Categories
ଆଜିର ଖବର ଜାତୀୟ ଖବର

ଜେଏନୟୁ ଛାତ୍ର ସଂଗଠନ ନିର୍ବାଚନରେ ​​ବାମପନ୍ଥୀ ମାରିଲା ବାଜି: ଚାରିଟି ପଦବୀରେ ABVP ର ପରାଜୟ

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ର ଛାତ୍ର ସଂଗଠନ ନିର୍ବାଚନରେ ​​ବାମପନ୍ଥୀ ଛାତ୍ର ସଂଗଠନ ପୁଣି ଥରେ ବିଜୟୀ ହୋଇଛି। ବାମ ପ୍ରାର୍ଥୀ ଧନଞ୍ଜୟ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରାର୍ଥୀ ଉମେଶ ସି ଅଜମିରାଙ୍କୁ ୯୨୨ ଭୋଟରେ ପରାସ୍ତ କରି ଜେଏନଏସୟୁ ସଭାପତି ପଦ ଜିତିଛନ୍ତି। ବାମପନ୍ଥୀ ଛାତ୍ର ସଂଗଠନ ଏବଂ ସେମାନଙ୍କ ସମର୍ଥିତ ପ୍ରାର୍ଥୀମାନେ ସଭାପତିଙ୍କ ସମେତ ଚାରିଟି ଆସନ ଜିତିଛନ୍ତି।

ବାମପନ୍ଥୀ ସଂଗଠନଗୁଡ଼ିକ ଜେଏନଏସୟୁ ନିର୍ବାଚନରେ ​​ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) କୁ ପରାସ୍ତ କରି ତିନୋଟି ପଦବୀ ହାସଲ କରିଛନ୍ତି; ବିଏପିଏସଏ ପ୍ରାର୍ଥୀ ସାଧାରଣ ସମ୍ପାଦକ ପଦ ଜିଟିଛି। ବାମ ସଂଗଠନଗୁଡିକ ମଧ୍ୟ BAPSA ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ସମସ୍ତ ଆସନରେ ବାମ ସଂଗଠନ ଏବଂ ଏହାର ସମର୍ଥିତ ପ୍ରାର୍ଥୀମାନେ ଆରଏସଏସ ସମର୍ଥିତ ଛାତ୍ର ସଂଗଠନ ଏବିଭିପି ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୪ ବର୍ଷ ପରେ ହେଉଥିବା ନିର୍ବାଚନକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଥିଲା।

୧୨ ବର୍ଷ ପରେ ମତଦାନ ସର୍ବାଧିକ ଥିଲା:

ଶୁକ୍ରବାର ଦିନ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ (ଜେଏନଏସୟୁ) ନିର୍ବାଚନ ପାଇଁ ୭୩ ପ୍ରତିଶତ ମତଦାନ ହୋଇଥିଲା, ଯାହାକି ଗତ ୧୨ ବର୍ଷ ମଧ୍ୟରେ ସର୍ବାଧିକ। ନିର୍ବାଚନ କମିଟି କହିଛି ଯେ, ଜେଏନଏସୟୁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଚାରି ବର୍ଷର ବ୍ୟବଧାନ ପରେ ଏଥର ମତଦାନ ହୋଇଥିଲା ଏବଂ ୭,୭୦୦ ରୁ ଅଧିକ ପଞ୍ଜୀକୃତ ଭୋଟର ଗୁପ୍ତ ଭୋଟ୍ ମାଧ୍ୟମରେ ଭୋଟ୍ ଦେଇଥିଲେ।

Categories
ବିଶେଷ ଖବର

ଏବିଭିପିର ବିଜେପିର ତିନି ନୂଆ ମୁଖ୍ୟମନ୍ତ୍ରୀ, ଆଶ୍ଚର୍ଯ୍ୟ କରିଦେବ ଆରଏସଏସର ବଡ଼ ନେତାଙ୍କ ତାଲିକା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଘୋଷଣା ହେବାର କିଛିଦିନ ପୂର୍ବରୁ ମୋହନ ଯାଦବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପ୍ରତିଷ୍ଠା ଦିବସର ୭୫ତମ ବାର୍ଷିକୀରେ ଯୋଗଦେବା ପାଇଁ ଜାତୀୟ ରାଜଧାନୀ ଆସିଥିଲେ। ଏବିଭିପିରେ ବିଜେପି ଓ ଆରଏସଏସ ନେତାଙ୍କ ଦୃଢ଼ ଭିତ୍ତିଭୂମି ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କଠାରୁ ଆରମ୍ଭ କରି କଂଗ୍ରେସ ଶାସିତ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପର୍ଯ୍ୟନ୍ତ ଏହି ନେତାମାନଙ୍କ ମଧ୍ୟରୁ ଅଧିକାଂଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଛାତ୍ର ଶାଖା ଏବିଭିପି ସହିତ ଛାତ୍ର ରାଜନୀତିରେ ଦିନ କାଟିଛନ୍ତି।

ଏବିଭିପିରୁ କେନ୍ଦ୍ରମନ୍ତ୍ରୀ

ବିଜେପିର ପ୍ରମୁଖ ପଦବୀରେ ଥିବା ଏବିଭିପି ଛାତ୍ର କର୍ମୀଙ୍କ ତାଲିକାରେ ରାଜନାଥ ସିଂହ, ନୀତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଜି କିଶନ ରେଡ୍ଡୀ, ଗଜେନ୍ଦ୍ର ଶେଖାୱତ, କିରଣ ରିଜିଜୁ, ଭି ମୁରଲୀଧରନଙ୍କ ସମେତ ପ୍ରାୟ ଏକ ଡଜନ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ସେହିଭଳି ସୁନୀଲ ବଂଶଲ (ପୂର୍ଣ୍ଣକାଳୀନ ଆରଏସଏସ ପ୍ରଚାରକ), ବିଜେପି ସଂଗଠନର ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ରାଷ୍ଟ୍ରୀୟ ସମ୍ପାଦକ ଆଶା ଲାକ୍ରା ଓ ଓପି ଧନକର ଏବିଭିପିରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

