Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଦୁଇଟି ଜିଲ୍ଲାରେ ନିଯୁକ୍ତ ହେଲେ ଦୁଇ ଜିଲ୍ଲାପାଳ, ନିର୍ବାଚନ କମିସନରଙ୍କ ସ୍ବୀକୃତ ପରେ ବିଜ୍ଞପ୍ତି

ଭୁବନେଶ୍ବର: ଦୁଇଟି ଜିଲ୍ଲାରେ ଆଜି ଦୁଇ ଜଣ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ କରାଯାଇଛି ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି।ଯେଉଁ ଦୁଇଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି ସେହି ଦୁଇଟି ଜିଲ୍ଲା ହେଲା କଟକ ଏବଂ ଜଗତସିଂହପୁର।

ବିଜ୍ଞପ୍ତି ଅନୁସାରେ କଟକରେ ଅରିନ୍ଦମ ଡାକୁଆଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତ ଦିଆଯାଇଛି। ସେହିପରି ଜଗତସିଂହପୁରରେ ଅନୁପମ ସାହାଙ୍କୁ ଜିଲ୍ଲାପାଳ ଭାବେ ନିଯୁକ୍ତ ଦିଆଯାଇଛି। ପୂର୍ବରୁ ଏହି ଦୁଇ ଜିଲ୍ଲାର ଜିଲ୍ଲାପାଳଙ୍କୁ ତୁରନ୍ତ ହଟାଇବା ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ସେମାନଙ୍କୁ ହଟାଯାଇ ଏହି ଦୁଇଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି।

Categories
ଆଜିର ଖବର ନିର୍ବାଚନ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଆଜି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିବେ କଂଗ୍ରେସର ଭେଟରାନ ଚିରଞ୍ଜୀବ ଏବଂ ବିଜେପିର ସୁକାନ୍ତ କୁମାର

ଭୁବନେଶ୍ବର: ଆଜି ବିଜେଡିରେ ସାମିଲ ହେବେ କଂଗ୍ରେସ ଦଳର ଭେଟରାନ ଲିଡର ଚିରଞ୍ଜୀବ ବିଶ୍ବାଳ। ସେ ଗତକାଲି କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିଲେ। ସେ ହେଉଛନ୍ତି ଜଗତସିଂହପୁର ର ପୂର୍ବତନ ବିଧାୟକ। ଏଥିସହିତ ସେ ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ବାଳଙ୍କ ପୁଅ। ବର୍ତ୍ତମାନ ଜଗତସିଂହପୁରରୁ ଚିରଞ୍ଜୀବ ତାଙ୍କ ସମର୍ଥକଙ୍କ ସହିତ ଭୁବନେଶ୍ବର ଆସୁଥିବାର ଜଣାପଡିଛି।

ସେହିପରି ଆଜି ବିଜେଡିରେ ଯୋଗ ଦେବେ ନୀଳଗିରିର ବିଧାୟକ ସୁକାନ୍ତ କୁମାର ନାୟକ। ସେ ଗତକାଲି ବିଜେପିରୁ ବିଧିବଧ ଭାବେ ଇସ୍ତଫା ପ୍ରଦାନ କରିଛନ୍ତି। ସେ ପୂର୍ବରୁ ବିଜେଡିର ବିଧାୟକ ଥିଲେ। ହେଲେ ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ଦଳ ଟିକେଟ ନ ଦେବାରୁ ସେ ବିଜେପିରେ ସାମିଲ ହୋଇ ନିର୍ବାଚତ ହୋଇଛନ୍ତି। ବର୍ତ୍ତମାନ ତାଙ୍କର ଘର ବାହୁଡା ହେବ।

Categories
ଆଜିର ଖବର ରାଜ୍ୟ ଖବର

୧୦ ଦଫା ଦାବିନେଇ ଗର୍ଜ୍ଜିଲା କୈବର୍ତ୍ତ ସମ୍ପ୍ରଦାୟ

ଜଗତସିଂହପୁର/କୁଜଙ୍ଗ: ଜଟାଧାର ମୁହାଁଣ ଖନନ, ଉପକୂଳ ମତ୍ସ୍ୟଜିବୀ ମାନଙ୍କ ପାଇଁ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା, ଚଉମୁହାଁଣୀ, ନୂଆଗଡ ଠାରେ ଶୁଖୁଆ ଖଳା ନିର୍ମାଣ କରିବା, ଶିଳ୍ପ ପାଇଁ ଜିବୀକା ହରାଉଥିବା ମତ୍ସ୍ୟଜିବୀ ମାନଙ୍କୁ ବିକଳ୍ପ କାର୍ଯ୍ୟ ଯୋଗାଇଦେବା, ମତ୍ସ୍ୟଜିବୀ ମହିଳା ସମବାୟ ସମିତି ଗଠନ କରିବା, ପାରାଦୀପର ଶିଳ୍ପାଂଚଳରୁ ନିର୍ଗତ ଦୂଷିତ ଜଳକୁ ବିଶୋଧନ କରି ନଦୀକୁ ଛାଡିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନକୁ ପ୍ରକୃତ ହିତାଧିକାରୀଙ୍କୁ ପ୍ରଦାନ କରିବା, ସରକାରଙ୍କ ପକ୍ଷରୁ ମତ୍ସ୍ୟଜିବୀ ମାନଙ୍କର ସଠିକ ସଜ୍ଞା ନିରୂପଣ କରିବା, ଜିଲ୍ଲାପାଳଙ୍କ ଅଧୀନରେ ଥିବା ସିଏସଆର ପାଣ୍ଠି ଜରିଆରେ ବ୍ଳକସ୍ତରୀୟ କୈବର୍ତ ସଭାଗୃହ ନିର୍ମାଣ କରିବା ଆଦି ୧୦ ଦଫାଦାବୀ ନେଇ ଆଜି ରାଜ୍ୟସ୍ତରୀୟ କୈବର୍ତ ନେତାମାନେ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ଦାବୀପୂରଣ ନେଇ ଆହ୍ୱାନ ଜଣାଇଛନ୍ତି।

କୁଜଙ୍ଗବ୍ଳକ ଷଣ୍ଢପୁର ସ୍ଥିତ ମୁକ୍ତେଶ୍ୱର ମଣ୍ଡପଠାରେ ଆଜି ପୂର୍ବାହ୍ନ ସମୟରେ ନିଖିଳ ଓଡ଼ିଶା କୈବର୍ତ ମହାସଭା ଓ ସାରଳା ମଣ୍ଡଳ କୈବର୍ତ ମହାସଙ୍ଘ ପକ୍ଷରୁ ଏକ ରାଜ୍ୟସ୍ତରୀୟ ବାର୍ଷିକ ସାଧାରଣ ଅଧିବେଶନ ଓ କୈବର୍ତ ଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ନିଖିଳ ଓଡ଼ିଶା କୈବର୍ତ ମହାସଭାର ଜଗତସିଂହପୁର ଜିଲ୍ଲା ସଭାପତି କୈଳାଶଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମାବେଶରେ ପୂର୍ବତନ ମନ୍ତ୍ରୀ ତଥା ନିଖିଳ ଓଡ଼ିଶା କୈବର୍ତ ମହାସଭାର ସଭାପତି ଯୋଗେନ୍ଦ୍ର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ସାରଳା ମଣ୍ଡଳ କୈବର୍ତ ମହାସଭା ଜଗତସିଂହପୁର ଜିଲ୍ଲା ସଭାପତି ତଥା ନିଖିଳ ଓଡ଼ିଶା କୈବର୍ତ ମହାସଭାର ସଙ୍ଗଠନ ସମ୍ପାଦକ ପ୍ରହଲ୍ଲାଦ ବେହେରା ବକ୍ତବ୍ୟ ପ୍ରଦାନକରି କୈବର୍ତ ସମ୍ପ୍ରଦାୟର ବିଭିନ୍ନ ଦାବୀ ମହାମହିମ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ନିକଟରେ ଜଣାଇଥିବା କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନିଖିଳ ଓଡ଼ିଶା କୈବର୍ତ ମହାସଭା ଉପସଭାପତି ପ୍ରସନ୍ନ ବେହେରା, ନିଖିଳ ଓଡ଼ିଶା କୈବର୍ତ ମହାସଭାର ସାଧାରଣ ସମ୍ପାଦକ ସୁଧୀର କୁମାର ଖଣ୍ଡା,, ନିଖିଳ ଓଡ଼ିଶା କୈବର୍ତ ମହାସଭା କାର୍ଯ୍ୟକାରୀ ସଭାପତି ମନୋଜ ବେହେରା, ନିଖିଳ ଓଡ଼ିଶା ଯୁବ ମଂଚ ସମ୍ପାଦକ ଦିଲ୍ଲୀପ କୁମାର ବେହେରା, ସାରଳା ମଣ୍ଡଳ କବୈର୍ତ ମହାସଭା ସଭାର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ବେହେରା, ଜିଲ୍ଲା ସାରଳା ମଣ୍ଡଳ କୈବର୍ତ ମହାସଭାର ସଙ୍ଗଠନ ସମ୍ପାଦକ ଅମର କୁମାର ଦାସ, ସାରଳା ମଣ୍ଡଳ କୈବର୍ତ୍ତ ମହାସଭା କୁଜଙ୍ଗ ବ୍ଳକ ସଭାପତି ଶ୍ରୀଧର ବେହେରା, ମନୋରଞ୍ଜନ ଦଳାଇ, କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନିନାରାଣୀ ସାହୁ, ଗଡକୁଜଙ୍ଗ ସରପଂଚ ପ୍ରତିନିଧି ଯଦୁମଣୀ ଖଟୁଆ, ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପଲତା ବେହେରା ପ୍ରମୁଖ ବକ୍ତବ୍ୟ ପ୍ରଦନ କରିଥିଲେ।

