Categories
ଆଞ୍ଚଳିକ

ଏବିଭିପି ବାଣପୁର-ବାଲୁଗାଁ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରଓ୍ବାଲ
ବାଣପୁର : କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ । ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓଡିଶା ଦ୍ୱାରା ସମଗ୍ର ରାଜ୍ୟରେ ଏକକାଳୀନ ଭାବେ ପାଖାପାଖି 25000 କାର୍ଯ୍ୟକର୍ତାଙ୍କ ଦ୍ୱାରା 10000 ସ୍ଥାନରେ ପ୍ରାୟ ଏକ ଲକ୍ଷ୍ୟ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଅନୁରୂପ ଭାବେ କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର- ବାଲୁଗାଁ ଏ.ବି.ଭି.ପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ବାଣପୁର ଅଞ୍ଚଳର ପ୍ରତାପ ଗ୍ରାମର ଆଶା କର୍ମୀ, ତୁମୁରାପୁଟ ପଞ୍ଚାୟତର ସରପଞ୍ଚ, ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଅଞ୍ଚଳର କରୋନା ଯୋଦ୍ଧମାନେ ଯଥା ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଗଣ ଓ କର୍ମଚାରୀ, ଗମ୍ଭାରୀମୁଣ୍ଡା ଫାଣ୍ଡି ଅଧିକାରୀ, କୁଲେଇ ପଞ୍ଚାୟତ ସରପଞ୍ଚ ଓ ୱାର୍ଡ ମେମ୍ବର ବୃନ୍ଦ, ନାଚୁଣୀ ଫାଣ୍ଡି ଅଧିକାରୀ ଓ ନାଚୁଣୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆଳତି କରି ,ପୁଷ୍ପ,ଚନ୍ଦନ ଲଗାଇ, ମିଷ୍ଟାନ ଖୁଆଇ, ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l

ଏହି କରୋନା ଯୋଦ୍ଧା ମାନେ ନିଜ ଜୀବନକୁ ବିପନ୍ନ କରି ସମାଜକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ଭାରତ ବର୍ଷ ଯୁଗଯୁଗ ଧରି ଏମାନଙ୍କ ଅବଦାନକୁ ମନେ ରଖିବ ବୋଲି ଏବିଭିପି ଖୋର୍ଦ୍ଧା ଜିଲ୍ଲା ଛାତ୍ରୀ ପ୍ରମୁଖ ସଂଗୀତା ସ୍ୱାଇଁ ମତ ପ୍ରକାଶ କରିଥିଲେ । ଏବିଭିପି ପର୍ଶୁରାମ ଜୁନିଅର କଲେଜ୍ କ୍ୟାମ୍ପସ ୟୁନିଟ ସଭାପତି ସୁଜିତ୍ କୁମାର ଜେନା ଓ ଏବିଭିପି ନାଚୁଣୀ ଜୁନିଅର୍ କଲେଜ କ୍ୟାମ୍ପସ ୟୁନିଟ ସଭାପତି ସୌମ୍ୟ ରଞ୍ଜନ ସାହୁ ସମ୍ପୂର୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନଗର ସମ୍ପାଦକ ବିକାଶ କୁମାର ସେଠୀ, ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ ଓ ନାଚୁଣୀ ଡିଗ୍ରୀ କଲେଜ ଏବିଭିପି କ୍ୟାମ୍ପସ ୟୁନିଟ୍ ସଭାପତି ବିପ୍ଳବ ଗୁରୁ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଏବିଭିପିର ଏତାଦୃଶ କାର୍ଯ୍ୟକୁ ବାଣପୁର, ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

Categories
ଆଞ୍ଚଳିକ

ବାଣପୁରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଦି ବ୍ଲଡ଼ ଡୋନର୍ସ ଓଡିଶା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଦି ବ୍ଲଡ଼ ଡୋନର୍ସ, ଓଡ଼ିଶା ତରଫରୁ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ଗାଲୁଆ ଗ୍ରାମ ପଞ୍ଚାୟତରେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନିତ କରାଯାଇଛି। ସାମାଜିକ ଦୂରତ୍ୱ ରକ୍ଷା କରି ଏକ କ୍ଷୁଦ୍ର ସଭାର ଆୟୋଜନ କରାଯାଇ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ଏହି ସଭାରେ ସଭାପତିତ୍ବ କରିବା ସହ କରୋନା ମହାମାରୀ ସମୟରେ ଯେଉଁ ମାନେ ନିଜ ଜୀବନକୁ ଉତ୍ସର୍ଗ କରି ନିଜ ସଂସାରକୁ ପାଥେୟ କରି ଜନସାଧାରଣଙ୍କୁ ବଞ୍ଚାଉଛନ୍ତି ତାଙ୍କର ଋଣ ଆମେ ସୁଝି ପରିବା ନାହିଁ କିନ୍ତୁ ତାଙ୍କର ଏ ମହାନ କାମ ପାଇଁ ଟିକିଏ ଧନ୍ୟବାଦ ଦେଇ ପାରିବା ବୋଲି ବିବୃତି ପ୍ରଦାନ କରିଥିଲେ। ସମ୍ପାଦକ ବିନୟ ଭୂଷଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ଗାଲୁଆ ପଞ୍ଚାୟତର ସରପଞ୍ଚ ରୋଜାଲିନ ସାମନ୍ତରାୟ, ସାଂସଦ ପ୍ରତିନିଧି ସତ୍ୟନାରାୟଣ ପ୍ରଧାନ, ୱାର୍ଡ ମେମ୍ବର ଦୁର୍ଗା ଶଙ୍କର ବେହେରା, କୋରୋନା ଯୁଦ୍ଧର ସ୍ବେଛାସେବୀ ବିରଞ୍ଚି ଘଡାଇ, ଚିନ୍ତାମଣି ଘଡାଇ, ଛାୟାକାନ୍ତ ଲେଙ୍କା, ସଞ୍ଜୟ କୁମାର ଜେନାଙ୍କୁ ପୁଷ୍ପ ଚନ୍ଦନ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଏହା ସହ ବାଣପୁର ଅଗ୍ନିଶମ ବିଭାଗର ଅଧିକାରୀ ବିବେକାନନ୍ଦ ଦାସ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଡାକ୍ତରଖାନାର ଅଧିକାରୀ ଧୂର୍ଯଟି ପ୍ରସାଦ ମହାପାତ୍ର, ବାଣପୁର ଏନ୍.ଏ.ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କୁ ଅନୁରୂପ ଭାବେ ପୁଷ୍ପ ଚନ୍ଦନ, ଉପଢୌକନ ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା। ପରିଶେଷରେ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଆମ ପାଖକୁ ସଠିକ୍ ଖବର ପହଞ୍ଚାଇ ଅସୀମ ସାହସର ପରିଚୟ ଦେଇଥିବା ଚିଲିକା ରିପୋଟର୍ସ ଆସୋସିଏସନର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଭାପତି ସୁନିଲ କୁମାର ସୁବୁଦ୍ଧି, ସମ୍ପାଦକ ଅମିତାଭ ପଟ୍ଟଯୋଶୀ, ଅନିଲ କୁମାର ଅଗ୍ରୱାଲ, ଶେଖ୍ ମୋଇନୁଲ୍ ହକ୍, ସୀତାରାମ ଅଗ୍ରୱାଲ, ଅନିଲ ପାଇକରାୟ, ଅଜିତ ସାହୁ, ଗୋବିନ୍ଦ ଜାଲି, ଦିବ୍ୟକାନ୍ତ ବେହେରା ଏବଂ ସୁଧୀର କୁମାର ବେହେରାଙ୍କୁ ପୁଷ୍ପ ଚନ୍ଦନ, ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

