ଭୁବନେଶ୍ବର : ଆଜି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଝାରସୁଗୁଡା ଓ ସୁନ୍ଦରଗଡ ଗସ୍ତ କରି ଏହି ଜିଲ୍ଲାରେ ନିର୍ମିତ ହୋଇଥିବା କୋଭିଡ୍ ହସ୍ପିଟାଲକୁ ପରିଦର୍ଶନ କରିବା ସହିତ ଜିଲ୍ଲାର ସମୀକ୍ଷା କରିଛନ୍ତି । ଝାରସୁଗୁଡାରେ ଗୋଟିଏ କୋଭିଡ୍ ହସ୍ପିଟାଲ ରହିଥିବାବେଳେ ସୁନ୍ଦରଗଡରେ ଦୁଇଟି ହସ୍ପିଟାଲରେ ରହିଛି । ଝାରସୁଗୁଡାରେ ଥିବା ଓଲ୍ଡ୍ ଡିଏଚଏଚ୍ ହସ୍ପିଟାଲରେ 117 ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି। ଏହା ହିଟେକ୍ ଏବଂ ଡିଏମ୍ଏଫ୍ ଦ୍ୱାରା ପରିଚାଳିତ ହେଉଛି। ସେହିପରି ସୁନ୍ଦରଗଡ ଜିଲ୍ଲାର ଦୁଇଟି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ମଧ୍ୟ ପରିଦର୍ଶନ କରିଥିଲେ। ରାଉରକେଲାଠାରେ 200 ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ଡିଏମ୍ଏଫ୍ ଓ ହାଇକେଟ୍ ଦ୍ବାରା ପରିଚାଳିତ ହେଉଛି।
ଏହି ଅବସରରେ କୋଭିଡ୍କୁ ନେଇ ଦୁଇ ଜିଲ୍ଲାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ। ସେହିପରି ଲକ୍ ଡାଉନ୍ ପରେ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। କୃଷି କାର୍ଯ୍ୟକଳାପକୁ ସୁଗମ କରିବା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିବା ସହିତ ମନରେଗାର ଶୀଘ୍ର କାର୍ଯ୍ୟକାରିତା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ।