ବୟସ୍କ ଓକିଲ କୋର୍ଟ ଆସିବେନି

Published: May 7, 2020, 11:40 pm IST

ଭୁବନେଶ୍ବର : ବୟସ୍କ ଓକିଲ ମାନେ କୋର୍ଟ ଆସିବେନି ବୋଲି ସୂଚନା ରହିଛି ।  65 ବର୍ଷରୁ ଉର୍ଦ୍ଧ୍ବ ବୟସର ଆଇନଜୀବୀ ହାଇକୋର୍ଟ ନ ଆସିବାକୁ ନିଷ୍ପତ୍ତି ନିଆଯାଇଛି । ଯଦି ଚାହିଁବେ ତା’ହେଲେ ଭିଡିଓ କନଫରେନ୍ସିଂରେ ପକ୍ଷ ରଖିପାରିବେ ବୋଲି ସୂଚନା ରହିଛି । ଏଥିପାଇଁ କେସ ନମ୍ବର, ଆଇଟମ ନମ୍ବର, ଇମେଲ୍‌ରେ ହାଇକୋର୍ଟଙ୍କୁ ଜଣାଇବେ । ହାଇକୋର୍ଟ ରେଜିଷ୍ଟ୍ରି, ଏଜି ଓ ଓକିଲ ସଂଘଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ମେ ଚାରି ତାରିଖରୁ ହାଇକୋର୍ଟ ସ୍ବାଭାବିକ ହୋଇଛି । ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟ କରିବ ହାଇକୋର୍ଟ । ଜୋନ୍‌କୁ ଦେଖି କୋର୍ଟଙ୍କ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ହାଇକୋର୍ଟ ରେଜିଷ୍ଟ୍ରାର୍‌ ଜେନେରାଲଙ୍କ ପକ୍ଷରୁ କୋର୍ଟ ଚାଲିବା ନେଇ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି । ରେଡ୍‌ ଜୋନ୍‌ରେ ଥିବା ଜିଲ୍ଲାର ଅଦାଲତ ଘଣ୍ଟାକ ପାଇଁ କାର୍ଯ୍ୟ କରିବ । ଅରେଞ୍ଜ ଜୋନ୍‌ରେ ଥିବା ଜିଲ୍ଲାର ଅଦାଲତ ସକାଳ 9ଟାରୁ 11ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସକାଳୁଆ ହୋଇନଥିବା ଅଦାଲତ ଗୁଡ଼ିକରେ ଦିନ 11ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟ ଚାଲିବ ବୋଲି ସୂଚନା ରହିଛି । ସେହିଭଳି ଗ୍ରୀନ୍‌ ଜୋନ୍‌ରେ ଥିବା ଜିଲ୍ଲା ଗୁଡ଼ିକରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଅଦାଲତ କାର୍ଯ୍ୟ ଚାଲିବ । କୋର୍ଟ ପରିସରରେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଜଣେ ଅନ୍ୟ ଜଣଙ୍କ ମଧ୍ୟରେ ଦୁଇ ମିଟର ଦୂରତ୍ୱ ପାଳନ କରିବେ । ଅଦାଲତରେ କାର୍ଯ୍ୟ କରୁଥିବା ଅଫିସର ଓ କର୍ମଚାରୀମାନେ ଆରୋଗ୍ୟ ସେତୁ ଆପ୍‌ ମୋବାଇଲ୍‌ରେ ଡାଉନଲୋଡ୍‌ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

Related posts