Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଘରୋଇ କଳିରୁ ମହିଳାଙ୍କ ଆତ୍ମହତ୍ୟା, ସ୍ବାମୀଙ୍କୁ କୋର୍ଟଚାଲାଣ କଲା ପୋଲିସ୍‌

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ତୋରସିଂ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମହିଳା ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳାଙ୍କ ନାମ ପୁଷ୍ପାଞ୍ଜଳି ବେହେରା ବୋଲି ଜଣାପଡିଛି। ମହିଳା ଜଣଙ୍କ ବିଷ ପିଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ବେହେରା ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ବାଣପୁର ପୋଲିସ୍‌ ପକ୍ଷରୁ କେସ୍‌ ନମ୍ବର ୦୧/୨୦ଦାୟର କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଗମ୍ଭରିମୁଣ୍ଡା ଫାଣ୍ଡି ଅଧିକାରୀ ମୁରଲୀଧର ବଳିୟାରସିଂହ ଏହି ମାମଲାର ତଦନ୍ତ କରୁଛନ୍ତି। ପରବର୍ତ୍ତୀ ସମୟରେ ମହିଳାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବାରୁ ପୋଲିସ୍‌ ଦେବେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଗମ୍ଭାରିମୁଣ୍ଡା ପଞ୍ଚାୟତର ମହାନ୍ତି ଗାଁର ପୁଷ୍ପାଞ୍ଜଳି ପନ୍ଦର ବର୍ଷ ତଳେ ତୋରସିଂ ନିବାସୀ ଦେବେନ୍ଦ୍ର ବେହେରାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ବଡ ଝିଅର ବୟସ ୧୫ ବର୍ଷ, ଦ୍ଵିତୀୟ ଝିଅର ବୟସ ୯ ବର୍ଷ ଏବଂ ଏକମାତ୍ର ପୁଅର ବୟସ ୫ ବର୍ଷ ବୋଲି ଜଣାପଡିଛି। ଉଭୟଙ୍କ ମଧ୍ୟରେ କଳହ କାରଣରୁ ପୁଷ୍ପାଞ୍ଜଳି ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ନାବାଳକକୁ ଯୌନ ନିର୍ଯାତନା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରରେ ଏକ ନାବାଳକ ଯୌନ ନିର୍ଯାତନ ଘଟଣା ସାମ୍ନାକୁ ଆସିଛି। ନାବାଳକ ଜଣକ ଗୁରୁତର ଭାବରେ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଏହି ଘଟଣା ସମ୍ମୁଖକୁ ଆସିଛି। ବାଣପୁର ଗାଁର ଦୁଇ ଜଣ ନାବାଳକ ଉକ୍ତ ନାବାଳକକୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି। ଦୁଇ ଅଭିଯୁକ୍ତଙ୍କ ବୟସ ୧୪ ଏବଂ ୧୬ ବର୍ଷ ବୋଲି ଜଣାପଡିଛି। ଅଭିଯୋଗ ପରେ ବାଣପୁର ପୋଲିସ୍‌ କେସ୍‌ ନମ୍ବର ୩୮/୨୦ ଅନୁସାରେ ମାମଲାର ତଦନ୍ତ କରିଥିଲେ। ପୋଲିସ ପକ୍ଷରୁ ଆଇପିସିର ଧାରା ୩୭୭, ୫୦୬, ୩୪ ଏବଂ ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏସ୍‌ଆଇ ଦିଗବିଜୟ ବିଶ୍ବାଳ ଏହି ମାମଲାର ତଦନ୍ତ କରୁଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଏସ୍‌ଆଇ ବିଶ୍ଵାଳ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦୁଇ ମାସ ହେବ ଧମକ ଚମକ ଦେଇ ନାବାଳକକୁ ଉଭୟ ଅଭିଯୁକ୍ତ ଅପ୍ରାକୃତିକ ଯୌନ ନିର୍ଯାତନା ଦେଉଥିଲେ। ନାବାଳକ ଜଣକ ଅସୁସ୍ଥ ରହିବା ତଥା ମାନସିକ ଅଶାନ୍ତି ମଧ୍ୟରେ ରହିବାରୁ ଗତକାଲି ଟାଙ୍ଗୀ ଡାକ୍ତରଖାନା ନିଆଯାଇଥିଲା। ଟାଙ୍ଗୀରୁ ଖୋର୍ଦ୍ଧା ଏବଂ ପରେ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲକୁ ଆସିବା ପରେ ଏହି ଘଟଣା ସର୍ବସମ୍ମୁଖକୁ ଆସିଥିଲା।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ପୋଖରୀରେ ବୁଡି ନାବାଳକ ମୃତ

ସମୀକ୍ଷା ବ୍ୟୁରୋ
ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ଗ୍ରାମପଞ୍ଚାୟତର ଭାପୁର(ବୃନ୍ଦାବନପୁର) ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ନାବାଳକଙ୍କ ଘର ସମ୍ମୁଖରେ ରହିଥିବା ନନ୍ଦ ପୋଖରୀରେ ଏହି ଅଘଟଣ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ସମୀର ରାଉତଙ୍କ ୧୦ ବର୍ଷର ନାବାଳକ ପୁତ୍ର ପୋଖରୀକୁ ହାତ ଧୋଇବାକୁ ଯାଇଥିବା ସମୟରେ ଅଚାନକ ଗୋଡ ଖସିଯିବାରୁ ବାଳକ ଜଣକ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ବାଳକଙ୍କୁ ଉଦ୍ଧାର କରିଥିଲେ । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନିଆରା ଢଙ୍ଗରେ ନ୍ୟୁ ଷ୍ଟାର୍‌ କ୍ଲବ୍‌ ତରଫରୁ ଗଣତନ୍ତ୍ର ଦିବସ ପାଳିତ: ଭିକାରୀଙ୍କ ପାଇଁ କଲେ ସ୍ବତନ୍ତ୍ର ଆୟୋଜନ

