Categories
ଆଜିର ଖବର ଜାତୀୟ ଖବର

ଆସନ୍ତା 6 ମାସ ଯାଏଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲା ଏହି ରାଜ୍ୟ

ମୁମ୍ବାଇ: ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ମଧ୍ୟ ପୂର୍ବଠାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି । ତଥାପି ଶୀତ ବଢ଼ୁଥିବାରୁ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଆସନ୍ତା 6 ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  ।

ରାଜ୍ୟରେ ପୁନଃ ଲକ୍‌ଡାଉନ୍‌ କିମ୍ବା ରାତ୍ରିକାଳନୀ କର୍ଫ୍ୟୁ ଲାଗୁ କରିବା ସପକ୍ଷରେ ସରକାର ନାହାନ୍ତି । ଯଦିଓ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ଅଛି ତଥାପି ଏହା ନିୟନ୍ତ୍ରଣ ଭିତରେ ରହିଛି ।

ରବିବାର ଦିନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବର୍ତ୍ତମାନ ସ୍ଥିତିରେ ସତର୍କ ରହିବା ହିଁ ବଡ଼ ଚିକିତ୍ସା। ଅତିକମରେ ଆଗାମୀ 6ମାସ ପାଇଁ ସାର୍ବଜନୀନ ସ୍ଥାନରେ ସମସ୍ତେ ମାସ୍କ ପିନ୍ଧିବା ଅଭ୍ୟାସ ଜାରି ରଖିବା ଉଚିତ୍‌ ବୋଲି କହିଛନ୍ତି ଠାକ୍‌ରେ ।

ସୂଚନାଯୋଗ୍ୟ, ଶନିବାର ଦିନ ରାଜ୍ୟରେ 3 ହଜାର 940 ମାମଲା ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଗତ 24 ଘଣ୍‌ଟାରେ 74ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 48 ହଜାର 648ରେ ପହଞ୍ଚିଛି ।

Categories
ଆଞ୍ଚଳିକ

ମାସ୍କ ଓ ପି.ପି.ଇ. କିଟ୍ ଦୁର୍ନୀତିର ସିବିଆଇ ତଦନ୍ତ ଦାବି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ମହାମାରୀ ସମୟରେ ମାସ୍କ ଓ ପି.ପି.ଇ. କିଟ୍ କିଣାରେ ଦୁର୍ନୀତି ହୋଇଥିବା ନେଇ ସି.ବି.ଆଇ. ତଦନ୍ତ ପାଇଁ ଗଂଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଆର୍‌ଡ଼ିସି ଏବଂ ଛତ୍ରପୁରରେ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଏନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବାବେଳେ ଛତ୍ରପୁରରେ ମଧ୍ୟ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ କରାଯାଇଛି । ସମଗ୍ର ରାଜ୍ୟ କରୋନା ବିରୋଧରେ ଲଢ଼ୁଥିବାବେଳେ ରାଜ୍ୟ ସରକାର କରୋନା ଜନିତ ପି.ପି.ଇ. କିଟ୍ ଓ ମାସ୍କ କିଣାରେ ବ୍ୟାପକ ହରିଲୁଟ୍ କରିଛନ୍ତି । ଏପିରିକି ଟେଷ୍ଟିଂ କିଟ୍ କିଣିବାରେ ମଧ୍ୟ ଅନେକ ଅନିୟମିତତା ହେବାର ଜଣାପଡ଼ିଛି । ସବୁଠାରୁ ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରାକର ଯେଉଁ ପି.ପି.ଇ. କିଟ୍‌ଗୁଡ଼ିକ କିଣିଛନ୍ତି ତାହା ଅତି ନିମ୍ନମାନର ଅଟେ । ରାଜ୍ୟ ସରକାର ଯେଉଁ ମାସ୍କଗୁଡ଼ିକ ଷୋହଳ ଟଙ୍କାରେ କିଣିଛନ୍ତି ତାହା ଖୋଲା ବଜାରରେ ମାତ୍ର ଛଅଟଙ୍କାରେ ମିଳୁଛି ।

