ଆସନ୍ତା 6 ମାସ ଯାଏଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କଲା ଏହି ରାଜ୍ୟ

Published: Dec 20, 2020, 5:04 pm IST

ମୁମ୍ବାଇ: ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ମଧ୍ୟ ପୂର୍ବଠାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି । ତଥାପି ଶୀତ ବଢ଼ୁଥିବାରୁ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଆସନ୍ତା 6 ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  ।

ରାଜ୍ୟରେ ପୁନଃ ଲକ୍‌ଡାଉନ୍‌ କିମ୍ବା ରାତ୍ରିକାଳନୀ କର୍ଫ୍ୟୁ ଲାଗୁ କରିବା ସପକ୍ଷରେ ସରକାର ନାହାନ୍ତି । ଯଦିଓ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ଅଛି ତଥାପି ଏହା ନିୟନ୍ତ୍ରଣ ଭିତରେ ରହିଛି ।

ରବିବାର ଦିନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବର୍ତ୍ତମାନ ସ୍ଥିତିରେ ସତର୍କ ରହିବା ହିଁ ବଡ଼ ଚିକିତ୍ସା। ଅତିକମରେ ଆଗାମୀ 6ମାସ ପାଇଁ ସାର୍ବଜନୀନ ସ୍ଥାନରେ ସମସ୍ତେ ମାସ୍କ ପିନ୍ଧିବା ଅଭ୍ୟାସ ଜାରି ରଖିବା ଉଚିତ୍‌ ବୋଲି କହିଛନ୍ତି ଠାକ୍‌ରେ ।

ସୂଚନାଯୋଗ୍ୟ, ଶନିବାର ଦିନ ରାଜ୍ୟରେ 3 ହଜାର 940 ମାମଲା ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ଗତ 24 ଘଣ୍‌ଟାରେ 74ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 48 ହଜାର 648ରେ ପହଞ୍ଚିଛି ।

Related posts