ନୂଆଦିଲ୍ଲୀ : ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ପତ୍ର ଦାଖଲ କରିବାର ତାରିଖକୁ ଜାତୀୟ ଟେଷ୍ଟିଂ ଏଜେନ୍ସି ଘୁଞ୍ଚାଇ ଦେଇଛି । କୋଭିଡ୍-19 ମହାମାରୀ କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହାକୁ ଦୃଷ୍ଟିର ରଖି ପରୀକ୍ଷା ନିମେନ୍ତ ଅନଲାଇନ ଆବେଦନ ଦାଖଲ ତାରିଖ ପରିବର୍ତ୍ତନ କରିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ ଏନଟିଏକୁ ପରାମର୍ଶ ଦେଇଥିଲେ । ଏହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକାଂଶ ପରୀକ୍ଷାର ଆବେଦନ ସମୟ ସୀମାକୁ ଏକ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ନ୍ୟାସନାଲ କାଉନସିଲ ଫର ହୋଟେଲ ମ୍ୟାନେଜମେଣ୍ଟ ପାଇଁ ଆବେଦନ ସମୟ ସୀମା ଆଜି ଶେଷ ହେଉଥିବା ବେଳେ ଏବେ ତାହାକୁ ମେ 15 ଯାଏ ବୃଦ୍ଧି କରାଯାଇଛି। ସେହିପରି ଇଗ୍ନୋ ପିଏଚଡି ପ୍ରବେଶିକା ପରୀକ୍ଷା, ଆଇସିଏଆର-2020, ଜେଏନ୍ୟୁ ପ୍ରବେଶିକା ପରୀକ୍ଷା-2020 ଆବେଦନ ତାରିଖକୁ ମେ 15 ଯାଏ ବୃଦ୍ଧି କରାଯାଇଛି। ୟୁଜିସି-ନେଟ ଜୁନ-2020 ଆବେଦନ ସମୟ ସୀମା ମାର୍ଚ୍ଚ ୧୬ରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ଥିଲା। ଏବେ ତାହାକୁ ମାର୍ଚ୍ଚ ୧୬ରୁ ମେ’୧୬ ଯାଏ ରଖାଯାଇଛି। ଅଲ ଇଣ୍ଡିଆ ଆୟୁସ ପୋଷ୍ଟ ଗ୍ରାଜୁଏଟ ଏଣ୍ଟ୍ରାନ୍ସ ଟେଷ୍ଟ-2020 ପାଇଁ ଆବେଦନ ସମୟ ସୀମା ଏପ୍ରିଲ1ରୁ ମେ 31 ଯାଏ ରହିଥିବାବେଳେ ଏହାକୁ ଏବେ ଜୁନ୍ 5 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ପ୍ରତିଦିନ ଅପରାହ୍ନ 4ଟା ସୁଦ୍ଧା ଆବେଦନ ଫର୍ମ ଅନଲାଇନରେ ଗ୍ରହଣ କରାଯିବ। ରାତି 11ଟା 50 ସୁଦ୍ଧା ଅନଲାଇନ ମାଧ୍ୟମରେ ଫି’ ଦାଖଲ କରାଯାଇପାରିବ। ପରୀକ୍ଷା ସମ୍ପର୍କିତ ଅନ୍ୟାନ୍ୟ ବିଷୟରେ ଛାତ୍ରଛାତ୍ରୀ ସମ୍ପୃକ୍ତ ପରୀକ୍ଷା ୱେବସାଇଟ ବା ‘www.nta.ac.in’ ରୁ ଜାଣିପାରିବେ। ବର୍ତ୍ତମାନ ସମୟ ତଥା ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସମ୍ପର୍କରେ ଅଧିକ ସୂଚନା ନିମେନ୍ତ ଏହି ଓ୍ବେବସାଇଟକୁ ନିୟମିତ ଦେଖିବା ଲାଗି ଅନୁରୋଧ କରାଯାଇଛି ।