଗପୁର ପୋଲିସ୍‌ ପକ୍ଷରୁ ଆଜି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଶବଟିର ଅବସ୍ଥା ଅତ୍ୟନ୍ତ ବୀଭତ୍ସ ରହିଥିବାରୁ ପରିବାର ଲୋକ ଶବଟିକୁ ଚିହ୍ନଟ କରିବାରେ ଅସମର୍ଥ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାର ନିମନ୍ତେ ସହାୟତା ରାଶି ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି କରାଯାଇଛି।

Related posts