ସଂପୃକ୍ତ କଂପାନୀ ଅନ୍ୟ ରାଜ୍ୟକୁ ବହୁତ୍ କମ୍ ଦରରେ ବିକ୍ରି କରିଛି । ଅତଏବ ରାଜ୍ୟ ସରକାରଙ୍କ କରୋନା ଜନିତ ଦୁଃଖ ସମୟରେ ମଧ୍ୟ ସାଧାରଣ ଲୋକଙ୍କ ଟଙ୍କାକୁ ଲୁଟ୍ କରିବାର ଅଭିଳାଷକୁ ବନ୍ଦ କରିନାହାନ୍ତି । ରାଜ୍ୟରେ ସାଧାରଣ ଲୋକ କରୋନାର ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ କୋଟି କୋଟି ଟଙ୍କା ଦାନ କରିଥିବାବେଳେ ଏଭଳି ଖର୍ଚ୍ଚ ତାହା ଅତ୍ୟନ୍ତ ନିନ୍ଦନୀୟ । ଗଭୀର ସଂକଟ ଓ ଆର୍ଥିକ ଅନାଟନ ଭିତରେ ସାଧାରଣ ଲୋକଙ୍କ ଅର୍ଥକୁ ଲୁଟ୍ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏହି ସମସ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ବା ସିବିଆଇ ତଦନ୍ତ କରିବାକୁ ଦାବି ହୋଇଛି । ଯଦି ରାଜ୍ୟ ସରକାର ଏସ୍‌ଏଚ୍‌ଜି ଗ୍ରୁଫ ଗଠନ କରି ତଥା ମହିଳା ସଶକ୍ତୀକରଣ କଥା କହୁଥିବାବେଳେ ସେମାନଙ୍କଠାରୁ ମାସ୍କ ନ କିଣି ବାହାରୁ କାହିଁକି କିଣିଲେ ତାହା ପ୍ରଶ୍ନବାଚୀ । ଦାବିପତ୍ର ପ୍ରଦାନ ସମୟରେ ଛତ୍ରପୁରରେ କଂଗ୍ରେସ ଜିଲ୍ଲା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ସାନଖେମଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନଙ୍କ ସହ ବହୁ ନେତା ସ କର୍ମୀ ଉପସ୍ଥିତ ଥିବାବେଳେ ବ୍ରହ୍ମପୁରରେ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ତ୍ରିନାଥ ବେହେରା, ଭୋକାଲି ସେଠୀ, ପ୍ରଫୁଲ ପଣ୍ଡା, ସୁବାସ ରାଉତ, ଭକ୍ତଚରଣ ସାହୁ, ଇଜୁ ଅମିନ୍ ଖାନ୍‌, ବାବୁଲ ବେଗ୍‌, ଶିବରାମ ପାତ୍ର, ନିରୂପମା ପଟ୍ଟନାୟକ, ଉଦୟ ପାଣିଗ୍ରାହୀ, ଏସ.୍ ଦଣ୍ଡପାଣି, ସିଦ୍ଧାନ୍ତ ସାହୁ ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ମହାମାରୀ ସମୟରେ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ : ସସ୍ମିତ ପାତ୍ର