ଏବିଭିପି ପୃଷ୍ଠଭୂମିର ମୁଖ୍ୟମନ୍ତ୍ରୀଙ୍କ ତାଲିକା ମଧ୍ୟ ଛୋଟ ନୁହେଁ

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଭାବେ ପୁଷ୍କର ଧାମୀ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଭାବେ ଦେବେନ୍ଦ୍ର ଫଡନାଭିସ ଏବଂ ନିକଟରେ ନିଯୁକ୍ତ ହୋଇଥିବା ତିନିଜଣ ମୁଖ୍ୟମନ୍ତ୍ରୀ- ରାଜସ୍ଥାନରେ ଭଜନ ଲାଲ ଶର୍ମା, ମଧ୍ୟପ୍ରଦେଶରେ ମୋହନ ଯାଦବ ଏବଂ ଛତିଶଗଡ଼ରେ ବିଷ୍ଣୁ ଦେଓ ସାଇଙ୍କ ସମେତ ରାଜ୍ୟ ମୁଖ୍ୟ, ସମସ୍ତେ ଏବିଭିପିରୁ ସେମାନଙ୍କର ରାଜନୈତିକ ଆରମ୍ଭ କରିଛନ୍ତି। ଶିବରାଜ ସିଂହ ଚୌହାନ, ଜୟରାମ ଠାକୁର, ବିଜୟ ରୁପାନି, ତୀରଥ ସିଂ ରାୱତ ଏବଂ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ସମେତ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଏବିଭିପିରୁ ରାଜନୀତିକୁ ଆସିଛନ୍ତି। ଏବିଭିପି କର୍ମୀଙ୍କ ଉତ୍‍ଥାନ ସଂଘ ଭିତରେ ମଧ୍ୟ ଦେଖିବାକୁ ମିଳୁଛି। ଆରଏସଏସର ଏକ ବଡ଼ ଚେହେରା ହେବା ପୂର୍ବରୁ ଏହାର କାର୍ଯ୍ୟନିର୍ବାହୀ ମୁଖ୍ୟ ଦତ୍ତାତ୍ରେୟ ହୋସବଲେ ଛାତ୍ର ସଂଗଠନ ଏବିଭିପିରେ ୩୦ ବର୍ଷ ବିତାଇଥିଲେ।

ଆରଏସଏସ ଏବଂ ସହଯୋଗୀ ସଂଗଠନ ଉପରେ ମଧ୍ୟ ଏବିଭିପିର ଆଧିପତ୍ୟ ରହିଛି
ସଂଘର ପ୍ରଚାର ମୁଖ୍ୟ ସୁନୀଲ ଆମ୍ବେକର, ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର, ଆରଏସଏସର ସହ-ପ୍ରଭାରୀ ରମେଶ ଆପ୍ପା ଜୀ ଏବଂ ବିଭିନ୍ନ ୟୁନିଟର କର୍ମକର୍ତ୍ତାମାନେ ମଧ୍ୟ ଏବିଭିପିରୁ ନିଜର ସାର୍ବଜନୀନ ଜୀବନ ଆରମ୍ଭ କରିଥିଲେ। ଖାଲି ସେତିକି ନୁହେଁ, ନଡ୍ଡା, ପ୍ରଧାନ, ତାୱଡେ, ରୂପାନୀ, ଜୟରାମଙ୍କ ସମେତ ଅନେକ ବିଜେପି ନେତାଙ୍କ ପତ୍ନୀ ମଧ୍ୟ ଏବିଭିପିର। ଆଶ୍ଚର୍ଯ୍ୟର କଥା ହେଉଛି, ଏବିଭିପିରେ ନିୟୋଜିତ ବରିଷ୍ଠ କେନ୍ଦ୍ରୀୟ କର୍ମକର୍ତ୍ତାଙ୍କ ପରାମର୍ଶକ୍ରମେ ଏହି ବିବାହଗୁଡ଼ିକ ମଧ୍ୟରୁ ଅଧିକାଂଶର ସମାଧାନ ହୋଇଥିଲା ବୋଲି ଛାତ୍ର ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି।

ବିଜେପି-ଆରଏସଏସ ବାହାରେ ବି ଏବିଭିପିର ଆଧିପତ୍ୟ ରହିଛି

ଏବିଭିପିର ପ୍ରଭାବ କେବଳ ବିଜେପି ଏବଂ ଆରଏସଏସରେ ସୀମିତ ନାହିଁ, ଏହା ଶିକ୍ଷା ଜଗତରେ ବହୁତ ପଅଭାବଶାଳୀ ହୋଇଛି – ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିଠାରୁ ଆରମ୍ଭ କରି ଶିକ୍ଷା ସମ୍ବନ୍ଧୀୟ ନୀତି, ବିଶେଷକରି ମୋଦୀ ସରକାରଙ୍କ ଅଧୀନରେ ପ୍ରସ୍ତୁତ ନୂତନ ଶିକ୍ଷା ନୀତିକୁ ଏବିଭିପିରୁ ପ୍ରଫେସର ଥିବା ବ୍ୟକ୍ତିମାନେ ପ୍ରସ୍ତୁତ କରିଛନ୍ତି। ଏବିଭିପିର ବଢୁଥିବା ପ୍ରଭାବ ସମ୍ପର୍କରେ ପଚରାଯିବାରୁ ବିଜେପି ନେତା ବିନୟ ସହସ୍ରବୁଦ୍ଧେ କହିଛନ୍ତି ଯେ ଛାତ୍ର ସଂଗଠନ ଛାତ୍ର ଜୀବନକୁ ଅବଗତ କରାଇଥାଏ ଏବଂ ଯୁବମନକୁ ଶୃଙ୍ଖଳା, ସାମାଜିକ ଜୀବନ ବିଷୟରେ ପ୍ରଶିକ୍ଷଣ ଦେଇଥାଏ ଏବଂ ସମାଜ ପାଇଁ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଥାଏ। ଏହା ଲୋକମାନଙ୍କୁ ନିର୍ବାଚନ ଲଢ଼ିବା ଭଳି କାର୍ଯ୍ୟରେ ସାମିଲ ହେବାକୁ ପ୍ରେରଣା ଦେଇଥାଏ ଯେଉଁଥିରେ ସଂଘର ଅନ୍ୟାନ୍ୟ ଅନୁବନ୍ଧିତ ସଂଗଠନ ସାଧାରଣତଃ ସମ୍ପୃକ୍ତ ନୁହଁନ୍ତି।

