ଲକ୍‌ ଡାଉନ୍‌କୁ ନେଇ ଶକ୍ତ ହେଲେ କେସିଆର୍‌ :  ନିୟମ ଉଲ୍ଲଂଘନ କଲେ, କର୍ଫ୍ୟୁ ଲଗାଯିବ,  ଗୁଳି ମାରିବାକୁ ଆଦେଶ ଦିଆଯିବ

Published: Mar 25, 2020, 10:06 am IST

ତେଲେଙ୍ଗାନା : କରୋନା ମୁକାବିଲା ପାଇଁ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ ଲାଗୁ କରାଯାଇଛି । ଏବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ୍ବ ଲକ୍‌ ଡାଉନ୍‌କୁ ନେଇ ବେଶ୍‌ ଶକ୍ତ ହୋଇଛନ୍ତି । ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ, ଯଦି ଲୋକମାନେ ଲକ୍‌ ଡାଉନ୍‌ ନିୟମକୁ ପାଳନ କରିବେ ନାହିଁ, ତେବେ ସେମାନଙ୍କୁ ଗୁଳି ମାରିବାର ଆଦେଶ ଦେବା ଛଡା ଅନ୍ୟ କିଛି ବିକଳ୍ପ ରହିବ ନାହିଁ ।

ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 37ରେ ପହଞ୍ଚିଲାଣି । କରୋନ ସ୍ଥିତିକୁ ନେଇ କେସିଆର କହିଛନ୍ତି ଯେ, ଯଦି ଲକ୍‌ ଡାଉନ୍‌ର ନିୟମକୁ ଉଲ୍ଲଂଘନ କରନ୍ତି ତେବେ ଆଗାମୀ 24 ଘଣ୍ଟା ମଧ୍ୟରେ କର୍ଫ୍ୟୁ ଜାରି କରିବାକୁ ପଡିବ । ସେ ଜନସାଧାରଣଙ୍କୁ କହିଛନ୍ତି ଯେ, ଯଦି ଲୋକମାନେ ପୋଲିସ୍‌ର କଥାକୁ ଶୁଣିବେ ନାହିଁ, ତେବେ ସେନା ନିୟୋଜିତ କରାଯିବ ଏବଂ ଗୁଳି ଚଳାଇବା ପାଇଁ ଆଦେଶ ଦେବାକୁ ସରକାର ବାଧ୍ୟ ହେବେ ।  ସୋମବାର ଓ ମଙ୍ଗଳବାର ଦିନ ଲୋକମାନେ ଲକ୍‌ ଡାଉନ୍‌କୁ ମାନୁନଥିବାରଦେଖାଯାଇଥିଲା। ଏହାକୁ ନେଇ କେସିଆର ବେଶ୍‌ କଡା ପଦକ୍ଷେପ ନେବା ସ୍ବରୂପ କହିଛନ୍ତି ଯେ, ରାତି 7ଟାରୁ ସକାଳ 6ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ । ସନ୍ଧ୍ୟା 6ଟା ପରେ ସମସ୍ତ ଦୋକାନ ବନ୍ଦ କରାଯିବ । କେସିଆର୍‌  ଲକ୍‌ ଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ମନୋଭାବ ପୋଷଣ କରିଛନ୍ତି ।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 500 ଟପି ସାରିଥିବାବେଳେ 11 ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ଦେଶର ଏପରି ଅବସ୍ଥାକୁ ଦେଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ 21 ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି ।

Related posts