ପୁଅର ମୃତ୍ୟୁ ପରେ ମା’ର ଆତ୍ମହତ୍ୟା ଉଦ୍ୟମ: ଗୁରୁତର ଅବସ୍ଥାରେ ବାଣପୁର ମେଡିକାଲରେ ଭର୍ତ୍ତି

Published: Apr 29, 2020, 4:36 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ପାରିବାରିକ କଳହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ବାଣପୁର ବ୍ଲକ୍‌ ଅନ୍ତର୍ଗତ ତୋରସିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଗ୍ରାମର କାଳୁ ବେହେରା(୩୮) କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଏହି ଖବରରେ ମର୍ମାହତ ହୋଇ ତାଙ୍କ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସକାଳ ୧୦ଟା ବେଳେ ପାରିବାରିକ କଳହ କାରଣରୁ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଏହାପରେ ଗାଇ ଆଣିବା ପାଇଁ ଯାଇଥିବା କାଳୁ ଦିନ ୧ଟା ସମୟରେ  ଘରକୁ ଫେରିଥିଲେ। କିନ୍ତୁ ଘରେ ହଠାତ ତାଙ୍କର ଶରୀର ଅସୁସ୍ଥ ହେବାରୁ କୀଟନାଶକ ପିଇଥିବା ନେଇ ସନ୍ଦେହ ବଢିଥିଲା। କାଳୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କ ଭାଇ ଯୋଗୀନ୍ଦ୍ର ବେହେରା ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ଚିତ୍ରା ଏସ୍‌। ଘଟଣାସ୍ଥଳରୁ ଦୁଇଟି କୀଟନାଶକ ପ୍ୟାକେଟ ମିଳିଥିବାରୁ ଆତ୍ମହତ୍ୟାର ଅନୁମାନ କରାଯାଉଥିବା ବେଳେ ବାଣପୁର ପୋଲିସ୍‌ର ତଦନ୍ତ ପରେ ଘଟଣା ଉପରୁ ପରଦା ଉଠିବ।

Related posts