ଭୁବନେଶ୍ବର : କରେନା ଭଳି ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି ସ୍ପଷ୍ଟ କରିଛନ୍ତି । ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର 10 ଟଙ୍କାର ମାସ୍କକୁ 16 ଟଙ୍କାରେ କିଣା ଯିବାର ଯଥାର୍ଥତା ଓ ଏହା ପଛରେ ଥିବା ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, କେବଳ ଓଡିଶା ନୁହେଁ ଦେଶରେ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଅଧିକ ଦରାରେ ମାସ୍କ କିଣିଛନ୍ତି । କାରଣ ଲକଡାଉନ ଯୋଗୁଁ ଉତପାଦନ ଖର୍ଚ୍ଚ ଭଢିଯିବାରୁ ମାସ୍କ ଯୋଗାଣକାରୀ ସଂସ୍ଥା ଗୁଡିକ ଏହାର ଦର ବୃଦ୍ଧି କରିଥିଲେ ଏବଂ ଏହାକୁ ଦୃଷ୍ଟିରେ ରଖି 10 ଟଙ୍କାର ମାସ୍କକୁ 16 ଟଙ୍କାକୁ ବଢାଇଦେଇଥିଲେ ।

ଶ୍ରୀ ପାତ୍ର କହିଥିଲେ ଯେ ଓଡିଶା ମାସ୍କକୁ 16 ଟଙ୍କାରେ କିଣିଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକ ଏହାଠାରୁ ଯଥେଷ୍ଟ ଅଧିକ ଦରରେ କିଣିଥିଲେ । ଉଦାହରଣ ସ୍ୱରୂପ ଗୁଜୁରୁଟ 20 ଟଙ୍କା ଏବଂ କର୍ଣ୍ଣାଟକ18.74 ଟଙ୍କା, ତାମିଲନାଡୁ 15.96 ପାଇସା କିଣିଛନ୍ତି । କରୋନା ଭୟାବହତାକୁ ଦୃଷ୍ଟିକୁ ରଖି ଲୋକଙ୍କୁ ବଞ୍ଚାଇବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ମାସ୍କ କିଣା ଯାଇଛି । ଦେଶର ତଥା ରାଜ୍ୟର ଏଭଳି ଏକ ବିପତି ସମୟରେ କଂଗ୍ରେସ ଲୋକଙ୍କ ମନରେ ସନ୍ଦେହର ବାତାବରଣ ସୃଷ୍ଟି କରୁଛି ଏବଂ 4.5 କୋଟି ରାଜ୍ୟବାସୀ ଓ କରୋନା ଯୋଦ୍ଧାଙ୍କୁ ନିରୁତ୍ସାହିତ କରୁଛି । ଯଦି ବିପକ୍ଷ ଦଳଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ସେମାନେ ପ୍ରଦାନ କରନ୍ତୁ । ତେବେ କଂଗ୍ରେସର ଏହି କୁତ୍ସିତ ରାଜନୀତିକୁ ରାଜ୍ୟବାସୀ କଦାପି କ୍ଷମା କରିବେ ନାହିଁ ବୋଲି ଶ୍ରୀ ପାତ୍ର ମତ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ମାସ୍କ ପାଇଁ ଗଲା ଜୀବନ : କଇଁଚିରେ 18 ବର୍ଷୀୟ ଯୁବକର ହତ୍ୟା