ଉକ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦି ବ୍ଲଡ଼ ଡୋନର୍ସ ଓଡିଶାର ସ୍ବେଚ୍ଛାସେବୀମାନେ ସଫଳ କରିଥିଲେ। ସଂଗଠନର ସ୍ବେଚ୍ଛାସେବୀ ଏନ୍. ନରେଶ କୁମାର, ସିତାଂସୁ ସାମଲ, ବଳରାମ ନାୟକ, ମଧୁମିତା ପ୍ରଧାନ, ବିଷ୍ଣୁପ୍ରିୟା ବରାଳ, କିରଣ ଘଡ଼ାଇ ଓ କାଶୀନାଥ ସହଯୋଗ କରିଥିଲେ। ସବୁ କରୋନା ଯୋଦ୍ଧାମାନେ ଓଡ଼ିଶାର ଅଗ୍ରଣୀ ସ୍ୱଚ୍ଛାସେବୀ ରକ୍ତଦାନ ସଂଗଠନ ଦି ବ୍ଲଡ଼ ଡୋନର୍ସର ନିସ୍ଵାର୍ଥପର ସେବା କାର୍ଯ୍ୟ ପାଇଁ ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏପ୍ରିଲ ୧୭,୨୦୧୯ ରେ ଗଢିଉଠିଥିବା ଏହି ସାମାଜିକ ଅନୁଷ୍ଠାନ ବହୁତ କମ ଦିନ ମଧ୍ୟରେ ସମଗ୍ର ଓଡିଶାର ପାଖାପାଖି ୧୭ ଟି ଜିଲ୍ଲାରେ ନିଜର ନିସ୍ଵାର୍ଥପର ସେବା କାର୍ଯ୍ୟ ଜାରି ରଖିବାରେ ସମର୍ଥ ହୋଇଛି ଏବଂ ଆଜି ସୁଦ୍ଧା ପାଖାପାଖି ଏଗାର ଶହରୁ ଉର୍ଦ୍ଧ୍ଵ ବ୍ଲଡ଼ କେସ ସମାଧାନ କରିପାରିଛି। ଏହି କୃତିତ୍ବ ପାଇଁ ଓଡିଶାର ଏକାଧିକ ସ୍ଥାନରେ ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ସଂସ୍ଥାକୁ ପୁରସ୍କୃତ ମଧ୍ୟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା: ବଡହନ୍ତୁଆଡ ଗହୀର ମଧ୍ୟରୁ ମିଳିଲା ମୃତଶରୀର

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବଡ ହନ୍ତୁଆଡ ଗ୍ରାମର ଧନେଶ୍ବର ମାର୍ଥା କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ଧନେଶ୍ବର ବିଗତ ୨୩ ବର୍ଷ ଧରି ମୁମ୍ବାଇରେ ରହୁଥିବା ବେଳେ ୨୦ ବର୍ଷ ତଳେ ତାଙ୍କ ଗୋଡ ଭାଙ୍ଗିଥିଲା। ପ୍ଲେଟ୍‌ ଲାଗିଥିବା କାରଣରୁ ବେଳେ ବେଳେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥାନ୍ତି ବୋଲି ପରିବାର ଲୋକ କହିଛନ୍ତି। ଗତ ପଞ୍ଚୁଦୋଳରେ ସେ ଘରକୁ ଫେରିଥିବା ବେଳେ ତାଙ୍କୁ ୪-୫ ଥର ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ଯନ୍ତ୍ରଣା ଅସହ୍ୟ ହେବାରୁ ଧନେଶ୍ବର ଆତ୍ମହତ୍ୟାର ପନ୍ଥା ବାଛି ନେଇଥିବା ପୋଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଧନେଶ୍ବରଙ୍କ ମୃତ ଶରୀର କଳାପଟା ଗହିରରୁ ଉଦ୍ଧାର କରାଯାଇଥିବା ବେଳେ ଶବ ନିକଟରୁ ମନୋସିଲ୍‌ ନାମକ କୀଟନାଶକ ପ୍ୟାକେଟ୍‌ ମିଳିଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ବାଣପୁର ଥାନା ଏଏସ୍‌ଆଇ ନମିତା ନାୟକ ଏହି ମାମଲାର ତଦନ୍ତ କରୁଛନ୍ତି।

