Categories
ଆଞ୍ଚଳିକ

୪ଟି ଟ୍ରେନରେ ଗଞ୍ଜାମକୁ ଫେରିଲେ ୫୪୪୪ ପ୍ରବାସୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲାକୁ ପ୍ରବାସୀଙ୍କ ଆଗମନ ଲାଗି ରହିଥିବାବେଳେ ପୂର୍ବରୁ ଜଗନ୍ନାଥପୁର ଷ୍ଟେସନରେ ଟ୍ରେନ ରହୁଥିବାବେଳେ ବର୍ତ୍ତମାନ ବ୍ରହ୍ମପୁର ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଗଂଜାମ ଜିଲ୍ଲା ପ୍ରବାସୀମାନେ ଓହ୍ଲାଇ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଯାଉଛନ୍ତି । ଆଜି ବ୍ରହ୍ମପୁରକୁ ୯ଟି ଟ୍ରେନ ଆସିବାକୁ ଥିବାବେଳେ ଖବରଲେଖା ହେବା ପର୍ଯ୍ୟନ୍ତ ୪ଟି ଟ୍ରେନ ବ୍ରହ୍ମପୁରରେ ପହଞ୍ଚିଛି । ପ୍ରଥମ ଟ୍ରେନଟି ତାମିଲନାଡ଼ୁରୁ ୮୯୮ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବାବେଳେ ଏଥିରେ ଗଂଜାମ ଜିଲ୍ଲାର ୬୩୬ ଜଣ ଅଛନ୍ତି । ସେହିପରି ଦ୍ୱିତୀୟ ଟ୍ରେନରେ ସୁରତରୁ ୧୬୩୫ ଜଣ ଆସିଥିବାବେଳେ ଏଥିରେ ଗଂଜାମ ଜିଲ୍ଲାର ୧୫୭୭ ଅଛନ୍ତି ତୃତୀୟ ଟେନଟି ମଧ୍ୟ ସୁରାଟରୁ ଆସିଥିବାବେଳେ ଏଥିରେ ୧୭୪୮ ଯାତ୍ରୀଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାର ୧୬୯୭ ଜଣ ଅଛନ୍ତି । ଚତୁର୍ଥ ଟ୍ରେନଟିରେ ୧୫୮୫ ଜଣ ପ୍ରବାସୀ ଓଡ଼ିଆ ରହିଥିବାବେଳେ ଗଂଜାମ ଜିଲ୍ଲାର ୧୫୩୪ ଜଣ ଅଛନ୍ତି । ସମୁଦାୟ ୪ ଟି ଟ୍ରେନରେ ୫୪୪୪ ଜଣ ପ୍ରବାସୀ ଗଂଜାମ ଜିଲ୍ଲାକୁ ଆସିଛନ୍ତି ବ୍ରହ୍ମପୁର ରେଳଷ୍ଟେସନରେ ଟ୍ରେନଗୁଡ଼ିକ ପହଞ୍ଚିବା ପରେ ସମସ୍ତଙ୍କର ସ୍କ୍ରିନିଂ କରାଯିବା ପରେ ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଯାଇଛି ।

Categories
ଆଞ୍ଚଳିକ

ଜନତା କର୍ଫ୍ୟୁ ଶତପ୍ରତିଶତ ସଫଳ: ଜିଲ୍ଲା ପ୍ରଶାସନ, ପୋଲିସ୍‌, ଡ଼ାକ୍ତରଙ୍କ ତତ୍ପରତା ପାଇଁ ଘଣ୍ଟି ବଜାଇ ଧନ୍ୟବାଦ ଦେଲେ ଜନତା

