ସୌଭାଗ୍ୟ ରଂଜନ ମହାନ୍ତି
ଆଜିକାଲି ବାପା, ମାଆ ଏବଂ ସନ୍ତାନମାନଙ୍କ ସମ୍ପର୍କକୁ କେନ୍ଦ୍ର କରି କେତେ କଥା, କେତେ ଦୃଶ୍ୟ ଗାଁ ରୁ ସହର ଯାଏଁ-ସବୁଠି । କେଉଁଠି ଗୋଟିଏ ଛାତ ତଳେ ଥାଇ ବି ଅଲଗା ହାଣ୍ଡି, ଆଉ କେଉଁଠି ସନ୍ତାନମାନଙ୍କ ମଧ୍ୟରେ ବାପା-ମାଆଙ୍କ ଭାଗ-ବଂଟା, କିଏ କେବେ କାହା ଘରେ ଖାଇବ । ଆଜି ତା ପିଣ୍ଡା, କାଲି ୟା ପିଣ୍ଡାରେ ଭାତ ଥାଳି । ଯେମିତିକି ମଣିଷ ନୁହଁନ୍ତି, ପଦାର୍ଥ ।
ଯେଉଁ ‘ମାଆ’ ଦଶମାସ ଦଶ ଦିନ ଧରି ଗର୍ଭ ଧାରଣ କରି ନିଜ ସନ୍ତାନକୁ ଦେଖାଇଥାଏ ପ୍ରଥମ ସୂର୍ଯ୍ୟଲୋକ । ଯାର ହାତ ଧରି କୁନି କୁନି ପାଦରେ ଚାଲିବା ଶିଖାଇ ଥାଏ, ନିଜେ ନଖାଇ ସନ୍ତାନକୁ ଖୁଆଇ ପିଆଇ ବଡ କରିଥାଏ । ଯେଉଁ ମାଆ ଶିଶୁର ଆଦ୍ୟଗୁରୁ ସାଜି ଶିକ୍ଷା ଦାନ କରିଥାଏ, ଯିଏ କି ଛୁଆ ପାଇଁ ସାଜିଥାଏ, କଲ୍ୟାଣମୟୀ, ଶୁଭାଙ୍କାକ୍ଷୀ, ଦୟାବନ୍ତ, କ୍ଷମାଶାଳୀ ପରିଶେଷରେ ଅର୍ଥାତ ପରିଣମ ବୟସରେ ଏହା କଣ ତା’ର ପ୍ରାପ୍ୟ?
କାହିଁ ସିଏ କେବେ ତା’ର ଜୀବନ କାଳ ମଧ୍ୟରେ କୌଣସି ବି କର୍ତ୍ତବ୍ୟ କରି ନଥାଇ ତା’ର ସନ୍ତାନ ପାଇଁ ନିଜର ସ୍ୱାର୍ଥରକ୍ଷା କରି ଆଜି କାହିଁକି ଏଇ ପରିଣତ ବୟସରେ ସନ୍ତାନମାନେ ଏହି ଭଳି ଅବିଚାର କରୁଛନ୍ତି । ସହରରେ ରହୁଥିବା ଆଭିଜାତ୍ୟ ପରିବାରର ଅବସ୍ଥା ମଧ୍ୟ କମ କାରୁଣ୍ୟ ନୁହଁ । ଯେଉଁମାନଙ୍କ ଭବିଷ୍ୟତ ଗଢିବାରେ ବାପା ମା ତାଙ୍କର ସକଳ ଶ୍ରମ ଓ ରକ୍ତ ସମର୍ପିତ କରିଦେଇଥାନ୍ତି । ପରିଶେଷରେ ପରିଣତ ବୟସରେ ସେଇ ବାପାମାଙ୍କୁ ଜରାବାସ(ବୃଦ୍ଧା ଶ୍ରମ)ରେ ଯେ କାଳତିପାତ କରିବାକୁ ପଡ଼ିବ, ନିର୍ଯ୍ୟାତନାର ଶିକାର ହେବାକୁ ପଡିବ ତାହା କିଏ ଅବା ଜାଣିଥିଲା?