Categories
ଆଞ୍ଚଳିକ

ମା କାଳିଜାଇ ଟେଣ୍ଟ ଆଣ୍ଡ ସାଉଣ୍ଡ ଲାଇଟ ମଙ୍ଗଳ ମାଲିକ ସଂଗଠନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ମା କାଳିଜାଇ ଟେଣ୍ଟ ଆଣ୍ଡ ସାଉଣ୍ଡ ଲାଇଟ ମଙ୍ଗଳ ମାଲିକ ସଂଗଠନ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବାଣପୁର ବାଲୁଗାଁର ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ, ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ଏସ୍‌ଆଇ ପ୍ରସନ୍ନ ଜେନା, ସିଏସ୍‌ଆଇ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆଙ୍କୁ ସମ୍ମାନିତ କରାଯାଇଥିଲା। ଏହା ବ୍ୟତିତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲଙ୍କୁ ମଧ୍ୟ ସମ୍ମାନିକ କରାଯାଇଥିଲା। ଚିଲିକା ରିପୋର୍ଟସ ଆସୋସିଏସନ୍‌ର ସଭାପତି ସୁନୀଲ ସୁବୁଦ୍ଧିଙ୍କ ସମେତ ସଭ୍ୟ ସେକ ମଇନୁଲ୍‌ ହକ୍‌ ଏବଂ ସୀତାରାମ ଅଗ୍ରଓ୍ବାଲଙ୍କୁ ମା କାଳିଜାଇ ଟେଣ୍ଟ ଆଣ୍ଡ ସାଉଣ୍ଡ ଲାଇଟ ମଙ୍ଗଳ ମାଲିକ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସଙ୍ଗଠନର ସଭାପତି ଦିଲୀପ କୁମାର ମହାନ୍ତି, ସମ୍ପାଦକ ଲକ୍ଷ୍ମୀଧର ପ୍ରଧାନ ଏବଂ ଉପ ସଭାପତି କବିରାଜ ସାହୁଙ୍କ ନେତୃତ୍ବରେ ବିଜୟ ସାହୁ, ଭରତ ପୃଷ୍ଟି, ପ୍ରଭାତ ନନ୍ଦ ଏବଂ ନୀଳମାଧବ ପାତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସମସ୍ତ କରୋନା ଯୋଦ୍ଧାଙ୍କୁ ଉପଢୌକନ, ମାନପତ୍ର, ଚାଉଳ, ଚନ୍ଦନ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁରରେ ଅବକାରୀ ବିଭାଗର ଚଢାଉ: ୨୦୦ ଲିଟର ଦେଶୀମଦ ସହିତ ୮ ଗିରଫ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଲକକ୍‌ଡାଉନ୍‌ କାରଣରୁ ଚୋରାମଦ ବେପାର ନିୟମିତ ଭାବରେ ବଢିବାରେ ଲାଗିଛି। ଗୁରୁବାର ସନ୍ଧ୍ୟାରେ ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦୦ ଲିଟର ଦେଶୀ ମଦ ସହିତ ୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ୫ଟି ବାଇକ୍‌ ମଧ୍ୟ ଜବତ କରାଯାଇଛି। ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଅଞ୍ଚଳରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ଇନ୍ସପେକ୍ଟର ନୀନା ବେଉରାଙ୍କ ନେତୃତ୍ବରେ ବାଲୁଗାଁ ଅବକାରୀ ବିଭାଗ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ ଏବଂ ତାଙ୍କ ଟିମ ଚଢାଉ କରିବା ସହିତ ଏହି ସଫଳତା ହାସଲ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ଗଞ୍ଜାମ, ବାଣପୁର ଏବଂ ଗମ୍ଭାରିମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି। ଅବକାରୀ ବିଭାଗ ପକ୍ଷରୁ କେସ୍‌ ନମ୍ବର ୭, ୮, ୯, ୧୦, ୧୧, ୧୨, ୧୩ ଏବଂ ୧୪ ଅନୁଯାୟୀ ଏହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Categories
ଆଞ୍ଚଳିକ

ତୁମୁରାପୁଟ ପଞ୍ଚାୟତ ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ଓ ମାସ୍କ ବଣ୍ଟନ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ରାଜ୍ୟ କିମ୍ବା ଦେଶ ସରକାରଙ୍କର ମହାମାରୀ ସହାୟତା ଅର୍ଥ କୋଣ ଅନୁକୋଣରେ ପହଂଚାଉଥିବା ବେଳେ ଅନେକ ସ୍ବେଚ୍ଛାସେବୀ ସଙ୍ଗଠନ ମଧ୍ୟ ସହାୟତାର ହାତ ବଢାଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ତୁମୁରାପୁଟ ପଞ୍ଚାୟତର ଓଡିଶା ଜୀବିକା ମିଶନ ଶକ୍ତି ସଂଘ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରିଛନ୍ତି। ବିଡ଼ିଓ ସିବାନନ୍ଦ ସ୍ୱାଇଁଙ୍କ ଉପସ୍ଥିତିରେ ସଂଘର ସଭାନେତ୍ରୀ ଜୟନ୍ତୀ ଜେନା, ସମ୍ପାଦିକା ମମତା ସାମନ୍ତରାୟ, ଏମ.ବି.କେ କୁନି ବେହେରା, ମହାସଂଘର ସମସ୍ତ ସି.ଆର.ପି, ନର୍ମଦା ବାରିକ ଓ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ମାନେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ପାଣ୍ଠିକୁ ଯଥାକ୍ରମେ ୩୦,୦୦୦ ଓ ୨୦,୦୦୦ ରାଶି ପ୍ରଦାନ କରିଥିଲେ। ଏହା ସହିତ ମହିଳା ମାନେ ୧୫୦୦ରୁ ଉର୍ଦ୍ଧ ମାସ୍କ ବଣ୍ଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଞ୍ଚଳର ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ବୁଦ୍ଧିଜୀବି ମହଲରେ ପ୍ରଶଂସାର ପାତ୍ର ପାଲଟିଛନ୍ତି।

Categories
ଆଞ୍ଚଳିକ

ପୁଅର ମୃତ୍ୟୁ ପରେ ମା’ର ଆତ୍ମହତ୍ୟା ଉଦ୍ୟମ: ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲରେ ଭର୍ତ୍ତି

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ପାରିବାରିକ କଳହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ବାଣପୁର ବ୍ଲକ୍‌ ଅନ୍ତର୍ଗତ ତୋରସିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଏହାପରେ ଗାଇ ଆଣିବା ପାଇଁ ଯାଇଥିବା କାଳୁ ଦିନ ୧ଟା ସମୟରେ  ଘରକୁ ଫେରିଥିଲେ। କିନ୍ତୁ ଘରେ ହଠାତ ତାଙ୍କର ଶରୀର ଅସୁସ୍ଥ ହେବାରୁ କୀଟନାଶକ ପିଇଥିବା ନେଇ ସନ୍ଦେହ ବଢିଥିଲା। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ଚିତ୍ରା ଏସ୍‌। ଘଟଣାସ୍ଥଳରୁ ଦୁଇଟି କୀଟନାଶକ ପ୍ୟାକେଟ ମିଳିଥିବାରୁ ଆତ୍ମହତ୍ୟାର ଅନୁମାନ କରାଯାଉଥିବା ବେଳେ ବାଣପୁର ପୋଲିସ୍‌ର ତଦନ୍ତ ପରେ ଘଟଣା ଉପରୁ ପରଦା ଉଠିବ।