Categories
ଆଞ୍ଚଳିକ

ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚୀନ ସାମଗ୍ରୀ ବର୍ଜନ ଉଦ୍ଦେଶ୍ୟରେ ବିକ୍ଷୋଭ ପ୍ରଦର୍ଶନ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଆଜି ପୂର୍ବାହ୍ନ ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚୀନ୍ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ବାଣପୁର ମା ଭଗବତୀ ମନ୍ଦିର ସମ୍ମୁଖରେ ପ୍ଲାକାଡ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଦେଶର ଜନତା ଅର୍ଥନୈତିକ କ୍ଷେତ୍ରରେ ଚୀନ୍ କୁ ଜବାବ୍ ଦେବା ପାଇଁ ଚୀନ୍ ସାମଗ୍ରୀକୁ ବର୍ଜ୍ଜନ କରିବା ପାଇଁ ନଗର ସମ୍ପାଦକ ବିକାଶ କୁମାର ସେଠୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଲଦାଖର ଗଲାୱାନ ଉପତ୍ୟକାରେ ଚୀନ ଓ ଆମ ଦେଶର ସୈନିକଙ୍କ ଭିତରେ ରକ୍ତାକ୍ତ ସଂଘର୍ଷ ଘଟି ୨୦ ଜଣ ସୈନିକ ସହିଦ ହେବା, ୫୦ ରୁ ଅଧିକ ଆହତ ହେବା ଖବର ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟଥିତ ତଥା କ୍ରୁଦ୍ଧ କରିଛି। ସମଗ୍ର ଦେଶରେ ଚୀନର ବିଶ୍ଵାସ ଘାତକତାକୁ ବରଦାସ୍ତ କରିପାରୁନି। ଧୀରେ ଧୀରେ ସମଗ୍ର ଦେଶରେ ଚୀନର ଏହି ବିଶ୍ଵାସ ଘାତକତା ପ୍ରତି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏନେଇ ସାରା ଦେଶରେ ବିଭିନ୍ନ ସଂଗଠନ ଦ୍ଵାରା ଚୀନର ସାମଗ୍ରୀ ବର୍ଜ୍ଜନ କରିବା ପାଇଁ ଆହ୍ୱାନ ଦିଆଯାଉଛି।

ଏହି ପରିପ୍ରେକ୍ଷୀରେ ଆଜି ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଚୀନ ସାମଗ୍ରୀ ବର୍ଜ୍ଜନ ଉଦ୍ଦେଶ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ପ୍ରତିବାଦ କାର୍ଯ୍ୟକ୍ରମରେ ନଗର ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ, ଗୋଦାବରୀଶ ଜୁନିଅର୍ କଲେଜ କ୍ୟାମ୍ପସ ସଭାପତି ପ୍ରୀୟଂଶୁ ପ୍ରଧାନ, ପି.ବି.ବି କ୍ୟାମ୍ପସ ସଭାପତି ସିଦ୍ଧାର୍ଥ ବାରିକ, ରାଜେଶ୍ ପ୍ରଧାନ, ସୋମନାଥ ପଣ୍ଡା, ଦେବବ୍ରତ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ଏବିଭିପି ବାଣପୁର-ବାଲୁଗାଁ ପକ୍ଷରୁ କରୋନା ଯୋଦ୍ଧାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ସୀତାରାମ ଅଗ୍ରଓ୍ବାଲ
ବାଣପୁର : କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ । ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓଡିଶା ଦ୍ୱାରା ସମଗ୍ର ରାଜ୍ୟରେ ଏକକାଳୀନ ଭାବେ ପାଖାପାଖି 25000 କାର୍ଯ୍ୟକର୍ତାଙ୍କ ଦ୍ୱାରା 10000 ସ୍ଥାନରେ ପ୍ରାୟ ଏକ ଲକ୍ଷ୍ୟ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ ଅନୁରୂପ ଭାବେ କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର- ବାଲୁଗାଁ ଏ.ବି.ଭି.ପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ କାର୍ଯ୍ୟକର୍ତାଙ୍କ ଦ୍ୱାରା ବାଣପୁର ଅଞ୍ଚଳର ପ୍ରତାପ ଗ୍ରାମର ଆଶା କର୍ମୀ, ତୁମୁରାପୁଟ ପଞ୍ଚାୟତର ସରପଞ୍ଚ, ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଅଞ୍ଚଳର କରୋନା ଯୋଦ୍ଧମାନେ ଯଥା ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଗଣ ଓ କର୍ମଚାରୀ, ଗମ୍ଭାରୀମୁଣ୍ଡା ଫାଣ୍ଡି ଅଧିକାରୀ, କୁଲେଇ ପଞ୍ଚାୟତ ସରପଞ୍ଚ ଓ ୱାର୍ଡ ମେମ୍ବର ବୃନ୍ଦ, ନାଚୁଣୀ ଫାଣ୍ଡି ଅଧିକାରୀ ଓ ନାଚୁଣୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଆଳତି କରି ,ପୁଷ୍ପ,ଚନ୍ଦନ ଲଗାଇ, ମିଷ୍ଟାନ ଖୁଆଇ, ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l

ଏହି କରୋନା ଯୋଦ୍ଧା ମାନେ ନିଜ ଜୀବନକୁ ବିପନ୍ନ କରି ସମାଜକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ଭାରତ ବର୍ଷ ଯୁଗଯୁଗ ଧରି ଏମାନଙ୍କ ଅବଦାନକୁ ମନେ ରଖିବ ବୋଲି ଏବିଭିପି ଖୋର୍ଦ୍ଧା ଜିଲ୍ଲା ଛାତ୍ରୀ ପ୍ରମୁଖ ସଂଗୀତା ସ୍ୱାଇଁ ମତ ପ୍ରକାଶ କରିଥିଲେ । ଏବିଭିପି ପର୍ଶୁରାମ ଜୁନିଅର କଲେଜ୍ କ୍ୟାମ୍ପସ ୟୁନିଟ ସଭାପତି ସୁଜିତ୍ କୁମାର ଜେନା ଓ ଏବିଭିପି ନାଚୁଣୀ ଜୁନିଅର୍ କଲେଜ କ୍ୟାମ୍ପସ ୟୁନିଟ ସଭାପତି ସୌମ୍ୟ ରଞ୍ଜନ ସାହୁ ସମ୍ପୂର୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନଗର ସମ୍ପାଦକ ବିକାଶ କୁମାର ସେଠୀ, ସହ ସମ୍ପାଦକ ବିବେକାନନ୍ଦ ଗଡ଼ନାୟକ ଓ ନାଚୁଣୀ ଡିଗ୍ରୀ କଲେଜ ଏବିଭିପି କ୍ୟାମ୍ପସ ୟୁନିଟ୍ ସଭାପତି ବିପ୍ଳବ ଗୁରୁ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଏବିଭିପିର ଏତାଦୃଶ କାର୍ଯ୍ୟକୁ ବାଣପୁର, ଗମ୍ଭାରୀମୁଣ୍ଡା ଓ ନାଚୁଣୀ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି ।

Categories
ଆଜିର ଖବର ଆଞ୍ଚଳିକ

ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟ ଉପକରଣ ପ୍ରଦାନ ସହିତ ବିଭିନ୍ନ ଦେୟ ଛାଡ଼ ଦାବିରେ ଶୋଭାଯାତ୍ରା

