ଭୁବନେଶ୍ବର: ରାଜ୍ୟର ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଶୃଙ୍ଖଳା ବଜାୟ ରଖିବା ଏବଂ ଦାୟିତ୍ୱହୀନତାକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କଠୋର ଶୃଙ୍ଖଳାଗତ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ଗୁରୁତର ଅଭିଯୋଗ ଓ କର୍ତ୍ତବ୍ୟରେ ଅବହେଳା କାରଣରୁ ବିଭାଗ ଅଧୀନରେ କାର୍ଯ୍ୟରତ ତିନି ଜଣ ଚିକିତ୍ସା ଅଧିକାରୀଙ୍କୁ ଚାକିରିରୁ ସାମୟିକ ଭାବେ ନିଲମ୍ବନ କରାଯାଇଛି। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ଏହି ତିନି ଜଣ ଡାକ୍ତରଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବିତ ହୋଇଥିବା ଡାକ୍ତରମାନଙ୍କ ମଧ୍ୟରେ ରହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା. ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ଗାଜଲବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା. ତମନ୍ନା ପ୍ରିୟଦର୍ଶିନୀ ଏବଂ ଗଞ୍ଜାମ ଜିଲ୍ଲା ଆସିକା ଉପଖଣ୍ଡ ଚିକିତ୍ସାଳୟର ଚିକିତ୍ସା ଅଧିକାରୀ ଡା. ସୁପ୍ରକାଶ ଦାସ। ଏହି ତିନି ଜଣ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ନିରପେକ୍ଷ ଓ ବିସ୍ତୃତ ତଦନ୍ତ ଚାଲିଥିବା ବେଳେ ଓଡ଼ିଶା ସିଭିଲ ସର୍ଭିସେସ୍ ନିୟମାବଳୀ, ୧୯୬୨ର ନିୟମ-୧୨ ଅନୁଯାୟୀ ସେମାନଙ୍କୁ ନିଲମ୍ବନ ଆଦେଶ ପ୍ରଦାନ କରାଯାଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଡା. ପ୍ରଭାକର ବେହେରା ସରକାରୀ କର୍ମଚାରୀଙ୍କ ପାଇଁ ନିର୍ଦ୍ଧାରିତ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ସେ ସାମାଜିକ ଗଣମାଧ୍ୟମରେ ଅନଧିକୃତ ମନ୍ତବ୍ୟ ଲେଖିଥିବାରୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସରକାରୀ ଚାକିରିରେ ଥାଇ ଏଭଳି ଅନଧିକୃତ ଓ ଅନୁଚିତ ମନ୍ତବ୍ୟ ପ୍ରଦାନକୁ ବିଭାଗ ଗୁରୁତର ସହ ନେଇଛି। ଅନ୍ୟପକ୍ଷରେ, ଡା. ତମନ୍ନା ପ୍ରିୟଦର୍ଶିନୀ ଏବଂ ଡା. ସୁପ୍ରକାଶ ଦାସଙ୍କ ବିରୋଧରେ ଜରୁରୀକାଳୀନ ପରିସ୍ଥିତିରେ କର୍ତ୍ତବ୍ୟରେ ଅନୁପସ୍ଥିତ ରହିବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ବାତ୍ୟା “ଅର୍ଣ୍ଣବ” ସମୟରେ ଉଭୟ ଡାକ୍ତର ଅନଧିକୃତ ଭାବେ ଛୁଟିରେ ଥିବା ଜଣାପଡ଼ିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସ୍ୱାସ୍ଥ୍ୟସେବା ସଜାଗ ରହିବା ଅତ୍ୟନ୍ତ ଜରୁରୀ ଥିବା ବେଳେ ସେମାନଙ୍କ ଏଭଳି ଅନୁପସ୍ଥିତି ଦାୟିତ୍ୱହୀନତାକୁ ଦର୍ଶାଉଛି। ଏଥିସହ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ମଧ୍ୟ ଏହି ଦୁଇ ଜଣ ଚିକିତ୍ସା ଅଧିକାରୀ ନିଜ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ରହିଥିଲେ।
ନିଲମ୍ବନ ସମୟ ମଧ୍ୟରେ ସମ୍ପୃକ୍ତ ଡାକ୍ତରମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ମୁଖ୍ୟାଳୟ ଧାର୍ଯ୍ୟ କରାଯାଇଛି। ନିୟମ ଅନୁଯାୟୀ, ନିଲମ୍ବନ ଅବଧିରେ ଡା. ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ରହିବ। ସେହିପରି ଡା. ତମନ୍ନା ପ୍ରିୟଦର୍ଶିନୀ ଏବଂ ଡା. ସୁପ୍ରକାଶ ଦାସଙ୍କ ନିଲମ୍ବନ କାଳୀନ ମୁଖ୍ୟାଳୟ ବ୍ରହ୍ମପୁରସ୍ଥିତ ସହର ଚିକିତ୍ସାଳୟଠାରେ ରହିବ। ଉପରିସ୍ଥ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ଏହି ତିନି ଜଣ ଡାକ୍ତର କୌଣସି ପରିସ୍ଥିତିରେ ନିଜ ନିଜ ନିର୍ଦ୍ଧାରିତ ମୁଖ୍ୟାଳୟ ଛାଡ଼ି ଅନ୍ୟତ୍ର ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୃଥକ ପୃଥକ ନିର୍ଦ୍ଦେଶନାମା ଜାରି କରାଯାଇଛି।