Categories
ଆଞ୍ଚଳିକ

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍‌ଫରନ୍ସିଂରେ ଆଲୋଚନା କଲେ ବାଣପୁର ବ୍ଲକ୍‌ର ୧୭ ସରପଞ୍ଚ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ରାଜ୍ୟରେ କରୋନା ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ବାଣପୁର ବ୍ଲକ୍‌ର ସମସ୍ତ ସରପଞ୍ଚଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଣପୁର ବ୍ଲକ୍‌ ଅନ୍ତର୍ଗତ ସମସ୍ତ ୧୭ଟି ପଞ୍ଚାୟତର ସରପଞ୍ଚ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଏବଂ କୋଭିଡ୍‌ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହି ଭିଡିଓ କନ୍‌ଫରେନ୍ସିଂରେ ଅଂଶଗ୍ରହଣ କରିଥିଲେ।

ଏହି ଆଲୋଚନାରେ କରୋନା ମୁକାବିଲା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରବାସୀ ଓଡିଆଙ୍କ ପଞ୍ଜୀକରଣ ଠାରୁ ଆରମ୍ଭ କରି କ୍ବାରେଣ୍ଟାଇନ୍‌ରେ ରଖିବା ଏବଂ ଅନ୍ୟ ସମସ୍ତ ଦାୟିତ୍ବର ନିର୍ବାହନ ନେଇ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରପଞ୍ଚଙ୍କୁ ଶପଥପାଠ କରାଇଥିଲେ। ଏହି ଭିଡିଓ କନ୍‌ଫରେନ୍ସିଂରେ ବିଡିଓ ଶିବାନନ୍ଦ ସ୍ବାଇଁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଜୟ ରାଉଳ, ବିଧାୟକ ପ୍ରତିନିଧି ଗୋପୀନାଥ ମହାରଣା ଏବଂ ସମସ୍ତ ନୋଡାଲ ଅଫିସର ଉପସ୍ଥିତ ରହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ଭିଡିଓ କନ୍‌ଫରେନ୍ସିଂରେ ସମୁଦାୟ ୬୭୯୮ ପଞ୍ଚାୟତର ସରପଞ୍ଚଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

Categories
ଅପରାଧ ଆଞ୍ଚଳିକ

ବାଣପୁରରୁ ଦେଶୀ ମଦ ଏବଂ ଅସ୍ତ୍ରଶସ୍ତ୍ର ସହିତ ଯୁବକ ଗିରଫ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁର ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଦେଶୀ ମଦ ଏବଂ ଅସ୍ତ୍ର ଶସ୍ତ୍ର ସହିତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଝିଣ୍ଟିକାପଲ୍ଲୀ ଗ୍ରାମର ଗଙ୍ଗାଧର ପରିଡାଙ୍କୁ ପୋଲିସ୍‌ ଗିରଫ କରିବା ସହିତ ୪୦ ଲିଟର ଦେଶୀ ମଦ ଜବତ କରିଛି। ଲକ୍‌ଡାଉନ୍‌ ସମୟରେ ଦେଶୀ ଚୋରାମଦ ବ୍ୟବସାୟକୁ ରୋକିବାରେ ବାଣପୁର ପୋଲିସକୁ ବଡ ସଫଳତା ମିଳିଛି। ଏହା ସହିତ ଗଙ୍ଗାଧରଙ୍କ ଘର ଉପରେ ଚଢାଉ କରି ପୋଲିସ୍‌ ଏକ ଦେଶୀ ବନ୍ଧୁକ ଏବଂ ବୋମା ଜବତ କରିଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବାଣପୁର ପୋଲିସ୍‌ ଚଢାଉ କରି ୪୦ ଲିଟର ଦେଶୀ ମଦ ସହିତ ଅରବିନ୍ଦଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ଅରବିନ୍ଦଙ୍କ ଘର ଉପରେ ଚଢାଉ କରି ଗୋଟିଏ ଦେଶୀ ବନ୍ଧୁକ, ଗୁଳି ତିଆରି ବାରୁଦ ଏବଂ ବୋମା ତିଆରି କରିବା ସାମଗ୍ରୀ ଜବତ କରିଥିଲା ପୋଲିସ୍‌। ବାଣପୁର ପୋଲିସ୍‌ ପକ୍ଷରୁ ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ, ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ଏସ୍‌ଆଇ ପି କେ ଜେନା, ଏସ୍‌ଆଇ ବି କେ ପଟ୍ଟନାୟକ, ଏସ୍‌ଆଇ ଶ୍ରୀନିବାସ ପ୍ରଧାନ, ଓଏପିଏଫ୍‌ ଏ କେ କହଁର, ଓଏପିଏଫ୍‌ ରମେଶ ଚନ୍ଦ୍ର ପ୍ରଧାନ, ଗୃହରକ୍ଷୀ ନିହାର ରଞ୍ଜନ ଜେନା, ସତ୍ୟ ନାରାୟଣ ମିଶ୍ର ଏବଂ ସୁଲୋଚନା ବେହେରାଙ୍କ ଟିମ୍‌ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

କରୋନା ମୁକାବିଲା ପାଇଁ ବାଣପୁରରେ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମାସ୍କ ବଣ୍ଟନ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ରାଜ୍ୟରେ କରୋନା ଜନିତ ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁରର କିଛି ମହିଳା ସଂଗଠନ। ସୂଚନା ଅନୁଯାୟୀ ଆଜି ଶ୍ରୀ ଜୟଗୁଋ ସ୍ୱୟଂ ସହାୟକ ଗୋଷ୍ଠୀ, ବଡ଼ରାଉଳ ସ୍ୱୟଂ ସହାୟକ ଗୋଷ୍ଠୀ, ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ଈଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବ୍ଲକ ପ୍ରୋଜେକ୍ଟ ଅଧିକାରୀ ରଶ୍ମିତା ଇନ୍ଦ୍ରଜିତ ଓ ଯୁବ ସାମ୍ବାଦିକ, ସମାଜସେବୀ ତଥା ଖୋର୍ଦ୍ଧା ଜିଲ୍ଲା ସୂଚନା ଅଧିକାର କୋର କମିଟି ସଦସ୍ୟ ଲକ୍ଷ୍ମୀଧର ମହାପାତ୍ରଙ୍କ ଉପସ୍ଥିତରେ ଲୋକମାନଙ୍କୁ ସଚେତନା କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି।