ନୂଆଦିଲ୍ଲୀ : ଦିଲ୍ଲୀ ଗୋବିନ୍ଦପୁର ଅଞ୍ଚଳରେ ମାସ୍କକୁ ନେଇ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସାମାନ୍ୟ ମାସ୍କ ପାଇଁ ଜଣେ ବ୍ୟକ୍ତି କାରଖାନା ମାଲିକର 18ବର୍ଷୀୟ ପୁଅକୁ କଇଁଛିରେ ହତ୍ୟା କରିଛି । ମିଳିଥିବା ସୂଚନା ଅନୁସାରେ ମୃତକ ଜଣକ ହେଉଛନ୍ତି 18 ବର୍ଷୀୟ ସଲମାନ୍‌ । ତାଙ୍କ ପିତା ମାସ୍କ ତିଆରି କରୁଥିବାର ଏକ କାରଖାନା ଚଳାଉଥିଲେ । ଦିଲ୍ଲୀରେ କରୋନା ସଂକ୍ରମଣ କାରଣରୁ ମାସ୍କର ଚାହିଦା ବେଶ୍‌ ରହିଛି । ବ୍ୟକ୍ତି ଜଣକ ଠିକାରେ ମାସ୍କ ସପ୍ଲାଇ ମଧ୍ୟ କରନ୍ତି । ଅଫସର ନାମକ ଜଣେ ବ୍ୟକ୍ତି କମ୍‌ ଦାମ୍‌ରେ ମାସ୍କ ତିଆରି କରି ସପ୍ଲାଇ କରି ସଲମାନଙ୍କ ପିତାଙ୍କଠାରୁ ସମସ୍ତ କାମ ନେଇ ଯାଇଥିଲା । ଏହି ମାମଲାକୁ ନେଇ ସଲମାନଙ୍କ ପିତା ଓ ଅଫସରଙ୍କ ଭିତରେ ଝଗଡା ଆରମ୍ଭ ହୋଇଥିଲା । ଝଗଡା ଏତେ ତୀବ୍ର ରୂପ ଧାରଣ କଲା ଯେ, ଅଫସର କଇଁଚି ନେଇ ସଲମାନଙ୍କ ବେକରେ ଗଇଁଚିରେ ଆକ୍ରମଣ କରିଥିଲେ । 4ରୁ ପାଞ୍ଚ ଥର କଇଁଚିରେ ଆକ୍ରମଣ କରିଥିଲା । ଏହା ପରେ କାରଖାନାକୁ ବାହାର ପଟୁ ବନ୍ଦ କରି ଫେରାର ହୋଇଥିଲା ।

ସଲମାନଙ୍କର ପାଟି ଶୁଣି ନିକଟରେ ଥିବା ଲୋକେ ଆସି କବାଟ ଭାଙ୍ଗି ସଲମାନକୁ ଉଦ୍ଧାର କରି ନିକଟସ୍ଥ ହସପିଟାଲ୍‌କୁ ନେଇଥିଲେ । କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେତୁ ସେ ସେଠାରେ ମୃତ୍ୟୁବରଣ କରିଥିଲେ ।

ପୋଲିସ୍‌ ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରି ଅଫସରଙ୍କ ସହିତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ସିସିଟିଭ୍‌ କ୍ୟାମେରା ଜରିଆରେ ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଥିବାର ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମାସ୍କ ତିଆରି କରୁଛନ୍ତି ଦେଶର ପ୍ରଥମ ମହିଳା : ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ : ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ମାସ୍କ ତିଆରି କରୁଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ମାସ୍କ ତିଆରି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ଏହି ଫଟୋଟିକୁ ସେୟାର କରିଛନ୍ତି ।

ଦେଶର ପ୍ରଥମ ମହିଳାଙ୍କ ଏପରି ଉଦ୍ୟମ ଉପରୁ ତଳ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ଆସନ୍ତୁ ଆମେ ସମସ୍ତେ ଭାରତୀୟ ଏକାଠୀ ହୋଇ କୋଭିଡ୍-୧୯ ଯୁଦ୍ଧରେ ସୈନିକଙ୍କ ଭଳି କାମ କରିବା ବୋଲି ଧର୍ମେନ୍ଦ୍ର ଟ୍ବିଟ୍‌ କରିଛନ୍ତି । (ଏଜେନ୍ସି)

