ସୁପ୍ରିମ୍‌କୋର୍ଟରେ ପହଞ୍ଚିଲା କରୋନା : ହୋମ କ୍ବାରେଣ୍ଟାଇନ୍‌ରେ ଦୁଇ ରେଜିଷ୍ଟ୍ରାର୍‌

Published: Apr 27, 2020, 10:08 pm IST

ନୂଆଦିଲ୍ଲୀ : ସାରା ବିଶ୍ବରେ ଚହଳ ପକାଇଥିବା ମହାମାରୀ କରୋନା ଭାରତରେ ମଧ୍ୟ କାୟା ବିସ୍ତାର କରି ଚାଲିଛି । ଏବେ କରୋନା ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ନିଜର ଉପସ୍ଥିତି ଜାହିର୍‌ କରିଛି । ସୁପ୍ରିମ୍‌କୋର୍ଟର ଜଣେ କର୍ମଚାରୀ ଏବେ କରୋନା କବଳରେ। ସୁପ୍ରିମ୍‌କୋର୍ଟରେ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାର ଖବର ରହିଛି । ଏଥିପାଇଁ ଶୀର୍ଷ ଅଦାଲତ ଦୁଇ ରେଜିଷ୍ଟ୍ରାର୍‌ଙ୍କୁ ହୋମ୍‌ କ୍ବାରେଣ୍ଟିନ୍‌ରେ ପଠାଇଛି । ଏତଦ୍‌ବ୍ୟତୀତ ତାଙ୍କ କେଉଁମାନେ ସମ୍ପର୍କରେ ଆସିଛନ୍ତି ସେନେଇ  ଖୋଳତାଡ ଜାରି ରହିଛି।

ମିଳିଥିବା ସୂଚନାରେ କରୋନା ସଂକ୍ରମିତ ହୋଇଥିବା କର୍ମଚାରୀ ଜଣକ ଗତ ସପ୍ତାହରେ ଦୁଇ ଥର ସୁପ୍ରିମ୍‌କୋର୍ଟ ଆସିଥିଲେ । ଏବେ କୋର୍ଟର ଅଧିକାରୀ କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ସମସ୍ତ ସମ୍ଭାବିତ ଉପାୟ ଉପରେ ବିଚାର ବିମର୍ଶ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ରାଷ୍ଟ୍ରପତି ଭବନରେ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସେଠାରେ ଥିବା 125 ଜଣ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିଲା । ସେହିପରି ଭାବେ ଗତକାଲି ଆନ୍ଧ୍ରପ୍ରଦେଶର ରାଜଭବନ ପରିସରରେ କରୋନା ଆକ୍ରାନ୍ତଙ୍କ ସୂଚନା ମିଳିଥିଲା । ସେଠାରେ ଚାରି ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବାର ଖବର ରହିଥିଲା । ଏହା ପରେ ରାଜଭବନକୁ ବିଶୋଧନ କରାଯାଇଛି । ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 886ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 28,381ରେ ପହଞ୍ଚିଛି । (ଏଜେନ୍ସି)

Related posts