କାର୍ଯ୍ୟକ୍ରମକୁ ଅଧିକାରୀ ବଂଶୀଧରା ଦାସ,ନିରୁପମା ବେହେରା, ଅନାମ ଦଳାଇ, କାଳନ୍ଦୀ ବେହେରା, ଜନାର୍ଦ୍ଦନ ବେହେରା, ବସନ୍ତ ବେହେରା, ପ୍ରତାପ ବେହେରା, ଅରୁଣ କୁମାର ବେହେରା, ପ୍ରକାଶ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ଏହି ସମାବେଶରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁସଙ୍ଖ୍ୟାରେ କୈବର୍ତ ମାନେ ଅଂଶ ଗ୍ରହଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ମେରୀ ମାଟି ମେରା ଦେଶ ଅଭିଯାନ: ପୁରୀ, ନୟାଗଡ଼, ଜଗତସିଂହପୁର ଓ ମୟୂରଭଞ୍ଜରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ଵର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାପୂର୍ବକ ଗତ ଅଗଷ୍ଟ ୧୫ ତାରିଖରେ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶବ୍ୟାପୀ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବୀରମାନଙ୍କୁ ପ୍ରଣାମ ସହ ସେମାନଙ୍କ ଜନ୍ମସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରାମାନ ଆୟୋଜନ କରାଯାଉଛି।

ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ବେତଟନୀ ବ୍ଲକ୍‌ ବଡ଼ାଲିଗାଁ ମୁଷାଗଡ଼ିଆ ଠାରେ ମେରୀ ମାଟି ଓ ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ଅନ୍ୟପଟେ ପୁରୀ ଜିଲ୍ଲା ବ୍ରହ୍ମଗିରି ଠାରେ ନେହରୁ ଯୁବା କେନ୍ଦ୍ର ପକ୍ଷରୁ ଅମୃତ କଳସ ଯାତ୍ରା ଆୟୋଜିତ ହୋଇଯାଇଛି। ଏଥିରେ ଭାରତୀୟ ପର୍ଯ୍ୟଟନ ନିଗମ ଅଧ୍ୟକ୍ଷ ଡକ୍ଟର ସମ୍ବିତ ପାତ୍ର, ଉପାସନା ମହାପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ବଳଭଦ୍ରପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଡ଼ବାଣିକିଲୋ ଠାରେ ବାବା କମଳେଶ୍ୱର ଯୁବକ ସଂଘ ପକ୍ଷରୁ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେହିପରି ଜିଲ୍ଲାର ଗଣିଆ ବ୍ଲକ ରସଙ୍ଗା ପଞ୍ଚାୟତର ମା’ ବଡ଼ରାଉରା ଯୁବ କ୍ଲକ୍ ଆନୁକୂଲ୍ୟରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ସେହିପରି ଜଗତସିଂହପୁର ଜିଲ୍ଲା ନୂଆଗାଁ ବ୍ଲକ ଶିଖର ଗ୍ରାମପଞ୍ଚାୟତରେ ଅମୃତ କଳସ ଯାତ୍ରା ଓ ସହୀଦଙ୍କ ଜନ୍ମମାଟିରୁ ମୃତ୍ତିକା ଓ ଶସ୍ୟ ସଂଗ୍ରହ କରାଯାଇଛି । ଜିଲ୍ଲାର ଅନ୍ୟ ଗ୍ରାମରେ ମଧ୍ୟ ମେରୀ ମାଟି ଓ ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ପ୍ରସାର କାର୍ଯ୍ୟକ୍ରମ ଆକାରରେ ଦେଶର ପ୍ରତ୍ୟେକ ଘରେ ଏହି ଅଭିଯାନକୁ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ଭାରତର ଗ୍ରାମୀଣ କ୍ଷେତ୍ରରେ ୬ ଲକ୍ଷରୁ ଅଧିକ ଗାଁ ଏବଂ ଅନ୍ୟ ସହରାଞ୍ଚଳରୁ ମାଟି ଓ ଚାଉଳ ଏକାଠି କରାଯାଉଛି। ଗ୍ରାମୀଣ କ୍ଷେତ୍ରରେ ଏହାକୁ ବ୍ଲକ୍‌ ସ୍ତରରେ ଏକାଠି କରାଯାଉଛି ଏବଂ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ଶେଷ ସୁଦ୍ଧା ଅନ୍ତିମ କାର୍ଯ୍ୟକ୍ରମ ପାଇଁ ୮୫୦୦ରୁ ଅଧିକ କଳସ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣଅନୁକୋଣରୁ ଏକତ୍ରିତ କରାଯାଇଥିବା ମାଟିକୁ ଅମୃତ ବାଟିକା ଏବଂ ଅମୃତ ସ୍ମାରକରେ ରଖାଯିବ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯିବାର ଐତିହ୍ୟ ବହନ କରିବ।

Categories
ଆଜିର ଖବର ରାଜ୍ୟ ଖବର

ମେରୀ ମାଟି ମେରା ଦେଶ ଅଭିଯାନ: ଖୋର୍ଦ୍ଧା, ବାଲେଶ୍ୱର ଓ ଜଗତସିଂହପୁରରେ ଅମୃତ କଳସ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାପୂର୍ବକ ଗତ ଅଗଷ୍ଟ ୧୫ ତାରିଖରେ ଶେଷ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରବଳ ଉତ୍ସାହ ଓ ଉଦ୍ଦୀପନାର ସହ ଦେଶବ୍ୟାପୀ ଜାରି ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ବୀରମାନଙ୍କୁ ପ୍ରଣାମ ସହ ସେମାନଙ୍କ ଜନ୍ମସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇ ଅମୃତ କଳସ ଯାତ୍ରାମାନ ଆୟୋଜନ କରାଯାଉଛି।

ଗୁରୁବାର ଖୋର୍ଦ୍ଧା ଜିଲ୍ଲା ତରତୁଆ ଗ୍ରାମରେ ଆଇଟିବିପି ୪୧ ବାଟାଲିୟନ ଓ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ବୀରଙ୍କୁ ସମ୍ମାନ ଓ ଅମୃତ କଳସରେ ମାଟି ସଂଗ୍ରହ ସହିତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବହୁସଂଖ୍ୟାରେ ନେହରୁ ଯୁବ କେନ୍ଦ୍ର ସ୍ଵେଚ୍ଛାସେବୀ ଓ ଆଇ ଟି ବି ପି ଯବାନ ଭାଗ ନେଇଥିଲେ।

ଅନୁରୂପ ଭାବେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଅନ୍ତର୍ଗତ ବୀରଙ୍କ ଜନ୍ମମାଟିରୁ ଅମୃତ କଳସରେ ମାଟି ସଂଗ୍ରହ କରାଯାଇଛି।

ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ବିଭିନ୍ନ ଗ୍ରାମରେ ଜନସାଧାରଣ ଦେଶପ୍ରେମର ଭାବନା ନେଇ ଅମୃତ କଳସ ଯାତ୍ରାରେ ସାମିଲ ହୋଇଛନ୍ତି। ମେରୀ ମାଟି ମେରା ଦେଶ ଅଭିଯାନ ଅଧୀନରେ ସୋର ବ୍ଲକର ବିଭିନ୍ନ ଗ୍ରାମରୁ ଅମୃତ କଳସରେ ମୃତ୍ତିକା ଏବଂ ଶସ୍ୟ ସଂଗ୍ରହ କରାଯାଇଛି। ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ପ୍ରସାର କାର୍ଯ୍ୟକ୍ରମ ଆକାରରେ ଦେଶର ପ୍ରତ୍ୟେକ ଘରେ ଏହି ଅଭିଯାନକୁ ପହଞ୍ଚାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ଭାରତର ଗ୍ରାମୀଣ କ୍ଷେତ୍ରରେ ୬ ଲକ୍ଷରୁ ଅଧିକ ଗାଁ ଏବଂ ଅନ୍ୟ ସହରାଞ୍ଚଳରୁ ମାଟି ଓ ଚାଉଳ ଏକାଠି କରାଯାଉଛି। ଗ୍ରାମୀଣ କ୍ଷେତ୍ରରେ ଏହାକୁ ବ୍ଲକ୍‌ ସ୍ତରରେ ଏକାଠି କରାଯାଉଛି ଏବଂ ରାଜ୍ୟ ରାଜଧାନୀ ଦେଇ ଦିଲ୍ଲୀକୁ ଆଣିବା ପାଇଁ ପ୍ରସ୍ତୁତି କରାଯାଉଛି। ଅକ୍ଟୋବର ଶେଷ ସୁଦ୍ଧା ଅନ୍ତିମ କାର୍ଯ୍ୟକ୍ରମ ପାଇଁ ୮୫୦୦ରୁ ଅଧିକ କଳସ ଦିଲ୍ଲୀରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଭାରତର କୋଣଅନୁକୋଣରୁ ଏକତ୍ରିତ କରାଯାଇଥିବା ମାଟିକୁ ଅମୃତ ବାଟିକା ଏବଂ ଅମୃତ ସ୍ମାରକରେ ରଖାଯିବ ଯାହାକି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯିବାର ଐତିହ୍ୟ ବହନ କରିବ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାଇକସ୍ତାରେ ରକ୍ତାକ୍ତ ସଂଘର୍ଷ, ଦୁଇ ପକ୍ଷରୁ ୫ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଗପାଳ ପଂଚାୟତ ପାଇକସ୍ତା ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ନେଇ ପୋଲିସ୍ ଦୁଇଟି ମାମଲା ୪୨୩/୨୩, ୪୨୪/୨୩ ରୁଜ୍ଜୁ କରିଥିବା ବେଳେ ଦୁଇପକ୍ଷରୁ ୫ ଜଣଙ୍କୁ ଗିରଫ କରିଛି କୁଜଙ୍ଗ ଥାନା ପୋଲିସ୍। ସେମାନେ ହେଲେ ଗୋଟିଏ ପକ୍ଷରୁ ପାଇକସ୍ତା ଗ୍ରାମର ସ୍ୱାଧୀନ ଖୁଂଟିଆ(୨୮) ହୋଇଥିବା ବେଳେ ଅନ୍ୟ ପକ୍ଷରୁ ପଙ୍କପାଳ ଢିହସାହି ଗ୍ରାମର ପରମବ୍ରହ୍ମ ରାଉତ, ଆଲୋକ ଓଝା, ଅମ୍ବିକା ବିଶ୍ୱାଳ, ସଂଗ୍ରାମ ଲେଙ୍କା। ତାହାସହିତ ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ବ୍ୟବହୃତ ହୋଇଥିବା ମହିନ୍ଦ୍ରା ଥର କାର(ଓଡି-୦୨ବିକେ୯୧୯୯)ଗାଡ଼ିଟିକୁ ପୋଲିସ୍ ଜବତ କରିଛି। ଆଜି ପାଂଚ ଜଣ ଅଭିଯୁକ୍ତଙ୍କୁ କୁଜଙ୍ଗ କୋର୍ଟରେ ପୋଲିସ୍ ହାଜର କରାଇଥିଲା। ସେଠାରେ ସେମାନଙ୍କର ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଥାନାଅଧିକାରୀ ରଶ୍ମୀରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ଗତକାଲି ଅପରାହ୍ନରେ ସ୍ୱାଧୀନ ତାର ନିଜ ଗ୍ରାମସ୍ଥିତ ରାସ୍ତାରେ ଠିଆ ହୋଇଥିଲା। ସେହି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ରକରି ପରମ୍‌ବ୍ରହ୍ମ ଓ ତାର ୩ ସହଯୋଗୀ ଏକ କାର ଯୋଗେ ସ୍ୱାଧୀନ ନିକଟରେ ପହଁଚିଥିଲେ। ସେମାନଙ୍କ ମଧ୍ୟରେ କିଛି କଥାକୁ ନେଇ ବଚସା ହୋଇଥିଲା। ପରମବ୍ରହ୍ମ ଉତ୍‌କ୍ଷିପ୍ତ ହୋଇ ପ୍ରଥମେ ସ୍ୱାଧୀନକୁ ଆକ୍ରମଣ କରିଥିଲା। ଏହି ଘଟଣାରେ ଦୁଇପକ୍ଷରୁ ଦୁଇଜଣ ରକ୍ତାକ୍ତ ହୋଇଥିଲେ। ସ୍ୱାଧୀନର ହାତ ପାପୁଲି ସମେତ ଦେହର ବିଭିନ୍ନ ଯାଗାରେ କ୍ଷତ ହୋଇଥିବାବେଳେ ପରମବ୍ରହ୍ମର ବେକରେ କ୍ଷତ ହୋଇଛି। ପରେ କୁଜଙ୍ଗ ମେଡ଼ିକାଲରେ ପହଁଚି ପ୍ରାଥମିକ ଚିକିତ୍ସା କରାଇଥିଲେ । ଆଜି ଏହି ଘଟଣାରେ ଦୁଇପକ୍ଷରୁ ୫ ଜଣଙ୍କୁ ଜେଲ୍ ଯିବାକୁ ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ପାଣ୍ଡିଆନଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତ, ୭୦ ଟି ଶିକ୍ଷାନୁଷ୍ଠାନକୁ 5T ରେ ସାମିଲ ପାଇଁ ଘୋଷଣା

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମ ଦିନର ଗସ୍ତରେ ସେ ପ୍ରଥମେ ବାଲିକୁଦା ବ୍ଲକ୍‌ ଶିଆଳିରେ ପହଞ୍ଚିଛନ୍ତି। ସେଠାରେ ସେ ଶିଆଳି ବେଳାଭୂମି ସୁରକ୍ଷା ଅନୁଧ୍ୟାନ କରିଥିଲେ। ଏହାପରେ ଆୟୋଜିତ ଏକ ସଭାରେ ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ। ମିଶନ ଶକ୍ତି ମାଆ ଓ ସ୍ଥାନୀୟ ଲୋକ ଫୁଲ ଓ ହୁଳହୁଳି ପକାଇ ସ୍ବାଗତ କରିଥିଲେ।

ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଉନ୍ନତି ନେଇ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି 5T ସଚିବ କହିଛନ୍ତି। ଚାଷୀ ଓ ଚାଷକୁ ସରକାର ଗୁରୁତ୍ବ ଦେଉଥିବାରୁ ସେ ସମସ୍ୟାର ସମାଧାନ ହେବ ବୋଲି ଭିକେ ପାଣ୍ଡିଆନ୍‌ କହିଛନ୍ତି।

ବାଲିକୁଦା ଓ ଏରସମାର ଘରେ ଘରେ ବିଶୁଦ୍ଧ ପିଇବା ପାଣି ପହଞ୍ଚିବା ପାଇଁ ୮୦୦ କୋଟି ଟଙ୍କା ବ୍ୟୟରେ ହେଉଥିବା ମେଗା ପାଇପ ଜଳ ପ୍ରକଳ୍ପ ସେପ୍ଟେମ୍ବରରେ ସରିବ ବୋଲି ପାଣ୍ଡିଆନ କହିଛନ୍ତି।

ସେହିପରି ଜିଲ୍ଲା ୭୦ ଟି କଲେଜ ଏବଂ ହାଇସ୍କୁଲକୁ 5T ରୂପାନ୍ତରରେ ସାମିଲ କରାଯିବ ବୋଲି ସେ ଘୋଷଣା କରିଥିଲେ।

Categories
ଆଞ୍ଚଳିକ

ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଜଗତସିଂହପୁର: ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ଦ୍ଵାରା ଓଡ଼ିଶା ପରିବେଶ ସମିତି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମିଳିତ ସହଯୋଗରେ ଜଗତସିଂହପୁର ସ୍ଥିତ ଗଭର୍ମେଣ୍ଟ ପଲି ଟେକନିକାଲ କଲେଜ, ଜାମୁଗାଁ ଓ କଣ୍ଟୁନିଆ ନୋଡାଲ ହାଇସ୍କୁଲ ପରିସରରେ ପ୍ରାୟ ବିଭିନ୍ନ ପ୍ରଜାତି ର ୫୦୦ ବୃକ୍ଷ ଯଥା – ଲିମ୍ୱ, କରଞ୍ଜ, କୃଷ୍ଣଚୂଡ଼ା, ପିଜୁଳି, ଆମ୍ବ, ଅର୍ଜୁନ, ଜାମୁ ଆଦି ରୋପଣ କାର୍ଯ୍ୟକ୍ରମ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ଗଭର୍ମେଣ୍ଟ୍ ପଲିଟେକନିକାଲ କଲେଜର ଅଧ୍ୟାପକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ମହାନ୍ତି ,ଇନ ଭାରମେଣ୍ଟ ସୋସାଇଟି ର ଉପ ସଭପତି ମନୋରଞ୍ଜନ ମିଶ୍ର, ସର୍ବୋତ୍ତମ ସୋସିଆଲ ଅର୍ଗାନାଇସେସନ ର ସଭାପତି ରବୀନ୍ଦ୍ର କୁମାର ବେହେରା, ବରିଷ୍ଠ ସମାଜସେବୀ ପ୍ରତାପ ମିଶ୍ର, କଣ୍ଟୁନିଆ ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଯୋଗଦାନ କରିଥିଲେl ପ୍ରଥମେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ର ଆବଶକ୍ୟତା ଓ ଉପକାରିତା ବିଷୟରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା। ବିଶ୍ଵରେ ଯେଭଳି ଦୃତ ଶିଳ୍ପାୟନ ତଥା ବିକାଶ ମୂଳକ ଯୋଜନା ଦ୍ଵାରା ଅବିଚାରିତ ଜଙ୍ଗଲ ଅପସାରଣ ହୋଇ ଚାଲିଛି ଏବମ୍ ବିଶ୍ଵ ତାପନ ଓ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଦେଖା ଦେଉଛି, ଜୈବ ବିଭିନ୍ନତାରେ ହ୍ରାସ ଘଟୁଛି ତାହାର ସମାଧାନ ପାଇଁ ବ୍ୟାପକ ବୃକ୍ଷ ରୋପଣ ଏବମ୍ ଜଙ୍ଗଲ ସୃଷ୍ଟି କରିବା ନିତାନ୍ତ ଜରୁରୀ ହୋଇ ପଡ଼ିଛି ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମ କୁ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନର ସମ୍ପାଦିକା ଶ୍ରାବଣୀ ରାୟ, ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ଲେଙ୍କା, ପରିଚାଳନା କମିଟି ସଦସ୍ୟ ସୁଧୀର ରାୟ, ପରିଚାଳନା କମିଟି ସଦସ୍ୟା ପୁନମ ନାୟକ, ଉତ୍ତମ ବିଶ୍ଵାଳ ଏବଂ ଅଶୋକ ରାୟ ଆଦି ପ୍ରମୁଖ ପରିଚାଳନା କରିଥିଲେ।

ଓଡ଼ିଶା ପରିବେଶ ସମିତି ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ପୃଷ୍ଠପୋଷକ ତାରେ ଏବମ ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ପ୍ରକୃତି ପ୍ରେମୀ ଛାତ୍ର ଛାତ୍ରୀ ତଥା ଅନ୍ୟମାନେ ଯୋଗଦାନକରି ଉତ୍ସାହ ପ୍ରଦାନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଦୁଇଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରଦିପ ଅମାତ

ଭୁବନେଶ୍ୱର: ରାଜ୍ୟର ପ୍ରତିଟି ପରିବାର ସହରାଞ୍ଚଳ ଅବା ଗ୍ରାମାଞ୍ଚଳରେ ବସବାସ କରନ୍ତୁ, ନିରାପଦ ପାନୀୟଜଳ ଯୋଗାଇବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନାର ପ୍ରାଣକେନ୍ଦ୍ର ଅଟେ । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ପାନୀୟ ଜଳ ପ୍ରକଳ୍ପକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି।

ସେହି ମର୍ମରେ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତିଟି ଘରେ ନିରାପଦ ପାନୀୟ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ବିଭିନ୍ନ ପାନୀୟଜଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଦୁଇଟି ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ଅମାତଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ ବିଭାଗୀୟ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନରେ ଯାଇ ପ୍ରକଳ୍ପ ନିର୍ମାଣର ମାନ ତଦାରଖ କରନ୍ତୁ। ପୂର୍ବ ନିର୍ଦ୍ଧାରିତ ସମୟସୀମା ଓ କାର୍ଯ୍ୟଗୁଡ଼ିକର ମାନକୁ ଭଲ ଭାବରେ ତଦାରଖ କରି ସନ୍ତୁଷ୍ଟ ହେଲାପରେ ଯାଇ ଉପଯୁକ୍ତ ପ୍ରାପ୍ୟ ମଞ୍ଜୁର କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ପରାମର୍ଶ ଦେଇଛନ୍ତି। ଏହା ସହିତ ପାଇପ ବିଛାଇଲାବେଳେ ଯେଉଁ କଂକ୍ରିଟ ରାସ୍ତାଗୁଡ଼ିକୁ ଭଙ୍ଗା ଯାଉଛି ତାହାର ମରାମତି ଭାଙ୍ଗିବାର ୧୫ ଦିନ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ ମରାମତି ନକଲେ ସେହି କମ୍ପାନୀ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାରୀ ନାୟକ, ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ବିଧାୟକ ଶ୍ରୀ ଶଶିଭୂଷଣ ବେହେରା, ବିଧାୟକ ଶ୍ରୀ ଧ୍ରୁବଚରଣ ସାହୁ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ନିର୍ମାଣାଧିନ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ଓ ତତ୍‌ସଂପର୍କିତ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଅଧିକାରୀ ଓ ପ୍ରକଳ୍ପକୁ ନିର୍ମାଣ କରୁଥିବା କମ୍ପାନୀର କର୍ମକର୍ତ୍ତାମାନେ ମିଳିତ କ୍ଷେତ୍ର ପରିଦର୍ଶନ କରିବା ସହିତ ସ୍ଥାନୀୟ ବିଧାୟକମାନଙ୍କଠାରୁ ଆବଶ୍ୟକ ପରାମର୍ଶ ଗ୍ରହଣ କଲେ ଅଧିକ ସୁଫଳ ମିଳିପାରନ୍ତା ବୋଲି ସେମାନେ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ୧୪୧୭ଟି ଗ୍ରାମ ଓ ଜଗତସିଂହପୁର ଜିଲ୍ଲାର ୧୨୨୧ଟି ଗ୍ରାମ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉପକୃତ ହେବେ। କେନ୍ଦ୍ରାପଡ଼ା ଜିଲ୍ଲାରେ ୩୨୪୩୫୪ଟି ଗୃହରୁ ଅଦ୍ୟାବଧି ୧୮୨୨୦୭ଟି ଗୃହକୁ ପାନୀୟ ଜଳ ଯୋଗାଇ ଦିଆଯାଇଥିଲାବେଳେ ଜଗତସିଂହପୁର ଜିଲ୍ଲାର ୨୭୨୯୯୫ଟି ଗୃହ ମଧ୍ୟରୁ ଅଦ୍ୟାବଧି ୧୨୪୬୯୮ଟି ଗୃହକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି। ବଳକା ଗୃହଗୁଡ଼ିକୁ ୨୦୨୪ ସୁଦ୍ଧା ପାନୀୟ ଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ତାହାକୁ ଦୃଷ୍ଟିରେ ରଖି କାମଗୁଡ଼ିକୁ ଆଗେଇନେବାକୁ ମନ୍ତ୍ରୀ ଶ୍ରୀ ଅମାତ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ୍‌ର ୨୦୦ଟି ଗ୍ରାମରେ ନିରାପଦ ପାନୀୟଜଳ ଯୋଗାଣ ପାଇଁ ୨୪୧.୩୭ କୋଟି ଟଙ୍କା, ଆଳି ବ୍ଲକ୍‌ରେ ୧୨୬ ଗ୍ରାମ ପାଇଁ ୧୧୩.୭୨ କୋଟି ଟଙ୍କା, ରାଜକନିକା ବ୍ଲକ୍‌ର ୧୫୬ଟି ଗ୍ରାମ ପାଇଁ ୧୧୪.୧୯ କୋଟି ଟଙ୍କା ଏବଂ ଜଗତସିଂହପୁର ଜିଲ୍ଲାର ଏରସମା, ବାଲିକୁଦା ଓ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ୯୦ଟି ଗ୍ରାମ ପାଇଁ ୧୪୨.୮୯ କୋଟି ଟଙ୍କା ଓ କୁଜଙ୍ଗ, ରଘୁନାଥପୁର, ତିର୍ତ୍ତୋଲ ଓ ଏରସମା ବ୍ଲକ୍‌ର ୫୪୪ଟି ଗ୍ରାମ ପାଇଁ ୪୩୧.୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁ ଆକାଂକ୍ଷିତ ‘ପ୍ରତି ଘରକୁ ନିରାପଦ ପାନୀୟ ଜଳ’ ସ୍ୱପ୍ନ ସାକାର ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି। ଗୋଟିଏ ଗ୍ରାମର ଆଖପାଖରେ ଘର କରି ରହୁଥିବା ପରିବାରମାନଙ୍କ ପାଖକୁ ମଧ୍ୟ ପାନୀୟ ଜଳ ପହଞ୍ଚିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ଅମାତ ପରାମର୍ଶ ଦେଇଛନ୍ତି। ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ, ଉଭୟ ଜିଲ୍ଲାର କ୍ଷେତ୍ର ଅଧିକାରୀ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବମାନେ ଯୋଗଦେଇଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜଗତସିଂହପୁର ସହରରେ ଏବେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସ

ଜଗତସିଂହପୁର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ଜଗତସିଂହପୁର ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ଜଗତସିଂହପୁର ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ଜଗତସିଂହପୁର ଓ ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟରମେନ୍ସ ୱିୟରକିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ଏହି ୫୮୦୦ ବର୍ଗଫୁଟର ଷ୍ଟୋର ହେଉଛି ଜଗତସିଂହପୁର ସହରର ପ୍ରଥମ ଟ୍ରେଣ୍ଡ୍‌ସ ଷ୍ଟୋର ଯେଉଁଥିରେ ଗ୍ରାହକମାନଙ୍କ ପାଇଁ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟ ସହିତ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର ରହିଛି। ଯେପରିକି ୩୪୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ୧୯୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁଗ୍ରାହକମାନେ ୨୯୯୯ ଟଙ୍କାର କିଣାକିଣି ସହିତ ୩୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ଜଗତସିଂହପୁରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲା ସଂଗ୍ରାମୀପୀଠ ଅଳକା ଆଶ୍ରମର ପୁନରୁଦ୍ଧାର ପାଇଁ ସଂସ୍କୃତି ବିଭାଗ ପଦକ୍ଷେପ ନେବାକୁ ଦାବି

ଭୁବନେଶ୍ୱର: କଟକର ସ୍ୱରାଜ ଆଶ୍ରମ ପରେ ସେତେବେଳର ଜଗତସିଂହପୁର ସବ୍‌ଡ଼ିଭିଜନ ତଥା ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଅଳକା ନଈଧାରରେ ଅବସ୍ଥିତ ଥିବା ସ୍ୱାଧୀନତାର ସଂଗ୍ରାମୀପୀଠ ଅଳକା ଆଶ୍ରମ ଭାରତୀୟ ମୁକ୍ତି ସଂଗ୍ରାମରେ ଏକ କ୍ରାନ୍ତିକାରୀ ଭୂମିକା ନିଭାଇଥିଲା। ଆଜକୁ ୧୦୦ ବର୍ଷ ତଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କରକମଳରେ ଏହି ଆଶ୍ରମର ଉଦ୍‌ଘାଟନ ହୋଇଥିଲା। ଲକ୍ଷ୍ୟ ଥିଲା ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ ଡ଼ାକରାରେ ଯେଉଁ ଛାତ୍ରଛାତ୍ରୀମାନେ ସେତେବେଳେ ଇଂରାଜୀ ସ୍କୁଲ୍‌କୁ ବୟକଟ କରିଥିଲେ, ସେମାନଙ୍କୁ ଏହି ଆଶ୍ରମରେ ପ୍ରଶିକ୍ଷଣ ଦେଇ ଆତ୍ମନିର୍ଭର କରିବା ସଙ୍ଗେ ସଙ୍ଗେ ଜଣେ ଜଣେ ସଂଗ୍ରାମୀ ସୈନିକ ଭାବରେ ଗଢିତୋଳିବା। ସେତେବେଳେ ମାଜିଷ୍ଟ୍ରେଟ ଚାକିରୀ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ଗୋପବନ୍ଧୁ ଚୌଧୁରୀ ଓ ମା’ ରମାଦେବୀ ଏହି ଆଶ୍ରମର ତତ୍ତ୍ୱାବଧାରକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ଏହି ସଂଗ୍ରାମୀପୀଠ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ସଂଗ୍ରାମୀ ଭାଗିରଥୀ ମହାପାତ୍ର, ହରେକୃଷ୍ଣ ବିଶ୍ୱାଳ, ସଂଗ୍ରାମୀ ପ୍ରାଣକୃଷ୍ଣ ପଢିହାରୀ, ସଂଗ୍ରାମୀ ଗୌରାଙ୍ଗ ଚରଣ ଦାସଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀମାନେ ଜଡ଼ିତ ଥିଲେ। କିନ୍ତୁ ଦୁଃଖର କଥା ଆଜି ସେହି ସଂଗ୍ରାମୀ ପୀଠ ଜରାଜୀର୍ଣ୍ଣ। ଦେଶବାସୀ ଯେତେବେଳେ ସ୍ୱାଧୀନତାର ୭୫ବର୍ଷ ମହୋତ୍ସବ ପାଳନ କରୁଛେ, ସେହି ଅବସରରେ ଏହି ସଂଗ୍ରାମୀ ପୀଠକୁ ଜାତୀୟସ୍ତରରେ ପ୍ରତିଷ୍ଠା କରିବାର ଅବକାଶ ରହିଛି।

ତେଣୁ ରାଜ୍ୟ ସଂସ୍କୃତି ବିଭାଗ ଏହି ପୀଠର ପୁନରୁଦ୍ଧାର କରିବା ସହିତ ଏଠାରେ ଏକ ଶିଶୁ ଉଦ୍ୟାନ ପ୍ରତିଷ୍ଠା କରିବା ଓ ଏହି ପୀଠ ସହିତ ଜଡ଼ିତ ଥିବା ସଂଗ୍ରାମୀମାନଙ୍କର ଇତିହାସ ଓ ଜୀବନକୁ ଡ଼ିଜିଟାଲ ମାଧ୍ୟମରେ ରେକର୍ଡ଼ିଂ କରି ଆଗାମୀ ପିଢି ପାଖରେ ଉପସ୍ଥାପିତ କରିବା ପାଇଁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ସଂସ୍କୃତି ମନ୍ତ୍ରୀଙ୍କ ପାଖରେ ଦାବି କରିଛନ୍ତି।

ଏହା ସହିତ କଟକ, ଭୁବନେଶ୍ୱରରେ ରହୁଥିବା ପ୍ରବାସୀ ଜଗତସିଂହପୁରକୁ ନେଇ ଅଳକା ଆଶ୍ରମର ପୁନରୁଦ୍ଧାର ସମିତି ଗଠନ କରାଯାଇ ବେସରକାରୀସ୍ତରରେ ଉଦ୍ୟମ କରାଯିବା ସହିତ ଜିଲ୍ଲାର ସମସ୍ତ ମାନ୍ୟବର ବିଧାୟକ, ସାଂସଦ ଓ ମାନ୍ୟବର ଜଳସେଚନ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ କରାଯିବାର ପ୍ରସ୍ତାବ ରହିଛି ବୋଲି ସୁବାସ କୁମାର ତାରଣିଆଁ ଓ ରବି ବେହେରା ପ୍ରକାଶ କରିଛନ୍ତି।

Categories
ବିଶେଷ ଖବର

ନୟାଗଡ ଓ ଜଗତସିଂହପୁରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୨୮ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୟାଗଡ ଜିଲ୍ଲାରେ ୧୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ନୟାଗଡ ମାଟିର ଗୌରବ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀ ପଠାଣୀ ସାମନ୍ତ ତଥା ସଂଗ୍ରାମୀ, ଶହୀଦ ରଘୁ ଦିବାକରଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସାରା ରାଜ୍ୟରେ ପିଇବା ପାଣି ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୟାଗଡରେ ୧୦୦୦ କୋଟି ଟଙ୍କା ବିନିଯୋଗରେ ଏକ ମେଗା ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ଏବଂ ଏହାଦ୍ବାରା ଜିଲ୍ଲାର ୮ ଲକ୍ଷ ଲୋକ ଭଲ ପିଇବା ପାଣି ପାଇପାରିବେ। ନୟାଗଡର ମିଶନ ଶକ୍ତିର ମା ମାନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ବିଜିନେସ୍‌ରେ ସୁବିଧା ପାଇଁ ୧୬୪ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମଧ୍ୟ ଜିଲ୍ଲାରେ ଭଲ କାମ ହେଉଛି ବୋଲି କହିଥିଲେ।

ସେହିପରି ଜଗତସିଂହପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ପିଇବା ପାଣି ଉପରେ ରାଜ୍ୟ ସରକାରଙ୍କ ସର୍ବାଧିକ ଗୁରୁତ୍ବ ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଜଗତସିଂହପୁର ଓ ପାରାଦୀପ ସହରର ସବୁ ପରିବାରକୁ ପାଇପ ପାଣିର ସୁବିଧା ଯୋଗାଇ ଦିଆଯାଇଛି। ଜିଲ୍ଲାର ଗ୍ରାମାଂଚଳରେ ପାଇପ ପାଣିର ସୁବିଧା ପାଇଁ ଏକ ବୃହତ ପାଇପ ପାଣି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଗତସିଂହପୁର ଜିଲ୍ଲା ରାଜ୍ୟର ଏକ ଆଗୁଆ ଜିଲ୍ଲା ଏବଂ ଏହା କୃଷି, ଶିଳ୍ପ ସବୁ କ୍ଷେତ୍ରରେ ଉନ୍ନତ। ଅନେକ ସରକାରୀ ଯୋଜନା ଏଠାରେ ସଫଳ ଭାବରେ କାର୍ଯ୍ୟକାରୀ ହେଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଜିଲ୍ଲାରେ ବହୁତ ଭଲ କାମ ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ନୟାଗଡ ଓ ଜଗତସିଂହପୁର ଜିଲ୍ଲା