Categories
ଆଞ୍ଚଳିକ

ଅନନ୍ତପୁର ପଞ୍ଚାୟତରେ ମାସ୍କ ଓ ସାବୁନ ବଣ୍ଟନ କରି କରୋନା ସଚେତନ କରାଇଲେ ସରପଞ୍ଚ

ରମେଶ ମହାନ୍ତି

ଜଗତସିଂହପୁର: ମହାମାରୀ କରୋନା ସାରା ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରସ୍ତୁତି କରାଯାଉଛି। ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ଯେପରି ନପଡ଼ିବ ସେଥିପାଇଁ ସଚେତନତା ସୃଷ୍ଟି କରାଯାଉଛି। ଏପରିକି ଗ୍ରାମାଞ୍ଚଳରେ ଅଧିକ ସଚେତନତା ଆବଶ୍ୟକତାକୁ ଲକ୍ଷ୍ୟ ରଖି ଅସହାୟ ଅନଗ୍ରସର ଅନୁସୂଚିତ ଜାତି ଲୋକମାନଙ୍କ ପାଇଁ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ଜଳସଂପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତରେ ସରପଞ୍ଚ ରମେଶ ଚନ୍ଦ୍ର ପାଇଟଳଙ୍କ ଦ୍ଵାରା ସଚେତନତା ସୃଷ୍ଟି କରାଯିବା ସହ ମାସ୍କ ଏବଂ ସାବୁନ୍ ବଣ୍ଟନ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ସମିତି ସଭ୍ୟ ରମେଶ ପଲେଇ, ପଞ୍ଚାୟତ ସଭାପତି ବସୁଦେବ ନାୟକଙ୍କ ସମେତ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନଙ୍କ ମଧ୍ୟରୁ ଭୁବନାନନ୍ଦ ବେହେରା, ଗୋକୁଳାନନ୍ଦ ସ୍ଵାଇଁ,ନିରଞ୍ଜନ ପଣ୍ଡା,ବାଳକୃଷ୍ଣ ପାତ୍ର, ସୁରେନ୍ଦ୍ର ମହାନ୍ତି, ସୁରେନ୍ଦ୍ର ପରିଡ଼ା, ଲିଙ୍ଗରାଜ ସେଠ, ଯୁବ ସଂଗଠକ ଭାବେ ଭାଗ୍ୟରବି ସ୍ୱାଇଁ( ବୁବୁ), ରମେଶ ବେହେରା,ଅଶୋକ ବେହେରା, ୟୁଧିଷ୍ଠିର ପଣ୍ଡା,ବିଜୁ ଯୁବ ବାହିନୀର ସଭାପତି ବିଶ୍ୱଜିତ (ପପୁ) ସ୍ଵାଇଁ,କାଳନ୍ଦି ସେଠ,ପ୍ରଶାନ୍ତ ମଲ୍ଲିକ, ପ୍ରମୁଖ ସହଯୋଗ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଅନନ୍ୟ ଉପାୟରେ ଇତିଶ୍ରୀଙ୍କ କରୋନା ସଚେତନତା

ରଞ୍ଜିତ ପଣ୍ଡା

କୁଜଙ୍ଗ: କରୋନାକୁ ନେଇ ଦେଶବ୍ୟାପୀ ସଙ୍କଟ ଲାଗି ରହିଥିବା ବେଳେ ସମାଜ ପ୍ରତି ନିଜର କର୍ତ୍ତବ୍ୟ,ଦାୟିତ୍ୱବୋଧ ଭୁଲିନାହାନ୍ତି କିଛି ବ୍ୟକ୍ତି। ଏକ ସୁସ୍ଥ ସମାଜ ସମାଜ ଗଠନ ପାଇଁ ଗୁଣ୍ଡୁଚି ମୂଷା ଭଳି ଦୀର୍ଘ 15 ଦିନ ହେବ ପ୍ରୟାସ କରିଛନ୍ତି ଜଣେ ସ୍କାଉଟ୍‌ ଗାଇଡ୍‌ କ୍ୟାପ୍‌ଟେନ୍‌। ଲୋକମାନଙ୍କୁ କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ତଥା କୋଭିଡ -19 ର ଭୟାବହତା ବାବଦରେ ଛକ ବଜାର ବୁଲି କରୁଛନ୍ତି ସଚେତନ। ଭାରତୀୟ ସ୍କାଉଟ ଗାଇଡ଼ର ଗାଇଡ଼ କ୍ୟାପଟେନ ପାରାଦ୍ୱୀପର ଇତିଶ୍ରୀ ପୁହାଣ କରୋନା ମହାମାରୀକୁ ହରେଇବା ପାଇଁ ଚଳାଇଛନ୍ତି ପ୍ରୟାସ। ନିଜ ଉଦ୍ୟମରେ ଘରେ ମାସ୍କ ତିଆରି କରି ପାରାଦ୍ୱୀପ ବନ୍ଦର ଅଞ୍ଚଳରେ ପ୍ରତିଦିନ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିବା ସହିତ ସେମାନଙ୍କୁ ମାସ୍କ ପିନ୍ଧେଇ କରୋନା ରୋଗ ପ୍ରତି ସଚେତନ କରୁଛନ୍ତି।