ରଞ୍ଜିତ୍‌ ପଣ୍ଡା

କୁଜଙ୍ଗ: ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର କୁଜଙ୍ଗ ଶାଖା ପକ୍ଷରୁ ଆଜି କୁଜଙ୍ଗଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କରୋନା ଭାଇରସ ଯୋଗୁ ଶିକ୍ଷାକ୍ଷେତ୍ରରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରୀଛାତ୍ରୀମାନଙ୍କୁ ପାଠ୍ୟ ଉପରକରଣ ବିନା ଦେୟରେ ପ୍ରଦାନ କରିବା, ବିଦ୍ୟାଳୟ, ମହାବିଦ୍ୟାଳୟ ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଦେୟ ମୁକ୍ତ କରିବା ଆଦି ଦାବିରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ଼ ଧରି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନେ କୁଜଙ୍ଗସ୍ଥିତ ଲୋକନାଥ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରି କଟକ-ପାରାଦୀପ ରାଜ୍ୟ ରାଜପଥ ଏବଂ କୁଜଙ୍ଗ ବଜାର ପରିକ୍ରମା କରିଥିଲେ। ପରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ପ୍ରାକ୍ତନ ଅଖିଳ ଭାରତୀୟ ଛାତ୍ର ସଙ୍ଘର ପ୍ରାକ୍ତନ ରାଜ୍ୟ ସଭାପତି ସୁବାଷ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ଅଜୟ ବେବେରା, ଗୌତମ ଦାସ, ଚିନ୍ମୟୀ  ନାୟକ, ତପସ୍ୱିନୀ ସାହୁ, ଜୟଶ୍ରୀ ବେହେରା, ଲିପିକା ବେହେରା, ବେବିନା ମାଝୀ, ଲକ୍ଷ୍ମୀପ୍ରିୟା ବାରିକ, ରୋଜାଲିନ ଦାସ, ପୁଷ୍ପଲତା ସାହୁ, ସୁବ୍ରତ ବେହେରା, ସୂୂର୍ଯ୍ୟକାନ୍ତ ଦାସ ପ୍ରମୁଖ ଛାତ୍ରଛାତ୍ରୀ ତଥା ଛାତ୍ରନେତା ମାନେ କାର୍ଯ୍ୟକ୍ରମରେ ଅଂଶ  ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଏବିଭିପି ଦ୍ୱାରା କରୋନା ଯୋଦ୍ଧାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବାଣପୁର: କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ଆମ ଦେଶର ପୁଲିସ, ପ୍ରଶାସନ, ଡାକ୍ତର, ସଫେଇ କର୍ମଚାରୀ ଓ ସାମ୍ବାଦିକ। ଏମାନେ କୌଣସି ଯୋଦ୍ଧାରୁ କମ ନୁହନ୍ତି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସଦାସର୍ବଦା ଶିକ୍ଷା କ୍ଷେତ୍ରରେ କାମ କରିବା ସହିତ ସାମାଜିକ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସେବା କରିଥାଏ। କରୋନା ମୁକାବିଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଏହି କରୋନା ଯୋଦ୍ଧା ମାନଙ୍କୁ ଆଜି ବାଣପୁର ଏବିଭିପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, ପୋଲିସ୍‌ କର୍ମୀ ଏବଂ ଏନ.ଏ.ସି ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଧୁର୍ଜତ୍ତି ପ୍ରସାଦ ମହାପାତ୍ର, ଡାକ୍ତର କୌନ୍ତେୟ ଦାସ, ଡାକ୍ତର ସ୍ମୃତି ସାହୁ, ଡାକ୍ତର ସୁରଜ ମେହେର, ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ପାଢ଼ୀ, ବାଣପୁର ତହସିଲଦାର ମନ୍ମଥ ବେହେରା, ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାନନ୍ଦ ସ୍ୱାଇଁ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ, ଏସ.ଆଇ ଦିଗବିଜୟ ବିଶ୍ୱାଳ, ପ୍ରସନ୍ନ ଜେନା, ସି.ଏସ.ଆଇ ଜ୍ୟୋସ୍ନାରାଣୀ ଖୁଣ୍ଟିଆ, ଆଶୁତୋଷ ପାଇକରାୟ, ଏ.ଏସ.ଆଇ ଶ୍ରୀନିବାସ ପ୍ରଧାନ, ବସନ୍ତ ପଟ୍ଟନାୟକ, ମହେନ୍ଦ୍ର ସେଠି, ମୁରଲୀ ବଳିୟାରସିଂ ଏବଂ ପୀତବାସ ମହାନ୍ତି ପ୍ରମୁଖଙ୍କୁ ଆଜି ଏବିଭିପି ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏବିଭିପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଦ୍ବୀପ ଆଳତି କରାଯିବା ସହିତ ପୁଷ୍ପ ଚନ୍ଦନ ଲଗାଇ, ମିଷ୍ଟାନ ଖୁଆଇ, ଉପଢୌକନ ଓ ପ୍ରଶଂସା ପତ୍ର ଦେଇ ସମସ୍ତ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା।

ଏହି କରୋନା ଯୋଦ୍ଧା ମାନେ ନିଜ ଜୀବନକୁ ବିପନ୍ନ କରି ସମାଜକୁ ସୁରକ୍ଷା ପ୍ରଦାନ କରୁଛନ୍ତି, ଭାରତ ବର୍ଷ ଯୁଗଯୁଗ ଧରି ଏମାନଙ୍କ ଅବଦାନକୁ ମନେ ରଖିବ ବୋଲି ଏବିଭିପି ବାଣପୁର-ବାଲୁଗାଁ ନଗର ସମ୍ପାଦକ ବିକାଶ ସେଠି ମତ ପ୍ରକାଶ କରିଥିଲେ। ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୀତାରମ ଅଗ୍ରଓ୍ବାଲ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଛାତ୍ରୀ ସହ ପ୍ରମୁଖ ସଙ୍ଗୀତା ସ୍ବାଇଁ, ବାଲୁଗାଁ କଲେଜ ଯୁକ୍ତ ତିନି କ୍ୟାମ୍ପସ୍‌ ୟୁନିଟ୍‌ ସଭାପତି ବିକ୍ରମ କେଶରୀ ଜେନା, ଏବିଭିପିର ଶୁଭେଚ୍ଛୁ ତଥା ଯୁବ ସମାଜସେବୀ ବୁନୁ ଆଚାର୍ଯ୍ୟ, ଅଜୟ, ସୁଜିତ, ସିଦ୍ଧାର୍ଥ ଏବଂ ବର୍ଷା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ବାଣପୁର -ବାଲୁଗାଁ ଏବିଭିପି ପକ୍ଷରୁ ନିୟମିତ ଭାବରେ କରୋନା ସଚେତନତା ଏବଂ ସେବା କାର୍ଯ୍ୟ ଜାରି ରହିଛି।