ବାଣପୁର ବ୍ଲକ ଭବାନିପୁର ଗ୍ରାମପଞ୍ଚାୟତର ସାହାସପୁର ଗ୍ରାମ ଓ ନରେନ୍ଦ୍ର ପୁର ପଞ୍ଚାୟତର ବଡସିରେଇପୁର ଗ୍ରାମ ଠାରେ ସଦସ୍ୟାମାନେ ରାତି ଦିନ ଏକ କରି ମାସ୍କ ସିଲେଇ କରି ଘର ଘର ବୁଲି ପ୍ରତ୍ୟେକ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସଙ୍ଗେ ସଙ୍ଗେ କେଉଁ ଭଳି ଭାବରେ ମହାମାରୀର ମୁକାବିଲା କରାଯିବ ସେ ସମ୍ପର୍କରେ ସଚେତନ କରାଇଛନ୍ତି। ଅତିଥି ଭାବେ ବଡସିରେଇପୁର ଗ୍ରାମ ପରିଚାଳନା କମିଟି ସଭାପତି ପ୍ରବୋଧ ବିଶ୍ୱାଳ ଯୋଗଦେଇଥିଲେ। ଇତି ମଧ୍ୟରେ ସଭାନେତ୍ରୀ ସରସ୍ୱତୀ ସାହୁ ଓ ସନ୍ଧ୍ୟାରାଣୀ ପଣ୍ଡା ଓ ବୈଜୟନ୍ତୀ ଖୁଣ୍ଟିଆଙ୍କ ଏପରି ଜନସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁରର କରୋନା ଅପଡେଟ୍: ପଠାଯାଇଥିବା ସମସ୍ତ ନମୁନା ରିପୋର୍ଟ ନେଗେଟିଭ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରରେ କରୋନା ସଙ୍କ୍ରମଣ ନେଇ ସଂଗୃହୀତ ବ୍ୟକ୍ତିଙ୍କ ନମୁନା ରିପୋର୍ଟ ପ୍ରକାଶ ପାଇଛି। ସମସ୍ତ ୧୫ ଜଣ ବ୍ୟକ୍ତିଙ୍କର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ରହିଛି। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ୫୦ନମ୍ବର ଆକ୍ରାନ୍ତ ଜଣକ ମାର୍ଚ୍ଚ ୧୮-୨୦ ମଧ୍ୟରେ ଖୋର୍ଦ୍ଧାର ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡରେ ଅବସ୍ଥାନ କରିଥିଲେ। ଏହାପରେ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୧୫ ଜଣଙ୍କର ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା। ବୁଧବାର ରିପୋର୍ଟ ଆସିବା ସହିତ ଏହା ନେଗେଟିଭ୍‌ ରହିଥିବା ଜଣାପଡିଛି। ଏହା ସହିତ ଉଭୟ ଚିଲିକା ବ୍ଲକ ଏବଂ ବାଣପୁର ବ୍ଲକ ପାଇଁ ନମୁନା ସଂଗ୍ରହ ନିମନ୍ତେ ବାଣପୁରରେ ଏକ କେନ୍ଦ୍ର ସ୍ଥାପନ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର ଏନ୍‌ଏସିରେ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ପକ୍ଷରୁ କରୋନା ସର୍ବେକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କ୍ବିକ୍‌ ରେସ୍‌ପନ୍ସ ଟିମ୍‌ ପକ୍ଷରୁ ଘର ଘର ବୁଲି କରୋନା ସର୍ବେକ୍ଷଣ ଏବଂ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷକ/ଶିକ୍ଷୟିତ୍ରୀ, ସ୍ବାସ୍ଥ୍ୟ କର୍ମୀ, ସ୍ବଚ୍ଛସାଥୀ ଏବଂ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ। ଦୁଇ ଦିନ ବ୍ୟାପୀ ଏହି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ଆଜିଠାରୁ ଏହି କାର୍ଯ୍ୟକମ ଆରମ୍ଭ କରାଯାଇଛି। 11 ଏବଂ 12 ତାରିଖରେ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଆସନ୍ତା 17 ତାରିଖରେ ଏହି କାର୍ଯ୍ୟକ୍ରମ ସମାପ୍ତ ହେବ। 15ଟି ଓ୍ବାର୍ଡରେ 21ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ପ୍ରତି କେନ୍ଦ୍ରରେ ଗୋଟିଏ ଲେଖାଏଁ ୟୁନିଟ୍‌ ସ୍ଥାପନ କରାଯାଇଛି। ପ୍ରତି ୟୁନିଟ୍‌ରେ ଜଣେ ଲେଖାଏଁ /ଶିକ୍ଷୟିତ୍ରୀ, ସ୍ବାସ୍ଥ୍ୟ କର୍ମୀ, ସ୍ବଚ୍ଛସାଥୀ ଏବଂ ଅଙ୍ଗନବାଡି କର୍ମୀ ରହିଛନ୍ତି। ଏହି ଟିମ୍‌ ପ୍ରତ୍ୟେକ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବା ସହିତ ଲୋକଙ୍କୁ ସଚେତନ କରାଇଥିଲେ। ପ୍ରତି ବ୍ୟକ୍ତିଙ୍କ ଯାତ୍ରା ଇତିହାସ ବିବରଣୀ ସଂଗ୍ରହ କରାଯିବା ସହିତ ମାସ୍କ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।

କ୍ବିକ୍‌ ରେସ୍‌ପନ୍ସ ଟିମ୍‌ ସହିତ ଏନ୍‌ଏସି ଅଧିକାରୀ ସନ୍ତୋଷ କୁମାର ନିଆଲ, ବିଦୁପ୍ରଭା ରଥ ଏବଂ ସନାତନ ଜାଲି ପ୍ରମୁଖ ଯୋଗ ଦେଇଥିଲେ। ଦୈନିକ ଦୁଇଟି ସିଫ୍ଟରେ ଏହି ଟିମ୍‌ କାର୍ଯ୍ୟ କରିବ। ସକାଳ 7ଟାରୁ 10ଟା ଏବଂ ଅପରାହ୍ନରେ 4ଟାରୁ 6ଟା ପର୍ଯ୍ୟନ୍ତ ପ୍ରତି ୟୁନିଟ୍‌ କାର୍ଯ୍ୟ କରିବ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ସଂକ୍ରମଣ ରୋକିବା ପାଇଁ ବାଣପୁରରେ ଧାରା ୧୪୪ ଜାରି

