ନାଚୁଣୀରେ ସିଏଏ ସପକ୍ଷରେ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଶୋଭାଯାତ୍ରା

Published: Dec 25, 2019, 8:02 pm IST

ସମୀକ୍ଷା ବ୍ୟୁରୋ
ବାଣପୁର/ନାଚୁଣୀ, ୨୫/୧୨: ଦେଶରେ ନାଗରିକତା ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଉଛି। ଏହି ଆଇନକୁ ସମ୍ବିଧାନ ବିରୋଧୀ ବୋଲି ଅଭିହିତ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କିନ୍ତୁ ଏହା ସପକ୍ଷରେ ମଧ୍ୟ ଦେଶ ସାରା ଅନେକ ସଙ୍ଗଠନ ଶୋଭାଯାତ୍ରା କରୁଥିବାର ଦେଖିବାକୁ ମିଳୁଛି। ସେହିପରି ଆଜି ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ନାଚୁଣୀ ଠାରେ ସିଏଏ ସପକ୍ଷରେ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ଅଧୀନରେ ଥିବା ନାଚୁଣୀ ୟୁନିଟ ଦ୍ଵାରା ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ନାଚୁଣୀ ମହାବିଦ୍ୟାଳୟରୁ ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଢୋଲ ବାଜା, ଫଗୁ ଏବଂ ତ୍ରିରଙ୍ଗା ପତକା ଧରି ଶତାଧିକ କର୍ମୀ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଶୋଭାଯାତ୍ରା ନୀଳକଣ୍ଠେଶ୍ଵର ମନ୍ଦିରରେ ପହଞ୍ଚିବା ପରେ ଏକ ପଥପ୍ରାନ୍ତ ସଭାର ଆୟୋଜିତ ହୋଇଥିଲା। ଏହି ନିୟମ ଦେଶ ପାଇଁ ଅପରିହାର୍ଯ୍ୟ ଓ ବହୁ ପୂର୍ବରୁ ଆଣିବାର ଥିଲା ବୋଲି ବିଦ୍ୟାର୍ଥୀ ପରିଷଦର ନଗର ସମ୍ପାଦକ ବିକାଶ କୁମାର ସେଠି ପ୍ରକାଶ କରିଥିଲେ। ଏହି ଆଇନକୁ ବିରୋଧ କରିବା ଆଳରେ ହେଉଥିବା ହିଂସାକୁ ଦୃଢ ବିରୋଧ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ଏବିଭିପିର ଶୁଭେଚ୍ଛୁ ତଥା ଚଣ୍ଡେଶ୍ବରର ଯୁବନେତା ସମର ରଞ୍ଜନ ସୁବୁଦ୍ଧି ଏହି ଶୋଭାଯାତ୍ରାର ଆୟୋଜନ କରିଥିଲେ। ଏବିଭିପି ନାଚୁଣୀ କଲେଜର ଯୁକ୍ତ ତିନି କ୍ୟାମ୍ପସ ୟୁନିଟ ସଭାପତି ବିପ୍ଲବ ରଞ୍ଜନ ଗୁରୁ, ଜିଲ୍ଲା କମିଟି ସଦସ୍ୟ ରବୀନ୍ଦ୍ର ବାରିକ, ନଗର ସହ ସମ୍ପାଦକ ସନ୍ତୋଷ ପ୍ରଧାନ, କୀର୍ତ୍ତିରଞ୍ଜନ ଖୁଣ୍ଟିଆ, ଯଶକେତନ ସାହୁ, ରବି ସୁଆର, ଅଶୋକ, ସୁମନ ଏବଂ ଶ୍ରବଣ ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।

 

Related posts