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ସାରା ଭାରତ ବର୍ଷରେ ୭୧ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଦେଶ ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗଣତନ୍ତ୍ର ଦିବସକୁ ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଛି। ବାଣପୁର ଏନ୍‌ଏସିର ବିଷାରପାଟଣାଠାରେ ନ୍ୟୁ ଷ୍ଟାର୍‌ କ୍ଲବ୍‌ ତରଫରୁ ଗଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଉତ୍ସବରେ କ୍ଲବର ସଭାପତି ଅନୀଲ୍‌ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସେହିପରି  ସମ୍ମାନିତ ଅତିଥି ଭାବରେ କ୍ଲବର ସମ୍ପାଦକ ଅଜୟ କୁମାର ପାତ୍ର ଯୋଗଦେଇଥିଲେ।

ଏହି ଅବସରରେ ଭିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ଭୋଜନର ଆୟୋଜନ କରାଯାଇଥିଲା। ସ୍ଥାନୀୟ ବିଷାରପାଟଣା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିସ୍କୁଟ ବଣ୍ଟନ କରାଯିବା ସହିତ ପିଲାମାନଙ୍କ ପାଇଁ ମଧ୍ୟ ଏକ ଭୋଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଚନ୍ଦନ ବେହେରା, ଦୀପକ ପ୍ରଧାନ, ହୃଷିକେଶ ସାହୁ, ପପୁ ପ୍ରଧାନ, ଅନୁଭବ ପାତ୍ର ପ୍ରମୁଖ ଏହି ଉତ୍ସବରେ ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁରର ଗ୍ରାମୀଣ ମହିଳା ଉଚ୍ଚବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ସମୀକ୍ଷା ବ୍ୟୁରୋ

ବାଣପୁର: ଆଜି ବାଣପୁରଠାରେ ଗ୍ରାମୀଣ ମହିଳା ଉଚ୍ଚବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅନୁସୂଚିତ ଜାତି, ଉପଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥିତ ରହିଥିଲେ। ସେହିପରି ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ। ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତି ସଭାପତି ରଘୁନାଥ ସାହୁ, ପ୍ରଧ୍ୟାପକ ତଥା ଜଗନ୍ନାଥ ସାହିତ୍ୟ ସଂସ୍କୃତି ଗବେଷକ ଚନ୍ଦ୍ରଶେଖର ଦାସ, ଅଧ୍ୟାପକ ପ୍ରଶାନ୍ତ ଦାସ, ଅଧ୍ୟକ୍ଷା ତଥା ସମ୍ପାଦିକା ରଶ୍ମିତା ମହାନ୍ତି, ବ୍ଲକ୍‌ ଅଧ୍ୟକ୍ଷା ରଂଜିତା ସେଠୀ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ୍‌ ଓ ପ୍ରାକ୍ତନ ସମ୍ପାଦକ ଜଗନ୍ନାଥ ଭୋଳ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ।

ଅତିଥିମାନେ ଏହି ଅବସରରେ କୃତି ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଉତ୍ସବରେ  ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମଞ୍ଚପରିଚାଳନା କରିଥିଲେ କ୍ରୀଡ଼ା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ। ଛାତ୍ରୀମାନଙ୍କ ତରଫରୁ ଏକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଜିର ଖବର ରାଜ୍ୟ ଖବର

ଗମ୍ଭାରୀମୁଣ୍ଡା ତିନୋଟି ମନ୍ଦିରରୁ ବଡଧରଣର ଚୋରି

ସମୀକ୍ଷା ବ୍ୟୁରୋ
ବାଣପୁର, ୨୯/୧୨: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍‌ ଅଧୀନସ୍ଥ ଗମ୍ଭାରୀମୁଣ୍ଡା ପଞ୍ଚାୟତର ତିନି ମନ୍ଦିରରୁ ଏକାକାଳୀନ ବଡଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ କେହି ଦୁର୍ବୃତ୍ତ ତିନି ମନ୍ଦିରରୁ ଚୋରି କରିଥିବା ଜଣାପଡିଛି। ଘାସେଡିହ ଗ୍ରାମର ରାମଚଣ୍ଡୀ ମନ୍ଦିର ଓ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ବେଳେ ଗମ୍ଭାରୀମୁଣ୍ଡା ତାରିଣୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ସୂଚନା ମିଳିଛି। ରାମଚଣ୍ଡୀ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭାଙ୍ଗି ୪୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା।

ଅଭିଯୋଗ ଅନୁଯାୟୀ, ରାମଚଣ୍ଡୀ ମନ୍ଦିରରୁ ସୁନାର ମଙ୍ଗଳସୂତ୍ର, ସୁନାର ଚିତଉ, ସୁନାର ଧାନମାଳି ସମେତ ରୂପାର କିରଟ ଏବଂ ୧୦୦ ଗ୍ରାମର ବେଲପତ୍ର ମାଳ ଚୋରି ହୋଇଛି। ଅପର ପକ୍ଷରେ ଜଗନ୍ନାଥ ମନ୍ଦିର ହୁଣ୍ଡି ଭଙ୍ଗାଯାଇ ହୁଣ୍ଡିରେ ରହିଥିବା ସମସ୍ତ ଅର୍ଥରେ କଳାକନା ବୁଲାଇଛନ୍ତି ଲୁଟେରା। ଏହି ଦୁଇ ମନ୍ଦିର ସହିତ ଗମ୍ଭାରୀମୁଣ୍ଡା ବଜାର ମଝିରେ ଅବସ୍ଥିତ ତାରିଣୀ ମନ୍ଦିରରୁ ମଧ୍ୟ ବହୁ ଅଳଙ୍କାର ଲୁଟ ହୋଇଛି। ସ୍ଥାନୀୟ ଗ୍ରାମବାସୀ  ବାଣପୁର ଥାନାରେ ଅଭିଯୋଗ କରିବା ପରେ ବାଣପୁର ଥାନାର ନିର୍ଦ୍ଦେଶ କ୍ରମେ ଗମ୍ଭାରୀମୁଣ୍ଡା ଫାଣ୍ଡି ଥାନାଧିକାରୀ ମୁରଲୀଧର ବଳିଆରସିଂହ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି।

