କରୋନା ମୁକାବିଲା ପାଇଁ ବାଣପୁରରେ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମାସ୍କ ବଣ୍ଟନ

Published: Apr 17, 2020, 6:38 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ରାଜ୍ୟରେ କରୋନା ଜନିତ ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁରର କିଛି ମହିଳା ସଂଗଠନ। ସୂଚନା ଅନୁଯାୟୀ ଆଜି ଶ୍ରୀ ଜୟଗୁଋ ସ୍ୱୟଂ ସହାୟକ ଗୋଷ୍ଠୀ, ବଡ଼ରାଉଳ ସ୍ୱୟଂ ସହାୟକ ଗୋଷ୍ଠୀ, ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ଈଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବ୍ଲକ ପ୍ରୋଜେକ୍ଟ ଅଧିକାରୀ ରଶ୍ମିତା ଇନ୍ଦ୍ରଜିତ ଓ ଯୁବ ସାମ୍ବାଦିକ, ସମାଜସେବୀ ତଥା ଖୋର୍ଦ୍ଧା ଜିଲ୍ଲା ସୂଚନା ଅଧିକାର କୋର କମିଟି ସଦସ୍ୟ ଲକ୍ଷ୍ମୀଧର ମହାପାତ୍ରଙ୍କ ଉପସ୍ଥିତରେ ଲୋକମାନଙ୍କୁ ସଚେତନା କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି।

ବାଣପୁର ବ୍ଲକ ଭବାନିପୁର ଗ୍ରାମପଞ୍ଚାୟତର ସାହାସପୁର ଗ୍ରାମ ଓ ନରେନ୍ଦ୍ର ପୁର ପଞ୍ଚାୟତର ବଡସିରେଇପୁର ଗ୍ରାମ ଠାରେ ସଦସ୍ୟାମାନେ ରାତି ଦିନ ଏକ କରି ମାସ୍କ ସିଲେଇ କରି ଘର ଘର ବୁଲି ପ୍ରତ୍ୟେକ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସଙ୍ଗେ ସଙ୍ଗେ କେଉଁ ଭଳି ଭାବରେ ମହାମାରୀର ମୁକାବିଲା କରାଯିବ ସେ ସମ୍ପର୍କରେ ସଚେତନ କରାଇଛନ୍ତି। ଅତିଥି ଭାବେ ବଡସିରେଇପୁର ଗ୍ରାମ ପରିଚାଳନା କମିଟି ସଭାପତି ପ୍ରବୋଧ ବିଶ୍ୱାଳ ଯୋଗଦେଇଥିଲେ। ଇତି ମଧ୍ୟରେ ସଭାନେତ୍ରୀ ସରସ୍ୱତୀ ସାହୁ ଓ ସନ୍ଧ୍ୟାରାଣୀ ପଣ୍ଡା ଓ ବୈଜୟନ୍ତୀ ଖୁଣ୍ଟିଆଙ୍କ ଏପରି ଜନସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Related posts