ପାଣି ଠୁ ଶସ୍ତା ବିଶ୍ଵ ବଜାରରେ କଞ୍ଚା ତେଲର ଦାମ, ବ୍ୟାରେଲ ପିଛା ଅଧ ଡଲାରରୁ ବି କମ

Published: Apr 21, 2020, 12:41 am IST

କେଦାର ମିଶ୍ର

ବିଶ୍ଵ ବଜାରରେ ଆଜି ଅସ୍ଵାଭାବିକ ଘଟଣା ଘଟିଛି। କରୋନା ଭୂତାଣୁର ପ୍ରଭାବରେ ଆଜି ବିଶ୍ଵ ବଜାରରେ କଞ୍ଚା ତେଲର ମୂଲ୍ୟ ପାଣିଠାରୁ ମଧ୍ୟ ଶସ୍ତା ଦରରେ ବିକ୍ରି ହେଉଛି। ବିକ୍ରି ହୋଇନପାରି ତେଲ ଖଣିରେ ଯେତିକି କଞ୍ଚା ତେଲ ପଡି ରହିଛି, ତାକୁ ଖାଲି କରିବା ଲାଗି ଆଗାମୀ ସମୟରେ ହୁଏତ ବିକ୍ରେତାଙ୍କୁ ଖୋଦ ପଇସା ଦେଇ ତେଲ ନେଇଯିବାକୁ ଖୋସାମତ କରିବାକୁ ପଡିବ। ହେଲେ ତେଲ ନେବା କିଏ? ଆଜି କରୋନା ଭୟରେ ସାରା ପୃଥିବୀର ଯାନ ବାହନ ଠପ ହୋଇ ପଡିଛନ୍ତି। ବିମାନ ଠୁ ଆରମ୍ଭ କରି ମୋପେଡ ପର୍ୟନ୍ତ କିଛି ବି ଚାଲୁ ନ ଥିବାରୁ, ପୃଥିବୀରେ ଆଜି ତେଲର ଚାହିଦା ସରି ଯାଇଛି। କେବେ ଦିନେ ତେଲ କୁ ନେଇ ମରାମରି ହେଉଥିବା ପୃଥିବୀର ବଜାର ଆଜି ତେଲ କୁ ଦେଖି ମୁହଁ ମୋଦୀ ଦେଉଛି। ଯାହାର ପରିଣତି ସ୍ଵରୂପ ଆଜି କଞ୍ଚା ତେଲର ବ୍ୟାରେଲ ପିଛା ମୂଲ୍ୟ ୧ ଡଲାରରୁ କମ ହୋଇ ଯାଇଛି।

୧ ବ୍ୟାରେଲ ର ପରିମାଣ ହେଉଛି ପ୍ରାୟ ୧୧୫.୬ ଲିଟର। ଆଜିର ତାରିଖରେ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ହେଉଛି ୭୬.୬୬ଟଙ୍କା। ତା ମାନେ ହେଉଛି, କଞ୍ଚା ତେଲର ଲିଟର ପିଛା ମୂଲ୍ୟ ମାତ୍ର ୬୦ ପଇସା। ଏହାର ବିଶୋଧନ ପରେ ହୁଏତ ଲିଟର ପିଛା ୧୨ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅର୍ଥାତ ୬୦ ପଇସାର ତେଲକୁ ୧୨ ଟଙ୍କାର ବିଶୋଧନ। କଞ୍ଚା ଓଡିଆରେ ଛଅ ଟଙ୍କା ଘୋଡାକୁ ନ’ ଟଙ୍କାର ଦାନା। ନା, ୯ ଟଙ୍କା ତ ନୁହଁ ୧୨୦ ଗୁଣ ଅଧିକ ଦାନା। ସେଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଟିକସ, ସେସ ମିଶି ପ୍ରାୟ ୪୧ ଟଙ୍କା। ଷାଠିଏ ପଇସାର ତେଲକୁ ମୁଁ ବେଚାରା ଗରାଖ ଭୁବନେଶ୍ବରରେ ଆଜି କିଣୁଛି ୬୪.୯୧ ଟଙ୍କାରେ। କଞ୍ଚା ତେଲରୁ ଗରାଖ ପାଖକୁ ଆସିଲା ବେଳେ ଏହାର ମୂଲ୍ୟ ଯେ ୧୦୪ ଗୁଣ ଅଧିକ ହୋଇଯିବ, ଏହି ଗଣିତ କେବଳ ଶୋଷଣ ତନ୍ତ୍ରରେ ହିଁ ସମ୍ଭବ।

ତେବେ ସବୁଠୁ ବଡ କଥା ହେଉଛି, ଆଜି ତେଲର ଚାହିଦା ନାଇଁ। ଚାହିଦା ନଥିବାରୁ ଯୋଗାଣ ବ୍ୟବସ୍ଥା ଠପ ହୋଇ ପଡିଛି। ତେଣୁ ଆଜି ପେଟ୍ରୋଲ ବଜାରରେ ଏହି ହାହାକାର। ପାଣି ଠୁ ଶସ୍ତାରେ ମିଳୁଥିଲେ ମଧ୍ୟ ପେଟ୍ରୋଲ ନେବାକୁ ଗରାଖ ନାହାନ୍ତି।

ତେବେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲ ଦରର ଏହି ଦୁରବସ୍ଥା ଭାରତର ଅର୍ଥନୀତି ଲାଗି ବରଦାନ ସାବ୍ୟସ୍ତ ହୋଇଥାନ୍ତା। ଏକ ପ୍ରକାର ମାଗଣା ରେ ପେଟ୍ରୋଲ ଆଣି ଚଢା ମୂଲ୍ୟରେ ଭାରତ ସରକାର ଏହାକୁ ବିକ୍ରି କରି ନିଜର ଆର୍ଥିକ ନିଅଣ୍ଟିଆ ପରିସ୍ଥିତିକୁ ସୁଧାରୀ ପାରିଥାନ୍ତେ। ହେଲେ ଲକ ଡାଉନ ସମୟରେ ପେଟ୍ରୋଲ ବା ଡିଜେଲ କିଣିବ କିଏ? ଆଜି ସାରା ପୃଥିବୀର ଶୂନଶାନ ସମୟରେ ମାଗଣା ପେଟ୍ରୋଲ ନେବାକୁ କାହାର ଜାହାଜ ବି କୌଣସି ବନ୍ଦରରେ ଲାଗିନାହିଁ।

କରୋନା ଭୂତାଣୁ ଆଜି ସତରେ ସାରା ପୃଥିବୀର ବଜାର କୁ କାଙ୍ଗାଳ କରି ଦେଇଛି।

Related posts