ପାଇକସ୍ତାରେ ରକ୍ତାକ୍ତ ସଂଘର୍ଷ, ଦୁଇ ପକ୍ଷରୁ ୫ ଗିରଫ

Published: Sep 17, 2023, 11:45 am IST

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଗପାଳ ପଂଚାୟତ ପାଇକସ୍ତା ଗ୍ରାମରେ ଦୁଇ ଗୋଷ୍ଠି ମଧ୍ୟରେ ରକ୍ତାକ୍ତ ସଂଘର୍ଷକୁ ନେଇ ପୋଲିସ୍ ଦୁଇଟି ମାମଲା ୪୨୩/୨୩, ୪୨୪/୨୩ ରୁଜ୍ଜୁ କରିଥିବା ବେଳେ ଦୁଇପକ୍ଷରୁ ୫ ଜଣଙ୍କୁ ଗିରଫ କରିଛି କୁଜଙ୍ଗ ଥାନା ପୋଲିସ୍। ସେମାନେ ହେଲେ ଗୋଟିଏ ପକ୍ଷରୁ ପାଇକସ୍ତା ଗ୍ରାମର ସ୍ୱାଧୀନ ଖୁଂଟିଆ(୨୮) ହୋଇଥିବା ବେଳେ ଅନ୍ୟ ପକ୍ଷରୁ ପଙ୍କପାଳ ଢିହସାହି ଗ୍ରାମର ପରମବ୍ରହ୍ମ ରାଉତ, ଆଲୋକ ଓଝା, ଅମ୍ବିକା ବିଶ୍ୱାଳ, ସଂଗ୍ରାମ ଲେଙ୍କା। ତାହାସହିତ ଏହି ଗୋଷ୍ଠୀ ସଂଘର୍ଷ ଘଟଣାରେ ବ୍ୟବହୃତ ହୋଇଥିବା ମହିନ୍ଦ୍ରା ଥର କାର(ଓଡି-୦୨ବିକେ୯୧୯୯)ଗାଡ଼ିଟିକୁ ପୋଲିସ୍ ଜବତ କରିଛି। ଆଜି ପାଂଚ ଜଣ ଅଭିଯୁକ୍ତଙ୍କୁ କୁଜଙ୍ଗ କୋର୍ଟରେ ପୋଲିସ୍ ହାଜର କରାଇଥିଲା। ସେଠାରେ ସେମାନଙ୍କର ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଥିବା ଥାନାଅଧିକାରୀ ରଶ୍ମୀରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

ପ୍ରକାଶ ଯେ, ଗତକାଲି ଅପରାହ୍ନରେ ସ୍ୱାଧୀନ ତାର ନିଜ ଗ୍ରାମସ୍ଥିତ ରାସ୍ତାରେ ଠିଆ ହୋଇଥିଲା। ସେହି ସମୟରେ ପୂର୍ବ ଶତୃତାକୁ କେନ୍ଦ୍ରକରି ପରମ୍‌ବ୍ରହ୍ମ ଓ ତାର ୩ ସହଯୋଗୀ ଏକ କାର ଯୋଗେ ସ୍ୱାଧୀନ ନିକଟରେ ପହଁଚିଥିଲେ। ସେମାନଙ୍କ ମଧ୍ୟରେ କିଛି କଥାକୁ ନେଇ ବଚସା ହୋଇଥିଲା। ପରମବ୍ରହ୍ମ ଉତ୍‌କ୍ଷିପ୍ତ ହୋଇ ପ୍ରଥମେ ସ୍ୱାଧୀନକୁ ଆକ୍ରମଣ କରିଥିଲା। ଏହି ଘଟଣାରେ ଦୁଇପକ୍ଷରୁ ଦୁଇଜଣ ରକ୍ତାକ୍ତ ହୋଇଥିଲେ। ସ୍ୱାଧୀନର ହାତ ପାପୁଲି ସମେତ ଦେହର ବିଭିନ୍ନ ଯାଗାରେ କ୍ଷତ ହୋଇଥିବାବେଳେ ପରମବ୍ରହ୍ମର ବେକରେ କ୍ଷତ ହୋଇଛି। ପରେ କୁଜଙ୍ଗ ମେଡ଼ିକାଲରେ ପହଁଚି ପ୍ରାଥମିକ ଚିକିତ୍ସା କରାଇଥିଲେ । ଆଜି ଏହି ଘଟଣାରେ ଦୁଇପକ୍ଷରୁ ୫ ଜଣଙ୍କୁ ଜେଲ୍ ଯିବାକୁ ପଡିଛି।

Related posts