ଭୁବନେଶ୍ବର : ଓଡ଼ିଶାକୁ ଏବେ ସୁପରସ୍ପ୍ରେଡର ଚିନ୍ତା ଘାରିଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ସର୍ବମୋଟ୍ 118 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 38ଜଣ ସୁସ୍ଥ ହୋଇଥିବାବେଳେ ଜଣେ ମୃତ୍ୟୁବରଣ କରିଛନ୍ତି । ତେବେ ରାଜ୍ୟରେ ଚିନ୍ତା ବଢାଇଛି ସୁପର ସ୍ପ୍ରେଡର୍ । ଆଜି 5 କରୋନା ଆକ୍ରାନ୍ତଙ୍କ ତଥ୍ୟରୁ ସୁପର ସ୍ପ୍ରେଡରକୁ ନେଇ ଚିନ୍ତା ବଢିଛି ।
ଆଉ 5 କରୋନା ଆକ୍ରାନ୍ତଙ୍କ କେସ୍ ହିଷ୍ଟ୍ରି ଦେଇଛନ୍ତି ସରକାର । କେସ୍ ନମ୍ବର 104, 105, 106,107,108ଙ୍କ ତଥ୍ୟ ଜାରି କରାଯାଇଛି । ଏହି ସମସ୍ତ ଆକ୍ରାନ୍ତ ବାଲେଶ୍ବର ଜିଲ୍ଲାର ନେଳିଆବାଗ ଅଞ୍ଚଳର। ଏହି ପାଞ୍ଚଜଣ ଆକ୍ରାନ୍ତଙ୍କ ମଧ୍ୟରେ 4 ଜଣ ମହିଳା ଥିବାବେଳେ ଜଣେ ଯୁବକ ରହିଛନ୍ତି । ମହିଳାଙ୍କ ବୟସ ଯଥାକ୍ରମେ 22, 55,23,29 ହୋଇଥିବାବେଳେ ଯୁବକଙ୍କ ବୟସ 27 ବର୍ଷ । ସମସ୍ତ ଆକ୍ରାନ୍ତ ମୂଳ 61 ନମ୍ବର ରୋଗୀଙ୍କ ପାଖ ପଡୋଶୀ ବୋଲି ଜଣାପଡିଛି । ପୂର୍ବରୁ କାହା ଦେହରେ କରୋନା ଲକ୍ଷଣ ନଥିବା ସତ୍ତ୍ବେ କ୍ବାରେଣ୍ଟିନ୍ରେ ରହିଥିଲେ ।
ଏହି ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ଚାରିଜଣ ଆକ୍ରାନ୍ତ ହେଉଛନ୍ତି 61 ନମ୍ବର ଆକ୍ରାନ୍ତଙ୍କ ପାଖ ପଡୋଶୀ । ଏହି ଚାରିଜଣଙ୍କୁ ମିଶାଇ 61 ନମ୍ବର ଆକ୍ରାନ୍ତ ମୋଟ 11 ଜଣଙ୍କୁ ସଂକ୍ରମିତ କରିଛନ୍ତି । ପୂର୍ବରୁ 61 ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ ଆକ୍ରାନ୍ତ ନମ୍ବର 79 । ସେହିପରି 108 ନମ୍ବର ଆକ୍ରାନ୍ତଙ୍କ ଘର ବି ବାଲେଶ୍ବର ନେଳିଆବାଗ ଅଞ୍ଚଳରେ । ଏହି ଆକ୍ରାନ୍ତ ଜଣକ 79 ନମ୍ବର ଆକ୍ରାନ୍ତଙ୍କ ପାଖ ପଡୋଶୀ ।
ବାଲେଶ୍ବର ନୋଳିଆବାଗଠାରେ ଜଣେ ସଂକ୍ରମିତଙ୍କଠାରୁ ଆଉ ଜଣକୁ ସଂକ୍ରମିତ ହେବାରେ ଲାଗିଛି । ସେଠାରେ ମୂଳ ଆକ୍ରାନ୍ତ 61ନମ୍ବର ଆକ୍ରାନ୍ତଠାରୁ ହୋଇଥିଲେ 79 ନମ୍ବର ।
ପୂର୍ବରୁ ରାଜଧାନୀ ଭୁବନେଶ୍ୱର କରୋନା ହଟସ୍ପଟ୍ ହେବା ପଛରେ ରହିଥିଲା ସୁପର ସ୍ପ୍ରେଡରଙ୍କ ଭୂମିକା। ବମିଖାଲରୁ ଚିହ୍ନଟ କରୋନା ଆକ୍ରାନ୍ତ ତିନି ଭାଇଙ୍କଠୁ ମୋଟ 18 ଜଣଙ୍କୁ ସଂକ୍ରମିତ ହୋଇଥିବାବେଳେ ଏ ସୂର୍ଯ୍ୟନଗରର ପ୍ରଦୀପ୍ତ ଦଳବେହେରାଙ୍କ ଠାରୁ ଅନ୍ୟ ସାତ ଜଣ କରୋନାରେ ସଂକ୍ରମିତ ହୋଇଥିଲେ । ରାଜ୍ୟରେ କୋଲକାତା ଲିଙ୍କ୍ ଚିନ୍ତା ବଢାଉଥିବାବେଳେ ଏବେ ସୁପରସ୍ପ୍ରେଡର ମୁଣ୍ଡବିନ୍ଧାର କାରଣ ପାଲଟିଛି ।