ରମେଶ ମହାନ୍ତି
ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ ଦୁଇଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୁଇଜଣଙ୍କ ମଧ୍ୟରୁ ଜଣେ ଏରସମାର ଓ ଆଉ ଜଣେ କୁଜଙ୍ଗର ବୋଲି ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଦୁହେଁ ମହାରାଷ୍ଟ୍ର ଫେରନ୍ତା ବୋଲି ସୂଚନା ରହିଛି । ଦୁହିଁଙ୍କର କୌଣସି ଲକ୍ଷଣ ନଥିବାବେଳେ ପ୍ରବାସରୁ ଫେରିଥିବା ହେତୁ 17 ତାରିଖରେ ତାଙ୍କର ସାମ୍ପଲ୍ ପରୀକ୍ଷା ନିଆଯାଇଥିଲା । ମେ 17ତାରିଖରେ ସଂଗୃହିତ ହୋଇଥିବା ୧୭୫ ସ୍ୱାବ ରିପୋର୍ଟ ମଧ୍ୟରୁ ଏହି 2ଟି ପଜିଟିଭ୍ ବ୍ୟତିତ ଅନ୍ୟ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଛି । ମେ 18 ତାରିଖ ଦିନ ସଂଗୃହିତ ସମସ୍ତ 139 ସ୍ୱାବ ରିପୋର୍ଟ ନେଗେଟିଭ୍ ଆସିଅଛି । ମେ 19 ତାରିଖ ଦିନ 168ଟି ସ୍ୱାବ ସଂଗୃହିତ ହୋଇଛି । ଜିଲ୍ଲାରୁ ଚିହ୍ନଟ ଏହି ଦୁଇଜଣଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଦୁଇ ଆକ୍ରାନ୍ତ ଜଣକ ରହୁଥିବା ଦୁଇଟି ଟିଏମ୍ସିକୁ କଣ୍ଟେନେମଣ୍ଟ ଜୋନ୍ ଘୋଷଣା କରାଯାଇଛି । କୁଜଙ୍ଗ ବ୍ଲକ ଓ ଏରସମା ବ୍ଲକର ବିଡିଓ ଏବଂ ମେଡିକାଲ ଅଫିସର ଏହି ଦିଗରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ସୂଚନାଯୋଗ୍ୟ, ଜଗତସିଂହପୁରରେ ଆଜି ନୂତନ ଦୁଇ ଚିହ୍ନଟ ହେବା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା 30ରେ ପହଞ୍ଚିଥିବବେଳେ 5 ଜଣ ସୁସ୍ଥ ହୋଇଛନ୍ତି । ଏବେ ଜିଲ୍ଲାରେ 25 ଜଣ ସକ୍ରିୟ ରହିଛନ୍ତି ।
ଗତକାଲି ସୁଦ୍ଧା ଜିଲ୍ଲାକୁ ମୋଟ 5667ଜଣ ପ୍ରବାସୀ ପ୍ରତ୍ୟାବର୍ତନ କରିଛନ୍ତି । ବିଗତ ଦୁଇ ଦିନ ମଧ୍ୟରେ ଜଗତସିଂହପୁର ଜିଲ୍ଲାକୁ 433 ଜଣ ଓଡିଆ ପ୍ରବାସୀ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ପଚାଂୟତରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ଏହି କ୍ରମରେ ନାଉଗାଁ ବ୍ଲକକୁ 48ଜଣ, ଜଗତସିଂହପୁର ବ୍ଲକକୁ 46 ଜଣ, ଜଗତସିଂହପୁର ପୈାର ପରିଷଦକୁ 12ଜଣ, ବାଲିକୁଦା ବ୍ଲକକୁ 137ଜଣ, କୁଜଙ୍ଗ ବ୍ଲକକୁ 19 ଜଣ, ଏରସମା ବ୍ଲକକୁ 99 ଜଣ, ତିର୍ତୋଲ ବ୍ଲକକୁ 56 ଜଣ, ରଘୁନାଥପୁର ବ୍ଲକକୁ 12ଜଣ, ବିରିଡି ବ୍ଲକକୁ 2 ଜଣଙ୍କୁ ପଠାଯାଇଅଛି । ସେହିପରି ସମସ୍ତ ଜନସାଧାରଣ ମୁହଁରେ ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିବେଦନ କରିଛନ୍ତି ।