ରିପୋର୍ଟର : ସୀତାରମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ ରାଜ୍ୟ ଖବର

ବାଣପୁରର ସେବାଦେବୀଙ୍କୁ  ମିଳିଲା ଆଉ ଏକ ପ୍ରତିଭା ସମ୍ମାନ: ମା’ଭଗବତୀ ପ୍ରତିଭା ସମ୍ମାନରେ ସମ୍ମାନିତ ହେଲେ ପ୍ରେମଲତା ଦେବୀ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର,୨୮/୧୨: ମା’ ଭଗବତୀ ବିକାଶ ପରିଷଦର ତ୍ରୟୋଦଶତମ ବାର୍ଷିକୀ ଉତ୍ସବ ଅବସରରେ ବାଣପୁରର ଖ୍ୟାତନାମା ହୋମିଓପ୍ୟାଥିକ ଡାକ୍ତର ପ୍ରେମଲତା ଦେବୀଙ୍କୁ ମା’ ଭଗବତୀ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି। ସମାଜେସବାରେ ଦୀର୍ଘ ସମୟ ଧରି ପ୍ରେମଲତା ଦେବୀ ନିଜକୁ ନିୟୋଜିତ କରିଛନ୍ତି। କେବଳ ସେବା ନୁହେଁ ରାଜନୀତି ସହ ସେବାକୁ ମଧ୍ୟ ପ୍ରମୁଖ କାର୍ଯ୍ୟ ଭାବେ ନିଭାଇଛନ୍ତି ଶ୍ରୀମତୀ ଦେବୀ। ବାଣପୁର ଅଞ୍ଚଳରେ ଜଣେ ଯୋଗ୍ୟା ସରପଞ୍ଚ ଭାବେ ବେଶ୍‌ ସକ୍ରିୟ ଯୋଗଦାନ କରିଥିବାବେଳେ ପଞ୍ଚାୟତ ସମିତିର ଅପ୍ରତିଦ୍ବନ୍ଦ୍ବୀ ଅଧ୍ୟକ୍ଷା ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏତଦ୍‌ବ୍ୟତୀତ ନନ୍ଦପୁର ସେବା ସମବାୟ ସମିତିର ସଭାପତି ରୂପେ ମଧ୍ୟ ବେଶ୍‌ ସକ୍ରିୟତା ଦେଖାଇଛନ୍ତି ପ୍ରେମଲତା ଦେବୀ।

ପ୍ରେମଲତା ଦେବୀ ବାଣପୁର ଅଞ୍ଚଳରେ ‘ସେବା ଦେବୀ’ ଭାବେ ଘରେ ଘରେ ପରିଚିତ। କେବଳ ଡାକ୍ତରୀ ସେବା ନୁହେଁ ସମାଜ ସେବାରେ ମଧ୍ୟ ବେଶ୍‌ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସମାଜସେବା ସହିତ ରାଜନୀତିରେ ଜଡିତ ହୋଇ ସମାଜର ମଙ୍ଗଳ ଉଦ୍ଦେଶ୍ୟରେ କାର୍ଯ୍ୟ କରି ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ପ୍ରେମଲତା। ବାଣପୁରର ଅନ୍ତରାକିଆରୀ ପଲ୍ଲୀର ପ୍ରେମଲତା ନିଜର ଯାଦୁକରୀ ସ୍ପର୍ଶରେ ନିସ୍ବ ଅସହାୟ ଦୀନଦୁଃଖୀଙ୍କର ସେବା କରିବା ସହ ସେମାନଙ୍କୁ ନୂତନ ପ୍ରାଣ ସଂଜୀବନୀ ମନ୍ତ୍ରରେ ଅଭିମନ୍ତ୍ରିତ କରାଇଛନ୍ତି।

ଆଜି ଜୟଦେବଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମା’ ଭଗବତୀ ବିକାଶ ପରିଷଦ ତରଫରୁ ପ୍ରେମଲତାଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ତାଙ୍କ ପତ୍ନୀ ସୁପ୍ରମା ମିଶ୍ର ଏବଂ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିପରି ମଞ୍ଚାସୀନ ଅତିଥି ଭାବରେ ମା’ ଭଗବତୀ ବିକାଶ ପରିଷଦର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ସମ୍ପାଦକ ସୁବଳ ଚରଣ ଭୋଳ, ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ପ୍ରମୁଖ ଯୋଗଦାନ କରି ପ୍ରେମଲତା ଦେବୀଙ୍କର ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀରେ ସିଏଏ ସପକ୍ଷରେ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଶୋଭାଯାତ୍ରା