ଏକଥା ବି ଆଖିରେ ପଡିଛି ଜୀବନ ସାରା ଯେଉଁ ମାଆ ବାପାଙ୍କ ଲୁହର କାରଣ ପାଲଟି ଥିବା ପିଲା(ସନ୍ତାନ) ସେମାନଙ୍କର ସ୍ୱର୍ଗ ପ୍ରାପ୍ତି ପାଇଁ ତୀର୍ଥ ଜଳରେ ଅସ୍ଥି ବିସର୍ଜନ କରିବା ସହ ଜାକ ଜମକରେ ଶ୍ରାଦ୍ଧ କର୍ମମାନ କରିଥାନ୍ତି । ବିରାଟ ଭୋଜିଭାତର ଆୟୋଜନ ମଧ୍ୟ କରିଥାନ୍ତି । ବୋହୁଟିଏ ପଳାଇ ଆସିବା ପରେ ଗୋଟିଏ ସହର ହେଲେ ବି ଅଲଗା ଅଲଗା ସ୍ଥାନରେ(ଘରେ) ପୁଅ ତା ସ୍ତ୍ରୀ ଧରି ରହିବାର ଦେଖିବାକୁ ମିଳିଥାଏ । ମାଆ ସତେ ଯେମିତି ଅଲୋଡା । ତଥାପି ମାଆ କେବେହେଲେ ତା ପୁଅର ଅମଙ୍ଗଳ ଚିନ୍ତା କରିନଥାଏ । ଏମିତି ବି କିଛି ଦୃଶ୍ୟ ନଜରକୁ ଆସିଛି ସ୍ତ୍ରୀ କଥାରେ ପଡି ମାଆକୁ (ପରିଣତ ବୟସରେ) ଦାଣ୍ଡରେ ଘୋଷାରି ଘୋଷାରି ପୁଅ ମାରୁଥିବାର । ଏହା କଣ ତାକୁ ଦଶମାସ ଦଶ ଦିନ ଗର୍ଭରେ ଧରିବାର ମୂଲ୍ୟ? ଆଧୁନିକତାର ଦ୍ୱାହି ଦେଇ ପାଶ୍ଚାତ୍ୟ ସଭ୍ୟତାର ବଶବର୍ତ୍ତୀ ହୋଇ ମାଆକୁ ପୁରୁଣା କାଳିଆ ଆଉଟ୍ଡେଟ୍ଡ୍ କହି ଅଲଗା କରି ଦେଇଥାନ୍ତି ।
ସେଇ ପୁଅ ନିଜେ ଭାବି ନେବା ଉଚିତ, ଦିନେ ନା ଦିନେ ସେ ନିଜେ ବି ବୃଦ୍ଧା ହେବ ଏବଂ ତା’ର ସ୍ତ୍ରୀ ବୃଦ୍ଧା ହେବ । ଏମିତି ଦିନ ଆସିବ ତା’ର ସନ୍ତାନ ମାନେ ମଧ୍ୟ ତାକୁ ଯେ ଏମିତି ନକରିବେ, କିଏ ଅବା କହିବ? ଏଇ ତ ପରମ୍ପରା । ତେଣୁ ସନ୍ତାନ ସନ୍ତନ୍ତି ନିଜ ବାପା ମାର କେୟାର ନିଅନ୍ତୁ, ଯେପରି ନିଜର ପୁଅ ଝିଅ ତାହା ଶିଖିବେ ଭବିଷ୍ୟତରେ ନିଜେ ଯେତେବେଳେ ବୃଦ୍ଧ ଓ ବୃଦ୍ଧା ହେବେ । ନିଜର ସନ୍ତାନମାନେ ସେମାନଙ୍କର ସନ୍ତାନ ସନ୍ତତି ସେହଭଳି ଶିକ୍ଷା ଦେବେ ।