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ଆକ୍ରାନ୍ତ ଜନୈକ ବ୍ୟକ୍ତି ବାଣପୁରର ବଡ ହନ୍ତୁଆଡ ଗସ୍ତ କରିଥିବା ନେଇ ଖବର ପ୍ରକାଶ ପାଇବା ପରେ ବାଣପୁରରେ ଧାରା ୧୪୪ ଜାରି କରାଯାଇଛି। ରାଜ୍ୟର ୫୦ ନମ୍ବର ସଙ୍କ୍ରମିତ ମାର୍ଚ୍ଚ ୧୮-୨୦ ମଧ୍ୟରେ ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାଇଥିଲେ। ସେଠାରେ ତିନି ଦିନ ଅବସ୍ଥାନ କରିଥିବା ବେଳେ କାହା ସହିତ ମିଳାମିଶା କରିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଛି। ପ୍ରତିଶେଧକମୂଳକ ପଦକ୍ଷେପ ସ୍ବରୂପ ବାଣପୁରରେ ଧାରା ୧୪୪ ଜାରି କରାଯାଇଛି। ପଣା ସଙ୍କ୍ରାନ୍ତି ଅବସରରେ ବିଭିନ୍ନ ମନ୍ଦିରରେ ଭିଡ ଜମା ହେବାର ସମ୍ଭାବନା ଥିବାରୁ ବାଣପୁର ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହା ସହିତ ସଂକ୍ରମଣ ରୋକିବା ପାଇଁ ବାଣପୁରକୁ ସିଲ୍‌ କରାଯିବା ଉପରେ ଜିଲ୍ଲାପାଳ ବିଚାର କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ସେ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଯେ, ବାଣପୁରର ପ୍ରସିଦ୍ଧ ମା ଭଗବତୀ ମନ୍ଦିର, ଗୁପ୍ତେଶ୍ବର ମନ୍ଦିର, ଦକ୍ଷ ପ୍ରଜାପତି ମନ୍ଦିର, ଭେଟିନାଥ ଦେବ ମନ୍ଦିର, ରଙ୍କନାଥ ଦେବ ମନ୍ଦିର ପ୍ରଭୃତିକୁ ସିଲ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୌଣସି ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯିବା ସହିତ ଏହାର ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ମନ୍ମଥ ବେହେରା ପ୍ରକାଶ କରିଛନ୍ତି। ସେହିପରି ଝାମୁ ଯାତ୍ରାରେ ଯେପରି କେହି ମନ୍ଦିରରେ ପ୍ରବେଶ ନକରନ୍ତି ତାକୁ କଡାକଡି ଭାବରେ ପାଳନ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଞ୍ଚଳିକ

ଦେଶୀମଦ କାରବାର: ଦୁଇଟି ପୃଥକ ମାମଲାରେ ଦୁଇ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରରେ ଦୁଇଟି ପୃଥକ ଦେଶୀ ମଦ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ବାଣପୁର ପୋଲିସ ପକ୍ଷରୁ ଚଢାଉ କରାଯାଇ ଦୁଇଟି ପୃଥକ ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ତୁମୁରାପୁଟ ନିବାସୀ ବୁଲୁ ସେଠୀ (34)ଙ୍କୁ 22 ବୋତଲ ଆସ୍କା- 40 ସହିତ ଗିରଫ କରାଯାଇଥିବା ବେଳେ ବାଣପୁର ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର 65/20 ଜରିଆରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଏଏସଆଇ ମହେନ୍ଦ୍ର ସେଠୀ ଏହି ମାମଲାର ତଦନ୍ତ କରୁଛନ୍ତି।

ସେହିପରି ଦ୍ବିତୀୟ ମାମଲାରେ ହରିଚନ୍ଦନପୁର ଗ୍ରାମର 27 ବର୍ଷୀୟ ରାଜା ବାରିକଙ୍କୁ ଗିରଫ କରାଯାଇଛି। ରାଜା ବାରିକଙ୍କ ନିକଟରୁ ପୋଲିସ୍‌ 15 ବୋତଲ ଦେଶୀ ମଦ ଜବତ କରାଯାଇଛି। ଏନେଇ ବାଣପୁର ଥାନାରେ କେସ୍‌ ନମ୍ବର 66/20ରେ ଏକ ମାମଲା ରୁଜୁ କରାଯାଇଛି। ଏଏସଆଇ ଶ୍ରୀନିବାସ ପ୍ରଧାନ ଏହି ମାମଲାର ତଦନ୍ତ କରୁଛନ୍ତି।

 

Categories
ଆଜିର ଖବର ରାଜ୍ୟ ଖବର

ନାଗପୁରରେ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାଣପୁର ଯୁବକ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ନାଗପୁରରେ କାର୍ଯ୍ୟରତ ବାଣପୁରର ଜନୈକ ଯୁବକ ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ଯୁବକଙ୍କ ନାମ ବିକ୍ରମ ବିଶ୍ବାଳ (୨୦)। କୁମୁରାଙ୍ଗ ପଞ୍ଚାୟତର କେଶପୁର ନିବାସୀ ରମେଶ ବିଶ୍ବାଳଙ୍କ ପୁଅ ବିକ୍ରମ ବିଗତ ପାଞ୍ଚ ମାସ ଧରି ନାଗପୁରରେ ଜେସିବି ହେଲ୍‌ପର ଭାବରେ କାର୍ଯ୍ୟ କରୁଥିଲେ। ବିଗତ କିଛି ଦିନ ହେବ ବିକ୍ରମଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ନଥିବାରୁ ସେ କମ୍ପାନୀ ପରିସରରେ ଚିକିତ୍ସିତ ନ ହେଇ ବାହାରେ ଚିକିତ୍ସା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

ଦୁର୍ଘଟଣା ପରେ ଶବଟି ବିକୃତ ଅବସ୍ଥାରେ ରହିଥିବାରୁ ତାହା  ବିକ୍ରମଙ୍କ ଶବ ବୋଲି ଚିହ୍ନଟ ହୋଇ ପାରିନଥିଲେ ହେଁ କମ୍ପାନୀ ପରିଚୟପତ୍ରରୁ ତାଙ୍କର ପରିଚୟ ମିଳିଥିଲା। ଏ ନେଇ ନାଗପୁର ପୋଲିସ୍‌ ପକ୍ଷରୁ ପରିବାର ଲୋକଙ୍କୁ ସମ୍ପର୍କ କରାଯାଇଥିଲା। ନାଗପୁର ପୋଲିସ୍‌ ପକ୍ଷରୁ ଆଜି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଶବଟିର ଅବସ୍ଥା ଅତ୍ୟନ୍ତ ବୀଭତ୍ସ ରହିଥିବାରୁ ପରିବାର ଲୋକ ଶବଟିକୁ ଚିହ୍ନଟ କରିବାରେ ଅସମର୍ଥ ହୋଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାର ନିମନ୍ତେ ସହାୟତା ରାଶି ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି କରାଯାଇଛି।