ସମୀକ୍ଷା ବ୍ୟୁରୋ
ବାଣପୁର/ନାଚୁଣୀ, ୨୫/୧୨: ଦେଶରେ ନାଗରିକତା ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଉଛି। ଏହି ଆଇନକୁ ସମ୍ବିଧାନ ବିରୋଧୀ ବୋଲି ଅଭିହିତ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କିନ୍ତୁ ଏହା ସପକ୍ଷରେ ମଧ୍ୟ ଦେଶ ସାରା ଅନେକ ସଙ୍ଗଠନ ଶୋଭାଯାତ୍ରା କରୁଥିବାର ଦେଖିବାକୁ ମିଳୁଛି। ସେହିପରି ଆଜି ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ନାଚୁଣୀ ଠାରେ ସିଏଏ ସପକ୍ଷରେ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ଅଧୀନରେ ଥିବା ନାଚୁଣୀ ୟୁନିଟ ଦ୍ଵାରା ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ନାଚୁଣୀ ମହାବିଦ୍ୟାଳୟରୁ ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଢୋଲ ବାଜା, ଫଗୁ ଏବଂ ତ୍ରିରଙ୍ଗା ପତକା ଧରି ଶତାଧିକ କର୍ମୀ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଶୋଭାଯାତ୍ରା ନୀଳକଣ୍ଠେଶ୍ଵର ମନ୍ଦିରରେ ପହଞ୍ଚିବା ପରେ ଏକ ପଥପ୍ରାନ୍ତ ସଭାର ଆୟୋଜିତ ହୋଇଥିଲା। ଏହି ନିୟମ ଦେଶ ପାଇଁ ଅପରିହାର୍ଯ୍ୟ ଓ ବହୁ ପୂର୍ବରୁ ଆଣିବାର ଥିଲା ବୋଲି ବିଦ୍ୟାର୍ଥୀ ପରିଷଦର ନଗର ସମ୍ପାଦକ ବିକାଶ କୁମାର ସେଠି ପ୍ରକାଶ କରିଥିଲେ। ଏହି ଆଇନକୁ ବିରୋଧ କରିବା ଆଳରେ ହେଉଥିବା ହିଂସାକୁ ଦୃଢ ବିରୋଧ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ଏବିଭିପିର ଶୁଭେଚ୍ଛୁ ତଥା ଚଣ୍ଡେଶ୍ବରର ଯୁବନେତା ସମର ରଞ୍ଜନ ସୁବୁଦ୍ଧି ଏହି ଶୋଭାଯାତ୍ରାର ଆୟୋଜନ କରିଥିଲେ। ଏବିଭିପି ନାଚୁଣୀ କଲେଜର ଯୁକ୍ତ ତିନି କ୍ୟାମ୍ପସ ୟୁନିଟ ସଭାପତି ବିପ୍ଲବ ରଞ୍ଜନ ଗୁରୁ, ଜିଲ୍ଲା କମିଟି ସଦସ୍ୟ ରବୀନ୍ଦ୍ର ବାରିକ, ନଗର ସହ ସମ୍ପାଦକ ସନ୍ତୋଷ ପ୍ରଧାନ, କୀର୍ତ୍ତିରଞ୍ଜନ ଖୁଣ୍ଟିଆ, ଯଶକେତନ ସାହୁ, ରବି ସୁଆର, ଅଶୋକ, ସୁମନ ଏବଂ ଶ୍ରବଣ ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।

 

Categories
ଆଞ୍ଚଳିକ

ନାଗରିକତ୍ବ ସଂଶୋଧନ ଆଇନର ସମର୍ଥନରେ ବାଣପୁରରେ ଏବିଭିପିର ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା

ସମୀକ୍ଷା ବ୍ୟୁରୋ
ବାଣପୁର, ୨୨/୧୨: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଏକ ପ୍ରକାର ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଏହି ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡିଛି। ଅନେକ ସ୍ଥାନରେ ବିଲ୍‌ ବିରୋଧରେ ହିଂସାକାଣ୍ଡ ଘଟିଥିବା ବେଳେ କିଛି ସ୍ଥାନରେ ବିଲ୍‌ ସପକ୍ଷରେ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଏହି ପରୀପ୍ରେକ୍ଷୀରେ ଆଜି ବାଣପୁରରେ ସିଏଏ ସମର୍ଥନରେ ଏକ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି।

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏବିଭିପିର ଶତାଧିକ ସଦସ୍ୟ ସ୍ଥାନୀୟ ଦକ୍ଷେଶ୍ୱର ମନ୍ଦିର ସମ୍ମୁଖରୁ ଢୋଲ, ବାଜା, ଫଗୁ, ତ୍ରିରଙ୍ଗା ପତାକା ଓ ପ୍ଲାକାର୍ଡ଼ ସହ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପଲଟନ ପଡ଼ିଆଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ଶୋଭାଯାତ୍ରା ଶେଷରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।

ପଲଟନ ପଡିଆରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ କର୍ମୀମାନେ ସିଏଏ ଆଇନ ସମ୍ପର୍କରେ ସାଧାରଣ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ପଡୋଶୀ ଦେଶରେ ନିର୍ଯ୍ୟାତିତ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ଏହି ଆଇନ କରାଯାଇଛି। ମାତ୍ର କିଛି ରାଜନୈତିକ ଦଳ ଏହାର ଭୁଲ ସଂଜ୍ଞା ବାହାରକରି ବିରୋଧ କରିବାସହ ଦେଶର ବିଭିନ୍ନ ସ୍ଥାନରେ ହିଂସା ଘଟାଉଛନ୍ତି ବୋଲି ଏବିଭିପି ପକ୍ଷରୁ କୁହାଯାଇଥିଲା। ଏବିଭିପି ଏପରି ହିଂସାର ଦୃଢ ବିରୋଧ ଓ ନିନ୍ଦା କରୁଛି ବୋଲି ଏବିଭିପିର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରୱାଲ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇଥିଲେ। ନଗର ସମ୍ପାଦକ ବିକାଶ ସେଠି, ସହସଂପାଦକ ସନ୍ତୋଷ ପ୍ରଧାନ, ମହେଶିଷ ଲେଙ୍କା, ପ୍ରିୟାଂଶୁ ପ୍ରଧାନ, ସୌରଭ ମହାପାତ୍ର, କୀର୍ତ୍ତିରଞ୍ଜନ ଖୁଣ୍ଟିଆ, ଗଣେଶ, ଅଜୟ, ହିମାଂଶୁ, ଶିବ, ଆଦିତ୍ୟ, ସିଦ୍ଧାର୍ଥ ପ୍ରମୁଖ ଏହି ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭାରେ ସହଯୋଗ କରିବା ସହ ଏକ ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଶିବାନୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ : ହତ୍ୟାକାରିଣୀ ଭାଉଜ ଗିରଫ

ସମୀକ୍ଷା ବ୍ୟୁରୋ
ବାଲୁଗାଁ, ୧୫/୧୨: ବାଲୁଗାଁର ଶିବାନୀ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୋଲିସ୍‌। ମୃତ ଶିବାନୀଙ୍କ ଭାଉଜ କାବେରୀ ଏହି ଘଟଣାର ମୁଖ୍ୟ କାର୍ପଟଦାର ବୋଲି ଜଣାପଡିଛି । ଏକତରଫା ପ୍ରେମର ରୂପ ଦେଇ ଶିବାନୀଙ୍କୁ ନିଜେ ହତ୍ୟା କରିଥିଲା କାବେରୀ। ରବିବାର ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କାବେରୀ ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ପ୍ରକାଶ କରିଛନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବାରୁ କାବେରୀ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ଜଣାପଡିଛି ।