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ ସ୍ମାର୍ଟ କାର୍ଡ ପାଇବେ। ଏହାସହିତ ରାଜ୍ୟର ୨୮ଟି ଜିଲ୍ଲାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ।

ଏହି ଅବସରରେ ଉଭୟ ଜିଲ୍ଲାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରୂପାନ୍ତର ଆଣିପାରିବ। ଏହାଦ୍ବାରା ଗରିବ ଲୋକମାନେ ପ୍ରକୃତରେ ସଶକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଲେ ଯେ, ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ BSKY Smart Health Card ରେ ସେବା ପ୍ରଦାନ ଆରମ୍ଭ ହୋଇଛି। ସେହି ଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ସେ କହିଥିଲେ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି। ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ। ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍‌ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ଚାଷୀ ହେଉ ବା ମୂଲିଆ ବା ରିକ୍‌ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

ଏହି କାର୍ଯ୍ୟକ୍ରମରେ ନୟାଗଡରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଜଗତସିଂହପୁରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ବ ଓ ଦୂରଦର୍ଶୀ କାର୍ଯ୍ୟକ୍ରମ ଯୋଗୁ ଓଡିଶା ଆଜି ବିଭିନ୍ନ କ୍ଷେତ୍ରରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରିପାରିଛି ବୋଲି ସେମାନେ କହିଥିଲେ। ସ୍ବାସ୍ଥ୍ୟ ଠାରୁ ଆରମ୍ଭ କରି ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ଓଡିଶା ଆଜି ଏକ ଆଗୁଆ ରାଜ୍ୟ ଭାବରେ ଦେଶରେ ଆଦର୍ଶ ସୃଷ୍ଡି କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

Categories
ଆଞ୍ଚଳିକ ସଂସ୍କୃତି

ଜଗତସିଂହପୁର ଜିଲ୍ଲାପ୍ରଶାସନ ତରଫରୁ ନୂଆଖାଇ ଭେଟଘାଟ୍ ଉତ୍ସବ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନୁଆଖାଇ ଭେଟ୍‌ଘାଟ୍ ଉତ୍ସବ ପାଳିତ ହୋଇଯାଇଛି। ନୁଆଖାଇ ପର୍ବ ଏକ ଆଧ୍ୟାତ୍ମିକ, ଧାର୍ମିକ, ସାଂସ୍କୃତିକ, ଅର୍ଥନୈତିକ ଚେତନାର ପର୍ବ। ଏହି ପର୍ବରେ ତିନି ଠାକୁରାଣୀ ସମଲେଶ୍ୱରୀ, ପାଟେଣେଶ୍ୱରୀ ଓ ମାଣିକେଶ୍ୱରୀଙ୍କୁ ପୂଜା କରାଯାଏ। ଏହି ଗଣପର୍ବ ୧୫ଦିନ ଧରି ପାଳନ କରାଯାଏ। ରାଜ୍ୟସରକାର ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନୁଆଖାଇ ପର୍ବକୁ ସାରା ରାଜ୍ୟରେ ପାଳନ କରିବାକୁ ଯେଉଁ ପ୍ରୟାସ କରିଛନ୍ତି ଏହାଦ୍ୱାରା ପଶ୍ଚିମ ଓଡିଶା, ଉପକୂଳ ଓଡିଶା ଭେଦଭାବ ଦୂରହେବା ସହ ସାଂସ୍କୃତିକ ଭାଇଚାରା ସୃଷ୍ଟି ହେବ। ଏହି ପର୍ବଦିନ ଚାଷୀ ମାନେ ସେମାନଙ୍କର ଶସ୍ୟକୁ ଆରାଧ୍ୟ ଦେବୀଙ୍କ ପାଖରେ ଅର୍ପଣ କରିବା ପରେ ପରିବାର ସହିତ ନବାନ୍ନ ଭକ୍ଷଣ କରନ୍ତି। ପଶ୍ଚିମ ଓଡିଶାର ଲୋକମାନେ ଅତିଥି ସତ୍କାର କରିବାକୁ ବହୁତ ଭଲ ପାଆନ୍ତି।

ଏହି ଉତ୍ସବରେ ମୁଖ୍ୟବକ୍ତାଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ମହେନ୍ଦ୍ର କୁମାର ଆଚାର୍ଯ୍ୟ କହିଲେ ନୂଆଖାଇ ପର୍ବ ପାଳନ ଦ୍ୱାରା ସାଂସ୍କୃତିକ ଭାବର ଆଦାନପ୍ରଦାନ ହୋଇଥାଏ। ପଶ୍ଚିମ ଓଡିଶାର ଭାଦ୍ରବ ମାସରେ ଧାନ ଅମଳ ହୁଏ ଓ ଦେବୀଙ୍କୁ ଅର୍ପଣ କଲାପରେ ନବାନ୍ନ ଭକ୍ଷଣ କରାଯାଏ। ଏହିପର୍ବ ସମାଜରେ ସାମାଜିକ ଚେତନା ଆଣେ। ସାନମାନେ ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତି, ଜୁହାର ହୁଅନ୍ତି। ଯାହା ମନୋମାଳିନ୍ୟ ଥାଏ ଏହି ପର୍ବ ପାଳନ ଦିନ ତାହା ଦୂରେଇ ଯାଇଥାଏ।

ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ କହିଲେ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେବି ପଶ୍ଚିମ ଓଡିଶାର ଗଣପର୍ବ ବଦଳରେ ଓଡିଶାର ଗଣପର୍ବ ପାଳନ କରୁଛନ୍ତି। ଏହା ଏକ କୃଷି ଭିତ୍ତିକ ପର୍ବ। ସମ୍ବଲପୁରୀ ନୃତ୍ୟ,ଗୀତ,ପୋଷାକ ପରିପାଟୀ ଅତ୍ୟନ୍ତ ଆକର୍ଷନୀୟ। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଚିନ୍ମୟୀ ବିଶ୍ୱାଳ ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେ ନୂଆଖାଇ ପର୍ବ ପାଳନ ବେଳେ ଉପକୂଳ ଓଡିଶାରେ ନୂଆ ଚୁଡା ଭୋଗ କରାଯାଏ। ଜିଲ୍ଲା ସଂସ୍କୃତି ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।

ପ୍ରଥମେ ଅତିଥିମାନେ ମା ସମଲାଇ ଓ ମା’ଶାରଳାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ୱଳନ କରି ନୁଆଖାଇ ଭେଟ୍ ଘାଟର ଶୁଭ ଉଦ୍‌ଘାଟନ କରିଥିଲେ। କଳାକାର ମାନେ ସମ୍ବଲପୁରୀ ସ୍ୱାଗତସଙ୍ଗୀତ ପରିବେଷଣ କରିଥିଲେ।

ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର ଅଧ୍ୟକ୍ଷତା କରି ନୂଆଖାଇ ପର୍ବ ପାଳନ ଅବସରରେ ଏକ ପୋଡପିଠା କାଟି ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ, ବୁଦ୍ଧିଜୀବୀ, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି, କଳାକାର, ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସମେତ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ ବ୍ୟବସାୟ

ଜଗତସିଂହପୁର ସଦର ମହକୁମାରେ ଉଦଘାଟନ ହେଲା “ଭି ବଜ଼ାର”

