ବିଦେଶ ଯାତ୍ରା ସମ୍ପର୍କରେ ତଥ୍ୟ ଲୁଚାଇବା ପଡ଼ିଲା ମହଙ୍ଗା : ଦୁଇ ଛାତ୍ରଙ୍କ ବିରୋଧରେ ମାମଲା

Published: Mar 24, 2020, 10:16 am IST

ଶ୍ରୀନଗର : କରୋନା ଭାଇରସ୍‌କୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେଶ୍‌ ଶକ୍ତ ହୋଇଛନ୍ତି । ବିଦେଶରୁ ଦୁଇ ଛାତ୍ର ଫେରି ଏ ଯାତ୍ରା ସମ୍ପର୍କରେ ସୂଚନା ନ ଦେଇ ଗୁପ୍ତ ରଖିବାରୁ ପୋଲିସ୍‌ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଦେଶ ଯାତ୍ରା ସମ୍ପର୍କରେ ସୂଚନା ଲୁଚାଇବା ଅପରାଧରେ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ଦୁଇ ଛାତ୍ର ବିଦେଶରୁ ଭାରତକୁ ଆସିଥିଲେ  । ଫୁଲଓ୍ବାମା ପୋଲିସ୍‌ ଏହି ଦୁଇ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ଏହି ଘଟଣାଟି ଫୁଲଓ୍ବାମା ଅବନ୍ତୀପୁରାର । ଏଠାରେ ଦୁଇ ଛାତ୍ର ବାଙ୍ଗ୍‌ଲାଦେଶ ଓ ପାକିସ୍ତାନରେ ଡାକ୍ତରୀ ପାଠ୍ୟ  ପଢୁଥିବାବେଳେ ଭାରତକୁ ଫେରିଥିଲେ । ଡବ୍ଲ୍ୟୁଏଚ୍‌ଓ ଗାଇଡଲାଇନ୍‌ ଅନୁସାରେ ବିଦେଶୀ ଫେରନ୍ତାଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନ୍‌ ରଖାଯିବା ଦରକାର । କିନ୍ତୁ ଏହି ଦୁହେଁ ସେମାନଙ୍କ ବିଦେଶ ଯାତ୍ରା ସମ୍ପର୍କରେ ପ୍ରଶାସନକୁ କିଛି ସୂଚନା ନ ଦେଇ ଗୋପନ ରଖିଥିଲେ । ଯେତେବଳେ ଏହା ଜଣାପଡିଲା ସେହି ଗ୍ରାମ ଲୋକମାନେ ପୋଲିସ୍‌ରେ ଏନେଇ ସୂଚନା ଦେଇଥିଲେ । ପୋଲିସ୍‌ ଆସି ଦୁହିଁଙ୍କୁ ଅଟକ ରଖିବା ସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦୁହିଁଙ୍କ ବିରୋଧରେ ଆଇପିସିଧାରା 188, 270, 271 ଅନୁଯାୟୀ ମାମଲା ରୁଜୁ କରିଛି ।

Related posts