ଗଙ୍ଗନଗର ଘରେ ଦୁଇ ଜଣ ଥିବା ବେଳେ କାବେରୀ ଶିବାନୀଙ୍କୁ ହତ୍ୟା କରିବା ସହିତ ଏକତରଫା ପ୍ରେମ କାରଣରୁ ସେହି ଗ୍ରାମର ଜନୈକ ଯୁବକଙ୍କୁ ଦୋଷାରୋପ କରିଥିଲେ। ଶିବାନୀଙ୍କ ପ୍ରେମିକ ବିଭୁ ଏବଂ ଭାଉଜ କାବେରୀଙ୍କୁ ପୋଲିସ୍‌ ଥାନାକୁ ନେଇ ଜେରା କରିବା ପରେ ସତ ସାମ୍‌ନାକୁ ଆସିଥିଲା। ଶିବାନୀଙ୍କ ଭାଇଙ୍କୁ କାବେରୀ ପ୍ରେମ ବିବାହ କରିଥିବା ବେଳେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିଲା। ଶିବାନୀ ସବୁବେଳେ କାବେରୀଙ୍କୁ ଅସମ୍ମାନ କରୁଥିବା ବେଳେ ଶନିବାର ମଧ୍ୟ ସମାନ ଘଟଣା ଘଟିବାରୁ ଉତ୍‌କ୍ଷିପ୍ତ କାବେରି ଏକ ଧାରୁଆ ଅସ୍ତ୍ରରେ ଶିବାନୀଙ୍କ ଗଳାକାଟି ହତ୍ୟା କରିଥିଲେ। ଘରେ କେହି ନ ଥିବା ସୁଯୋଗ ନେଇ ପାଖରେ ପଡ଼ିଥିବା ଏକ ଧାରୁଆ ଛୁରୀରେ ତାଙ୍କ ବେକ କାଟିଦେଇଥିଲେ। ଏତିକି ନୁହେଁ, ନିଜକୁ ବଞ୍ଚାଇବାକୁ ସେ ଏହି ହତ୍ୟାକାଣ୍ଡକୁ ନାଟକୀୟ ରଙ୍ଗ ଦେଇଥିଲେ। କେହି ଦୁର୍ବୃତ୍ତ ଶିବାନୀଙ୍କ ଗଳାକାଟି ଶିଡ଼ି ବାଟେ ଫେରାର ହୋଇଯାଇଥିବା ସେ ଲୋକଙ୍କୁ କହିଥିଲେ। ତେବେ ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ଘଟଣା ବେଳେ ଶିବାନୀ ଓ କାବେରୀଙ୍କ ବ୍ୟତୀତ କୌଣସି ତୃତୀୟ ବ୍ୟକ୍ତି ଘରେ ଉପସ୍ଥିତ ନ ଥିଲେ। ତଦନ୍ତ ଆଗକୁ ବଢ଼ାଇ କାବେରୀଙ୍କୁ ପଚରାଉଚରା କରିଥିଲା। ଜେରା ସମୟରେ କାବେରୀ ଦୋଷ ସ୍ୱୀକାର କରିଥିବା ଏସପି ସୂଚନା ଦେଇଛନ୍ତି। ପୋଲିସ କାବେରୀଙ୍କୁ ଗିରଫ କରିବା ସହିତ ତାଙ୍କ ବିରୋଧରେ ଆଇପିସି ଦଫା ୩୦୨ ଏବଂ ୪୫୦ ବଳରେ ବାଲୁଗାଁ ଥାନାରେ ମାମଲା (ନଂ.-୧୬୦) ରୁଜୁ କରିଛି ।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Categories
ଆଞ୍ଚଳିକ

ବାଣପୁରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିନିକିଆ ତାଲିମ ଶିବିର

ସମୀକ୍ଷା ବ୍ୟୁରୋ
ବାଣପୁର,୩୦/୧୧: ଶନିବାର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଶ୍ରୀ ବୁଢାକପିଳେଶ୍ଵର ମନ୍ଦିର ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉପସ୍ଥିତିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓ.ୟୁ.ଏ.ଟି) ପକ୍ଷରୁ ଏହି ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଛତୁ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ନେଇ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା। ଓୟୁଏଟିର ଉଦ୍ଭିଦ ରୋଗ ବିଜ୍ଞାନ ବିଭାଗ ମୁଖ୍ୟ ନିରଞ୍ଜନ ଚିନରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପର୍ଶୁରାମ ଶବର(ସହକାରୀ ମତ୍ସ୍ୟ ଅଧିକାରୀ, ବାଣପୁର), ଅନ୍ନପୂର୍ଣ୍ଣା ମହାରଣା (ସହକାରୀ ଉଦ୍ୟାନ କୃଷି ଅଧିକାରୀ,ବାଣପୁର), ଦୁର୍ଗା ଚରଣ ବେହେରା (ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମୀ, ବାଣପୁର) ଏବଂ ନିଜାମୁଦ୍ଦିନ ଖାନ( କନିଷ୍ଠ ମତ୍ସ୍ୟ ବୈଷୟିକ ସହକାରୀ ଅଧିକାରୀ, ବାଣପୁର) ପ୍ରମୁଖ ଯୋଗଦେଇଥିଲେ।

ବାଣପୁର ଏନ.ଏ.ସି ର ଯୁବ ସଂଗଠକ ତଥା ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମୀଧର ମହାପାତ୍ରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ମୁଖ୍ୟ ପ୍ରଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅନ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ଆନୁଷ୍ଠାନିକ ଭାବେ ତାଲିମ ଶିବିର ଆରମ୍ଭ ହୋଇଥିଲା। ତାଲିମ ଶିବିରରେ ମହିଳାମାନଙ୍କୁ ଛତୁ ଉତ୍ପାଦନ ଓ ପ୍ରକ୍ରିୟାକରଣର ତାଲିମ ପ୍ରଦାନ କରାଯାଇଥିଲା। ଏହା ସହିତ କିପରି ଏହାଦ୍ବାରା ଆର୍ଥିକ ଭାବରେ ସ୍ବଚ୍ଛଳ ହୋଇପାରିବେ ସେ ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପନ୍ଦରଟି ୱାର୍ଡର ଚାଳିଶିରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ମାନେ ଯୋଗଦେଇଥିଲେ।