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ାକରାରେ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ଆଜି ଦେଶରେ ରାଜ୍ୟରେ ତଥା ଗଂଜାମ ଜିଲ୍ଲା ବ୍ରହ୍ମପୁରରେ ଜନତା କର୍ଫ୍ୟୁ ଶତପ୍ରତିଶତ ସଫଳ ହୋଇଛି । ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକଙ୍କ ମନ୍ତ୍ର ଜନତା କର୍ଫ୍ୟୁ ମାନିନେଇ ସକାଳ ୭ ଘଟିକାରୁ ରାତ୍ର ୯ ଘଟିକା ଯାଏଁ ଏତେ ବ୍ରହ୍ମପୁର ପରି ବଡ଼ ସହର ଏବଂ ଜିଲ୍ଲାର ବିଭିନ୍ନ ଗ୍ରାମ, ପୁରପଲ୍ଲୀରେ ନୀରବତା ଦେଖିବାକୁ ମିଳିଥିଲା । ଏଭଳି ନୀରବତା ବୋଧେ କେହି କେବେ ଇତିହାସରେ ଦିନବେଳେ ଦେଖିନଥିବେ । ରାସ୍ତା ଖାଁ ଖାଁ, ସବୁଆଡ଼େ ଏକ ଅଜଣା ନୀରବତା । ଏପରିକି ନୀରବତାରେ ଯେଉଁଠାରେ ପକ୍ଷୀମାନଙ୍କ ସ୍ୱର କେବେ ଶୁଭାଯାଇନଥିଲା ସେଠାରେ ଆଜି ସେମାନଙ୍କ କଳରବ ଦେଖିବାକୁ ମିଳିଛି । ବୋଧହୁଏ ଭଗବାନ ସେମାନଙ୍କ ପାଇଁ ଆଜିର ଦିନଟିଏ ଆଗରୁ ପ୍ରସ୍ତୁତ କରି ରଖିଥିଲା । ସହରର ପ୍ରତି ସାହି ଗଳି, ପ୍ରତି ଛକରେ ଜନତା ସ୍ୱତଃପୂର୍ବ ଭାବେ ଏହି କର୍ଫ୍ୟୁକୁ ସମର୍ଥନ ଦେଇଥିଲେ । ଜିଲ୍ଲାରେ ଶିକ୍ଷକ, ଅଶିକ୍ଷିତ, ବୁଢ଼ା ବୁଢ଼ୀ, ଛୁଆ ସମସ୍ତେ ଘରେ ରହି ସରକାରଙ୍କୁ ସମର୍ଥନ କରିଥିଲେ । ସନ୍ଧ୍ୟା ୫ ଘଣ୍ଟା ସମୟରେ ଆବାଳ ବୃଦ୍ଧବନିତା ହାତରେ ଘଣ୍ଟ, ଶଂଖ, ଥାଳି, ଗିନା, ତାଟିଆ ଯିଏ ଯାହା ପାଇଲା ଧରି ଶବ୍ଦ କରି ଜରୁରୀକାଳୀନ ସେବାରେ ନିୟୋଜିତ ଥିବା ପ୍ରଶାସନର ଅଧିକାରୀ ଡ଼ାକ୍ତର, ପୋଲିସ୍‌, ନର୍ସ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ସଂପ୍ରତି କରୋନା ଭୁତାଣୁ ବ୍ୟାଧି ସଂକଟରୁ ମୁକୁଳିବାର ସର୍ବଶ୍ରେଷ୍ଠ ଉପାୟ ଜନଗହଳିଠାରୁ ନିଃସଂଗତା । ଏହି ବାର୍ତ୍ତା ଏକ ସାଧନା ଓ ତପସ୍ୟା ବୋଲି ମାନିବାକୁ ସାଧାରଣ ଜନତା ସଂପୂର୍ଣ୍ଣ ପ୍ରସ୍ତୁତ । ଯେଉଁ ରୋଗ ସଇତାନ ପରି ମାଡ଼ି ଆସିଛି ଏହା ଯେ ବିଶ୍ୱ ସମୁଦାୟକୁ ଚେତାଇ ଦେଇନି ବରଂ ଅସାଧାରଣ ସଂକଟ ବଳୟକୁ ଠେଲି ଦେଇଛି । ଟିକିଏ ସତର୍କ ନ ରହିଲେ ଏତେବଡ଼ ଜନପଦ ଆଖିପୁଛାଳାକେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ମୁହଁକୁ ଠେଲି ହେବାର ପ୍ରମାଣ ପ୍ରତ୍ୟେକ ଦିନ ଅନ୍ୟ ଦେଶକୁ ଦେଖିଲେ ଦେଖିବାକୁ ମିଳୁଛି । ଭୟଙ୍କର ପରିସ୍ଥିତି ଦେଶ ବାହାର ରାଷ୍ଟ୍ର ଇଟାଲୀ, ଫ୍ରାନସ, ଜର୍ମାନୀ, ଯୁକ୍ତରାଷ୍ଟ୍ର ଆମେରିକା ଭଳି ଉନ୍ନତମାନର ଦେଶ ବିପଦ ବଳୟରେ ସଂଘର୍ଷ ଜାରି ରଖିଛନ୍ତି । ଭାରତ ଗୋଟିଏ ବିଶାଳ ଦେଶ । ବିବିଧ ଭାଷା, ସଂସ୍କୃତି, ପର୍ବପର୍ବାଣି ସାମାଜିକ ଓ ଆଧ୍ୟାତ୍ମିକ ପାରମ୍ପରିକ ଭଳି ବିଭିନ୍ନ ଅନୁଷ୍ଠାନ ଏଠାରେ ହୁଏ । ଯେଉଁଠି ହଜାର ହଜାର ଲୋକଙ୍କ ସମାଗମରେ ଯଦି ଜଣେ କରୋନା ସଂକ୍ରମିତ ବ୍ୟକ୍ତି ରହିଲେ ତେବେ ପରିସ୍ଥିତି ଅସମ୍ଭାଳ । ଏସବୁ ବିଷୟକୁ ଆଖି ଆଗରେ ରଖି ଦେଶର ପ୍ରଧାନମନ୍ତ୍ରୀଙ୍‌କ ଆହ୍ୱାନ ଥିଲା ଜନତା କର୍ଫ୍ୟୁ । ଏହାକୁ ରାଜ୍ୟ ସରକାର ମଧ୍ୟ ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଏହି ସଫଳ ପଛରେ ଜିଲ୍ଲା ପ୍ରଶାସନ, ପୋଲିସ୍‌, ଗଣମାଧ୍ୟମ ସହ ସାଧାରଣ ଜନତାଙ୍କ ଆନ୍ତରିକ ସହଯୋଗ । ବିଶେଷ କରି ବ୍ରହ୍ମପୁର ଗଂଜାମ ଜିଲ୍ଲାକୁ ଜିଲ୍ଲା ପ୍ରଶାସନ ନିୟନ୍ତ୍ରଣକୁ ନେଇଥିଲା । ପ୍ରତି ବ୍ଳକ୍‌, ସଦର ମହକୁମା, ନଗର ପାଳିକାରେ ଜନତା କର୍ଫ୍ୟୁ ବଳବତ୍ତର ରହିଥିଲା ଏବଂ ଲୋକମାନେ ଘରେ ରହିଥିବା ଖବର ଅଦ୍ଭୂତପୂର୍ବ । ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କଠୋର ପରିଶ୍ରମ ଏବଂ ଜିଲ୍ଲା ପୋଲିସ୍ ଅଧିକାରୀଙ୍କ ନିରବଚ୍ଛିନ୍ନ ପ୍ରୟାସ ମଧ୍ୟ ପ୍ରଶଂସନୀୟ ।