Categories
ଆଞ୍ଚଳିକ

ବାଣପୁରରେ ପଞ୍ଚୁଦୋଳ କମିଟି ତରଫରୁ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ପଞ୍ଚଦୋଳ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଐତିହାସିକ ପଲଟଣ ପଡିଆର ଛାୟା ମଣ୍ଡପ ଠାରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବାଣପୁର ତହସିଲଦାର ମନ୍ମଥ ବେହେରା ଏହି ବୈଠକର ସଭାପତିତ୍ବ କରିଥିଲେ। କମିଟିର ଉପସଭାପତି ତଥା ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନଳିନୀ କାନ୍ତ ପଟ୍ଟନାୟକ, ସମ୍ପାଦକ ମାଧବଚନ୍ଦ୍ର ବାରିକୀ, କୋଷାଧ୍ୟକ୍ଷ ନବ କିଶୋର ପ୍ରଧାନ, ବରିଷ୍ଠ ସଭ୍ୟ କେଦାର ନନ୍ଦ, ପ୍ରଶାନ୍ତ କୁମାର କାଣ୍ଡି, ବୀରଭଦ୍ର କାଣ୍ଡି, ମୁକୁନ୍ଦ ମହାନ୍ତି, ମୋଇନ୍‌ ଉଲ୍‌ ହକ୍‌, ଯୁବ ସାମ୍ବାଦିକ ଲକ୍ଷ୍ମୀଧର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ଦାସ, ରମେଶ ବେହେରା ଏବଂ ବିଭୂତି ନନ୍ଦ ପ୍ରମୁଖ ଏହି ବୈଠକର ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଏତଦ୍‌ ବ୍ୟତୀତ ଊମାମହେଶ୍ବର ଆସୋସିଏସନ୍‌ର ମ୍ୟାନେଜିଂ କମିଟି ସମେତ ସମସ୍ତ ମନ୍ଦିରର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

ଏହି ବୈଠକରେ ସୂଚାରୂ ରୂପରେ ମେଳଣ ପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ନୂତନ ଭାବରେ ନିର୍ମିତ ମଣ୍ଡପର ବୈଦିକ ରୀତିନୀତି ଅନୁସାରେ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା ହୋଇଥିଲା। କୋଷାଧ୍ୟକ୍ଷ ନବ କିଶୋର ପ୍ରଧାନ ପୂର୍ବବର୍ଷର ହିସାବ ପ୍ରଦାନ କରିଥିଲେ। ଆଗାମୀ ଦିନର ଏକ ନୂତନ ପରିଚାଳନା କମିଟି ଦ୍ବାରା ଆଉ ଏକ ବୈଠକର ଆୟୋଜନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

 

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଗ୍ନିକାଣ୍ଡ : ପାଉଁଶରେ ପରିଣତ ହେଲା ଦୁଇ ବଖରା ଘର

ସୀତାରାମ ଅଗ୍ରଓ୍ବାଲ
ବାଣପୁର : ବାଣପୁରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଜଳି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି। ଭେଟଶ୍ବର ପଞ୍ଚାୟତର ତ୍ରିଲୋଚନପୁରରେ ଏହି ଅଘଟଣ ଘଟିଛି। ତ୍ରିଲୋଚନପୁରର ବିଦ୍ୟାଧର ମାନସିଂହଙ୍କ ଘରେ ନିଆଁ ଲାଗି ତାଙ୍କର ଦୁଇ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଅଗ୍ନିକାଣ୍ଡରେ ବିଶେଷ କ୍ଷତି ସହିଥିବା ବିଦ୍ୟାଧରଙ୍କୁ ଅଗ୍ନିକାଣ୍ଡ ଜନିତ ସହାୟତା ଦେବା ପାଇଁ ସାଧାରଣରେ ଦାବି କରାଯାଇଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଇକ୍‌କୁ ପିଟିଲା ଡାଲାଅଟୋ: ଜଣେ ଗୁରୁତର

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ମାଟିଆ ପୋଖରୀ ଭେଟେଶ୍ବର ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ମାଟିଆ ପୋଖରୀର ବଡଶଙ୍ଖ ଠାରେ ଏକ ବାଇକ୍‌କୁ ପଛପଟୁ ଆସୁଥିବା ଡାଲା ଅଟୋ ଧକ୍କା ଦେବାରୁ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ଜଣକ ହେଉଛନ୍ତି ବାଁଳୋଇ ଗ୍ରାମର ବାସୁଦେବ ପ୍ରଧାନ(୪୭)।

ଉଲ୍ଲେଖଯୋଗ୍ୟ ଯେ, ଆହତ ବାଇକ୍‌ ଚାଳକ ବାଁଳୋଇରୁ ବାଣପୁର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ଡାଲା ଅଟୋଟି ଫେରାର ହୋଇ ଯାଇଥିବା ବେଳେ ଭେଟେଶ୍ବର ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ଆହତ ଯୁବକଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ନାକରୁ ଏବଂ କାନରୁ ରକ୍ତସ୍ରାବ ବନ୍ଦ ନହେବା କାରଣରୁ ଯୁବକଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଣପୁର ଥାନା ଏସ୍‌ଆଇ ପ୍ରସନ୍ନ ଜେନା ଏହି ଘଟଣାର ତଦନ୍ତ କରୁଛନ୍ତି।

 

