ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ: ଗୋଷାଣୀ ନୂଆଗାଁ ଥାନା ନିକଟବର୍ତ୍ତୀ ନୀଳକଣ୍ଠେଶ୍ବର ମନ୍ଦିର ପରିସରରେ ଜଣେ ୬୦ ବର୍ଷ ବୟସ୍କ ଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ଆଜ଼ି ସକାଳେ ନୀଳକଣ୍ଠଶ୍ୱେର ମନ୍ଦିର ପରିସର ଭିତରେ ଜଣେ ୬୦ ବର୍ଷର ବୃଦ୍ଧ ବେକ କାଟି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ଛବିଲ ମହାରଣା ହୋଇଥିବାବେଳେ ସେ ବୃତ୍ତିରେ ଜଣେ ବଢେଇ ବୋଲି ଜଣାପଡିଛି। ସେ ପିଟାପିଟି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ନିଜ ହାତରେ ନିହଣ ଧରି ବେକ କାଟିଥିବାର ଜଣାପଡିଛି।
ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଏମ୍କେସିଜିକୁ ପଠାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ବୃଦ୍ଧଙ୍କ ଆତ୍ମହତ୍ୟାରୁ ରହସ୍ୟ ଉଠିପାରେ ବୋଲି ଆଶା କରାଯାଉଛି।
କରୋନା ଭାଇରସ୍ ସମୟରେ ସାରା ରାଜ୍ୟରେ ଲକ୍ ଡାଉନ୍ ଚାଲିଥିବାବେଳେ ଏବେ ଲୋକମାନେ କାମ ଧନ୍ଦା ନ ପାଇ ଘରେ ବନ୍ଦୀ ହୋଇ ରହୁଛନ୍ତି। ଏପରି ସମୟରେ ବୃଦ୍ଧଙ୍କ ଆତ୍ମହତ୍ୟାକୁ ନେଇ ଅନେକ ପ୍ରକାରର ଆଶଙ୍କା ସୃଷ୍ଟି ହୋଇଛି। ଲକ୍ ଡାଉନ୍ ଯୋଗୁଁ ମାନସିକ ଜନିତ ଅସୁସ୍ଥ ରହି ଏପରି କାଣ୍ଡ ଘଟାଇଥିବାର ଅନୁମାନ କରାଯାଉଥିବାବେଳେ ତାଙ୍କ ପରିବାର ତରଫରୁ କିନ୍ତୁ ଦିଆଯାଇଥିବା ଏକ ବୟାନକୁ ନେଇ ସାଧାରଣ ଚର୍ଚ୍ଚା ଜୋରସୋର୍ ଚାଲିଛି। ପରିବାର ଲୋକଙ୍କ ମତରେ ବୃଦ୍ଧ ଜଣକ କୌଣସି ଏକ ଭୁଲ୍ କାମକୁ ନେଇ ଅନୁତପ୍ତ ରହିଥିଲେ,ଏଥିପାଇଁ ସେ ବଞ୍ଚିବାକୁ ଚାହୁଁନଥିଲେ ବୋଲି କହିଛନ୍ତି। ତେବେ ବୃଦ୍ଧ ଜଣକ ଏମିତି କ’ଣ ଭୁଲ କରିଥିଲେ ଯେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ, ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଦାବି ହୋଇଛି।