କରୋନା ସଂକ୍ରମଣ ରୋକିବା ପାଇଁ ବାଣପୁରରେ ଧାରା ୧୪୪ ଜାରି

Published: Apr 12, 2020, 7:17 pm IST

ସୀତାରାମ ଅଗ୍ରୱାଲ

ବାଣପୁର: କରୋନା ଆକ୍ରାନ୍ତ ଜନୈକ ବ୍ୟକ୍ତି ବାଣପୁରର ବଡ ହନ୍ତୁଆଡ ଗସ୍ତ କରିଥିବା ନେଇ ଖବର ପ୍ରକାଶ ପାଇବା ପରେ ବାଣପୁରରେ ଧାରା ୧୪୪ ଜାରି କରାଯାଇଛି। ରାଜ୍ୟର ୫୦ ନମ୍ବର ସଙ୍କ୍ରମିତ ମାର୍ଚ୍ଚ ୧୮-୨୦ ମଧ୍ୟରେ ବାଣପୁର ଅନ୍ତର୍ଗତ ବଡ ହନ୍ତୁଆଡ ଯାଇଥିଲେ। ସେଠାରେ ତିନି ଦିନ ଅବସ୍ଥାନ କରିଥିବା ବେଳେ କାହା ସହିତ ମିଳାମିଶା କରିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଛି। ପ୍ରତିଶେଧକମୂଳକ ପଦକ୍ଷେପ ସ୍ବରୂପ ବାଣପୁରରେ ଧାରା ୧୪୪ ଜାରି କରାଯାଇଛି। ପଣା ସଙ୍କ୍ରାନ୍ତି ଅବସରରେ ବିଭିନ୍ନ ମନ୍ଦିରରେ ଭିଡ ଜମା ହେବାର ସମ୍ଭାବନା ଥିବାରୁ ବାଣପୁର ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହା ସହିତ ସଂକ୍ରମଣ ରୋକିବା ପାଇଁ ବାଣପୁରକୁ ସିଲ୍‌ କରାଯିବା ଉପରେ ଜିଲ୍ଲାପାଳ ବିଚାର କରୁଛନ୍ତି ଏବଂ ଖୁବ୍‌ଶୀଘ୍ର ସେ ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଯେ, ବାଣପୁରର ପ୍ରସିଦ୍ଧ ମା ଭଗବତୀ ମନ୍ଦିର, ଗୁପ୍ତେଶ୍ବର ମନ୍ଦିର, ଦକ୍ଷ ପ୍ରଜାପତି ମନ୍ଦିର, ଭେଟିନାଥ ଦେବ ମନ୍ଦିର, ରଙ୍କନାଥ ଦେବ ମନ୍ଦିର ପ୍ରଭୃତିକୁ ସିଲ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୌଣସି ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯିବା ସହିତ ଏହାର ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ମନ୍ମଥ ବେହେରା ପ୍ରକାଶ କରିଛନ୍ତି। ସେହିପରି ଝାମୁ ଯାତ୍ରାରେ ଯେପରି କେହି ମନ୍ଦିରରେ ପ୍ରବେଶ ନକରନ୍ତି ତାକୁ କଡାକଡି ଭାବରେ ପାଳନ କରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି।

Related posts