କରୋନାର ଭୟଙ୍କର ଚିତ୍ର ବିଦେଶରେ ଦେଖୁଥିବାବେଳେ ଭାରତରେ ଆଜି ଗୋଟିଏ ଦିନରେ ୫୦ରୁ ଉର୍ଦ୍ଧ୍ୱ ରୋଗୀ ଚିହ୍ନଟ ହେବା ପରେ ଭୟ ଟିକିଏ ବଢ଼ିଛି । ଏଇ ଗୋଟିଏ ସପ୍ତାହ ଅଗ୍ନି ପରୀକ୍ଷାର ବେଳ । ସତର୍କତା ସହ ପ୍ରତିକାରପୂର୍ଣ୍ଣ ବ୍ୟବସ୍ଥା ହିଁ ମହୌଷଧି; ନହିଲେ ଯାହା ଘଟିବ ସମୟ ହାତରୁ ଖସିଯିବ ଏବଂ ଅଣାୟତ୍ତ ପରିସ୍ଥିତିକୁ ଆମ ଶାସନ ବ୍ୟବସ୍ଥା ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହୋଇପାରେ । ଏହି ବ୍ୟବସ୍ଥା ନ ଭଗିବା ପାଇଁ ଓଡ଼ିଶା ବହୁ ଆଗରେ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟକୁ ହାତଛଡ଼ା ନକରି ବିଭିନ୍ନ ଜିଲ୍ଲା ସହ କିଛି ସହରକୁ ଲକ୍‌ଡ଼ାଉନ୍ ମଧ୍ୟ କରିଛନ୍ତି । ଏହା ମଧ୍ୟ ଅଭିନନ୍ଦନୀୟ । ଗଂଜାମ ଜିଲ୍ଲାରେ ବହୁ ଶ୍ରମଜୀବୀ ପ୍ରବାସରେ କାମ କରନ୍ତି । ବର୍ତ୍ତମାନ କରୋନା ଭୟରେ ଗାଁକୁ ପେରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ଏମାନଙ୍କୁ ପରୀକ୍ଷା କରିବାକୁ ହେବ । ଅଧିକରୁ ଅଧିକ ସଚେତନତା ଆବଶ୍ୟକତା ରହିଛି ।

