କଟକ: ବାଲିଯାତ୍ରା ପାଇଁ କଟକ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ରକ୍ତାକ୍ତ ହୋଇଛି ସିଲଭର ସିଟି। ଦୁଇ ସାହି ମଧ୍ୟରେ ଭୟଙ୍କର ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ଜୀବନ ଯାଇଛି। ୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିବାବେଳେ ଗଣ୍ଡଗୋଳ ନିୟନ୍ତ୍ରଣ କରିବାକୁ ଯାଇ ଜଣେ ପୁଲିସ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି। ଗଣେଶ ଘାଟ ଅଞ୍ଚଳରେ ଏହି ଘଟଣା ପରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ଗୁରୁବାର ଦୁଇ ସାହି ମଧ୍ୟରେ ବିବାଦ ହୋଇଥିଲା। ଏହାକୁ ନେଇ ଶୁକ୍ରବାର ରାତି ପ୍ରାୟ ୭ଟାରେ ଗଣେଶ ଘାଟ ନିକଟ ହୋଟେଲ ବ୍ଲୁ ଲାଗୁନ ସମ୍ମୁଖରେ ଥିବା ଏକ ଚା’ ଦୋକାନରେ ଦୁଇଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଦୁଇ ସାହିର ଲୋକେ ଏକାଠି ହୋଇ ପରସ୍ପର ଉପରକୁ କାଚ ବୋତଲ, ଢେଲା ଓ ଇଟା ମାଡ଼ କରିଥିଲେ।
ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ନିକଟସ୍ଥ ମନ୍ଦିର ପିଣ୍ଡାରେ କାଚ ବୋତଲ ଓ ଠେଙ୍ଗାରେ ଆକ୍ରମଣ କରାଯାଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ମନ୍ଦିର ପିଣ୍ଡା ଓ କାନ୍ଥରେ ରକ୍ତ ଛିଟା ପଡ଼ିଥିବା ଦେଖାଯାଇଛି। ଉତ୍ତ୍ୟକ୍ତ ଲୋକେ ତିନିଟି ବାଇକ୍, ଏକ ଯାତ୍ରୀବାହୀ ଅଟୋ ଓ ଚା’ ଦୋକାନ ଭଙ୍ଗାରୁଜା କରିଛନ୍ତି।
ଖବର ପାଇ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ ଗୋଟିଏ ପ୍ଲାଟୁନ୍ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆକ୍ରମଣକାରୀମାନେ ଫେରାର ଥିବାବେଳେ ସେମାନଙ୍କୁ ଧରିବାକୁ ପୁଲିସ ଚଢ଼ଉ ଜାରି ରଖିଛି।
ସୂଚନାଯୋଗ୍ୟ, ଦୁଇ ସାହି ମଧ୍ୟରେ ପୂର୍ବରୁ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗଣେଶ ଭସାଣି ସମୟରେ ମଧ୍ୟ ଫିରିଙ୍ଗିବଜାର ନିକଟରେ ଗଣ୍ଡଗୋଳ ହୋଇଥିଲା। ଏବେ ଏହି ବିବାଦ ହତ୍ୟାକାଣ୍ଡର ରୂପ ନେବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।