ଇତିଶ୍ରୀଙ୍କର ଏହି ପଦକ୍ଷେପ ପାରାଦ୍ବୀପ ଅଞ୍ଚଳରେ ମାନଙ୍କ ପାଇଁ ଉଦାହରଣ ପାଲଟିଛି। ନିଜେ କପଡ଼ାରେ ମାସ୍କ ତିଆରି କରି ଛକ ବଜାର ଗଳି କନ୍ଦି ବୁଲି ଲୋକମାନଙ୍କୁ ମାସ୍କ ପିନ୍ଧେଇ ସଚେତନ କରୁଛନ୍ତି। ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଅଞ୍ଚଳରେ ମାସ୍କର ଅହେତୁକ କଳାବଜାରୀ କାରଣରୁ ଗରିବ ଶ୍ରେଣୀର ଲୋକମାନେ ବଜାରରୁ ମାସ୍କ କିଣି ପାରୁନଥିଲେ। ଗରିବ ଶ୍ରେଣୀର ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟିବାର ନିଷ୍ପତ୍ତି ନେଇ ଇତିଶ୍ରୀ ନିଜେ ଘରେ ମାସ୍କ ତିଆରି କରି ବଣ୍ଟନ କରିବା ଆରମ୍ଭ କରିଥିଲେ।ଇତିଶ୍ରୀ ଦୈନିକ 200 ରୁ ଉର୍ଦ୍ଧ ମାସ୍କ ରାତିରେ ତିଆରି କରି ଦିନ ତମାମ ବିଭିନ୍ନ ଛକ ବଜାରରେ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ଲୋକ ଏବଂ ବ୍ୟବସାୟୀ ମାନଙ୍କୁ ବଣ୍ଟନ କରୁଛନ୍ତି। ଏପରିକି ନିଜ ହାତରେ ପିନ୍ଧେଇ ଦେଇ କୋଭିଡ-19 ସମ୍ପର୍କରେ ସଚେତନ କରିଚାଲିଛନ୍ତି। କରୋନାର ସମୂଳ ବିନାଶ ନହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁ ରଖିବେ ବୋଲି କହିଛନ୍ତି ଇତିଶ୍ରୀ। ଇତିଶ୍ରୀଙ୍କର ଏହି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

Categories
ଆଞ୍ଚଳିକ

କରୋନା ମୁକାବିଲା ପାଇଁ ବାଣପୁରରେ ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ମାସ୍କ ବଣ୍ଟନ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ରାଜ୍ୟରେ କରୋନା ଜନିତ ମହାମାରୀର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଧାରାରେ ନିଜକୁ ସାମିଲ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁରର କିଛି ମହିଳା ସଂଗଠନ। ସୂଚନା ଅନୁଯାୟୀ ଆଜି ଶ୍ରୀ ଜୟଗୁଋ ସ୍ୱୟଂ ସହାୟକ ଗୋଷ୍ଠୀ, ବଡ଼ରାଉଳ ସ୍ୱୟଂ ସହାୟକ ଗୋଷ୍ଠୀ, ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ, ଈଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବ୍ଲକ ପ୍ରୋଜେକ୍ଟ ଅଧିକାରୀ ରଶ୍ମିତା ଇନ୍ଦ୍ରଜିତ ଓ ଯୁବ ସାମ୍ବାଦିକ, ସମାଜସେବୀ ତଥା ଖୋର୍ଦ୍ଧା ଜିଲ୍ଲା ସୂଚନା ଅଧିକାର କୋର କମିଟି ସଦସ୍ୟ ଲକ୍ଷ୍ମୀଧର ମହାପାତ୍ରଙ୍କ ଉପସ୍ଥିତରେ ଲୋକମାନଙ୍କୁ ସଚେତନା କରାଇବା ସହ ମାସ୍କ ବଣ୍ଟନ କରିଛନ୍ତି।