ପୃଥିବୀର ବିକାଶଶୀଳ ରାଷ୍ଟ୍ର ମଧ୍ୟରୁ ଆମେରିକା, ଚୀନ୍‌, ଫ୍ରାନସ, ଇଟାଲୀ ଓ ଜର୍ମାନୀ ଜ୍ଞାନ, ବୈଷୟିକ କ୍ଷେତ୍ରରେ କେବଳ ଆଗୁଆ ନୁହନ୍ତି ବରଂ ସ୍ୱାସ୍ଥ୍ୟସେବାରେ ଶୀର୍ଷରେ । ଆମ ଭାରତର ଅଧିକାଂଶ ଲୋକ ବିଶେଷ ଭାବରେ ଗ୍ରାମାଞ୍ଚଳରେ । ଏମାନଙ୍କର ସଚେତନତା ଅଭାବରୁ ଅନେକ ସମୟରେ ଏମିତି କିଛି ପ୍ରତିକୂଳ ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଥାଏ । ବର୍ତ୍ତମାନ କରୋନା ପାଇଁ ଚିନ୍ତିତ ଥିବାବେଳେ କିଛି ପ୍ରଶ୍ନ ଠିଆ କରିଛି । ସ୍ୱାସ୍ଥ୍ୟସେବାରେ ଗ୍ରାମାଞ୍ଚଳ ପରିସ୍ଥିତି ଦୁର୍ବଳ । ଗ୍ରାମାଞ୍ଚଳରେ ଡ଼ାକ୍ତର ମଧ୍ୟ ଅଭାବ । କିନ୍ତୁ ଏଇ ଯୁଦ୍ଧକାଳୀନ ଜରୁରୀ ସମୟରେ ସ୍ୱାସ୍ଥ୍ୟସେବାର ସବୁ ଦିଗଗୁଡ଼ିକ ଯତ୍ନ ସହକାରେ ତନ୍ନତନ୍ନ କରି ଅନୁଶୀଳନ କରାଯାଉ । ଜଣେ ଡ଼ାକ୍ତର ନିଜର ମନ୍ତବ୍ୟରେ କହିଛନ୍ତି ଗଂଜାମ ଜିଲ୍ଲାର କୌଣସି ଚିକିତ୍ସାଳୟରେ ସ୍ୱଚ୍ଛତା, ପରିଷ୍କାର, ପରିମଳ ପ୍ରାୟତଃ ନାହିଁ । ଯେଉଁଠିକି ଦୈନିକ ଶହଶହ ରୋଗୀ ସମାଗମ ହୁଏ । ଏଣୁ ଲୋକମାନଙ୍କ ଦୂରତ୍ୱ ରକ୍ଷା କରାଯିବା ସହ ଭଗ୍ନ ପ୍ରାୟ ଚିକିତ୍ସାଳୟର ବ୍ୟବସ୍ଥାକୁ ଯୁଦ୍ଧକାଳୀନ ଭିତ୍ତିରେ ସାଜଡ଼ିବା ମଧ୍ୟ ଜରୁରୀ । ରୋଗୀ ସଂଖ୍ୟା ଓଡ଼ିଶାରେ ମାତ୍ର ୨, ଯାହା ସୁଖଦ ଖବର । ଜିଲ୍ଲାପାଳଙ୍କ ଉଦ୍ୟମ ଏବଂ ପ୍ରଶାସନିକ କାର୍ଯ୍ୟଧାରା ପାଇଁ ହୁଏତ କରୋନା ଭୟ ମନରୁ ଲିଭିଯିବ ଏବଂ ଜୀବନଯାତ୍ରା ସ୍ୱାଭାବିକ ହେବ ।