Categories
ଆଞ୍ଚଳିକ

ସାନହନ୍ତୁଆଡଠାରେ ୧୦୮ ହନୁମାନ ଚାଳିଶା ସାମୂହିକ ପଠନ ଓ ଯଜ୍ଞ ପୂର୍ଣ୍ଣାହୂତି

ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁରର ସାନହନ୍ତୁଆଡରେ ୧୦୮ ହନୁମାନ ଚାଳିଶା ସାମୂହିକ ପଠନ ଓ ଯଜ୍ଞ ଅନୁଷ୍ଠିତ ହୋଇଛି। ୭ ତାରିଖରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିଥିଲା। ଶ୍ର ହନୁମନ୍ତ ଲାଲଜୀ ମହାରାଜ ଓ ଶ୍ରୀରାମଚରିତ ମାନସ କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ବାଲ୍ୟସନ୍ଥ ଶ୍ରୀ ପ୍ରେମାନନ୍ଦ ଦାସ ମହାରାଜ ହନୁମାନ ଚାଳିଶା ପାଠ କରିଥିଲେ। ଗୁରୁବାର ପୂର୍ଣ୍ଣାହୂତି ପରେ ଅପରାହ୍ନ ୫ଟାରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାବାଳକ ନିଖୋଜ ନେଇ ବାଣପୁର ଥାନାରେ ମାମଲା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରରେ ଜଣେ ନାବାଳକ ନିଖୋଜ ହୋଇଥିବା ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ବାଣପୁରର ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଡିହ ଗ୍ରାମର ମକଦମ ଦାସ ଏବଂ ସରୋଜିନୀ ଦାସଙ୍କ ନାବାଳକ ପୁଅ ବୁଧବାର ଠାରୁ ନିଖୋଜ ଅଛନ୍ତି। ବୁଧବାର ଟ୍ୟୁସନ୍‌ ଯାଇଥିବା ବେଳେ ପବିତ୍ର ଦାସ (୧୪) କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ। ପବିତ୍ରଙ୍କ ରଙ୍ଗ ଗୋରା ଏବଂ ଉଚ୍ଚତା ପାଞ୍ଚ ଫୁଟ। ଟ୍ୟୁସନ୍‌ ସମୟ ୫.୩୦ରୁ ୮.୩୦ ରହିଥିବା ବେଳେ ସେ ରାତି ୧୦ଟା ପର୍ଯ୍ୟନ୍ତ ଫେରିନଥିଲେ। ଏହାପରେ ପରିବାର ଲୋକଙ୍କ ସହିତ ରାତି ୧.୦୦ଟା ପର୍ଯ୍ୟନ୍ତ ବାଣପୁର ଓ ବାଲୁଗାଁରେ ଖୋଜାଖୋଜି ପରେ ନ ମିଳିବାରୁ ସକାଳୁ ଥାନାରେ ଅଭିଯୋଗ କରିଥିଲେ। ଘରୁ ଯିବା ସମୟରେ ସେ ଏକ କଳା ପ୍ୟାଣ୍ଟ, ଖଇରିଆ ସ୍ୟୁଟର ଏବଂ ସାଇକେଲରେ ଯାଇଥିଲେ । ନିଖୋଜ ବାଳକଙ୍କ ସମ୍ବନ୍ଧରେ କୌଣସି ସୂଚନା ମିଳିଲେ ନିମ୍ନଲିଖିତ ନମ୍ବରରେ ସମ୍ପର୍କ କରିବାକୁ ପୋଲିସ ଅନୁରୋଧ କରିଛି।

୭୯୭୮୧୯୭୬୯୫(ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ବାଣପୁର ଥାନା)

 

Categories
ଆଞ୍ଚଳିକ

ବାଣପୁରରେ ଆର୍‌ଏସ୍ଏ‌ସ୍‌ ପକ୍ଷରୁ ଖଣ୍ଡ ସମ୍ମିଳନୀ

ସୀତାରାମ ଅଗ୍ରଓ୍ବାଲ
ବାଣପୁର : ବାଣପୁର ଭଗବତୀ ବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସ୍‌ଏସ୍‌) ପକ୍ଷରୁ ବାଣପୁର ଖଣ୍ଡ ସମିଳନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମ୍ମିଳନୀରେ ବହୁତ ପୁରାତନ ଓ ନୂତନ ସ୍ୱୟଂସେବକମାନେ ଯୋଗ ଦେଇ ସୂର୍ଯ୍ୟ ନମସ୍କାର, ଆସନ ଓ ଦଣ୍ଡ ପ୍ରୟୋଗ ଆଦି ପ୍ରଦର୍ଶନ କରିଥିଲେ l ଉକ୍ତ କାଯ୍ୟକ୍ରମ ରେ ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ସେନାପତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ସଙ୍ଘର ବରିଷ୍ଠ ସ୍ୱୟଂସେବକ ସୁକାନ୍ତି ବେହେରା ବୌଦ୍ଧିକ ଜ୍ଞାନ ପ୍ରଦାନ କରିଥିଲେ | ଏହା ପରେ ସ୍ୱୟଂସେବକ ବିବେକାନନ୍ଦ ଭାଇ ସଙ୍ଗୀତ ଗାନ କରିଥିଲେ l ଉକ୍ତ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲା ସଂଘ ପ୍ରଚାରକ କେଦାର ନାଥ ପାତ୍ର ଉପସ୍ଥିତ ରହି ଆଗାମୀ ଦିନରେ ବାଣପୁର ଖଣ୍ଡରେ ସଂଘର ବିସ୍ତାର ଓ ଆଗାମୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ଏହି ଆଲୋଚନା ଚକ୍ରରେ ବାଣପୁର ମଣ୍ଡଳ କାର୍ଯ୍ୟବାହ ସୁରଜ ପାତ୍ର, ମଣ୍ଡଳ ଶାରୀରିକ ପ୍ରମୁଖ ଅକ୍ଷୟ ପାତ୍ର, ମଣ୍ଡଳ ମୁଖ୍ୟ ଶିକ୍ଷକ ହିମାଂଶୁ ଦାସ, ମଣ୍ଡଳ ସାପ୍ତାହିକ ମିଳନ ପ୍ରମୁଖ ଗଣେଶ ବେହେରା ଓ ବହୁ ସ୍ୱୟଂସେବକ ଭାଗ ନେଇଥିଲେ । ବରିଷ୍ଠ ସ୍ୱୟଂସେବକ ସୁଧୀର ପାତ୍ର, ମଣ୍ଡଳ ପ୍ରମୁଖ କୈଳାସ ଖୁଣ୍ଟିଆ, ସାଗର ଭାରତୀ ଜିଲ୍ଲା ସଂଯୋଜକ ଅନନ୍ତ ପ୍ରସାଦ ସେଠି, ବିଦ୍ୟାର୍ଥୀ ପରିଷଦ ନଗର ସମ୍ପାଦକ ବିକାଶ ସେଠି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ ।