ଡ୍ରାଇଭିଂ ଲାଇସେନ୍ସକୁ ନେଇ ବାଣପୁରରେ ତୀବ୍ର ଜନଅସନ୍ତୋଷ: ଆରଟିଓ କ୍ୟାମ୍ପ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

Published: Nov 29, 2019, 7:35 pm IST

ସମୀକ୍ଷା ବ୍ୟୁରୋ

ବାଣପୁର,୨୯/୧୧: ବାଣପୁରରେ ଆରଟିଓ କ୍ୟାମ୍ପ ସ୍ଥାପନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।୧୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ଅମରେନ୍ଦ୍ର ରଣସିଂହ ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ୍ ସେପ୍ଟମ୍ବର ୧ ତାରିଖରେ ଲାଗୁ କରାଯାଇଥିଲା। ଏହି ଆଇନ୍ ବଳରେ ପୋଲିସ ଚେକିଂରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବା ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ତିନି ମାସର ମହଲତ ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ରାଜ୍ୟର ପ୍ରତି ବ୍ଲକରେ ଅସ୍ଥାୟୀ ଆରଟିଓ କ୍ୟାମ୍ପ ସ୍ଥାପନର ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ସମସ୍ତ କ୍ୟାମ୍ପରେ ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟ ସୁବିଧା ପ୍ରଦାନର ବ୍ୟବସ୍ଥା ରହିବା ନେଇ ଘୋଷଣା କରାଯାଇଥିଲା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରଥମ ଅବଧି ଶେଷ ହେବା ସହିତ ପୁନର୍ବାର ତିନି ମାସର ମହଲତ ପ୍ରଦାନ କରାଗଲାଣି ମାତ୍ର ବର୍ତ୍ତମାନ ସୁଦ୍ଧା ବାଣପୁରରେ ଆରଟିଓ କେନ୍ଦ୍ର ସ୍ଥାପନ ସମ୍ଭବ ହୋଇନାହିଁ।

ଖୋର୍ଦ୍ଧାର ଅନ୍ତିମ ପ୍ରାନ୍ତରେ ଅବସ୍ଥାପିତ ବାଣପୁରର ସଂଖ୍ୟାଧିକ ଲୋକେ ଦିନମଜୁରିଆ ହୋଇଥିବାରୁ ୮୦କିମି ଦୂର ଯାଇ ଖୋର୍ଦ୍ଧାରେ ଲାଇସେନ୍ସ ଆବେଦନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ। ଅପରପକ୍ଷେ ବାଣପୁରରେ ଆବଶ୍ୟକୀୟ କ୍ୟାମ୍ପ ଉପଲବ୍ଧ ନଥିଲେ ମଧ୍ୟ ପୋଲିସ୍ ଏଠାରେ କଡାକଡ଼ି ଯାଞ୍ଚ କରୁଛି। ପ୍ରଥମେ ଆବଶ୍ୟକ ସଂଖ୍ୟକ ଆରଟିଓ କ୍ୟାମ୍ପ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରି ଚେକିଂ କରାଯିବା ନେଇ ସାଧାରଣରେ ଦାବି ହେଉଛି।

ରିପୋର୍ଟର : ସୁନୀଲ କୁମାର ଭୋଳ (ବିଜୁ)

ମୋବାଇଲ :୯୩୩୭ ୧୭୪ ୭୯୪

Related posts