Categories
ଆଞ୍ଚଳିକ

ଜୋର ଧରିଲା ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ : ରାଜରାସ୍ତାକୁ ଓହ୍ଲାଇବେ ଆଇନଜୀବୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଜୋର୍ ଧରିଛି। ଦକ୍ଷିଣ ଓଡ଼ିଶାର ମୁଖ୍ୟ ସହର ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନକୁ ନେଇ 2007 ମସିହାରୁ ଦାବି ହୋଇ ଆସୁଛି। ତତ୍କାଳୀନ ଗଞ୍ଜାମ ବାର୍ ଏସୋସିଏସନ୍‌ର ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉଦ୍ୟମ ଆରମ୍ଭ ହୋଇଥିଲା। ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀବେଞ୍ଚ ସ୍ଥାପନ ଏକ ଯୁକ୍ତିଯୁକ୍ତ ପ୍ରସଂଗ ହୋଇଥିଲେ ସୁଦ୍ଧା ସରକାରଙ୍କ ଉଦାସୀନତାରେ ସୁଦୂର ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଲୋକମାନେ ସାମାନ୍ୟ ଘଟଣାକୁ ନେଇ ବାରମ୍ବାର ହାଇକୋର୍ଟ କଟକକୁ ଯିବାକୁ ପଡ଼ୁଛି। ଯାହାକି ଦକ୍ଷିଣ ଓଡିଶା ବାସିନ୍ଦାଙ୍କ ପାଇଁ ଅତି କଷ୍ଟକର ବ୍ୟାପାର। ସେ ପରିପ୍ରେକ୍ଷୀରେ ଯେହେତୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରକୁ ପ୍ରତ୍ୟେକ ଦିନ ବ୍ୟବସାୟୀଠାରୁ ଆରମ୍ଭ କରି ବିଭିନ୍ନ ଅଂଚଳର ଲୋକମାନେ ମେଡ଼ିକାଲ୍ ଏବଂ ଅନ୍ୟାନ୍ୟ କାମକୁ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗଂଜାମ ବାର୍ ଏସୋସିଏସନ୍ 2007ମସିହାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ କରିବାକୁ ରାଜରାସ୍ତାକୁ ଓହ୍ଲାଇଥିଲେ। ଯାହାକି ଅମଲାତନ୍ତ୍ର ଏବଂ ରାଜତନ୍ତ୍ର ଦୋହଲିଥିଲା। ଆନ୍ଦୋଳନ ଏତେତୀବ୍ରତର ହେଲା ଯେ, ସେହି ସମୟରେ ପୋଳିସ୍ ଓକିଲମାନଙ୍‌କ ଉପରେ ଲାଠିଚାର୍ଜ କରିବାକୁ ମଧ୍ୟ ପଛାଇନଥିଲା। ଯାହାଫଳରେ ବହୁ ଆଇନଜୀବୀ ଲହୁଲୁହାଣ ହୋଇଥିଲେ ଏବଂ ଅନେକଙ୍କୁ ହାଜତ ମଧ୍ୟରେ ଭର୍ତ୍ତି କରି ଦିଆଯାଇଥିଲା। ସେହି ସମୟରେ ରାଜ୍ୟ ସରକାର କିଛି ମାତ୍ରାରେ ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ବନ୍ଦ କରାଯାଇଥିଲା। କିନ୍ତୁ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ୱ ହେଲା ସରକାର ଭୂଆଁ ବୁଲାଉଛନ୍ତି। ଯାହାଫଳରେ 2007 ମସିହାରୁ ବ୍ରହ୍ମପୁରରେ ଗଂଜାମ ଜିଲ୍ଲା ବାର୍ ଏସୋସିଏସନ୍ ପ୍ରତ୍ୟେକ ମାସର ଶେଷ ଚାରିଦିନ କାର୍ଯ୍ୟବନ୍ଦ କରି ଆସୁଛନ୍ତି। ଏହାକୁ ଗଂଜାମ ଜିଲ୍ଲାରେ ଥିବା ଅନ୍ୟ ବାର୍ ମଧ୍ୟ ସମର୍ଥନ ଜଣାଇ କିଏ ଦୁଇଦିନ, କିଏ ଚାରିଦିନ କାର୍ଯ୍ୟ ବନ୍ଦ କରୁଥିବା ଜଣାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ କରିବା ପାଇଁ ସହରର ବିଭିନ୍ନ ଅନୁଷ୍ଠାନ ଏବଂ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଗଂଜାମ ବାର୍ ଏସୋସିଏସନ୍‌କୁ ସମର୍ଥନ ଜଣାଇ ଆସିଛନ୍ତି। କିନ୍ତୁ ପରିତାପର ବିଷୟ ଏହିକି ଯେ, ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିବାବେଳେ ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ନିମନ୍ତେ ସରକାରଙ୍କ ଆନ୍ତରିକତା ଥିବା ପରିଲକ୍ଷିତ ହୋଇପାରୁନାହିଁ। ଯାହାକି ଏକ ବିଡ଼ମ୍ବନା କହିଲେ କିଛି ଭୁଲ୍ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଗଂଜାମ ବାର୍ ଏସୋସିଏସନ୍ ସଭାପତି ସୁଧାଂଶୁ ଶେଖର ପଣ୍ଡା କହିଛନ୍ତି ଯେ ଯେତେଦିନ ଯାଏଁ ସରକାର ଆମ ଦାବିକୁ ମାନିବେନି ଆମେ ଏହି ଆନ୍ଦୋଳନ ଜାରି ରଖିବା ସହିତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ମଧ୍ୟ ପଛେଇବୁ ନାହିଁ। ବର୍ତ୍ତମାନର ଗଂଜାମ ଜିଲ୍ଲା ବାର୍ ଏସୋସିଏସନ୍‌ର ସଭାପତି ରବିନାଥ ପାଣିଗ୍ରାହୀ କହିଥିଲେ ଯେଉଁ ପର୍ଯ୍ୟନ୍ତ ଆମର ଦାବି ସରକାର ମାନିନାହାନ୍ତି, ସେ ପର୍ଯ୍ୟନ୍ତ ଆମର ଏ ସଂଗ୍ରାମ ଜାରି ରହିବ। ଯଦି ଆବଶ୍ୟକ ପଡ଼େ ତେବେ ତୀବ୍ର ରୂପ ଧାରଣ କରିବ। ବାର୍ ଏସୋସିଏସନ୍ ସଂପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ କହିଥିଲେ ଏହି ସ୍ଥାୟୀ ବେଞ୍ଚ ସ୍ଥାପନ ନିମେନ୍ତ ପ୍ରତିମାସ ଶେଷ ଚାରିଦିନ ସହିତ ପ୍ରତ୍ୟେକ ଦିନ ଖରାବେଳ ବିଶ୍ରାମ ସମୟ 1 ଘଣ୍ଟାରେ ମଧ୍ୟ ଦାବି କରିବେ। ଆଜିର ଏହି ଆନ୍ଦୋଳନରେ ଗଂଜାମ ବାର୍ ଏସୋସିଏସନ୍ ସଭାପତି ରବିନ୍ଦ୍ରନାଥ ପାଣିଗ୍ରାହୀଙ୍କ ସମେତ ସଂପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଚିତ୍ତରଂଜନ ଶତପଥୀ, କିରଣ ମଣ୍ଡଳ, ଗୋରାଚାନ୍ଦ ଭଟ୍ଟମିଶ୍ର, ଗୌରାଙ୍ଗ ଚୌଧୁରୀ, ରଂଜନ କୁମାର ନାହାକ, ନଗେନ୍ଦ୍ର ତ୍ରିପାଠୀ ଏଭଳି ଶତାଧିକ ଆଇନଜୀବୀ ଏହି ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିବା ଦେଖାଯାଇଛି।