ରିପୋର୍ଟର: ସୀତାରାମ ଅଗ୍ରୱାଲ, ମୋ- ୭୯୭୮ ୧୪୮ ୪୨୬

Categories
ଆଞ୍ଚଳିକ

ଡ୍ରାଇଭିଂ ଲାଇସେନ୍ସକୁ ନେଇ ବାଣପୁରରେ ତୀବ୍ର ଜନଅସନ୍ତୋଷ: ଆରଟିଓ କ୍ୟାମ୍ପ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସମୀକ୍ଷା ବ୍ୟୁରୋ

ବାଣପୁର,୨୯/୧୧: ବାଣପୁରରେ ଆରଟିଓ କ୍ୟାମ୍ପ ସ୍ଥାପନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ୍ ସେପ୍ଟମ୍ବର ୧ ତାରିଖରେ ଲାଗୁ କରାଯାଇଥିଲା। ଏହି ଆଇନ୍ ବଳରେ ପୋଲିସ ଚେକିଂରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବା ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ମାସର ମହଲତ ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ରାଜ୍ୟର ପ୍ରତି ବ୍ଲକରେ ଅସ୍ଥାୟୀ ଆରଟିଓ କ୍ୟାମ୍ପ ସ୍ଥାପନର ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ସମସ୍ତ କ୍ୟାମ୍ପରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟ ସୁବିଧା ପ୍ରଦାନର ବ୍ୟବସ୍ଥା ରହିବା ନେଇ ଘୋଷଣା କରାଯାଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରଥମ ଅବଧି ଶେଷ ହେବା ସହିତ ପୁନର୍ବାର ତିନି ମାସର ମହଲତ ପ୍ରଦାନ କରାଗଲାଣି ମାତ୍ର ବର୍ତ୍ତମାନ ସୁଦ୍ଧା ବାଣପୁରରେ ଆରଟିଓ କେନ୍ଦ୍ର ସ୍ଥାପନ ସମ୍ଭବ ହୋଇନାହିଁ।

ଖୋର୍ଦ୍ଧାର ଅନ୍ତିମ ପ୍ରାନ୍ତରେ ଅବସ୍ଥାପିତ ବାଣପୁରର ସଂଖ୍ୟାଧିକ ଲୋକେ ଦିନମଜୁରିଆ ହୋଇଥିବାରୁ ୮୦କିମି ଦୂର ଯାଇ ଖୋର୍ଦ୍ଧାରେ ଲାଇସେନ୍ସ ଆବେଦନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ଅପରପକ୍ଷେ ବାଣପୁରରେ ଆବଶ୍ୟକୀୟ କ୍ୟାମ୍ପ ଉପଲବ୍ଧ ନଥିଲେ ମଧ୍ୟ ପୋଲିସ୍ ଏଠାରେ କଡାକଡ଼ି ଯାଞ୍ଚ କରୁଛି। ପ୍ରଥମେ ଆବଶ୍ୟକ ସଂଖ୍ୟକ ଆରଟିଓ କ୍ୟାମ୍ପ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରି ଚେକିଂ କରାଯିବା ନେଇ ସାଧାରଣରେ ଦାବି ହେଉଛି।

ରିପୋର୍ଟର : ସୁନୀଲ କୁମାର ଭୋଳ (ବିଜୁ)

ମୋବାଇଲ :୯୩୩୭ ୧୭୪ ୭୯୪

Categories
ଆଞ୍ଚଳିକ

ବାଣପୁର ବ୍ଲକ୍‌ ଅନ୍ତର୍ଗତ ନିଳାଦ୍ରିପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନଶୁଣାଣି

ବାଣପୁର, ୨୭/୧୧: (ସମୀକ୍ଷା ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ କାର୍ଯ୍ୟାଳୟଠାରେ ନୀଳାଦ୍ରିପ୍ରସାଦ ଓ ଦାମିଆ-ବରବରା ଦୁଇ ପଞ୍ଚାୟତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଶୁଣାଣି ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ, ଏସପି ଅଜୟ ପ୍ରତାପ ସ୍ୱାଇଁ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ, ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ,  ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ  ବିଜୟ ମହାପାତ୍ର, ବାଲୁଗାଁ, ସବଡିଭିଜନାଲ୍‌ ପୋଲିସ୍‌ ଅଫିସର ଏସ୍‌କେ ଦାସ, ବାଣପୁରର ବିଡ଼ିଓ ତଥା ତହସିଲଦାର ଶିବାନନ୍ଦ ସ୍ବାଇଁ, ଅତିରିକ୍ତ ତହସିଲଦାର ମନ୍ମଥ ବେହେରା, ପୂର୍ବତନ ଚିିଲିକା ବିଧାୟକ ରଘୁନାଥ ସାହୁ, ବାଣପୁର ବ୍ଲକ ଅଧ୍ୟକ୍ଷା ରଞ୍ଜିତା ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ନୀଳାଦ୍ରିପ୍ରସାଦ ସରପଞ୍ଚ ଆଶାମଣି ସାହୁ, ଦାମିଆ-ବରବରା ସରପଞ୍ଚ ଉପେନ୍ଦ୍ର ଜାନୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଜରିଆରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପ୍ରଦାନ କରାଯାଇଥିବାବେଳେ ଭିନ୍ନକ୍ଷମଙ୍କୁ ଭତ୍ତା ସହିତ ହ୍ବିଲ୍‌ ଚେୟାର୍‌ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତୀତ ଆଜିର ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଶ୍ରମ, କୃଷି, ଉଦ୍ୟାନ କୃଷି ଆଦି ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଦୁଇ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ବିଭିନ୍ନ ସମସ୍ୟା ରହିଛି । ସେହିପରି ଅଧିକାଂଶ ସମୟରେ ବିଭିନ୍ନ ସରକାରୀ ସୁବିଧାରୁ ମଧ୍ୟ ଏହି ପଞ୍ଚାୟତବାସୀ ବଞ୍ଚିତ ରହୁଛନ୍ତି । ଆଜିର ଏହି ଜନଶୁଣାଣୀ ସମାବେଶରେ ଏକ ହଜାରରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସମାଗମ ହୋଇ ତାଙ୍କର ବିଭିନ୍ନ ଅସୁବିଧା ତଥା ଦାବି ଉପସ୍ଥାପନ କରିଥିଲେ। ଏହି ଜନଶୁଣାଣୀରେ ୪୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ଅଭିଯୋଗ ପଞ୍ଜୀକୃତ ହୋଇଥିବାବେଳେ ଇନ୍ଦିରା ଆବାସ, ମୋ କୁଡ଼ିଆ, ଆଧାର କାର୍ଡ, ଖାଉଟି କାର୍ଡ ଓ ଭତ୍ତା ସମ୍ପର୍କିତ ବହୁ ଅଭିଯୋଗ ରହିଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ସରକାରୀ ସୁବିଧା ସମ୍ପର୍କରେ ଆଦିବାସୀମାନଙ୍କୁ ଜଣାଇବା ସହିତ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏହି ଅବସରରେ  ନୀଳାଦ୍ରିପ୍ରସାଦ ପଞ୍ଚାୟତରେ ଏକ ମାର୍କେଟ କମ୍ପ୍ଲେକ୍ସ ଉଦ୍ଘା‌ଟନ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ବୃଦ୍ଧି ପାଉଛି ବେଆଇନ ମଦ କାରବାର : ଦୁଇ ଦିନରେ ୩ ମଦ ବେପାରୀ ଗିରଫ