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ସଦର ମହକୁମାର ବଡ଼ବଜ଼ାର ଠାରେ ଘରୋଇ ସାମଗ୍ରୀର ଏକ ସୋ ରୁମ୍ “ଭି ବଜ଼ାର”କୁ ଜଗତସିଂହପୁରର ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ମଧୁସୂଦନ ସାହୁ ଆନୁଷ୍ଠାନିକ ଭାବେ ଫିତା କାଟି ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭି ବଜ଼ାରର ରିଜିଓନାଲ ମ୍ୟାନେଜର ମନୋରଞ୍ଜନ ପରିଡା, ମ୍ୟାନେଜର ବଦ୍ରି ନାରାୟଣ ମହାନ୍ତି, ଆସିଷ୍ଟାଣ୍ଡ ମ୍ୟାନେଜର ତୁଷାରକାନ୍ତ ଭଟ,ବରିଷ୍ଠ ସାମ୍ବାଦିକ ଶୁଭଙ୍କର ଜେନା, ତପନ ରାଉତରାୟ, ସମାଜସେବୀ ଅରୁଣ ମହାରଣା ଓ “ଭି ବଜ଼ାର”ର କର୍ମକର୍ତ୍ତା, ଜଗତସିଂହପୁରର ଭୁଦ୍ଧିଜୀବି, ବିଶିଷ୍ଟବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହି ଭି ବଜ଼ାର ଦେଶର ୮୧ ତମ ବଜାର ହୋଇଥିବା ବେଳେ ରାଜ୍ୟର ପଞ୍ଚମ ବଜ଼ାର ଅଟେ ଏହା ଜଗତସିଂହପୁର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଘରୋଇ ଉପକରଣର ସମସ୍ତ ଜିନିଷ ଉପଲବ୍ଧ କରିପାରିବ। ଏହା ଜଗତସିଂହପୁରର ସବୁଠାରୁ ବୃହତ ଭି ବଜ଼ାର ଭାବେ ପ୍ରତିଷ୍ଠିତ ହୋଇପାରିଛି। ଆଗକୁ ଦଶହରା ,କୁମାର ପୁର୍ଣିମା ,ଦୀପାବଳି ଥିବାରୁ ଲୋକମାନଙ୍କୁ ଭଲ ଜିନିଷ ଉପଲବ୍ଧ କରିପାରିବ ବୋଲି “ଭି ବଜ଼ାର”ର ରିଜିଓନାଲ ମ୍ୟାନେଜର ମନୋରଞ୍ଜନ ପରିଡା କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲାକୋର୍ଟରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଅଦାଲତ ପ୍ରାଙ୍ଗଣରେ ଆଜି ଚଳିତ ବର୍ଷର ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।

ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ଚନ୍ଦ୍ର ବେହେରା, ପରିବାର ଅଦାଲତ ଜଜ୍ ଡଃ ଜୀବନ ଜ୍ୟୋତି ରଥ, ଅତିରିକ୍ତ ଜିଲ୍ଲା ଜଜ୍ ଇତିଶ୍ରୀ ମାଳବିକା ଭୂୟାଁ, ସି.ଜି.ଏମ୍ ପ୍ରିୟ ରଞ୍ଜନ ମିଶ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୁନନ୍ଦା ପାଢୀ, ସବ୍ ଜଜ୍ ଶଶୀରେଖା ମିଶ୍ର, ସବଜଜ୍ ଅଭୟ କୁମାର ଦାସ, ରେଜିଷ୍ଟାର ସିଭିଲ୍ କୋର୍ଟସ୍ ସୁଦିପା ପାତ୍ର, ମହିଳା କୋର୍ଟ ଜଜ୍ ରଶ୍ମିତା ସାହୁ, ସିଭିଲ୍ ଜଜ୍ ବିଷ୍ଣୁ ପ୍ରସାଦ ଦେବତା, ଏସ୍.ଡି.ଜେ.ଏମ୍ ଋତୁପର୍ଣ୍ଣା ମିଶ୍ର, ଜେ.ଏମ୍.ଏଫ୍.ସି ଝିଲିଲିନା ନାୟକ ପ୍ରମୁଖ ଯୋଗଦେଇ ମାମଲା ଗୁଡିକର ପରିଚାଳନା କରିଥିଲେ।

ଦୁର୍ଘଟଣା ଜନିତ ମକଦ୍ଦମା ବିଚାର ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ସରକାରୀ ଓକିଲ ସଲିଲ୍ କୁମାର ଘୋଷ,ଡାକ୍ତର ସତ୍ୟବ୍ରତ ଭୂୟାଁ, ଆଇନଜୀବୀ ଧିରେନ୍ଦ୍ର ନାଥ ଆଚାର୍ଯ୍ୟ, ସାମାଜିକ କର୍ମୀ ସୁଷମା ପ୍ରଧାନ ସଭ୍ୟ ଭାବେ ମୋକଦ୍ଦମା ପରିଚାଳନା କରିଥିଲେ। ଦୁର୍ଘଟଣା ଜନିତ କ୍ଷତିପୂରଣ, ଫୌଜଦାରୀ ଦେୱାନୀ, ପାରିବାରିକ ଓ ଅନ୍ୟାନ୍ୟ ମାମଲା ସହିତ ଜଗତସିଂହପୁର ଅଞ୍ଚଳରେ ଥିବା ବ୍ୟାଙ୍କ ମାମଲା ସମ୍ବନ୍ଧୀୟ ପ୍ରାକ୍ ମୋକଦ୍ଦମା ଆଦି ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫଇସଲା ହୋଇଥିଲା।

ମୋଟ୍ ୧୪୪୧ଟି ମାମଲାରୁ ୨୦୫ଟି ସଫଳତାର ସହ ଫଇସଲା ହେବା ସହିତ ୧୯୧୬୯୨୨୬ ଟଙ୍କା ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କ ମାମଲା ସମ୍ବନ୍ଧୀୟ ପ୍ରାକ୍ ମୋକଦ୍ଦମାରେ ୯୪୬ଟି ମାମଲାରୁ ୯୧ଟି ସଫଳତାର ସହ ଫଇସଲା ହେବା ସହିତ ୧୭,୯୫,୫୪୨ ଟଙ୍କା ଆଦାୟ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବଙ୍ଗୋବ ସାଗରରେ ଘୂର୍ଣ୍ଣିବଳୟ ହେଲା ସକ୍ରିୟ, ଆଜି ରାଜ୍ୟର ୧୫ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣ ବଳୟ ସକ୍ରିୟ ହେବାରେ ଲାଗିଛି। ଫଳରେ ଏହାର ପ୍ରଭାବରେ ରାଜ୍ୟର ୧୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ସମ୍ବଲପୁର, ମୟୂରଭଞ୍ଜ, ଦେବଗଡ଼ ଓ କେନ୍ଦୁଝର।

ଫଟୋ- ଆଜି ସକାଳେ ଉପଗ୍ରହରୁ ମିଳିଥିବା ଚିତ୍ର

Categories
ଆଞ୍ଚଳିକ

ଜଗତସିଂହପୁର ସଦର ମହକୁମାରେ ଆଜାଦି କା ଅମୃତ ମହୋତ୍ସବ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ସଦରମହକୁମା ଠାରେ ଜିଲ୍ଲା ପ୍ରଶାସନ ଓ ନେହେରୁ ଯୁବକେନ୍ଦ୍ର ମିଳିତ ଆନୁକୁଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବରେ ସମସ୍ତଙ୍କୁ ସୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଦେଶ ସ୍ୱାଧୀନତା ପାଇଁ ଅନେକ ବରପୁତ୍ର ମାନେ ବଳିଦାନ ଦେଇଥିବା ବେଳେ ଅନେକ ଯୁବକ ସାମିଲ ହୋଇ ବ୍ରିଟିଶ୍ ବିରୁଦ୍ଧରେ ସଂଗ୍ରାମ କରିଥିଲେ।

ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଯୋଗଦେଇ ଭାରତର ମ ହାନ ସ୍ୱାଧୀନତା ସଂଗ୍ରାମୀ ବରପୁତ୍ର ମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଯୁବବର୍ଗଙ୍କୁ ଆହ୍ବାନ ଦେଇଥିଲେ। ଏହି ଉତ୍ସବରେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ,ଜିଲ୍ଲା କ୍ରିଡା ଅଧିକାରୀଣୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ,ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପୂର୍ବତନ ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଅଶୋକ କୁମାର ପରିଡ଼ା, ଏସ୍.ଭି.ଏମ୍ ,ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଜିତୁ ପ୍ରସାଦ ମଲ୍ଲିକ ,ପୂର୍ବତନ ପୌରପାଳ ମଧୁସୂଦନ ସାହୁ ,ବିଜୟ ଲକ୍ଷ୍ମୀ ମହାପାତ୍ର ,ଗୋବିନ୍ଦ ଓଝା ,ଏନ୍.ଏସ୍.ଏସ୍ ର ଛାତ୍ରଛାତ୍ରୀ ,ନେହେରୁ ଯୁବକେନ୍ଦ୍ରର ସଭ୍ୟ ସଭ୍ୟା ଓ ଗ୍ରାମାଞ୍ଚଳର ଯୁବକ ଯୁବତୀ ମାନେ ଉପସ୍ଥିତ ଥିଲେ। ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ସ୍ଥାନୀୟ ଗାନ୍ଧୀଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

ଗାନ୍ଧିଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ମାଲ୍ୟାର୍ପଣ କରିବା ପରେ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ,ପ୍ରାଣକୃଷ୍ଣ ପଢିହାରୀ ଓ ମାଳତୀ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବାବା ସାହେବ ଆମ୍ବେଦକର ,ମଧୁବାବୁ, ନବକୃଷ୍ଣ ଚୌଧୁରୀ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଉତ୍ସବରେ ପୂର୍ବତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷତା କରି ଦେଶକୁ ସ୍ୱାଧୀନତା ଆଣିଥିବା ବରପୁତ୍ର ମାନଙ୍କର ସ୍ମୃତିଚାରଣ କରିଥିଲେ।