Categories
ଆଞ୍ଚଳିକ

ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଏବିଭିପିର ଛାତ୍ର ଆକ୍ରୋଶ ସମାବେଶ

କୃଷ୍ଣଚନ୍ଦ୍ର ସୁଆଁସିଆ
ଗଞ୍ଜାମ : ଶିକ୍ଷା, ସୁରକ୍ଷା ଓ ରୋଜଗାର ସମସ୍ତଙ୍କ ଅଧିକାର । ଏବିଭିପି ଗଞ୍ଜାମ ପକ୍ଷରୁ ଗୁରୁବାର ଏକ ଛାତ୍ର ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ଓ ସମସ୍ତ ମହାବିଦ୍ୟାଳୟରେ ଖାଲି ରହିଥିବା ସମସ୍ତ ଅଧ୍ୟାପକ ପୂରଣ ପାଇଁ ଦାବି କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ପାଇଁ ଛାତ୍ରାବାସ ନିର୍ମାଣ, ଜିଲ୍ଲାକୁ ନିଶାମୁକ୍ତ କରିବା, କ୍ୟାମ୍ପସ ମଧ୍ୟକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ରୋକ୍‌, ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା, କୁଟୀର ଶିଳ୍ପ ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା କରି ଯୁବକ ମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରିବା ଦାବିରେ ଏହି ଛାତ୍ର ଆକ୍ରୋଶ ଅନୁଷ୍ଠିତ ହୋଇଥିଲା । ଏହି ଛାତ୍ର ଆକ୍ରୋଶ ଶୋଭାଯାତ୍ରା ଖଲ୍ଲିକୋଟରୁ ଆରମ୍ଭ ହୋଇ ଆରଡିସି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । 600ରୁ ଅଧିକ ବିଦ୍ୟାର୍ଥୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଯଦି ସରକାର ଉପରୋକ୍ତ ସମସ୍ୟା ପ୍ରତି ଧ୍ୟାନ ନଦିଅନ୍ତି ତେବେ ଆଗାମୀ ଦିନରେ ବୃହତ୍ତର ଛାତ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସ୍ମୃତିସୁଧା ସାହୁ, ବିଭାଗ ସଂଯୋଜକ ଟୁଟୁନ୍‌ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଶେଖର ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ବେହେରା, କୃଷ୍ଣ ପଲାଇ ଏବଂ ସ୍ବାଗତ କୁମାର ତ୍ରିପାଠୀ ପ୍ରମୁଖ ମହିଳା ସୁରକ୍ଷାକୁ ପ୍ରାଧାନ୍ୟ ଦେବା ନିମନ୍ତେ ଦାବି କରିଥିଲେ । ଏହାପରେ ଏବିଭିପିର ଏକ ପ୍ରତିନିଧି ଦଳ 12 ଦଫା ସମ୍ବଳିତ ଏକ ଦାବି ଆରଡିସିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ସମାବେଶରେ ମହାନଗର ସମ୍ପାଦକ ଚିନ୍ମୟାନନ୍ଦ ପଟ୍ଟନାୟକ, ଚନ୍ଦନ ପାତ୍ର, ବିନାୟକ ପଣ୍ଡା, ରଜତ କୁମାର ପାଢୀ, ସହ ସମ୍ପାଦିକା ବିଭୁପ୍ରିୟା ବିଷୋୟୀ, ଅନନ୍ତ ପ୍ରଧାନ, ଦେବାଶିଷ ମିଶ୍ର, ଜଗନ୍ନାଥ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଆଞ୍ଚଳିକ ରାଜ୍ୟ ଖବର

