ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଏବିଭିପିର ଛାତ୍ର ଆକ୍ରୋଶ ସମାବେଶ

Published: Feb 20, 2020, 7:49 pm IST

କୃଷ୍ଣଚନ୍ଦ୍ର ସୁଆଁସିଆ
ଗଞ୍ଜାମ : ଶିକ୍ଷା, ସୁରକ୍ଷା ଓ ରୋଜଗାର ସମସ୍ତଙ୍କ ଅଧିକାର । ଏବିଭିପି ଗଞ୍ଜାମ ପକ୍ଷରୁ ଗୁରୁବାର ଏକ ଛାତ୍ର ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ଓ ସମସ୍ତ ମହାବିଦ୍ୟାଳୟରେ ଖାଲି ରହିଥିବା ସମସ୍ତ ଅଧ୍ୟାପକ ପୂରଣ ପାଇଁ ଦାବି କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ପାଇଁ ଛାତ୍ରାବାସ ନିର୍ମାଣ, ଜିଲ୍ଲାକୁ ନିଶାମୁକ୍ତ କରିବା, କ୍ୟାମ୍ପସ ମଧ୍ୟକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍‌, ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା, କୁଟୀର ଶିଳ୍ପ ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା କରି ଯୁବକ ମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିବା ଦାବିରେ ଏହି ଛାତ୍ର ଆକ୍ରୋଶ ଅନୁଷ୍ଠିତ ହୋଇଥିଲା । ଏହି ଛାତ୍ର ଆକ୍ରୋଶ ଶୋଭାଯାତ୍ରା ଖଲ୍ଲିକୋଟରୁ ଆରମ୍ଭ ହୋଇ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । 600ରୁ ଅଧିକ ବିଦ୍ୟାର୍ଥୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଯଦି ସରକାର ଉପରୋକ୍ତ ସମସ୍ୟା ପ୍ରତି ଧ୍ୟାନ ନଦିଅନ୍ତି ତେବେ ଆଗାମୀ ଦିନରେ ବୃହତ୍ତର ଛାତ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସ୍ମୃତିସୁଧା ସାହୁ, ବିଭାଗ ସଂଯୋଜକ ଟୁଟୁନ୍‌ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଶେଖର ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ବେହେରା, କୃଷ୍ଣ ପଲାଇ ଏବଂ ସ୍ବାଗତ କୁମାର ତ୍ରିପାଠୀ ପ୍ରମୁଖ ମହିଳା ସୁରକ୍ଷାକୁ ପ୍ରାଧାନ୍ୟ ଦେବା ନିମନ୍ତେ ଦାବି କରିଥିଲେ । ଏହାପରେ ଏବିଭିପିର ଏକ ପ୍ରତିନିଧି ଦଳ 12 ଦଫା ସମ୍ବଳିତ ଏକ ଦାବି ଆରଡିସିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ସମାବେଶରେ ମହାନଗର ସମ୍ପାଦକ ଚିନ୍ମୟାନନ୍ଦ ପଟ୍ଟନାୟକ, ଚନ୍ଦନ ପାତ୍ର, ବିନାୟକ ପଣ୍ଡା, ରଜତ କୁମାର ପାଢୀ, ସହ ସମ୍ପାଦିକା ବିଭୁପ୍ରିୟା ବିଷୋୟୀ, ଅନନ୍ତ ପ୍ରଧାନ, ଦେବାଶିଷ ମିଶ୍ର, ଜଗନ୍ନାଥ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Related posts