ଶେଷରେ ନେହେରୁ ଯୁବକନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ନିଖିଲ କୋକୁଲା ଧନ୍ୟବାଦ ଅର୍ପଣ କରିଥିଲେ। ନେହେରୁ ଯୁବକେନ୍ଦ୍ରର ସହକାରୀ ପବିତ୍ର ମୋହନ ସୁବୁଦ୍ଧି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୋପବନ୍ଧୁ ହେଉଛନ୍ତି ସର୍ବକାଳୀନ ଆଦର୍ଶ, ମହାପୁରୁଷଙ୍କୁ ଅସମ୍ମାନ ବରଦାସ୍ତ କରାଯିବନି: ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ

ଭୁବନେଶ୍ୱର: ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ, ସର୍ବକାଳୀନ ଆଦର୍ଶ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜଗତସିଂହପୁରସ୍ଥିତ ରଘୁନାଥପୁରଠାରେ ଥିବା ପ୍ରତିମୂର୍ତ୍ତି ନିକଟରେ ସ୍ୱର୍ଗତ ରାଜନେତା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଘୋର ବିରୋଧ କରିଛନ୍ତି। ସେ ନିଜେ ଘଟଣାସ୍ଥଳକୁ ଯିବା ସହିତ ଅଭିଯାନର ବରିଷ୍ଠ ସଦସ୍ୟ ବି. ମୁରଲୀଧରଙ୍କ ନେତୃତ୍ୱରେ ପୂଜ୍ୟପୂଜାର ଏକ ସ୍ୱତନ୍ତ୍ର ଟିମ୍ ସେହି ସ୍ଥାନକୁ ଯାଇଥିଲେ।

ସେଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂଜ୍ୟପୂଜା ପ୍ରାଣ ରଶ୍ମୀରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଦୀର୍ଘ ଏକମାସ ଧରି ଊତ୍କଳମଣିଙ୍କ ପ୍ରତିମୂର୍ତ୍ତି ପାଖରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ବିରୋଧ କରି ଆସୁଛନ୍ତି। ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ କରିଛନ୍ତି ଯେ, ଉତ୍କଳମଣିଙ୍କ ନିକଟରେ ସମକକ୍ଷ ପ୍ରତିଭା ଭାବରେ ଉକ୍ତ ରାଜନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଗ୍ରହଣୀୟ ନୁହେଁ ଏବଂ ଏହା ଉତ୍କଳମଣିଙ୍କ ପ୍ରତି ଘୋର ଅପମାନ।

ଏହି ପରିପ୍ରେକ୍ଷୀରେ ସରକାର ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ ଏହାର ପ୍ରତିବାଦ ସ୍ୱରୂପ ଆନ୍ଦୋଳନ ଖୁବ୍‌ଶୀଘ୍ର ହେବ। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଏ ବାବଦରେ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସଦଭାବନା ଦିବସ ପାଳିତ

ରମେଶ ମହାନ୍ତି
ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳିତ ହୋଇଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକୀ ପାଳନ ଅବସରରେ ସାରା ଦେଶରେ ସଦଭାବନା ଦିବସ ପାଳିତ ହେଉଛି।

ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଶପଥପାଠ କରାଇଥିଲେ। ଜାତି, ସମ୍ପ୍ରଦାୟ, କ୍ଷେତ୍ର, ଧର୍ମ ଓ ଭାଷା ଭେଦଭାବ ବିନା ସମସ୍ତ ଭାରତବାସୀଙ୍କର ଏକତା ଓ ସଦଭାବନା ପାଇଁ ମୁଁ କାର୍ଯ୍ୟ କରିବା ସହିତ କୌଣସି ହିଂସା ଆଚରଣ ନକରି ସମସ୍ତ ପ୍ରକାର ମତଭେଦକୁ କଥାବାର୍ତ୍ତା ଏବଂ ସାମ୍ବିଧାନିକ ଉପାୟରେ ସମାଧାନ କରିବି।

ଏହି ଶପଥପାଠ ଉତ୍ସବରେ ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ଶ୍ରୀମତୀ ବିନିତା ଦାଶ, ଜିଲ୍ଲାପାଳଙ୍କ ଓ.ଏସ୍.ଡି ଶଶାଙ୍କ ଶେଖର ଲେଙ୍କାଙ୍କ ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶପଥପାଠ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜଗତସିଂହପୁର ପୌରପରିଷଦ ଓ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ରମେଶ ମହାନ୍ତି
ଜଗତସିଂହପୁର: ସ୍ୱାଧୀନତା ଦିବସ ଅବସରରେ ଆଜି ଜଗତସିଂହପୁର ପୌରପରିଷଦ ଓ ବ୍ଲକ୍ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି।

ଏହି ଉତ୍ସବରେ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇଥିଲେ। ସମୁଦାୟ ୧୧ଟି ପ୍ରକଳ୍ପ ମଧ୍ୟରୁ ୬ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଜଗତସିଂହପୁର ପୌରପରିଷଦର ବଙ୍ଗଳା ଛକଠାରୁ ପୂର୍ତ୍ତବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚଲାପଥ ଓ ସୌନ୍ଦର୍ଯ୍ୟକରଣ, ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ସମ୍ପୂର୍ଣ୍ଣ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସେଲ୍ କାଉଣ୍ଟର ଅଳକା, ଜିଲ୍ଲା ପ୍ରାଣୀଚିକିତ୍ସା କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ନିର୍ମିତ ତାଲିମ୍ କେନ୍ଦ୍ର, ହାଟପୋଲ ଠାରୁ ଅନୁକୂଳଚନ୍ଦ୍ର ଆଶ୍ରମ ପର୍ଯ୍ୟନ୍ତ ମାଛଗାଁ କେନାଲ ରାସ୍ତା ପ୍ରଶସ୍ତିକରଣ, ମୃତିକା ସଂରକ୍ଷଣ ଓ ବୃକ୍ଷରୋପଣ, ନୂଆପଡ଼ା ସାଁପୁର ଠାରେ ନୂତନ ଭାବେ ନିର୍ମିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଶୁଭ ଉଦଘାଟନ ସହିତ ବାଗସାହି ଟାଉନହଲ୍ ନିକଟ ଜାଭିୟର୍ ସ୍କୁଲ୍ ନିକଟରେ ଭେଣ୍ଡିଂ ଜୋନ୍, ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ତିନିମହଲା ବିଶିଷ୍ଟ ୬ଟି ଇ-ଟାଇପ୍ ଷ୍ଟାଫ୍ କ୍ୱାଟର୍, ପୌରପରିଷଦ ୱାର୍ଡ଼ ନଂ ୧୦ ହରିହରପୁର ଠାରେ ମିସନଶକ୍ତି ଗୃହ, ମାଛଗାଁ ମୁଖ୍ୟ କେନାଲ ବାମପଟ ବନ୍ଧ ଉନ୍ନତିକରଣ ଓଡିଶ ଠାରୁ କାଳିଆବୋରା ପର୍ଯ୍ୟନ୍ତ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ରାଜସ୍ବ କର୍ମଚାରୀଙ୍କ ନିମନ୍ତେ ଜଗତସିଂହପୁର ତହସିଲ୍ ନିକଟରେ ୧୨ଟି ଇ-ଟାଇପ୍ କ୍ୱାଟର୍ ନବନିର୍ମିତ ଗୃହର ଶୁଭ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବୀର କିଶୋର ପରିଡା, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ରାଜକିଶୋର ଦାସ, ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ପ୍ରତାପ କୁମାର ଶତପଥୀ, ରାସ୍ତା ଓ କୋଠାବାଡ଼ି ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ, ଡେପୁଟି ସିଇଓ ଓରମାସ ସତ୍ୟସୁନ୍ଦର ଶିବରାମ ପାଇଟାଲ, ଡିଡିଏମ୍ ନାବାର୍ଡ ବିଶ୍ୱ ଭୂଷଣ ମହାନ୍ତିଙ୍କ ସମେତ ସହରର ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ।

ଏଥିସହିତ ୭୫ତମ ସ୍ୱାଧୀନତା ଦିବସ ଅବସରରେ ପୌର କର୍ମଚାରୀଙ୍କ ଦ୍ବାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଉଦଘାଟନ କରାଯିବା ସହିତ ଏହି ରକ୍ତଦାନ ଶିବିରରେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ପୌର ଚିକିତ୍ସକ ଡଃ ସରୋଜ କୁମାର ଷଡଙ୍ଗୀଙ୍କ ସମେତ କର୍ମଚାରୀ ମାନେ ରକ୍ତଦାନ କରିଥିଲେ।