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା : ବ୍ରହ୍ମପୁର ସାମ୍ବାଦିକ ସଂଘ ପକ୍ଷରୁ ଦୃଢ଼ ନିନ୍ଦା

ସମୀକ୍ଷା ବ୍ୟୁରୋ
ବ୍ରହ୍ମପୁର,29/12 : ଗତକାଲି ଭୁବନେଶ୍ୱରରେ ଏସ୍‌ପ୍ଲାନେଡ୍‌ ମଲ୍‌ରେ ସାମ୍ବାଦିକା ସ୍ୱାତି ଜେନା ଏବଂ କ୍ୟାମେରା ମ୍ୟାନ ପ୍ରମୋଦ କୁମାର ମହାପାତ୍ରଙ୍କୁ ଦୁର୍ବ୍ୟବହାର ଏବଂ ଆକ୍ରମଣ ଘଟଣାକୁ ବ୍ରହ୍ମପୁର ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯାଉଛି । ବେଆଇନ ପାର୍କିଂ ଫି ଆଦାୟ ହେଉଥିବାକୁ ନେଇ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ସୁରକ୍ଷାକର୍ମୀ ସାମ୍ବଦିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଏକ ଘରେ ବନ୍ଦ କରି ରଖି ଦେଇଥିଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ରମଣ ନିନ୍ଦନୀୟ ଏବଂ ଲଜ୍ଜାଜନକ ଘଟଣା । ଏହି ଘଟଣାର ଦୃଢ଼ ପ୍ରତିବାଦ କରିବା ସହିତ ବ୍ରହ୍ମପୁର ସହରର ସମସ୍ତ ସାମ୍ବାଦିକ ଗାନ୍ଧିନଗର ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଏକତ୍ରିତ ହୋଇଥିଲେ । ଏହା ସହ ସାମ୍ବାଦିକ ସୁରକ୍ଷା ଆଇନକୁ ତୁରନ୍ତ ଲାଗୁ କରି ଏଭଳି ଘଟଣାଗୁଡ଼ିକ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ସାମ୍ବାଦିକ ଦାବି କରିଥିଲେ । ସେହିପରି ଘଟଣାରେ ଦୁଇ ଜଣ ସୁରକ୍ଷା କର୍ମୀଙ୍କୁ ଗିରଫ କରି କମିସନରେଟ ପୋଲିସ୍‌ ମାମଲା ରଫାଦଫା କରିବାକୁ ଚେଷ୍ଟା କରୁଛି ବୋଲି ସାମ୍ବାଦିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।
ସାମ୍ବାଦିକ ସଂଘ ପକ୍ଷରୁ ଅନୁଷ୍ଠିତ ପ୍ରତିବାଦ ସଭାରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ସଭାପତି ଗୋପାଳ ପଟ୍ଟନାୟକ, ସଂପାଦକ ଚିରଞ୍ଜିତ ରାଜଗୁରୁ, ହେମାଙ୍ଗ ପ୍ରସାଦ ରାଉଳ, ଅଶୋକ ବ୍ରହ୍ମା, ପୀତାମ୍ବର ନାହାକ, ଅସିତ୍ ପଣ୍ଡା, ସତ୍ୟଚେତନା ପରିଡ଼ା, କୁନା ମିଶ୍ର, ପ୍ରକାଶ ପାଣିଗ୍ରାହୀ, ମନୋଜକାନ୍ତ ଦାସ, ଜଗନ୍ନାଥ ସାହୁ, ଅରୁଣ କୁମାର ପଟ୍ଟନାୟକ, ବିଶ୍ୱନାଥ ମହାରଣା, ଅମର କୁମାର ଦାସ, କୈଳାସ ବେହେରା, ସୁଦୀପ ସାହୁ, କାହ୍ନୁଚରଣ ପାତ୍ର, ଗୋପାଳ ରେଡ଼ି, ନାଗାରାଜ, ପ୍ରଦୀପ କର ଏବଂ ଲଲାଟେନ୍ଦୁ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।