ବାଣପୁର, ୨୪/୧୧: (ସମୀକ୍ଷା ବ୍ୟୁରୋ) ବାଣପୁରରେ ଏବେ ବେଆଇନ ମଦ କାରବାରରେ ବୃଦ୍ଧି ଘଟିଛି। ଗତ ଦୁଇ ଦିନ ଭିତରେ ତିନିଜ ଜଣ ବେଆଇନ ମଦ ବେପାରୀ ଗିରଫ ହୋଇଛନ୍ତି। ଏହି ମାମଲରେ ଆଜି ଏଏସଆଇ ବସନ୍ତ ପଟ୍ଟନାୟକ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବିଶ୍ବନାଥ ସ୍ବାଇଁ। ୫୫ ବର୍ଷୀୟ ଏହି ବ୍ୟକ୍ତି ଜଣକ ସ୍ଥାନୀୟ ଭଗବତୀ ମନ୍ଦିର ପଛପଟେ ନିଜ ଘରେ ଭିତରେ ଏହି କାରବାର ଚାଲୁ ରଖିଥିଲେ। ତାଙ୍କ ନିକଟରୁ ୧୭ ଲିଟର ଆସ୍କା୪୦ ଜବତ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ପୋଲିସ୍‌ ୩୨୭/୧୯ କେସ୍‌ ନମ୍ବରରେ ମାମଲା ରୁଜୁ କରିଛି। ଗତକାଲି ପୁଲିସ୍‌ ଗମ୍ଭାରୀମୁଣ୍ଡା ବଜାରରେ ଥିବା ଏକ ଦୋକାନରୁ ଜଣେ ବେଆଇନ ମଦ ବିକ୍ରେତାଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଶରତ ଚନ୍ଦ୍ର ବରାଳ। ଏଏସଆଇ ମୁରଲୀଧର ବଳିଆର ସିଂହ ସମ୍ପୃକ୍ତ ବ୍ୟକ୍ତି ନାମରେ ୩୨୯/୧୯ କେସ ନମ୍ବରରେ ମାମଲା ରୁଜୁ କରି ଗିରଫ କରିଛନ୍ତି। ସେହିପରି ନାଚୁଣୀ ଗଙ୍ଗାଧରପୁର ଷ୍ଟେସନ ପଛପଟରୁ ୪.୮ ଲିଟର ଆସ୍କା୪୦ ଜବତ ହୋଇଛି। ଏହି ମାମଲାରେ ଛୋଟରାୟପୁର ଗ୍ରାମର ୨୫ ବର୍ଷୀୟ ଶିବ ପ୍ରଧାନଙ୍କୁ ଏଏସ୍‌ଆଇ ହାଡ଼ିବନ୍ଧୁ ନାୟକ ଗିରଫ କରି ୩୨୮/୧୯ କେସନମ୍ବରରେ ମାମଲା ରୁଜୁ କରିଛନ୍ତି।

ରାଜ୍ୟର ଏକ ପ୍ରମୁଖ ଶକ୍ତିପୀଠ ତଥା ଐତିହ୍ୟ ସମ୍ପନ୍ନ ଅଞ୍ଚଳ ଭାବରେ ବାଣପୁର ପ୍ରସିଦ୍ଧି ଲାଭ କରିଥିବାବେଳେ ସେଠାରେ ବେଆଇନ ମଦ କାରବାର ବୃଦ୍ଧିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସ୍ ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Categories
ଆଞ୍ଚଳିକ

ସମସ୍ୟାଘେରରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର : ଡାକ୍ତର ନାହାନ୍ତି,ସ୍ବାସ୍ଥ୍ୟସେବା ଠପ୍‌

