ଜାଣନ୍ତୁ ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସଙ୍ଗରୋଧରେ ରହିବାକୁ ନିବେଦନ

Published: Apr 2, 2020, 7:24 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟରେ ଗତକାଲି ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ବେଳେ ଆଜି ବିଏମ୍‌ସି ପକ୍ଷରୁ ଉକ୍ତ ବ୍ୟକ୍ତିଙ୍କର ପରିଚୟ ପ୍ରଦାନ କରାଯାଇଛି । ବିଏମସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ ଏକ ପ୍ରେସ୍‌ମିଟ୍ କରି ଏହି ସୂଚନା ଦେଇଛନ୍ତି । ଆକ୍ରାନ୍ତ ବ୍ୟକ୍ତିଙ୍କ ନାମ ପ୍ରଦୀପ ଦଳବେହେରା ଏବଂ ସେ ସୂର୍ଯ୍ୟନଗରର ପ୍ଲଟ୍ ନଂ ୩୭, ୟୁନିଟ-7 ଏବଂ ୱାର୍ଡ ନମ୍ବର 46ରରେ ବସବାସ କରନ୍ତି। ବିଏମସିର ସ୍ବତନ୍ତ୍ର କ୍ଷମତା ବଳରେ ଏହି ଆକ୍ରାନ୍ତଙ୍କ ପରିଚୟ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଏହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ତୁରନ୍ତ 14 ଦିନ ପାଇଁ ଘରେ ସଙ୍ଗରୋଧରେ ରହନ୍ତୁ ।

ଏହି ଘଟଣା ପରେ ବିଏମ୍‌ସି ଉକ୍ତ ଅଞ୍ଚଳକୁ ସିଲ୍ କରିବାର ନିଷ୍ପତ୍ତି ନେଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କର ବିଦେଶ ଗସ୍ତ କିମ୍ବା ରାଜ୍ୟ ବାହାରକୁ ଗସ୍ତର କୌଣସି ପ୍ରମାଣ ନଥିବାରୁ ବିଏମ୍‌ସ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଗଙ୍ଗନଗର ଛକରୁ ଏଲ୍‌ଆଇସି ଛକ ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଛକ ରାସ୍ତାକୁ ସିଲ୍ କରି ଦିଆଯାଇଛି । ଏହିତ ଅଞ୍ଚଳରେ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ସେହିପରି ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ନିଜକୁ ୧୦୪ ନମ୍ବରରେ ପଞ୍ଜୀକରଣ କରି ହୋମ୍ କ୍ୱାରାଣ୍ଟିନ୍‌ରେ ରହିବା ପାଇଁ ପରମର୍ଶ ଦିଆଯାଇଛି ।

Related posts