 

Categories
ଆଞ୍ଚଳିକ

ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଏବିଭିପିର ଛାତ୍ର ଆକ୍ରୋଶ ସମାବେଶ

କୃଷ୍ଣଚନ୍ଦ୍ର ସୁଆଁସିଆ
ଗଞ୍ଜାମ : ଶିକ୍ଷା, ସୁରକ୍ଷା ଓ ରୋଜଗାର ସମସ୍ତଙ୍କ ଅଧିକାର । ଏବିଭିପି ଗଞ୍ଜାମ ପକ୍ଷରୁ ଗୁରୁବାର ଏକ ଛାତ୍ର ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ଓ ସମସ୍ତ ମହାବିଦ୍ୟାଳୟରେ ଖାଲି ରହିଥିବା ସମସ୍ତ ଅଧ୍ୟାପକ ପୂରଣ ପାଇଁ ଦାବି କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ପାଇଁ ଛାତ୍ରାବାସ ନିର୍ମାଣ, ଜିଲ୍ଲାକୁ ନିଶାମୁକ୍ତ କରିବା, କ୍ୟାମ୍ପସ ମଧ୍ୟକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍‌, ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା, କୁଟୀର ଶିଳ୍ପ ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା କରି ଯୁବକ ମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିବା ଦାବିରେ ଏହି ଛାତ୍ର ଆକ୍ରୋଶ ଅନୁଷ୍ଠିତ ହୋଇଥିଲା । ଏହି ଛାତ୍ର ଆକ୍ରୋଶ ଶୋଭାଯାତ୍ରା ଖଲ୍ଲିକୋଟରୁ ଆରମ୍ଭ ହୋଇ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । 600ରୁ ଅଧିକ ବିଦ୍ୟାର୍ଥୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଯଦି ସରକାର ଉପରୋକ୍ତ ସମସ୍ୟା ପ୍ରତି ଧ୍ୟାନ ନଦିଅନ୍ତି ତେବେ ଆଗାମୀ ଦିନରେ ବୃହତ୍ତର ଛାତ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସ୍ମୃତିସୁଧା ସାହୁ, ବିଭାଗ ସଂଯୋଜକ ଟୁଟୁନ୍‌ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଶେଖର ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ବେହେରା, କୃଷ୍ଣ ପଲାଇ ଏବଂ ସ୍ବାଗତ କୁମାର ତ୍ରିପାଠୀ ପ୍ରମୁଖ ମହିଳା ସୁରକ୍ଷାକୁ ପ୍ରାଧାନ୍ୟ ଦେବା ନିମନ୍ତେ ଦାବି କରିଥିଲେ । ଏହାପରେ ଏବିଭିପିର ଏକ ପ୍ରତିନିଧି ଦଳ 12 ଦଫା ସମ୍ବଳିତ ଏକ ଦାବି ଆରଡିସିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ସମାବେଶରେ ମହାନଗର ସମ୍ପାଦକ ଚିନ୍ମୟାନନ୍ଦ ପଟ୍ଟନାୟକ, ଚନ୍ଦନ ପାତ୍ର, ବିନାୟକ ପଣ୍ଡା, ରଜତ କୁମାର ପାଢୀ, ସହ ସମ୍ପାଦିକା ବିଭୁପ୍ରିୟା ବିଷୋୟୀ, ଅନନ୍ତ ପ୍ରଧାନ, ଦେବାଶିଷ ମିଶ୍ର, ଜଗନ୍ନାଥ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଆଞ୍ଚଳିକ ରାଜ୍ୟ ଖବର

ଏବିଭିପି ପକ୍ଷରୁ ବାଲୁଗାଁ-ବାଣପୁର ଏବଂ ନାଚୁଣୀରେ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

ସମୀକ୍ଷା ବ୍ୟୁରୋ
ବାଣପୁର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଆଜି ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଛି। ବାଣପୁର,ବାଲୁଗାଁ ଏବଂ ନାଚୁଣୀରେ ଏକକାଳୀନ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି । ବାଣପୁରର ସହୀଦ କୃତିବାସ ଭବନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ଓଡିଶା ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବରେ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଭେଟେଶ୍ବର ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ ଯୋଗ ଦେଇଥିଲେ । ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସମ୍ମାନିତ ଅତିଥି ଭାବରେ ଏବିଭିପିର ଶୁଭେଚ୍ଛୁ ତଥା 13 ନଂ ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ, ଖୋର୍ଦ୍ଧା ଅମରେନ୍ଦ୍ର ରଣସିଂହ ଓ ବାଣପୁର ଅଞ୍ଚଳର ସମାଜସେବୀ ଭଗବାନ ପ୍ରଧାନ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନଗର ସମ୍ପାଦକ ବିକାଶ କୁମାର ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଛାତ୍ରୀ ପ୍ରମୁଖ ସଙ୍ଗୀତା ସ୍ବାଇଁ ପରିଷଦ ଗୀତ ଗାନ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏବିଭିପିର ରାଜ୍ୟ ଏସ୍‌ଏଫ୍‌ଡି ଯୁଗ୍ମ ସଂଯୋଜକ ତଥା ଖୋର୍ଦ୍ଧା ଜିଲ୍ଲା ସହପ୍ରମୁଖ ସୀତାରାମ ଅଗ୍ରଓ୍ବାଲ ପରିଚାଳନା କରିଥିବା ବେଳେ ନଗର ସହ ସମ୍ପାଦକ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ଫୁଲତୋଡା ପ୍ରତିବଦଳରେ ଅଭିନବ ଭାବରେ ଚାରାବୃକ୍ଷ ପ୍ରଦାନ କରାଯାଇଥିଲା।