ବାଣପୁର, ୨୩.୧୧:(ସମୀକ୍ଷା ବ୍ୟୁରୋ) ଅବିଭିକ୍ତ ପୁରୀ ଜିଲ୍ଲାର ସର୍ବପୁରାତନ ଡାକ୍ତରଖାନା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଜି ଅବହେଳିତ ଅବସ୍ଥାରେ। ୧୮୬୪ ମସିହା ବ୍ରିଟିଶ୍‌ ଅମଳରେ ଅବିଭକ୍ତ ପୁରୀ ମଧ୍ୟରେ  ନିର୍ମିତ ହୋଇଥିଲା ବାଣପୁର ସ୍ବାସ୍ଥ୍ୟକେନ୍ଦ୍ର। ୧୯୯୧ରେ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା। କିନ୍ତୁ ବାଣପୁରର ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସ୍ବାସ୍ଥ୍ୟସେବା ପ୍ରତି ବିଶେଷ ଧ୍ୟାନ ଦେଉଥିବାବେଳେ ସରକାରୀ ଆଢୁଆଳରେ ରହିଛି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ସରକାରଙ୍କ ୫ଟି ଯୋଜନା ଏଠାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଅର୍ଥ ବିନିଯୋଗ ହେଉଥିବାବେଳେ ବାଣପୁରରେ ଏହାର ବ୍ୟତିକ୍ରମ ଦେଖାଦେଇଛି।

ଡାକ୍ତରଖାନାରେ ରହିଥିବା ବିଭିନ୍ନ ସମସ୍ୟା :

ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଛି।

୧୦ ବର୍ଷର ଉର୍ଦ୍ଧ୍ବ ହେବ ଏକ୍ସରେ ବିଭାଗ ଅଚଳ ହୋଇପଡିଛି।

ଏଠାରେ ୯ଟି ବିଭାଗର ଡାକ୍ତର ପଦବୀ ରହିଥିବାବେଳେ ମାତ୍ର ଦୁଇଜଣ ଠିକା ଡାକ୍ତର ରହିଛନ୍ତି।

ଏଠାରେ କେବଳ ସ୍ତ୍ରୀରୋଗ ବିଶେଷଜ୍ଞରେ ଠିକା ଡାକ୍ତର ରୂପେ ଡ. ମହାରଣା ରହିଥିବାବେଳେ ଅନ୍ୟ ୮ଟି ବିଶେଷଜ୍ଞ ପଦବୀ ଖାଲି ରହିଛି।

ସେହିପରି ଏଠାରେ ୧୨ ଜଣ ଷ୍ଟାଫ ନର୍ସ ରହିଥିବାର ନିୟମ ଥିବାବେଳେ  ମାତ୍ର୨ ଜଣ ନର୍ସ ରହିଛନ୍ତି।

ସ୍ବଚ୍ଛତା ଓ ସୁରକ୍ଷାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। ପାଚେରୀ ଭଙ୍ଗାଯାଇଥିବା କାରଣରୁ ଅବାଧରେ ପଶୁ ଜନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଯା’ଆସ କରୁଛନ୍ତି।

ପ୍ରତି ଓ୍ବାର୍ଡରେ ମଶା ମାଛିଙ୍କ ଉପଦ୍ରବ ହେଉଥିବାବେଳେ ଏହାର ମୁଖ୍ୟଫାଟକ ଅଧାଦିନ ବନ୍ଦ ରହୁଛି। ଯାହାଫଳରେ ରୋଗୀମାନେ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ଯିବା ପାଇଁ ବୁଲି ବୁଲି ଯାଉଛନ୍ତି।

ଏଠାରେ ଷ୍ଟାଫ୍‌ ନର୍ସ ଓ ଡାକ୍ତରଙ୍କ ରୁମ୍‌ ନାହିଁ।

ପାଖାପାଖି ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା ରଖିଥିବାବେଳେ ରୋଗୀମାନେ ବହୁତ ହଇରାଣ ହେଉଛନ୍ତି। ବାଣପୁର ବ୍ଲକ୍‌ର ୧୭ ପଞ୍ଚାୟତ, ଏନ୍‌ଏସିର ୧୫ଟି ଓ୍ବାର୍ଡ, ଜେଲର କଏଦୀ ମାନେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା କରୁଛନ୍ତି। ଏହି ସ୍ବାସ୍ଥ୍ୟକେନ୍ଦ୍ରରୁ ମୌଳିକ ସୁବିଧା ମିଳିପାରୁନଥିବାରୁ ସାଧାରଣ ରୋଗ ପାଇଁ ମଧ୍ୟ କଟକ ଓ ଭୁବନେଶ୍ବର ଯାଉଛନ୍ତି। ସେହିପରି ୧୦୮ ଆମ୍ବୁଲାନ୍ସ ସେବା ମଧ୍ୟ ଏଠାରେ ସଠିକ୍‌ ସମୟରେ ଉପଲବ୍ଧ ହେଉନାହିଁ।

ଏକମାତ୍ର ସ୍ଥାୟୀ ଡାକ୍ତର ଧୁର୍ଜଟି ପ୍ରସାଦ ମହାପାତ୍ର ଏହି ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଦାୟିତ୍ବ ସମ୍ଭାଳୁଥିବାବେଳେ ତାଙ୍କ ଅଧୀନରେ ଅନେକ ଉପସ୍ଥାସ୍ଥ୍ୟ କେନ୍ଦ୍ରର ପ୍ରଶାସନିକ ଦାୟିତ୍ବ ରହିଛି। ତେଣୁ ସେ ସପ୍ତାହରେ ମାତ୍ର ଦୁଇଦିନ ଏଠାକୁ ଆସୁଛନ୍ତି।

ଆଗକୁ ବାଣପୁର ସବ୍‌ଡିଭିନଜନ୍‌ ମାନ୍ୟତା ପାଇବାକୁ ଥିବାବେଳେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ଆନ୍ଦୋଳନ କରିବା ପାଇଁ ଇନ୍ଧନ ଯୋଗାଉଛି। କିଛି ଦିନ ତଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରଠାରେ ବିଧାୟକ ଏକ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ। ମାତ୍ର ଜୀବନରକ୍ଷାକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣଦେଖା କରାଯିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆୟୁଷ ଡାକ୍ତର, ଟେକ୍‌ନିସିଆନ୍‌ ଆଦି ମିଳିବା ନେଇ ଦାବି ରହିଥିବାବେଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯିବା ଲାଗି ସରକାର ପଦେକ୍ଷପ ନେବା ନିତାନ୍ତ ଜରୁରୀ ହୋଇପଡିଛି।