ବାଣପୁରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିନିକିଆ ତାଲିମ ଶିବିର

Published: Nov 30, 2019, 1:50 pm IST

ସମୀକ୍ଷା ବ୍ୟୁରୋ
ବାଣପୁର,୩୦/୧୧: ଶନିବାର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଶ୍ରୀ ବୁଢାକପିଳେଶ୍ଵର ମନ୍ଦିର ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଉପସ୍ଥିତିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓ.ୟୁ.ଏ.ଟି) ପକ୍ଷରୁ ଏହି ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଛତୁ ଉତ୍ପାଦନ ଏବଂ ପ୍ରକ୍ରିୟାକରଣ ନେଇ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଥିଲା। ଓୟୁଏଟିର ଉଦ୍ଭିଦ ରୋଗ ବିଜ୍ଞାନ ବିଭାଗ ମୁଖ୍ୟ ନିରଞ୍ଜନ ଚିନରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପର୍ଶୁରାମ ଶବର(ସହକାରୀ ମତ୍ସ୍ୟ ଅଧିକାରୀ, ବାଣପୁର), ଅନ୍ନପୂର୍ଣ୍ଣା ମହାରଣା (ସହକାରୀ ଉଦ୍ୟାନ କୃଷି ଅଧିକାରୀ,ବାଣପୁର), ଦୁର୍ଗା ଚରଣ ବେହେରା (ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମୀ, ବାଣପୁର) ଏବଂ ନିଜାମୁଦ୍ଦିନ ଖାନ( କନିଷ୍ଠ ମତ୍ସ୍ୟ ବୈଷୟିକ ସହକାରୀ ଅଧିକାରୀ, ବାଣପୁର) ପ୍ରମୁଖ ଯୋଗଦେଇଥିଲେ।

ବାଣପୁର ଏନ.ଏ.ସି ର ଯୁବ ସଂଗଠକ ତଥା ବରିଷ୍ଠ ବିଜେଡ଼ି ନେତା ଲକ୍ଷ୍ମୀଧର ମହାପାତ୍ରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଭାପତି ମୁଖ୍ୟ ପ୍ରଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅନ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ ପରେ ଆନୁଷ୍ଠାନିକ ଭାବେ ତାଲିମ ଶିବିର ଆରମ୍ଭ ହୋଇଥିଲା। ତାଲିମ ଶିବିରରେ ମହିଳାମାନଙ୍କୁ ଛତୁ ଉତ୍ପାଦନ ଓ ପ୍ରକ୍ରିୟାକରଣର ତାଲିମ ପ୍ରଦାନ କରାଯାଇଥିଲା। ଏହା ସହିତ କିପରି ଏହାଦ୍ବାରା ଆର୍ଥିକ ଭାବରେ ସ୍ବଚ୍ଛଳ ହୋଇପାରିବେ ସେ ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପନ୍ଦରଟି ୱାର୍ଡର ଚାଳିଶିରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ମାନେ ଯୋଗଦେଇଥିଲେ।

ରିପୋର୍ଟର: ସୀତାରାମ ଅଗ୍ରୱାଲ, ମୋ- ୭୯୭୮ ୧୪୮ ୪୨୬

Related posts