ଅନୁରୂପ ଭାବରେ ନାଚୁଣୀ ଏବଂ ବାଲୁଗାଁ ଶାଖା ପକ୍ଷରୁ ମଧ୍ୟ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ନାଚୁଣୀ ଶାଖା ପକ୍ଷରୁ ବିଦ୍ୟାର୍ଥୀ ଟ୍ୟୁଟୋରିଆଲ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବାଲୁଗାଁ ଶାଖା ପକ୍ଷରୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଦ୍ୟାର୍ଥୀ ଟ୍ୟୁଟୋରିଆଲ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଳିଜାଇ ଜୁନିୟର ରେସିଡନ୍ସିଆଲ କଲେଜର ଅଧ୍ୟକ୍ଷ ପ୍ରଫେସର ଗଙ୍ଗାଧର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ସମାଜସେବୀ ନିରଞ୍ଜନ ଦାଶ ଯୋଗ ଦେଇଥିଲେ । ନାଚୁଣୀ କଲେଜ ଯୁକ୍ତ ୩ ଏବିଭିପି କ୍ୟାମ୍ପସ୍‌ ୟୁନିଟ୍‌ ସଭାପତି ବିପ୍ଲବ ଗୁରୁ ଏବଂ ଜିଲ୍ଲା କମିଟି ସଦସ୍ୟ ରବୀନ୍ଦ୍ର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବାଲୁଗାଁରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲୁଗାଁ କଲେଜ ଯୁକ୍ତ ୩ ଏବିଭିପି କ୍ୟାମ୍ପସ୍‌ ୟୁନିଟ୍‌ ସଭାପତି ତରୁଣ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଲୁଗାଁ ସରସ୍ବତୀ ଶିଶୁ ମନ୍ଦିର ସମ୍ପାଦକ ରଞ୍ଜିତ କୁମାର ବଡଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପୂର୍ବତନ ଏବିଭିପି କାର୍ଯ୍ୟକର୍ତ୍ତା ତଥା ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସତ୍ୟନାରାୟଣ ସେନାପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ବାଣପୁର ପରି ବାଲୁଗାଁ ଏବଂ ନାଚୁଣୀରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଅହମ୍ମଦାବାଦରେ ଏବିଭିପି ଓ ଏନ୍‌ଏସ୍‌ୟୁ ମଧ୍ୟରେ ମାରପିଟ୍‌

ଅହମ୍ମଦାବାଦ, 7/1: ଜେଏନ୍‌ୟୁ ହିଂସା ନେଇ ଦେଶର ବିଭିନ୍ନ ସହରରେ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଗୁଜରାଟ ଅହମ୍ମଦାବାଦ୍‌ରେ ଏବିଭିପି-ଏନ୍‌ଏସ୍‌ୟୁଆଇ କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି। ଉଭୟପକ୍ଷଙ୍କ ମଧ୍ୟରେ ମାଡ଼ପିଟ ହୋଇଛି। ଏହା ସହିତ ଉଭୟ ପକ୍ଷଙ୍କ ମଧ୍ୟରେ ଟେକା ପଥର ମାଡ଼ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କେତେକ ସାଧାରଣ ଲୋକ ଆହତ ହୋଇଥିବା କୁହାଯାଉଛି। ଏବିଭିପି କାର୍ଯ୍ୟାଳୟ ନିକଟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି।

ଦିଲ୍ଲୀ ଜେଏନ୍‌ୟୁରେ ହୋଇଥିବା ହିଂସାକୁ ନେଇ ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ମଙ୍ଗଳବାର ଗୁଜୁରାଟର ଅହମ୍ମଦାବାଦରେ ଏବିଭିପି ଓ ଏନ୍‌ଏସ୍‌ୟୁଆଇର କର୍ମକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ମାରପିଟ୍‌ ହେବା ସହିତ ଟେକା ପଥର ମାଡ଼ ହୋଇଥିବାର ସୂଚନା ରହିଛି । ଏହି ଘଟଣାରେ କିଛି ଆହତ ମଧ୍ୟ ହୋଇଛନ୍ତି । ଜାନୁଆରୀ 5 ତାରିଖରେ ଜେଏନ୍‌ୟୁରେ ହୋଇଥିବା ହିଂସା ପରେ ଦେଶର ଅନେକ ବିଶ୍ବବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ଯାଦବପୁର ବିଶ୍ବବିଦ୍ୟାଳୟରେ ମଧ୍ୟ ସୋମବାର ଦିନ ବିରୋଧ ପ୍ରଦର୍ଶନ କରାଯାଇଥିଲା  । ଯାଦବପୁର ବିଶ୍ବବିଦ୍ୟାଳୟ ସମେତ ମୁମ୍ବାଇର ଗେଟ୍‌ଓ୍ବେ ଅଫ୍‌ ଇଣ୍‌ଡିଆଠାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଅନୁରାଗ କଶ୍ୟପ, ବିଶାଳ ଭରଦ୍ବାଜ, ତାପସୀ ପନ୍ନୁଙ୍କ ପରି ବହୁ ବଲିଉଡ୍‌ ହସ୍ତୀ ଉପସ୍ଥିତ ରହିଥିଲେ । (ଏଜେନ୍ସି)

Categories
ଆଞ୍ଚଳିକ ରାଜ୍ୟ ଖବର

ନାଚୁଣୀରେ ସିଏଏ ସପକ୍ଷରେ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ଶୋଭାଯାତ୍ରା

ସମୀକ୍ଷା ବ୍ୟୁରୋ
ବାଣପୁର/ନାଚୁଣୀ, ୨୫/୧୨: ଦେଶରେ ନାଗରିକତା ସଂଶୋଧନ ବିଲ୍‌ ଆଇନରେ ପରିଣତ ହେବା ପରେ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଉଛି। ଏହି ଆଇନକୁ ସମ୍ବିଧାନ ବିରୋଧୀ ବୋଲି ଅଭିହିତ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କିନ୍ତୁ ଏହା ସପକ୍ଷରେ ମଧ୍ୟ ଦେଶ ସାରା ଅନେକ ସଙ୍ଗଠନ ଶୋଭାଯାତ୍ରା କରୁଥିବାର ଦେଖିବାକୁ ମିଳୁଛି। ସେହିପରି ଆଜି ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ପକ୍ଷରୁ ନାଚୁଣୀ ଠାରେ ସିଏଏ ସପକ୍ଷରେ ଏକ ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ଅଧୀନରେ ଥିବା ନାଚୁଣୀ ୟୁନିଟ ଦ୍ଵାରା ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ନାଚୁଣୀ ମହାବିଦ୍ୟାଳୟରୁ ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଢୋଲ ବାଜା, ଫଗୁ ଏବଂ ତ୍ରିରଙ୍ଗା ପତକା ଧରି ଶତାଧିକ କର୍ମୀ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ। ଶୋଭାଯାତ୍ରା ନୀଳକଣ୍ଠେଶ୍ଵର ମନ୍ଦିରରେ ପହଞ୍ଚିବା ପରେ ଏକ ପଥପ୍ରାନ୍ତ ସଭାର ଆୟୋଜିତ ହୋଇଥିଲା। ଏହି ନିୟମ ଦେଶ ପାଇଁ ଅପରିହାର୍ଯ୍ୟ ଓ ବହୁ ପୂର୍ବରୁ ଆଣିବାର ଥିଲା ବୋଲି ବିଦ୍ୟାର୍ଥୀ ପରିଷଦର ନଗର ସମ୍ପାଦକ ବିକାଶ କୁମାର ସେଠି ପ୍ରକାଶ କରିଥିଲେ। ଏହି ଆଇନକୁ ବିରୋଧ କରିବା ଆଳରେ ହେଉଥିବା ହିଂସାକୁ ଦୃଢ ବିରୋଧ କରିବା ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ଏବିଭିପିର ଶୁଭେଚ୍ଛୁ ତଥା ଚଣ୍ଡେଶ୍ବରର ଯୁବନେତା ସମର ରଞ୍ଜନ ସୁବୁଦ୍ଧି ଏହି ଶୋଭାଯାତ୍ରାର ଆୟୋଜନ କରିଥିଲେ। ଏବିଭିପି ନାଚୁଣୀ କଲେଜର ଯୁକ୍ତ ତିନି କ୍ୟାମ୍ପସ ୟୁନିଟ ସଭାପତି ବିପ୍ଲବ ରଞ୍ଜନ ଗୁରୁ, ଜିଲ୍ଲା କମିଟି ସଦସ୍ୟ ରବୀନ୍ଦ୍ର ବାରିକ, ନଗର ସହ ସମ୍ପାଦକ ସନ୍ତୋଷ ପ୍ରଧାନ, କୀର୍ତ୍ତିରଞ୍ଜନ ଖୁଣ୍ଟିଆ, ଯଶକେତନ ସାହୁ, ରବି ସୁଆର, ଅଶୋକ, ସୁମନ ଏବଂ ଶ୍ରବଣ ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।