ବାଣପୁର ବ୍ଲକ ଭବାନିପୁର ଗ୍ରାମପଞ୍ଚାୟତର ସାହାସପୁର ଗ୍ରାମ ଓ ନରେନ୍ଦ୍ର ପୁର ପଞ୍ଚାୟତର ବଡସିରେଇପୁର ଗ୍ରାମ ଠାରେ ସଦସ୍ୟାମାନେ ରାତି ଦିନ ଏକ କରି ମାସ୍କ ସିଲେଇ କରି ଘର ଘର ବୁଲି ପ୍ରତ୍ୟେକ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସଙ୍ଗେ ସଙ୍ଗେ କେଉଁ ଭଳି ଭାବରେ ମହାମାରୀର ମୁକାବିଲା କରାଯିବ ସେ ସମ୍ପର୍କରେ ସଚେତନ କରାଇଛନ୍ତି। ଅତିଥି ଭାବେ ବଡସିରେଇପୁର ଗ୍ରାମ ପରିଚାଳନା କମିଟି ସଭାପତି ପ୍ରବୋଧ ବିଶ୍ୱାଳ ଯୋଗଦେଇଥିଲେ। ଇତି ମଧ୍ୟରେ ସଭାନେତ୍ରୀ ସରସ୍ୱତୀ ସାହୁ ଓ ସନ୍ଧ୍ୟାରାଣୀ ପଣ୍ଡା ଓ ବୈଜୟନ୍ତୀ ଖୁଣ୍ଟିଆଙ୍କ ଏପରି ଜନସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Categories
ଆଞ୍ଚଳିକ

ଫତେପୁର ସରପଂଚଙ୍କ ଦ୍ୱାରା ମାସ୍କ ବଣ୍ଟନ

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ବ୍ଳକ ଅନ୍ତର୍ଗତ ଫତେପୁର ପଂଚାୟତର ସରପଞ୍ଚ ସ୍ନେହମୟୀ ଲେଙ୍କା ମାସ୍କ ବଣ୍ଟନ କରିଛନ୍ତି । କରୋନା ସଙ୍କ୍ରମଣରୁ ରକ୍ଷାପାଇବା ପାଇଁ ସ୍ଥାନୀୟ ପଂଚାୟତ ବାସୀଙ୍କୁ ନଜସ୍ୱ ଖର୍ଚ୍ଚ ଏବଂ ଉଦ୍ୟମରେ ମାସ୍କ ବଂଟନ କରୁଥିବା ଜଣାପଡ଼ିଛି । କୋଭିଡ-୧୯ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ସମସ୍ତଙ୍କୁ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ପଳରେ ଶ୍ରୀମତୀ ଲେଙ୍କା ନିଜେ ସିଲାଇ ମେସିନରେ ମାସ୍କ ପ୍ରସ୍ତୁତକରି ପଂଚାୟତରେ ବଂଟନ କରୁଥିବା ଜଣାପଡ଼ିଛି । ଏଡି ଘଟଣାକୁ ପଂଚାୟତର ବରିଷ୍ଠ ନାଗରିକଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