Categories
ଆଞ୍ଚଳିକ

ହାଇଦ୍ରାବାଦ ଗଣଦୁଷ୍କର୍ମ ପୀଡିତାଙ୍କ ଉଦ୍ଦେଶ୍ୟରେ ଏବିଭିପି ବ୍ରହ୍ମପୁର ଶାଖାର କ୍ୟାଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର,୧/୧୨: ହାଇଦ୍ରାବାଦରେ କାର୍ଯ୍ୟରତ ମହିଳା ଡାକ୍ତର ଗଣଦୁଷ୍କର୍ମ ଏବଂ ହତ୍ୟା ବିରୋଧରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ମୃତ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଉଦ୍ଦେଶ୍ୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି। ଏପରି ପାଶବିକ ଘଟଣାର ନିନ୍ଦା କରାଯିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଏହି ବର୍ବର ଘଟଣାର ଅଭିଯୁକ୍ତକୁ ଫାଶି ଦିଆଯାଉ ବୋଲି ଛାତ୍ରୀ ସ୍ମୃତି ସୁଦ୍ଧା ସାହୁ କହିଛନ୍ତି। ଏହି ଶୋଭାଯାତ୍ରାରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ଲକ୍ଷ୍ମୀ ପ୍ରିୟା ବେହେରା, ବିଭୁପ୍ରିୟ ସାହୁ, ସସ୍ମିତା ବେହେରା, ଆଶୁତୋଷ ସାହୁ, ନିରାକାର, ପ୍ରିୟରଞ୍ଜନ ମଲ୍ଲିକ, ଚିନ୍ମୟାନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟର :କୃଷ୍ଣଚନ୍ଦ୍ର ସୁଆଁସିଆ, ମୋବାଇଲ : ୭୭୮୭୯୭୩୫୬୭

Categories
ଆଜିର ଖବର

ଓଡ଼ିଶାର ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ  : ବ୍ରହ୍ମପୁର ଓଡ଼ିଶାର ସବୁଠାରୁ ସ୍ୱଚ୍ଛ ସହର

ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟରେ ଓଡ଼ିଶାର ବ୍ରହ୍ମପୁର ସ୍ୱଚ୍ଛ ସହର ରୂପେ ଆଗରେ ରହିଛି । ୨୧୬ ସ୍ଥାନରେ ଅଛି ବ୍ରହ୍ମପୁର । ପୂର୍ବରୁ ୩୦୫ ସ୍ଥାନରେ ରହିଥିଲା ବ୍ରହ୍ମପୁର । ଭୁବନେଶ୍ୱର ଏହି ତାଲିକାରେ ସ୍ୱଚ୍ଛ ସହର ଭାବେ ୨୮୮ ସ୍ଥାନରେ ରହି  ଦ୍ୱିତୀୟରେ ରହିଛି । ପୂର୍ବରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ୨୪୫ ସ୍ଥାନରେ ରହିଥିଲା । ଏହି କ୍ରମରେ ତାଲିକାରେ ତୃତୀୟରେ ବାଲେଶ୍ୱର ,ଚତୁର୍ଥରେ ବାରିପଦା, ପଞ୍ଚମରେ ସମ୍ବଲପୁର, ଷଷ୍ଠରେ ପୁରୀ,ସପ୍ତମରେ ରାଉରକେଲା, ଅଷ୍ଟମରେ କଟକ ଏବଂ ନବମରେ ଭଦ୍ରକ ସ୍ଥାନ ପାଇଛି   । ସ୍ମାର୍ଟ ସିଟି ଓ ସହରକୁ ସହରକୁ ସବୁଜ ସୁନ୍ଦର ତଥା ନିର୍ମଳ କରିବା ପାଇଁ ବିଏମ୍‌ସି (ଭୁବନେଶ୍ୱର ମୁନ୍ୟୁସିପାଲିଟି ଅଥରିଟି) ଅନେକଗୁଡ଼ିଏ ପଦକ୍ଷେପ ନେଇଥିବାବେଳେ ଏସବୁ ଭେଳିକି ସଦୃଶ ହୋଇଛି । ନିକଟରେ ପଲିଥିନ୍‌କୁ ବ୍ୟାନ୍‌ କରାଯାଇଥିବାବେଳେ ଭୁବନେଶ୍ୱର ସହରରେ ପଲିଥନ୍‌ର ବହୁଳ ବ୍ୟବହାର କରାଯାଉଛି । ନିୟମକୁ କଡ଼ାକଡ଼ି କରିବା ସହ ବର୍ଷା ଦିନରେ ବର୍ଷା ପାଣି ତଥା ସ୍ବେରାଜ ବ୍ୟବସ୍ଥା ପ୍ରତି ବିଶେଷ ଧ୍ୟାନ ଦିଆଯାଉନଥିବା ଦେଖାଯାଉଛି । ଟିକିଏ ବର୍ଷାରେ ଭୁବନେଶ୍ବରର ଅବସ୍ଥା ଏକ ନିପଟ ଗାଁଠାରୁ ମଧ୍ୟ ହୀନ ହୋଇଯାଉଛି । ବିଏମ୍‌ସି ଏସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେଲେ ସ୍ୱଚ୍ଛ ତାଲିକାରେ ଭୁବନେଶ୍ୱର ଯେ ସ୍ଥାନ ବଢାଇ ପାରିବ, ଏଥିରେ ସନ୍ଦେହ ନାହିଁ ।