 

Categories
ଆଞ୍ଚଳିକ

ନାଗରିକତ୍ବ ସଂଶୋଧନ ଆଇନର ସମର୍ଥନରେ ବାଣପୁରରେ ଏବିଭିପିର ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା

ସମୀକ୍ଷା ବ୍ୟୁରୋ
ବାଣପୁର, ୨୨/୧୨: ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ଏକ ପ୍ରକାର ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି। ଏହି ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ଦେଶର ବିଭିନ୍ନ ପ୍ରାନ୍ତରୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡିଛି। ଅନେକ ସ୍ଥାନରେ ବିଲ୍‌ ବିରୋଧରେ ହିଂସାକାଣ୍ଡ ଘଟିଥିବା ବେଳେ କିଛି ସ୍ଥାନରେ ବିଲ୍‌ ସପକ୍ଷରେ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଏହି ପରୀପ୍ରେକ୍ଷୀରେ ଆଜି ବାଣପୁରରେ ସିଏଏ ସମର୍ଥନରେ ଏକ ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି।

ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସମର୍ଥନ କରି ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏବିଭିପିର ଶତାଧିକ ସଦସ୍ୟ ସ୍ଥାନୀୟ ଦକ୍ଷେଶ୍ୱର ମନ୍ଦିର ସମ୍ମୁଖରୁ ଢୋଲ, ବାଜା, ଫଗୁ, ତ୍ରିରଙ୍ଗା ପତାକା ଓ ପ୍ଲାକାର୍ଡ଼ ସହ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ପଲଟନ ପଡ଼ିଆଠାରେ ଶୋଭାଯାତ୍ରା ଶେଷ ହୋଇଥିଲା। ଶୋଭାଯାତ୍ରା ଶେଷରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।

ପଲଟନ ପଡିଆରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ କର୍ମୀମାନେ ସିଏଏ ଆଇନ ସମ୍ପର୍କରେ ସାଧାରଣ ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା। ପଡୋଶୀ ଦେଶରେ ନିର୍ଯ୍ୟାତିତ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ଏହି ଆଇନ କରାଯାଇଛି। ମାତ୍ର କିଛି ରାଜନୈତିକ ଦଳ ଏହାର ଭୁଲ ସଂଜ୍ଞା ବାହାରକରି ବିରୋଧ କରିବାସହ ଦେଶର ବିଭିନ୍ନ ସ୍ଥାନରେ ହିଂସା ଘଟାଉଛନ୍ତି ବୋଲି ଏବିଭିପି ପକ୍ଷରୁ କୁହାଯାଇଥିଲା। ଏବିଭିପି ଏପରି ହିଂସାର ଦୃଢ ବିରୋଧ ଓ ନିନ୍ଦା କରୁଛି ବୋଲି ଏବିଭିପିର ରାଜ୍ୟ ଏସ.ଏଫ.ଡି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରୱାଲ ପଥପ୍ରାନ୍ତ ସଭାରେ ଉଦବୋଧନ ଦେଇଥିଲେ। ନଗର ସମ୍ପାଦକ ବିକାଶ ସେଠି, ସହସଂପାଦକ ସନ୍ତୋଷ ପ୍ରଧାନ, ମହେଶିଷ ଲେଙ୍କା, ପ୍ରିୟାଂଶୁ ପ୍ରଧାନ, ସୌରଭ ମହାପାତ୍ର, କୀର୍ତ୍ତିରଞ୍ଜନ ଖୁଣ୍ଟିଆ, ଗଣେଶ, ଅଜୟ, ହିମାଂଶୁ, ଶିବ, ଆଦିତ୍ୟ, ସିଦ୍ଧାର୍ଥ ପ୍ରମୁଖ ଏହି ଶୋଭାଯାତ୍ରା ଏବଂ ପଥପ୍ରାନ୍ତ ସଭାରେ ସହଯୋଗ କରିବା ସହ ଏକ ଶହରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

Categories
ଆଞ୍ଚଳିକ

ହାଇଦ୍ରାବାଦ ଗଣଦୁଷ୍କର୍ମ ପୀଡିତାଙ୍କ ଉଦ୍ଦେଶ୍ୟରେ ଏବିଭିପି ବ୍ରହ୍ମପୁର ଶାଖାର କ୍ୟାଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର,୧/୧୨: ହାଇଦ୍ରାବାଦରେ କାର୍ଯ୍ୟରତ ମହିଳା ଡାକ୍ତର ଗଣଦୁଷ୍କର୍ମ ଏବଂ ହତ୍ୟା ବିରୋଧରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି। ଏପରି ପାଶବିକ ଘଟଣାର ନିନ୍ଦା କରାଯିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ବର୍ବର ଘଟଣାର ଅଭିଯୁକ୍ତକୁ ଫାଶି ଦିଆଯାଉ ବୋଲି ଛାତ୍ରୀ ସ୍ମୃତି ସୁଦ୍ଧା ସାହୁ କହିଛନ୍ତି। ଏହି ଶୋଭାଯାତ୍ରାରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ଲକ୍ଷ୍ମୀ ପ୍ରିୟା ବେହେରା, ବିଭୁପ୍ରିୟ ସାହୁ, ସସ୍ମିତା ବେହେରା, ଆଶୁତୋଷ ସାହୁ, ନିରାକାର, ପ୍ରିୟରଞ୍ଜନ ମଲ୍ଲିକ, ଚିନ୍ମୟାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟର :କୃଷ୍ଣଚନ୍ଦ୍ର ସୁଆଁସିଆ, ମୋବାଇଲ : ୭୭୮୭୯୭୩୫୬୭