15 କୋଟି ଟଙ୍କାର ମାସ୍କ ଜବତ କଲା ମୁମ୍ବାଇ ପୋଲିସ୍‌

ମୁମ୍ବାଇ : 15 କୋଟି ଟଙ୍କାର ମାସ୍କ ଜବତ କରିଛି ମୁମ୍ବାଇ ପୋଲିସ୍‌ । ମଙ୍ଗଳବାର ମୁମ୍ବାଇ ପୋଲିସ୍‌ ପକ୍ଷରୁ 25 ଲକ୍ଷ ମାସ୍କ ଜବତ କରାଯାଇଛି । ମଙ୍ଗଳବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । କଳାବଜାର କରାଯାଇ ଏହି ମାସ୍କ ଗୁଡିକୁ ବାହାରେ ବିକ୍ରି ପାଇଁ ନିଆଯାଉଥିବା ବେଳେ ପୋଲିସ ଏହାକୁ ଜବତ କରିଛି । ମାସ୍କ ଗୁଡିକ ମଧ୍ୟରେ 3 ଲକ୍ଷ 25 ହଜାର ଏନ୍‌-49 ମାସ୍କ ରହିଥିବା ଜଣାପଡିଛି । ମାସ୍କ କଳାବଜାର ନେଇ ସୂଚନା ମିଳିବା ପରେ କମିଶନର ପରବ ବୀର ସିଂଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇ ମୁମ୍ବାଇ ଏବଂ ଥାନେର ବିଭିନ୍ନ ସ୍ଥାନରେ ଚଢକାଉ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 107ରେ ପହଞ୍ଚିଛି ।

Categories
ଆଞ୍ଚଳିକ

ଜ୍ୟୋତି ଫେଡ଼େରେସନ ପକ୍ଷରୁ କୋରୋନା ଆକ୍ରାନ୍ତଙ୍କ ପାଇଁ ମାସ୍କ ପ୍ରସ୍ତୁତି

ରଞ୍ଜିତ ପଣ୍ଡା
କୁଜଙ୍ଗ : କୁଜଙ୍ଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଜ୍ୟୋତି ଫେଡ଼େରେସନ ପକ୍ଷରୁ କୋରୋନା ଭୂତାଣୁ ଜନିତ ସଙ୍କ୍ରମଣରୁ ରକ୍ଷାପାଇବା ପାଇଁ ମାସ୍କ ପ୍ରସ୍ତୁତି କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ଏହି ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ଜନସାଧାରଣ ମାନଙ୍କ ସେବାରେ ଆସିବ ବୋଲି ସେ ଏହି ଅବସରରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଜ୍ୟୋତି ଫେଡ଼େରେସନର ସଭାପତି ମନୋରମା ମହାପାତ୍ର, ସମ୍ପାଦିକା ତପସ୍ୱିନୀ ପଟ୍ଟନାୟକ, ସଭ୍ୟା ସରୋଜିନୀ ମିଶ୍ର, ମିସନ ଶକ୍ତିର ପ୍ରୋଗ୍ରାମର ଜ୍ୟୋତ୍ସ୍ନାରାଣୀ ମନ୍ତ୍ରୀ, ପ୍ରିୟଦର୍ଶିନୀ ମହାପାତ୍ର, ଆଇସିଡ଼ିଏସର ସୁପରଭାଇଜର କଳ୍ପନା ବାରିକ, ଛବିଲତା ଭୋଇ, ସ୍ମୃତିପ୍ରଜ୍ଞା ମହାପାତ୍ର, ଚିନ୍ତାମଣୀ କଣ୍ଠ, ଜୟନ୍ତୀ ବେହେରା, ମନୋରମା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ପ୍ରିୟଦର୍ଶିନୀ ବିଶ୍ୱାଳ, ଚିନ୍ମୟୀ ବେଉରା, ମଞ୍ଜୁଲତା ପଣ୍ଡା ପ୍ରମୁଖ ମାସ୍କ ପ୍ରସ୍ତୁତି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।