ବାଣପୁର ଏନ୍‌ଏସିରେ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ପକ୍ଷରୁ କରୋନା ସର୍ବେକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ

Published: Apr 14, 2020, 7:14 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କ୍ବିକ୍‌ ରେସ୍‌ପନ୍ସ ଟିମ୍‌ ପକ୍ଷରୁ ଘର ଘର ବୁଲି କରୋନା ସର୍ବେକ୍ଷଣ ଏବଂ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷକ/ଶିକ୍ଷୟିତ୍ରୀ, ସ୍ବାସ୍ଥ୍ୟ କର୍ମୀ, ସ୍ବଚ୍ଛସାଥୀ ଏବଂ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ। ଦୁଇ ଦିନ ବ୍ୟାପୀ ଏହି କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ଆଜିଠାରୁ ଏହି କାର୍ଯ୍ୟକମ ଆରମ୍ଭ କରାଯାଇଛି। 11 ଏବଂ 12 ତାରିଖରେ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ଆସନ୍ତା 17 ତାରିଖରେ ଏହି କାର୍ଯ୍ୟକ୍ରମ ସମାପ୍ତ ହେବ। 15ଟି ଓ୍ବାର୍ଡରେ 21ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ପ୍ରତି କେନ୍ଦ୍ରରେ ଗୋଟିଏ ଲେଖାଏଁ ୟୁନିଟ୍‌ ସ୍ଥାପନ କରାଯାଇଛି। ପ୍ରତି ୟୁନିଟ୍‌ରେ ଜଣେ ଲେଖାଏଁ /ଶିକ୍ଷୟିତ୍ରୀ, ସ୍ବାସ୍ଥ୍ୟ କର୍ମୀ, ସ୍ବଚ୍ଛସାଥୀ ଏବଂ ଅଙ୍ଗନବାଡି କର୍ମୀ ରହିଛନ୍ତି। ଏହି ଟିମ୍‌ ପ୍ରତ୍ୟେକ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିବା ସହିତ ଲୋକଙ୍କୁ ସଚେତନ କରାଇଥିଲେ। ପ୍ରତି ବ୍ୟକ୍ତିଙ୍କ ଯାତ୍ରା ଇତିହାସ ବିବରଣୀ ସଂଗ୍ରହ କରାଯିବା ସହିତ ମାସ୍କ ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା।

କ୍ବିକ୍‌ ରେସ୍‌ପନ୍ସ ଟିମ୍‌ ସହିତ ଏନ୍‌ଏସି ଅଧିକାରୀ ସନ୍ତୋଷ କୁମାର ନିଆଲ, ବିଦୁପ୍ରଭା ରଥ ଏବଂ ସନାତନ ଜାଲି ପ୍ରମୁଖ ଯୋଗ ଦେଇଥିଲେ। ଦୈନିକ ଦୁଇଟି ସିଫ୍ଟରେ ଏହି ଟିମ୍‌ କାର୍ଯ୍ୟ କରିବ। ସକାଳ 7ଟାରୁ 10ଟା ଏବଂ ଅପରାହ୍ନରେ 4ଟାରୁ 6ଟା ପର୍ଯ୍ୟନ୍ତ ପ୍ରତି ୟୁନିଟ୍‌ କାର୍ଯ୍ୟ କରିବ।

Related posts