Categories
ଆଞ୍ଚଳିକ

ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅସୁବିଧା ନେଇ ଏବିଭିପିର ସାଇକେଲ ଶୋଭାଯାତ୍ରା ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ସମୀକ୍ଷା ବ୍ୟୁରୋ

ବାଣପୁର,୨୮/୧୧ : ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବାଣପୁର-ବାଲୁଗାଁ ନଗର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ପୁରୀ ସାଂସଦ, ଚିଲିକା ବିଧାୟକ, ସ୍ବାସ୍ଥ୍ୟ ସଚିବ, ୫ଟି ସଚିବ, ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଏବଂ ବାଣପୁର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ନିକଟକୁ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଅସୁବିଧା ସମ୍ବଳିତ ଏକ ଦାବିପତ୍ର ପଠାଯାଇଛି। ଏହା ସହିତ ସାଧାରଣ ଲୋକଙ୍କୁ ସ୍ବାସ୍ଥ୍ୟସେବାର ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ଆଗାମୀ ଦିନରେ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଅବିଭିକ୍ତ ପୁରୀ ଜିଲ୍ଲାର ସର୍ବପୁରାତନ ଡାକ୍ତରଖାନା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଜି ଅବହେଳିତ ଅବସ୍ଥାରେ ରହିଛି। ୧୮୬୪ ମସିହା ବ୍ରିଟିଶ୍‌ ଅମଳରେ ଅବିଭକ୍ତ ପୁରୀ ମଧ୍ୟରେ ନିର୍ମିତ ହୋଇଥିଲା ବାଣପୁର ସ୍ବାସ୍ଥ୍ୟକେନ୍ଦ୍ର। ୧୯୯୧ରେ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା। କିନ୍ତୁ ବାଣପୁରର ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ସରକାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟ ପାଇଁ ସ୍ବାସ୍ଥ୍ୟସେବା ପ୍ରତି ବିଶେଷ ଧ୍ୟାନ ଦେଉଥିବାବେଳେ ସରକାରୀ ଆଢୁଆଳରେ ରହିଛି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ସରକାରଙ୍କ ୫ଟି ଯୋଜନା ଏଠାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ରାଜ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କୋଟି କୋଟି ଅର୍ଥ ବିନିଯୋଗ ହେଉଥିବାବେଳେ ବାଣପୁରରେ ଏହା ଫଳଶୂନ୍ୟ।

ଏବିଭିପିର ରାଜ୍ୟ ଏସ୍‌ଏଫଡ଼ି ଯୁଗ୍ମ ସଂଯୋଜକ ସୀତାରାମ ଅଗ୍ରଓ୍ବାଲ ଏବଂ ନଗର ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିକାଶ କୁମାର ସେଠୀଙ୍କ ନେତୃତ୍ବରେ ଶତାଧିକ ଛାତ୍ର ଏହି ସାଇକେଲ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏତଦ୍‌ବ୍ୟତୀତ ବାଣପୁରର ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ରାଧାକ୍ରିଷ୍ଣ ରାମ ଏବଂ ସହଦେବ ନାୟକ, ଡାକ୍ତର ସୁଧାଂଶୁ ମିଶ୍ର, ୧୩ ନଂ ଜୋନ୍‌ ଜିଲ୍ଲାପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ, ବାଣପୁର ବାର ଆସୋସିଏସନ୍‌ ସଭାପତି ବୃନ୍ଦାବନ ପ୍ରଧାନ ପ୍ରମୁଖ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

ଡାକ୍ତରଖାନାରେ ରହିଥିବା ପ୍ରମୁଖ ସମସ୍ୟା :

ଏହି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ବିଭାଗରେ ଡାକ୍ତର ପଦବୀ ଖାଲି ପଡିଛି।

୧୦ ବର୍ଷର ଉର୍ଦ୍ଧ୍ବ ହେବ ଏକ୍ସରେ ବିଭାଗ ଅଚଳ ହୋଇପଡିଛି।

ଏଠାରେ ୯ଟି ବିଭାଗର ଡାକ୍ତର ପଦବୀ ରହିଥିବାବେଳେ ମାତ୍ର ଦୁଇଜଣ ଠିକା ଡାକ୍ତର ରହିଛନ୍ତି।

ଏଠାରେ କେବଳ ସ୍ତ୍ରୀରୋଗ ବିଶେଷଜ୍ଞରେ ଠିକା ଡାକ୍ତର ରୂପେ ଡ. ମହାରଣା ରହିଥିବାବେଳେ ଅନ୍ୟ ୮ଟି ବିଶେଷଜ୍ଞ ପଦବୀ ଖାଲି ରହିଛି।

ସେହିପରି ଏଠାରେ ୧୨ ଜଣ ଷ୍ଟାଫ ନର୍ସ ରହିଥିବାର ନିୟମ ଥିବାବେଳେ ମାତ୍ର ୨ ଜଣ ନର୍ସ ରହିଛନ୍ତି।

ସ୍ବଚ୍ଛତା ଓ ସୁରକ୍ଷାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। ପାଚେରୀ ଭଙ୍ଗାଯାଇଥିବା କାରଣରୁ ଅବାଧରେ ପଶୁ ଜନ୍ତୁ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ଯା’ଆସ କରୁଛନ୍ତି।

ପ୍ରତି ଓ୍ବାର୍ଡରେ ମଶା ମାଛିଙ୍କ ଉପଦ୍ରବ ହେଉଥିବାବେଳେ ଏହାର ମୁଖ୍ୟଫାଟକ ଅଧାଦିନ ବନ୍ଦ ରହୁଛି। ଯାହାଫଳରେ ରୋଗୀମାନେ ସ୍ବାସ୍ଥ୍ୟକେନ୍ଦ୍ର ଭିତରକୁ ଯିବା ପାଇଁ ବୁଲି ବୁଲି ଯାଉଛନ୍ତି।

ଏଠାରେ ଷ୍ଟାଫ୍‌ ନର୍ସ ଓ ଡାକ୍ତରଙ୍କ ପାଇଁ ଷ୍ଟାପ୍‌ କ୍ବାର୍ଟସ୍‌ ନାହିଁ।