ଭାରତ ଲକଡାଉନ: ତିନିମାସ ପାଇଁ ବିଦ୍ୟୁତ ବିଲ୍ ଆଦାୟ ବନ୍ଦ, ପଇସା ବାକି ଥିଲେ ମଧ୍ୟ ଲାଇନ କଟାଯିବ ନାହିଁ

Published: Mar 29, 2020, 6:06 am IST

ନୂଆଦିଲ୍ଲୀ, କରୋନା ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ବିଦ୍ୟୁତ ଉତ୍ପାଦନ, ସରବରାହ, ବଂଟନ ଓ ଏହାର ପଦ୍ଧତିଗତ କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀମାନେ ଅହୋରାତ୍ର ଉଦ୍ୟମ ଜାରି ରଖିଛନ୍ତି । ଏଭଳି ଜଟିଳ ପରିସ୍ଥିତିରେ ଶକ୍ତି ମନ୍ତ୍ରଣାଳୟ ଏହାର ସମସ୍ତ ଉପଭୋକ୍ତାମାନଙ୍କୁ ବିଜୁଳି ଶକ୍ତି ଯୋଗାଇବାରେ ପ୍ରତିଶୃତିବଦ୍ଧ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ କୁମାର ସିଂ କହିଛନ୍ତି ।

ଶକ୍ତିମନ୍ତ୍ରୀ କହିଛନ୍ତି ଯେ, ଦେଶର ଶତକଡା ୭୦ ଭାଗ ବିଦ୍ୟୁତ ଶକ୍ତି ତାପଜ ଶ୍ରେଣୀୟ । ସେ ଦୃଷ୍ଟିରୁ ତାପଜ ଶକ୍ତି କେନ୍ଦ୍ରଗୁଡିକୁ କୋଇଲାର ନିରବଚ୍ଛିନ୍ନ ପରିବହନ ଯେପରି ଜାରି ରହେ, ତାଙ୍କ ମନ୍ତ୍ରଣାଳୟ ରେଳ ଓ କୋଇଲା ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ରହିଛି ।
ଲକଡାଉନ ଯୋଗୁଁ ଉପଭୋକ୍ତାମାନେ ବିଦ୍ୟୁତ ବଂଟନକାରୀ କମ୍ପାନୀଗୁଡିକୁ ସେମାନଙ୍କ ଦେୟ ଯଥା ସମୟରେ ପୈଠ କରିପାରୁନାହାନ୍ତି।

ସେ ଦୃଷ୍ଟିରୁ ବଂଟନକାରୀ କମ୍ପାନୀଗୁଡିକ ବିଦ୍ୟୁତ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡିକୁ ସେମାନଙ୍କର ଧାର୍ଯ୍ୟ ଦେୟ ପୈଠ କରିପାରୁନାହାନ୍ତି। ସେଥିପାଇଁ ଶକ୍ତି ମନ୍ତ୍ରୀ ଶକ୍ତି କ୍ଷେତ୍ରକୁ କେତକ ରିହାତିର ଅନୁମୋଦନ କରିଛନ୍ତି । ପରିବଂଟନ କମ୍ପନୀଗୁଡିକର ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି କେତେକ ପଦକ୍ଷେପ ନିଆଯାଇଛି ।

୧. ବିଦ୍ୟୁତ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡିକ ସେମାନଙ୍କର ଦେୟ ପୈଠ ନ ହୋଇଥିଲେ ମଧ୍ୟ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବେ। ବର୍ତମାନର ସଙ୍କଟଜନକ ପରିସ୍ଥିତିରେ ବିଦ୍ୟୁତ ଯୋଗାଣ କୌଣସିମତେ ହ୍ରାସ କରାଯିବ ନାହିଁ ।

୨. ଆଗାମୀ ୩୦ ଜୁନ ପର୍ଯ୍ୟନ୍ତ ସିକ୍ୟୁରିଟି ବାବଦ ଅର୍ଥ ଜମା ସ୍ଥିତି ବଳବତର ରହିବ ।

୩. ୩ ମାସର ମହଲତ ଦେବା ପାଇଁ ଏଥିନେଇ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସେହିଭଳି ନିର୍ଦ୍ଦେଶ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଦେବା ଲାଗି ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।

Related posts